1ଦର୍ଶନ ଉପତ୍ୟକା ବିଷୟକ ଭାରୋକ୍ତି । ଏବେ ତୁମ୍ଭର କ'ଣ ହେଉଅଛି ଯେ, ତୁମ୍ଭେ ସମସ୍ତେ ଗୃହର ଛାତ ଉପରକୁ ଯାଇଅଛ ?
2ହେ ଆନନ୍ଦ ଧ୍ୱନିପୂର୍ଣ୍ଣେ, କୋଳାହଳଯୁକ୍ତେ ନଗରୀ, ଉଲ୍ଲାସପ୍ରିୟେ ପୁରୀ; ତୁମ୍ଭର ହତ ଲୋକମାନେ ଖଡ଼୍ଗରେ ହତ ହୋଇ ନାହାନ୍ତି, କିଅବା ସେମାନେ ଯୁଦ୍ଧରେ ମରି ନାହାନ୍ତି ।
3ତୁମ୍ଭର ଶାସନକର୍ତ୍ତା ସମସ୍ତେ ଏକାବେଳେ ପଳାଇଲେ, ସେମାନେ ଧନୁର୍ଦ୍ଧାରୀମାନଙ୍କ ଦ୍ୱାରା ବନ୍ଧା ଗଲେ; ତୁମ୍ଭ ମଧ୍ୟରେ ପ୍ରାପ୍ତ ସମସ୍ତ ଲୋକ ଏକତ୍ର ବନ୍ଧା ଗଲେ, ସେମାନେ ଦୂରକୁ ପଳାଇଲେ ।
4ଏଥିପାଇଁ ମୁଁ କହିଲି, "ମୋତେ ଛାଡ଼ି ଅନ୍ୟଆଡ଼େ ଅନାଅ, ମୁଁ ଅତିଶୟ ରୋଦନ କରିବି; ମୋ' ଗୋଷ୍ଠୀୟ କନ୍ୟାର ସର୍ବନାଶ ବିଷୟରେ ମୋତେ ସାନ୍ତ୍ୱନା କରିବା ପାଇଁ ଚେଷ୍ଟା କର ନାହିଁ ।
5କାରଣ ଦର୍ଶନ ଉପତ୍ୟକାରେ ପ୍ରଭୁଙ୍କର, ସୈନ୍ୟାଧିପତି ସଦାପ୍ରଭୁଙ୍କର ପ୍ରେରିତ ପରାଜୟର, ଦଳନର, ବ୍ୟାକୁଳତାର ପ୍ରାଚୀର ଭଗ୍ନ ହେବାର ଓ ପର୍ବତଗଣ ପ୍ରତି ଆର୍ତ୍ତନାଦ କରିବାର ଦିନ ଏହି ।
6ପୁଣି, ଏଲମ୍ ରଥାରୋହୀ, ଅଶ୍ୱାରୋହୀ ସୈନ୍ୟ ସହିତ ତୂଣ ଧାରଣ କଲା ଓ କୀର୍ ଢାଲ ଅନାବୃତ କଲା ।
7ପୁଣି, ତୁମ୍ଭର ଅତି ଉତ୍କୃଷ୍ଟ ଉପତ୍ୟକାସବୁ ରଥମାନଙ୍କରେ ପରିପୂର୍ଣ୍ଣ ଥିଲା ଓ ଅଶ୍ୱାରୋହୀମାନେ ନଗର ଦ୍ୱାରରେ ସସଜ୍ଜ ହୋଇଥିଲେ ।"
8ପୁଣି, ସେ ଯିହୁଦାର ଓଢ଼ଣା କାଢ଼ି ପକାଇଲେ ଓ ସେହି ଦିନ ତୁମ୍ଭେ ବନଗୃହସ୍ଥ ଯୁଦ୍ଧାସ୍ତ୍ର ପ୍ରତି ଦୃଷ୍ଟି କଲ ।
9ଆଉ, ଦାଉଦନଗରର ଭଗ୍ନ ସ୍ଥାନ ଅନେକ ବୋଲି ତୁମ୍ଭେମାନେ ଦେଖିଲ ଓ ନୀଚସ୍ଥ ପୁଷ୍କରିଣୀର ଜଳସବୁ ଏକତ୍ର କଲ ।
10ପୁଣି, ତୁମ୍ଭେମାନେ ଯିରୂଶାଲମସ୍ଥ ଗୃହସବୁ ଗଣନା କଲ ଓ ପ୍ରାଚୀର ଦୃଢ଼ କରିବା ପାଇଁ ଗୃହସବୁ ଭାଙ୍ଗିଲ ।
11ମଧ୍ୟ ତୁମ୍ଭେମାନେ ପୁରାତନ ପୁଷ୍କରିଣୀର ଜଳ ନିମନ୍ତେ ଦୁଇ ପ୍ରାଚୀରର ମଧ୍ୟ ସ୍ଥାନରେ ଜଳାଶୟ ପ୍ରସ୍ତୁତ କଲ; ମାତ୍ର ଯେ ଏହା ସାଧନ କଲେ, ତୁମ୍ଭେମାନେ ତାହାଙ୍କ ପ୍ରତି ଅନାଇଲ ନାହିଁ, କିଅବା ଯେ ଦୀର୍ଘକାଳରୁ ଏଥିର ସଙ୍କଳ୍ପ କଲେ, ତୁମ୍ଭେମାନେ ତାହାଙ୍କୁ ଆଦର କଲ ନାହିଁ ।
12ପୁଣି, ସେଦିନ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ରୋଦନ ଓ ବିଳାପ ଓ ମସ୍ତକ ମୁଣ୍ଡନ ଓ କଟିଦେଶରେ ଚଟବନ୍ଧନ କରିବାକୁ ଡାକିଲେ;
13ମାତ୍ର ଦେଖ, ଆମୋଦ ପ୍ରମୋଦ, ଗୋବଧ ଓ ମେଷହନନ, ମାଂସ ଭୋଜନ ଓ ଦ୍ରାକ୍ଷାରସ ପାନ ହେଉଅଛି; ଆସ, ଆମ୍ଭେମାନେ ଭୋଜନ ପାନ କରୁ, କାରଣ କାଲି ଆମ୍ଭେମାନେ ମରିବା ।
14ପୁଣି, ସୈନ୍ୟାଧିପତି ସଦାପ୍ରଭୁ ସ୍ୱୟଂ ଆମ୍ଭ କର୍ଣ୍ଣଗୋଚରରେ ପ୍ରକାଶ କଲେ, ନିଶ୍ଚୟ ତୁମ୍ଭମାନଙ୍କର ମରଣକାଳ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଏହି ଅପରାଧ କ୍ଷମା ହେବ ନାହିଁ, ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଏରୂପ କହନ୍ତି ।
15ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଏହି କୋଷାଧ୍ୟକ୍ଷ ନିକଟକୁ, ଅର୍ଥାତ୍, ଗୃହର ଅଧ୍ୟକ୍ଷ ଶୀବ୍ନ ନିକଟକୁ ଯାଇ କୁହ,
16ତୁମ୍ଭେ ଏଠାରେ କଅଣ କରୁଅଛ ? ଓ ଏଠାରେ ତୁମ୍ଭର କିଏ ଅଛି ଯେ, ତୁମ୍ଭେ ଆପଣା ପାଇଁ ଏକ କବର ଖୋଳିଅଛ ? ସେ ତ ଉଚ୍ଚ ସ୍ଥାନରେ ଆପଣା କବର ଖୋଳିଅଛି ଓ ଶୈଳରେ ଆପଣା ନିମନ୍ତେ ବାସସ୍ଥାନ ଖୋଦନ କରିଅଛି !
17ଦେଖ, ବୀରର ନ୍ୟାୟ ସଦାପ୍ରଭୁ ବଳରେ ତୁମ୍ଭକୁ ଫୋପାଡ଼ି ଦେବେ, ହଁ, ସେ ଦୃଢ଼ ରୂପେ ତୁମ୍ଭକୁ ଗୁଡ଼ାଇବେ ।
18ନିଶ୍ଚୟ ସେ ପେଣ୍ଡୁ ପରି ତୁମ୍ଭକୁ ବୁଲାଇ ଓ ଘୂରାଇ ଏକ ପ୍ରଶସ୍ତ ଦେଶରେ ନିକ୍ଷେପ କରିବେ; ସେଠାରେ ତୁମ୍ଭେ ମରିବ ଓ ସେଠାରେ ତୁମ୍ଭର ଗୌରବ ସ୍ୱରୂପ ରଥସବୁ ରହିବ, ତୁମ୍ଭେ ଆପଣା ପ୍ରଭୁଙ୍କ ଗୃହର କଳଙ୍କ ସ୍ୱରୂପ ।
19ପୁଣି, ଆମ୍ଭେ ତୁମ୍ଭକୁ ତୁମ୍ଭ ପଦରୁ ତଡ଼ି ଦେବା ଓ ସେ ତୁମ୍ଭକୁ ତୁମ୍ଭ ସ୍ଥାନରୁ ଟାଣି ଆଣି ତଳକୁ ପକାଇବେ ।
20ଆଉ, ସେଦିନ ଆମ୍ଭେ ଆପଣା ଦାସକୁ, ହିଲ୍କୀୟର ପୁତ୍ର ଇଲିୟାକୀମ୍କୁ ଡାକିବା;
21ପୁଣି, ଆମ୍ଭେ ତୁମ୍ଭର ଚୋଗା ତାହାକୁ ପରିଧାନ କରାଇବା ଓ ତୁମ୍ଭ କଟିବନ୍ଧନୀରେ ତାହାକୁ ବଳବାନ କରିବା ଓ ତୁମ୍ଭର କର୍ତ୍ତୃତ୍ୱାଧିକାର ତାହା ହସ୍ତରେ ସମର୍ପଣ କରିବା; ତହିଁରେ ସେ ଯିରୂଶାଲମ ନିବାସୀମାନଙ୍କର ଓ ଯିହୁଦା ବଂଶର ପିତା ହେବ ।
22ପୁଣି, ଆମ୍ଭେ ଦାଉଦବଂଶର ଚାବି ତାହାର ସ୍କନ୍ଧରେ ରଖିବା, ସେ ଫିଟାଇଲେ, କେହି ବନ୍ଦ କରିବ ନାହିଁ ଓ ସେ ବନ୍ଦ କଲେ, କେହି ଫିଟାଇବ ନାହିଁ ।
23ଆଉ, ଆମ୍ଭେ ଖିଲ ପରି ଏକ ଦୃଢ଼ ସ୍ଥାନରେ ତାହାକୁ ବିଦ୍ଧ କରିବା ଓ ସେ ଆପଣା ପିତୃବଂଶର ଗୌରବର ସିଂହାସନ ସ୍ୱରୂପ ହେବ ।
24ପୁଣି, ଲୋକମାନେ ତାହାର ପିତୃବଂଶର ସକଳ ଗୌରବ, ସନ୍ତାନସନ୍ତତି ଓ ପାନପାତ୍ରଠାରୁ କଳଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷୁଦ୍ର ପାତ୍ର ତାହା ଉପରେ ଟଙ୍ଗାଇବେ ।
25ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, "ଯେଉଁ ଖିଲ ଦୃଢ଼ ସ୍ଥାନରେ ବଦ୍ଧ ଥିଲା, ତାହା ସେଦିନ ଅପସରି ଯିବ ଓ ତାହା ଖୋଦିତ ହୋଇ ତଳେ ପଡ଼ିବ, ପୁଣି ତାହା ଉପରେ ଥିବାର ବୋଝ ନଷ୍ଟ ହେବ, କାରଣ ସଦାପ୍ରଭୁ ଏହା କହିଅଛନ୍ତି ।"