1ହେ ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭର ଆବାସ କିପରି ପ୍ରିୟତମ !
2ସଦାପ୍ରଭୁଙ୍କ ପ୍ରାଙ୍ଗଣ ନିମନ୍ତେ ମୋହର ପ୍ରାଣ ଲାଳସା କରେ, ମଧ୍ୟ ମୂର୍ଚ୍ଛିତ ହୁଏ; ମୋହର ହୃଦୟ ଓ ଶରୀର ଜୀବିତ ପରମେଶ୍ୱରଙ୍କ ନିମନ୍ତେ ଡକା ଛାଡ଼ଇ ।
3ହଁ, ଘରଚଟିଆ ଆପଣା ପାଇଁ ଏକ ଗୃହ ଓ ଖଞ୍ଜନପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ ବସା ପାଇଅଛି, ହେ ସୈନ୍ୟାଧିପତି ସଦାପ୍ରଭୁ, ମୋହର ରାଜନ୍ ଓ ମୋହର ପରମେଶ୍ୱର, ତୁମ୍ଭର ଯଜ୍ଞବେଦି ସେହି ସ୍ଥାନ,
4ଯେଉଁମାନେ ତୁମ୍ଭ ଗୃହରେ ବାସ କରନ୍ତି, ସେମାନେ ଧନ୍ୟ; ସେମାନେ ନିରନ୍ତର ତୁମ୍ଭର ପ୍ରଶଂସା କରୁଥିବେ । [ସେଲା]
5ଯାହାର ବଳ ତୁମ୍ଭଠାରେ ଥାଏ, ଯାହାର ହୃଦୟରେ ସିୟୋନଗାମୀ ରାଜପଥ ଥାଏ, ସେ ଲୋକ ଧନ୍ୟ ।
6ସେମାନେ କ୍ରନ୍ଦନ ଉପତ୍ୟକାରେ ଗମନ କରୁ କରୁ ତାହାକୁ ଝରଣା ସ୍ଥାନ କରନ୍ତି; ଆଦ୍ୟ ବୃଷ୍ଟି ନାନା ମଙ୍ଗଳରେ ତାହା ଭୂଷିତ କରେ ।
7ସେମାନେ ଉତ୍ତରୋତ୍ତର ବଳବାନ ହୋଇ ଅଗ୍ରସର ହୁଅନ୍ତି, ସେମାନଙ୍କର ପ୍ରତ୍ୟେକ ଲୋକ ସିୟୋନରେ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହୁଅନ୍ତି ।
8ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ; ହେ ଯାକୁବର ପରମେଶ୍ୱର, କର୍ଣ୍ଣପାତ କର । [ସେଲା]
9ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପରମେଶ୍ୱର, ଦୃଷ୍ଟିପାତ କର ଓ ଆପଣା ଅଭିଷିକ୍ତଙ୍କ ମୁଖକୁ ଅନାଅ ।
10କାରଣ ସହସ୍ର ଦିନ ଅପେକ୍ଷା ତୁମ୍ଭ ପ୍ରାଙ୍ଗଣରେ ଏକ ଦିନ ଭଲ; ଦୁଷ୍ଟତାର ତମ୍ବୁରେ ବାସ କରିବା ଅପେକ୍ଷା ଆମ୍ଭ ପରମେଶ୍ୱରଙ୍କ ଗୃହରେ ଦ୍ୱାରୀ ହେବାର ବରଞ୍ଚ ଆମ୍ଭେ ଭଲ ଜାଣୁ ।
11କାରଣ ସଦାପ୍ରଭୁ ପରମେଶ୍ୱର ସୂର୍ଯ୍ୟ ଓ ଢାଲ ଅଟନ୍ତି; ସଦାପ୍ରଭୁ ଅନୁଗ୍ରହ ଓ ଗୌରବ ଦେବେ; ସେ ସରଳାଚାରୀମାନଙ୍କଠାରୁ କୌଣସି ମଙ୍ଗଳ ବିଷୟ ଅଟକାଇବେ ନାହିଁ ।
12ହେ ସୈନ୍ୟାଧିପତି ପରମେଶ୍ୱର, ଯେଉଁ ଲୋକ ତୁମ୍ଭଠାରେ ଶରଣ ନିଏ, ସେ ଧନ୍ୟ ।