1ପ୍ରକୃତରେ କି ତୁମ୍ଭେମାନେ ନୀରବ ହୋଇ ଧର୍ମନୀତି କହୁଅଛ ? ହେ ମନୁଷ୍ୟ-ସନ୍ତାନଗଣ, ତୁମ୍ଭେମାନେ କି ନ୍ୟାୟରେ ବିଚାର କରୁଅଛ ?
2ବରଞ୍ଚ ତୁମ୍ଭେମାନେ ହୃଦୟରେ ଦୁଷ୍ଟତା ସାଧନ କରୁଅଛ; ତୁମ୍ଭେମାନେ ଦେଶରେ ସ୍ୱହସ୍ତର ଦୌରାତ୍ମ୍ୟ ତୌଲୁଅଛ ।
3ଦୁଷ୍ଟମାନେ ଗର୍ଭରୁ ବିପଥଗାମୀ; ସେମାନେ ଜନ୍ମଠାରୁ ମିଥ୍ୟା କହି କହି ବିପଥରେ ଗମନ କରନ୍ତି ।
4ସେମାନଙ୍କର ବିଷ ସର୍ପର ବିଷ ତୁଲ୍ୟ; ସେମାନେ କର୍ଣ୍ଣରୋଧକାରିଣୀ ବଧିରା କାଳସର୍ପିଣୀ ତୁଲ୍ୟ;
5ସାପୁଡ଼ିଆମାନେ ଯେତେ ନିପୁଣ ଭାବରେ ମନ୍ତ୍ର ପଢ଼ିଲେ ହେଁ, ସେ ସେମାନଙ୍କ ସ୍ୱର ଶୁଣେ ନାହିଁ ।
6ହେ ପରମେଶ୍ୱର, ସେମାନଙ୍କ ମୁଖରେ ସେମାନଙ୍କ ଦନ୍ତ ଭାଙ୍ଗି ପକାଅ; ହେ ସଦାପ୍ରଭୁ, ଯୁବାସିଂହମାନଙ୍କର କଳଦନ୍ତ ଭାଙ୍ଗି ପକାଅ ।
7ସେମାନେ ବହନ୍ତା ଜଳ ପରି ତରଳି ଯାଉନ୍ତୁ; ସେ ଆପଣା ତୀର ଲକ୍ଷ୍ୟ କରିବା ବେଳେ ତାହାସବୁ ଛିନ୍ନ ତୀର ତୁଲ୍ୟ ହେଉ ।
8ଯେଉଁ ଶାମୁକା ଯାଉ ଯାଉ ତରଳିଯାଏ ଓ ସ୍ତ୍ରୀର ଯେଉଁ ଅକାଳଜାତ ସନ୍ତାନ ସୂର୍ଯ୍ୟ ଦେଖି ନାହିଁ, ତାହାରି ପରି ସେମାନେ ହେଉନ୍ତୁ ।
9ତୁମ୍ଭମାନଙ୍କ ହାଣ୍ଡି କଣ୍ଟକ ସ୍ପର୍ଶ ନ କରୁଣୁ ସେ କଞ୍ଚା ଓ ପୋଡ଼ା ସମସ୍ତ ଘୂର୍ଣ୍ଣିବାୟୁରେ ଉଡ଼ାଇ ନେବେ ।
10ଧାର୍ମିକ ଲୋକ ପ୍ରତିଫଳ ଦେଖି ଆନନ୍ଦ କରିବ; ସେ ଦୁଷ୍ଟମାନଙ୍କ ରକ୍ତରେ ଆପଣା ପାଦ ଧୋଇବ ।
11ତହିଁରେ ଲୋକମାନେ କହିବେ, ନିଶ୍ଚୟ ଧାର୍ମିକ ଲୋକ ପାଇଁ ପୁରସ୍କାର ଅଛି; ନିଶ୍ଚୟ ପୃଥିବୀରେ ବିଚାରକର୍ତ୍ତା ଏକ ପରମେଶ୍ୱର ଅଛନ୍ତି ।