Bible 2 India Mobile
[VER] : [ODIYA]     [PL]  [PB] 
 <<  Zechariah 12 >> 

1ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କର ବାକ୍ୟ । ଯେ ଆକାଶମଣ୍ଡଳ ବିସ୍ତାର କରନ୍ତି ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରନ୍ତି ଓ ମନୁଷ୍ୟର ଅନ୍ତରରେ ଆତ୍ମା ନିର୍ମାଣ କରନ୍ତି, ସେହି ସଦାପ୍ରଭୁ ଏହି କଥା କହନ୍ତି ।

2ଦେଖ, ଆମ୍ଭେ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଗୋଷ୍ଠୀ ପ୍ରତି ଯିରୂଶାଲମକୁ ଟଳଟଳଜନକ ପାନପାତ୍ର ସ୍ୱରୂପ କରିବା ଓ ଯିରୂଶାଲମର ଅବରୋଧ ସମୟରେ ଯିହୁଦା ଉପରେ ମଧ୍ୟ ବର୍ତ୍ତିବ ।

3ପୁଣି, ସେହି ଦିନ ଆମ୍ଭେ ଯିରୂଶାଲମକୁ ସମସ୍ତ ଗୋଷ୍ଠୀ ପ୍ରତି ଭାର ସ୍ୱରୂପ ପ୍ରସ୍ତର କରିବା; ଯେଉଁମାନେ ସେହି ପ୍ରସ୍ତର ଉଠାଇବା ପାଇଁ ଚେଷ୍ଟା କରନ୍ତି, ସେହି ସମସ୍ତେ ଅତ୍ୟନ୍ତ କ୍ଷତବିକ୍ଷତ ହେବେ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତାହା ବିରୁଦ୍ଧରେ ଏକତ୍ରିତ ହେବେ ।

4ସଦାପ୍ରଭୁ କହନ୍ତି, "ସେହି ଦିନ ଆମ୍ଭେ ପ୍ରତ୍ୟେକ ଅଶ୍ୱକୁ ଆତଙ୍କରେ ଓ ଆରୋହୀକୁ ପାଗଳାମିରେ ଆଘାତ କରିବା ଆଉ, ଆମ୍ଭେ ଯିହୁଦା-ବଂଶ ପ୍ରତି ଆପଣା ଚକ୍ଷୁ ମେଲାଇ ଗୋଷ୍ଠୀଗଣର ପ୍ରତ୍ୟେକ ଅଶ୍ୱକୁ ଅନ୍ଧ କରିବା ।"

5ପୁଣି, ଯିହୁଦାର ଅଧ୍ୟକ୍ଷଗଣ ଆପଣା ଆପଣା ମନରେ କହିବେ, "ଯିରୂଶାଲମର ନିବାସୀମାନେ ଆମର ବଳସ୍ୱରୂପ ଅଟନ୍ତି କାରଣ ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଅଟନ୍ତି ।

6ସେହି ଦିନ ଆମ୍ଭେ ଯିହୁଦାର ଅଧ୍ୟକ୍ଷଗଣକୁ କାଷ୍ଠ ମଧ୍ୟରେ ଅଗ୍ନିଧାରୀ ପାତ୍ର ସ୍ୱରୂପ ଓ ଶସ୍ୟବିଡ଼ା ମଧ୍ୟରେ ମଶାଲ ସ୍ୱରୂପ କରିବା ଆଉ, ସେମାନେ ଦକ୍ଷିଣ ଓ ବାମରେ ଚତୁଃପାଶ୍ୱର୍ସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ଗ୍ରାସ କରିବେ; ଆଉ, ଯିରୂଶାଲମ ପୁନର୍ବାର ସ୍ୱସ୍ଥାନରେ, ଅର୍ଥାତ୍‍, ଯିରୂଶାଲମରେ ବାସ କରିବ ।

7ଆହୁରି, ଦାଉଦ-ବଂଶର ଗୌରବ ଓ ଯିରୂଶାଲମ ନିବାସୀଗଣର ଗୌରବ ଯେପରି ଯିହୁଦା-ବଂଶର ଉପରେ ଉନ୍ନତ ନ ହୁଏ, ଏଥିପାଇଁ ସଦାପ୍ରଭୁ ପ୍ରଥମରେ ଯିହୁଦାର ତମ୍ବୁସବୁକୁ ଉଦ୍ଧାର କରିବେ ।

8ସେହି ଦିନ ସଦାପ୍ରଭୁ ଯିରୂଶାଲମର ନିବାସୀଗଣକୁ ରକ୍ଷା କରିବେ ଓ ସେମାନଙ୍କ ମଧ୍ୟରେ ଯେଉଁ ଜନ ଦୁର୍ବଳ, ସେହି ଦିନ ସେ ଦାଉଦ ପରି ହେବ ଓ ଦାଉଦ-ବଂଶ ପରମେଶ୍ୱରଙ୍କ ପରି, ସେମାନଙ୍କର ଅଗ୍ରଗାମୀ ସଦାପ୍ରଭୁଙ୍କର ଦୂତ ପରି ହେବେ ।

9ଆଉ, ଯେଉଁମାନେ ଯିରୂଶାଲମର ବିରୁଦ୍ଧରେ ଆସନ୍ତି, ସେହି ସମସ୍ତ ଗୋଷ୍ଠୀଙ୍କୁ ଆମ୍ଭେ ସେହି ଦିନ ନଷ୍ଟ କରିବାକୁ ମନସ୍ଥ କରିବା ।

10ପୁଣି, ଆମ୍ଭେ ଦାଉଦ ବଂଶ ଉପରେ ଓ ଯିରୂଶାଲମ ନିବାସୀମାନଙ୍କ ଉପରେ ଅନୁଗ୍ରହ ଓ ବିନତିଜନକ ଆତ୍ମା ବୃଷ୍ଟି କରିବା; ତହିଁରେ ସେମାନେ ଆମ୍ଭ ପ୍ରତି, ଅର୍ଥାତ୍‍, ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ; ଆଉ, କେହି ଯେପରି ଆପଣାର ଏକମାତ୍ର ପୁତ୍ର ଲାଗି ଶୋକ କରେ, ସେପରି ସେମାନେ ତାହାଙ୍କ ପାଇଁ ଶୋକ କରିବେ ଓ କେହି ଯେପରି ଆପଣା ପ୍ରଥମଜାତର ନିମନ୍ତେ ବ୍ୟାକୁଳିତ ହୁଏ, ସେପରି ସେମାନେ ତାହାଙ୍କ ପାଇଁ ବ୍ୟାକୁଳିତ ହେବେ ।

11ସେଦିନ ମଗିଦ୍ଦୋନ୍‍ ଉପତ୍ୟକାରେ ହଦଦ୍‍ରିମ୍ମୋଣର ଶୋକ ତୁଲ୍ୟ ଯିରୂଶାଲମରେ ମହା ଶୋକ ହେବ ।

12ପୁଣି ଦେଶ, ପ୍ରତ୍ୟେକ ଗୋଷ୍ଠୀ ନିଜେ ନିଜେ ଶୋକ କରିବେ; ଦାଉଦ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ; ନାଥନ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ;

13ଲେବୀ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ; ଶିମୀୟିର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ ନିଜେ ଶୋକ କରିବେ;

14ଅବଶିଷ୍ଟ ସମୁଦାୟ ଗୋଷ୍ଠୀ ମଧ୍ୟରୁ ପ୍ରତ୍ୟେକ ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ ନିଜେ ଶୋକ କରିବେ ।



 <<  Zechariah 12 >> 


Bible2india.com
© 2010-2024
Help
Single Panel

Laporan Masalah/Saran