Bible 2 India Mobile
[VER] : [ODIYA]     [PL]  [PB] 
 <<  Zechariah 13 >> 

1ସେହି ଦିନ ପାପ ଓ ଅଶୁଚିତାର ନିମନ୍ତେ ଦାଉଦ-ବଂଶର ଓ ଯିରୂଶାଲମର ନିବାସୀଗଣର ପ୍ରତି ଏକ ନିର୍ଝର ଖୋଲାଯିବ ।

2ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, "ସେହି ଦିନ ଆମ୍ଭେ ଦେଶରୁ ପ୍ରତିମାଗଣର ନାମ ଉଚ୍ଛିନ୍ନ କରିବା ଓ ସେମାନେ ଆଉ ସ୍ମରଣ କରା ଯିବେ ନାହିଁ; ଆହୁରି, ଆମ୍ଭେ ଦେଶରୁ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ଓ ଅଶୁଚିତାର ଆତ୍ମାକୁ ବାହାର କରିବା ।

3ଆଉ, କେହି ଯଦି ପୁନର୍ବାର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରେ, ତେବେ ତାହାର ଜନ୍ମଦାତା ପିତା ଓ ମାତା ତାହାକୁ କହିବେ, ତୁମ୍ଭେ ବଞ୍ଚିବ ନାହିଁ; କାରଣ ତୁମ୍ଭେ ସଦାପ୍ରଭୁଙ୍କ ନାମରେ ମିଥ୍ୟା କହୁଅଛ; ଆଉ, ସେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା ବେଳେ, ତାହାର ଜନ୍ମଦାତା ପିତା ଓ ମାତା ତାହାକୁ ଅସ୍ତ୍ରବିଦ୍ଧ କରିବେ ।

4ପୁଣି, ସେହି ଦିନ ଭବିଷ୍ୟଦ୍‍ବକ୍ତାଗଣ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା ବେଳେ, ପ୍ରତ୍ୟେକେ ଆପଣା ଆପଣା ଦର୍ଶନ ବିଷୟରେ ଲଜ୍ଜିତ ହେବେ ଓ ପ୍ରତାରଣା କରିବା ପାଇଁ ସେମାନେ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ ।

5ମାତ୍ର ସେ କହିବ, 'ମୁଁ ଭବିଷ୍ୟଦ୍‍ବକ୍ତା ନୁହେଁ, ମୁଁ କୃଷକ, କାରଣ ବାଲ୍ୟକାଳରୁ କ୍ରୀତଦାସ ହୋଇଅଛି ।'

6ପୁଣି, ତୁମ୍ଭର ଦୁଇ ବାହୁ ମଧ୍ୟରେ ଏହି କ୍ଷତଦାଗସବୁ କଅଣ ? ଏହା କେହି ତାହାକୁ ପଚାରିଲେ, ସେ ଉତ୍ତର କରିବ, 'ମୁଁ ଆପଣା ବନ୍ଧୁମାନଙ୍କ ଗୃହରେ ଯେଉଁ ଆଘାତ ପାଇଥିଲି, ଏହିସବୁ ସେହି ।'"

7ହେ ଖଡ଼୍‍ଗ, ଆମ୍ଭ ପାଳକର ବିରୁଦ୍ଧରେ ଓ ଆମ୍ଭ ସଖା-ମନୁଷ୍ୟର ବିରୁଦ୍ଧରେ ଜାଗ୍ରତ ହୁଅ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, "ପାଳକକୁ ଆଘାତ କର," ତହିଁରେ ମେଷଗଣ ଛିନ୍ନଭିନ୍ନ ହୋଇଯିବେ ଓ ଆମ୍ଭେ କ୍ଷୁଦ୍ର ଲୋକମାନଙ୍କର ଉପରେ ଆପଣା ହସ୍ତ ଫେରାଇବା ।"

8ପୁଣି, ସଦାପ୍ରଭୁ କହନ୍ତି, "ସମୁଦାୟ ଦେଶର ଦୁଇ ଅଂଶ ଲୋକ ଉଚ୍ଛିନ୍ନ ହୋଇ ମରିବେ; ମାତ୍ର ତୃତୀୟାଂଶ ତହିଁ ମଧ୍ୟରେ ଛଡ଼ାଯିବେ ।

9ଆଉ, ସେହି ତୃତୀୟାଂଶକୁ ଆମ୍ଭେ ଅଗ୍ନି ମଧ୍ୟଦେଇ ଆଣିବା ଓ ରୂପା ଯେପରି ପରିଷ୍କୃତ ହୁଏ, ତଦ୍ରୂପ ସେମାନଙ୍କୁ ପରିଷ୍କାର କରିବା, ଆଉ ସୁନା ଯେପରି ପରୀକ୍ଷିତ ହୁଏ, ସେପରି ସେମାନଙ୍କୁ ପରୀକ୍ଷା କରିବା । ସେମାନେ ଆମ୍ଭ ନାମରେ ପ୍ରାର୍ଥନା କରିବେ ଓ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା । ଆମ୍ଭେ କହିବା, 'ଏମାନେ ଆମ୍ଭର ଲୋକ' ଆଉ, ସେମାନେ କହିବେ, 'ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି ।'"



 <<  Zechariah 13 >> 


Bible2india.com
© 2010-2024
Help
Single Panel

Laporan Masalah/Saran