1ମୋହର ଶୈଳ ସ୍ୱରୂପ ସଦାପ୍ରଭୁ ଧନ୍ୟ ହେଉନ୍ତୁ, ସେ ମୋ' ହସ୍ତକୁ ଯୁଦ୍ଧ ଶିଖାନ୍ତି ଓ ମୋ' ଅଙ୍ଗୁଳିକୁ ସଂଗ୍ରାମ ଶିଖାନ୍ତି ।
2ସେ ମୋହର ସ୍ନେହପୂର୍ଣ୍ଣ କରୁଣା ଓ ମୋହର ଗଡ଼, ମୋହର ଉଚ୍ଚ ଦୁର୍ଗ ଓ ମୋହର ଉଦ୍ଧାରକର୍ତ୍ତା, ମୋହର ଢାଲ ଓ ସେ ମୋହର ଆଶ୍ରୟଭୂମି; ସେ ମୋ' ଲୋକମାନଙ୍କୁ ମୋ' ପଦତଳେ ବଶୀଭୂତ କରନ୍ତି ।
3ହେ ସଦାପ୍ରଭୁ, ମନୁଷ୍ୟ କିଏ ଯେ, ତୁମ୍ଭେ ତାହାର ପରିଚୟ ନିଅ ? ମନୁଷ୍ୟ-ସନ୍ତାନ ଅବା କିଏ ଯେ, ତୁମ୍ଭେ ତାହାକୁ ଗଣ୍ୟ କର ?
4ମନୁଷ୍ୟ ଅସାର ବସ୍ତୁ ତୁଲ୍ୟ; ତାହାର ଦିନସବୁ ବହିଯିବା ଛାୟା ତୁଲ୍ୟ ।
5ହେ ସଦାପ୍ରଭୁ, ଆପଣା ଗଗନମଣ୍ଡଳ ନୁଆଁଇ ତଳକୁ ଆସ; ପର୍ବତଗଣକୁ ସ୍ପର୍ଶ କର, ତହିଁରେ ସେମାନେ ଧୂମ ନିର୍ଗତ କରିବେ ।
6ବିଜୁଳି ନିକ୍ଷେପ କରି ସେମାନଙ୍କୁ ଛିନ୍ନଭିନ୍ନ କର; ଆପଣା ତୀର ମାରି ସେମାନଙ୍କୁ ପରାସ୍ତ କର ।
7ଊର୍ଦ୍ଧ୍ୱରୁ ଆପଣା ହସ୍ତ ବଢ଼ାଅ; ମୋତେ ରକ୍ଷା କର, ମହାଜଳରାଶିରୁ ମୋତେ ଉଦ୍ଧାର କର; ପୁଣି, ଯେଉଁମାନଙ୍କ ମୁଖ ଅସାର କଥା କହଇ
8ଓ ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ, ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର ।
9ହେ ପରମେଶ୍ୱର, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କରିବି; ଦଶତାର-ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି ।
10ସେ ରାଜାମାନଙ୍କୁ ପରିତ୍ରାଣ ପ୍ରଦାନ କରନ୍ତି; ସେ ଆପଣା ଦାସ ଦାଉଦକୁ କ୍ଷତିକାରକ ଖଡ଼୍ଗରୁ ରକ୍ଷା କରନ୍ତି ।
11ମୋତେ ରକ୍ଷା କର ଓ ଯେଉଁମାନଙ୍କର ମୁଖ ଅସାର କଥା କହଇ, ପୁଣି, ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ, ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର ।
12ଯେତେବେଳେ ଆମ୍ଭମାନଙ୍କ ପୁତ୍ରଗଣ ଯୌବନା- ବସ୍ଥାରେ ବୃକ୍ଷର ଚାରା ତୁଲ୍ୟ ବର୍ଦ୍ଧନଶୀଳ ହେବେ ଓ ଆମ୍ଭମାନଙ୍କ କନ୍ୟାଗଣ ଅଟ୍ଟାଳିକାର ଗଠନାନୁସାରେ ଖୋଦିତ କୋଣ-ପ୍ରସ୍ତର ତୁଲ୍ୟ ହେବେ;
13ଆମ୍ଭମାନଙ୍କ ଭଣ୍ଡାରସବୁ ପରିପୂର୍ଣ୍ଣ; ସର୍ବପ୍ରକାର ଦ୍ରବ୍ୟବିଶିଷ୍ଟ ହେବ; ଆମ୍ଭମାନଙ୍କ ମେଷଗଣ ଆମ୍ଭମାନଙ୍କ କ୍ଷେତ୍ରରେ ସହସ୍ର ସହସ୍ର ଓ ଅୟୁତ ଅୟୁତ ଶାବକ ପ୍ରସବ କରିବେ;
14ଆମ୍ଭମାନଙ୍କ ବଳଦସବୁ ଉତ୍ତମ ରୂପେ ବୋଝାଇ ହେବେ; କୌଣସି ଭଗ୍ନଦଶା ଓ ବହିର୍ଗମନ ଘଟିବ ନାହିଁ, ପୁଣି, ଆମ୍ଭମାନଙ୍କ ଛକ ସ୍ଥାନରେ କୌଣସି କୋଳାହଳ ହେବ ନାହିଁ;
15ଏହିପରି ଅବସ୍ଥାପନ୍ନ ଗୋଷ୍ଠୀ ଧନ୍ୟ; ହଁ, ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ !