1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ଯେଉଁ ଜନ ସଦାପ୍ରଭୁଙ୍କୁ ଭୟ କରେ, ଯେ ତାହାଙ୍କ ଆଜ୍ଞାସବୁରେ ଅତିଶୟ ସନ୍ତୁଷ୍ଟ ହୁଏ, ସେ ଧନ୍ୟ ।
2ତାହାର ବଂଶ ପୃଥିବୀରେ ବିକ୍ରମଶାଳୀ ହେବେ ସରଳ ଲୋକର ବଂଶ ଆଶୀର୍ବାଦପ୍ରାପ୍ତ ହେବେ ।
3ତାହାର ଗୃହରେ ଧନ ସମ୍ପତ୍ତି ଥାଏ ଓ ତାହାର ଧର୍ମ ସଦାକାଳସ୍ଥାୟୀ
4ସରଳ ଲୋକଙ୍କ ପ୍ରତି ଅନ୍ଧକାରରେ ଦୀପ୍ତି ଉଦିତ ହୁଏ; ସେ କୃପାମୟ ଓ ସ୍ନେହଶୀଳ ଓ ଧାର୍ମିକ ।
5ଯେଉଁ ଜନ କୃପା କରେ ଓ ଋଣ ଦିଏ, ତାହାର ମଙ୍ଗଳ ହୁଏ; ସେ ସୁବିଚାରରେ ଆପଣା କଥା ନିଷ୍ପନ୍ନ କରିବ ।
6କାରଣ ସେ କଦାପି ବିଚଳିତ ନୋହିବ; ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ ।
7ସେ କୁସମ୍ବାଦ ଶୁଣି ଭୀତ ହେବ ନାହିଁ । ତାହାର ଚିତ୍ତ ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସ୍ଥିର ଥାଏ ।
8ସେ ଆପଣା ବିପକ୍ଷଗଣ ଉପରେ ନିଜ ବାଞ୍ଛାର ସିଦ୍ଧି ଦେଖିବା ପର୍ଯ୍ୟନ୍ତ, ତାହାର ଚିତ୍ତ ସୁସ୍ଥିର ଥାଏ, ସେ ଭୀତ ହେବ ନାହିଁ ।
9ସେ ବିତରଣ କରିଅଛି, ସେ ଦୀନହୀନମାନଙ୍କୁ ଦାନ କରିଅଛି; ତାହାର ଧର୍ମ ସଦାକାଳସ୍ଥାୟୀ; ସମ୍ଭ୍ରମରେ ତାହାର ଶୃଙ୍ଗ ଉନ୍ନତ ହେବ ।
10ଦୁଷ୍ଟ ଲୋକ ତାହା ଦେଖିବ ଓ ବିରକ୍ତ ହେବ; ସେ ଆପଣା ଦନ୍ତ ଘର୍ଷଣ କରିବ ଓ ତରଳିଯିବ; ଦୁଷ୍ଟମାନଙ୍କର ବାଞ୍ଛା ବିନଷ୍ଟ ହେବ ।