1ଦାମାସ୍କସ୍ (ଦମ୍ମେଶକ) ବିଷୟକ ଭାରୋକ୍ତି । ଦେଖ, ଦାମାସ୍କସ୍ (ଦମ୍ମେଶକ) ଆଉ ନଗର ନ ହୋଇ ଦୂରୀକୃତ ହୋଇଅଛି, ତାହା କାନ୍ଥଡ଼ାର ଢ଼ିପି ହେବ ।
2ଅରୋୟରର ନଗରସବୁ ପରିତ୍ୟକ୍ତ ହୋଇଅଛି; ସେହି ସବୁ ପଶୁପଲର ପାଇଁ ହେବ, ସେମାନେ ସେଠାରେ ଶୟନ କରିବେ, ଆଉ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ ।
3ଆହୁରି, ଇଫ୍ରୟିମରୁ ଦୁର୍ଗ ଓ ଦାମାସ୍କସ୍ରୁ ରାଜ୍ୟ ଓ ଅରାମର ଅବଶିଷ୍ଟାଂଶ ଲୁପ୍ତ ହେବ; ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, "ସେସବୁ ଇସ୍ରାଏଲ ସନ୍ତାନଗଣର ଗୌରବ ତୁଲ୍ୟ ହେବ ।
4ଆଉ, ସେହି ଦିନରେ ଯାକୁବର ଗୌରବ ହ୍ରାସ କରାଯିବ ଓ ତାହାର ମାଂସର ସ୍ଥୂଳତା କ୍ଷୀଣ ହେବ;
5ଆଉ, ଯେପରି ଶସ୍ୟ କାଟିବା ଲୋକ କ୍ଷେତ୍ରସ୍ଥ ଶସ୍ୟ ସଂଗ୍ରହ କରିବା ବେଳେ ଓ ତାହାର ହସ୍ତ ଶିଷା କାଟିବା ବେଳେ, କିଅବା ଯେପରି କେହି ରଫାୟିମ ତଳଭୂମିରେ ପତିତ ଶିଷା ସାଉଣ୍ଟିବା ବେଳେ ହୁଏ, ସେପରି ହେବ ।
6ତଥାପି ଜୀତବୃକ୍ଷର ଫଳ ଝାଡ଼ି ନେଲା ଉତ୍ତାରେ ଯେପରି ତାହାର ଉଚ୍ଚତମ ଶାଖାରେ ଦୁଇ ତିନି ଗୋଟା ଫଳ ଓ ଫଳବାନ ବୃକ୍ଷର ବାହାରସ୍ଥ ଶାଖାରେ ଚାରି ପାଞ୍ଚ ଗୋଟା ଫଳ ଥାଏ", ସେପରି ତାହାର କିଛି ଅବଶିଷ୍ଟ ରହିବ, ଏହା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ।
7ସେଦିନରେ ମନୁଷ୍ୟ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତି ଅନାଇବ ଓ ତାହାର ଚକ୍ଷୁ ଇସ୍ରାଏଲର ଧର୍ମସ୍ୱରୂପଙ୍କ ପ୍ରତି ଦୃଷ୍ଟି ରଖିବ ।
8ପୁଣି, ସେ ଆପଣା ହସ୍ତକୃତ ଯଜ୍ଞବେଦିସମୂହର ପ୍ରତି ଅନାଇବ ନାହିଁ, କିଅବା ଆପଣା ଅଙ୍ଗୁଳିକୃତ ଆଶେରା ମୂର୍ତ୍ତି ଅବା ସୂର୍ଯ୍ୟ ପ୍ରତିମାସକଳର ପ୍ରତି ଦୃଷ୍ଟି ରଖିବ ନାହିଁ ।
9ସେଦିନ ତାହାର ଦୃଢ଼ ନଗରସବୁ ଇସ୍ରାଏଲ ସନ୍ତାନଗଣର ଭୟରେ ବନସ୍ଥ ଓ ପର୍ବତର ଉପରିସ୍ଥ ପରିତ୍ୟକ୍ତ ସ୍ଥାନ ତୁଲ୍ୟ ହେବ ଓ ଦେଶ ଉଚ୍ଛିନ୍ନ ହେବ ।
10କାରଣ ତୁମ୍ଭେ ଆପଣା ପରିତ୍ରାଣର ପରମେଶ୍ୱରଙ୍କୁ ପାସୋରିଅଛ ଓ ଆପଣା ଶକ୍ତି ସ୍ୱରୂପ ଶୈଳ ବିଷୟରେ ମନୋଯୋଗୀ ହୋଇ ନାହଁ; ଏହେତୁ ତୁମ୍ଭେ ସୁନ୍ଦର ସୁନ୍ଦର ଚାରା ରୋପଣ କରୁଅଛ ଓ ବିଦେଶୀୟ କଲମ ସଙ୍ଗେ ତାହା ବସାଉଅଛ;
11ତୁମ୍ଭେ ରୋପଣ କରିବା ଦିନ ତହିଁର ଚାରିଆଡ଼େ ବାଡ଼ ଦେଉଅଛ ଓ ପ୍ରାତଃକାଳରେ ତୁମ୍ଭେ ଆପଣା ବୀଜକୁ ପୁଷ୍ପିତ କରାଉଅଛ; ମାତ୍ର ଦୁଃଖ ଓ ପ୍ରତିକାରହୀନ ଶୋକ ସମୟରେ ଫଳ ଉଡ଼ିଯାଏ ।
12ଆଃ! ଅନେକ ଗୋଷ୍ଠୀର କୋଳାହଳ, ସେମାନେ ସମୁଦ୍ରର କଲ୍ଲୋଳର ତୁଲ୍ୟ କଲ୍ଲୋଳ ଧ୍ୱନି କରୁଅଛନ୍ତି; ନାନା ଦେଶୀୟଗଣ ମାଡ଼ି ଆସୁଅଛନ୍ତି, ସେମାନେ ପ୍ରବଳ ବଢ଼ି ପରି ମାଡ଼ି ଆସୁଅଛନ୍ତି !
13ନାନା ଦେଶୀୟଗଣ, ମହା ଜଳରାଶି ମାଡ଼ି ଆସିବା ପରି ମାଡ଼ି ଆସୁଅଛନ୍ତି; ମାତ୍ର ସେ ସେମାନଙ୍କୁ ଧମକାଇବେ, ତହିଁରେ ସେମାନେ ଦୂରକୁ ପଳାଇବେ ଓ ବାୟୁ ସମ୍ମୁଖରେ ପର୍ବତସ୍ଥ ତୁଷ ତୁଲ୍ୟ ଓ ପ୍ରଚଣ୍ଡ ବାୟୁ ଅଗ୍ରତେ ଘୂର୍ଣ୍ଣାୟମାନ ଧୂଳି ତୁଲ୍ୟ ତାଡ଼ିତ ହେବେ ।
14ଦେଖ, ସନ୍ଧ୍ୟାକାଳେ ତ୍ରାସ ଓ ପ୍ରଭାତର ପୂର୍ବେ ସେମାନେ ନାହାନ୍ତି । ଆମ୍ଭମାନଙ୍କ ଲୁଟିତକାରୀମାନଙ୍କର ଅଂଶ ଓ ଆମ୍ଭମାନଙ୍କ ଅପହରଣକାରୀମାନଙ୍କ ବାଣ୍ଟ ଏହି ।