1ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, "ତୁମ୍ଭେ ଫାରୋ ନିକଟକୁ ଯାଇ ତାହାଙ୍କୁ କୁହ, ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି, ଆମ୍ଭର ସେବା କରିବା ପାଇଁ ତୁମ୍ଭେ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ" ।
2ମାତ୍ର ଯେବେ ସେମାନଙ୍କୁ ଯିବାକୁ ପାଇଁ ନାସ୍ତି କରି ଏବେ ମଧ୍ୟ ବାଧା ଦେବ,
3ତେବେ ଦେଖ, ତୁମ୍ଭ କ୍ଷେତ୍ରସ୍ଥିତ ଘୋଡା, ଗର୍ଦ୍ଦଭ, ଓଟ, ଗୋରୁ ଓ ମେଷାଦି ପଶୁଗଣ ଉପରେ ସଦାପ୍ରଭୁଙ୍କ ହସ୍ତ ଅଛି; ଏଣୁ ଅତିଶୟ ମହାମାରୀ ହେବ ।
4ମାତ୍ର ସଦାପ୍ରଭୁ ଇସ୍ରାଏଲୀୟମାନଙ୍କ ଓ ମିସ୍ରୀୟମାନଙ୍କ ପଶୁଗଣ ମଧ୍ୟରେ ପ୍ରଭେଦ କରିବେ; ତହିଁରେ ଇସ୍ରାଏଲ ସନ୍ତାନମାନଙ୍କର କୌଣସି ପଶୁ ମରିବ ନାହିଁ ।
5ସଦାପ୍ରଭୁ ସମୟ ନିରୂପଣ କରି କହନ୍ତି, ଆସନ୍ତାକାଲି ସଦାପ୍ରଭୁ ଏ ଦେଶରେ ଏହି କର୍ମ କରିବେ ।
6ଆର ଦିନ ସଦାପ୍ରଭୁ ସେହି କର୍ମ କଲେ, ତହିଁରେ ମିସ୍ରୀୟମାନଙ୍କ ସମସ୍ତ ପଶୁ ମଲେ; ମାତ୍ର ଇସ୍ରାଏଲ ସନ୍ତାନମାନଙ୍କ ପଶୁଗଣ ମଧ୍ୟରୁ ଗୋଟିଏ ହେଁ ମଲା ନାହିଁ ।
7ତହୁଁ ଫାରୋ ଲୋକ ପଠାଇ ଇସ୍ରାଏଲୀୟମାନଙ୍କର ଗୋଟିଏ ମାତ୍ର ପଶୁ ମରି ନ ଥିବାର ଦେଖିଲେ । ତଥାପି ଫାରୋଙ୍କ ହୃଦୟ କଠିନ ହେଲା ଓ ସେ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ ।
8ଆଉ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, "ତୁମ୍ଭେମାନେ ମୁଷ୍ଟି ପୂର୍ଣ୍ଣ କରି ଭାଟୀର ଭସ୍ମ ନିଅ, ପୁଣି, ମୋଶା ଫାରୋଙ୍କ ସାକ୍ଷାତରେ ତାହା ଆକାଶ ଆଡ଼କୁ ବିଞ୍ଚି ଦେଉ ।
9ତହିଁରେ ତାହା ସମୁଦାୟ ମିସର ଦେଶ ଉପରେ ସୂକ୍ଷ୍ମ ଧୂଳି ହୋଇ ମିସ୍ରୀୟ ସମସ୍ତ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ଦାହଯୁକ୍ତ ବଥ ଜନ୍ମାଇବ"।
10ତହୁଁ ସେମାନେ ଭାଟୀର ଭସ୍ମ ନେଇ ଫାରୋ ଆଗରେ ଠିଆ ହେଲେ; ପୁଣି, ମୋଶା ଆକାଶ ଆଡ଼େ ତାହା ବିଞ୍ଚି ଦିଅନ୍ତେ, ସମସ୍ତ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ଦାହଯୁକ୍ତ ବଥ ହେଲା ।
11ସେହି ବଥ ସକାଶୁ ମନ୍ତ୍ରଜ୍ଞମାନେ ମୋଶାଙ୍କ ସାକ୍ଷାତରେ ଠିଆ ହୋଇ ପାରିଲେ ନାହିଁ; କାରଣ ମନ୍ତ୍ରଜ୍ଞମାନଙ୍କ ଓ ସମସ୍ତ ମିସ୍ରୀୟମାନଙ୍କ ଶରୀରରେ ବଥ ଜାତ ହେଲା ।
12ଅନନ୍ତର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କଲେ, ତହିଁରେ ସେ ମୋଶାଙ୍କ ପ୍ରତି ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ ।
13ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, "ତୁମ୍ଭେ ପ୍ରଭାତରେ ଉଠି ଫାରୋ ସମ୍ମୁଖରେ ଠିଆ ହୋଇ ତାହାଙ୍କୁ ଏହି କଥା କୁହ, ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ;
14ନୋହିଲେ ଏହିଥର ଆମ୍ଭେ ତୁମ୍ଭ ହୃଦୟ ବିରୁଦ୍ଧରେ, ପୁଣି, ତୁମ୍ଭ ଦାସଗଣ ଓ ଲୋକମାନଙ୍କ ମଧ୍ୟରେ ଆମ୍ଭର ସର୍ବପ୍ରକାର ମହାମାରୀ ପଠାଇବା; ତହିଁରେ ସମୁଦାୟ ପୃଥିବୀରେ ଆମ୍ଭ ତୁଲ୍ୟ କେହି ନାହାନ୍ତି, ଏହା ତୁମ୍ଭେ ଜ୍ଞାତ ହେବ ।
15କାରଣ ବର୍ତ୍ତମାନ ସୁଦ୍ଧା ଆମ୍ଭେ ଆପଣା ହସ୍ତ ବିସ୍ତାର କରି ମହାମାରୀ ଦ୍ୱାରା ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ସଂହାର କରନ୍ତୁଣି, ପୁଣି, ତୁମ୍ଭେ ପୃଥିବୀରୁ ଉଚ୍ଛିନ୍ନ ହୋଇ ସାରନ୍ତଣି;
16ମାତ୍ର ତୁମ୍ଭକୁ ଆପଣା ପରାକ୍ରମ ଦେଖାଇବାକୁ ଓ ସମୁଦାୟ ପୃଥିବୀରେ ଯେପରି ଆମ୍ଭର ନାମ କୀର୍ତ୍ତିତ ହେବ, ପ୍ରକୃତରେ ଏଥିପାଇଁ ଆମ୍ଭେ ତୁମ୍ଭକୁ ସ୍ଥାପନ କରି ରଖିଅଛୁ ।
17ତଥାପି ତୁମ୍ଭେ ଆମ୍ଭ ଲୋକମାନଙ୍କୁ ଯିବାକୁ ନ ଦେଇ ସେମାନଙ୍କ ଉପରେ ଦର୍ପ କରୁଅଛ ?
18ଦେଖ, ଆମ୍ଭେ ଆସନ୍ତାକାଲି ଏପରି ସମୟରେ ମିସର ଦେଶରେ ଏପରି ଭାରୀ ଶିଳା ବୃଷ୍ଟି କରିବା ଯେ, ମିସରର ପତ୍ତନାବଧି ଆଜିଯାଏ ସେପରି କେବେ ହୋଇ ନାହିଁ ।
19ଏନିମନ୍ତେ ଏବେ ଲୋକ ପଠାଇ କ୍ଷେତ୍ରରେ ତୁମ୍ଭର ପଶ୍ୱାଦି ଯାହା ଯାହା ଅଛି, ତାହାସବୁ ଶୀଘ୍ର ଅଣାଅ, କାରଣ ଯେଉଁ ମନୁଷ୍ୟ କି ପଶୁ କ୍ଷେତ୍ରରେ ରହିବେ, ଗୃହକୁ ଅଣା ନ ଯିବେ, ସେମାନଙ୍କ ଉପରେ ଶିଳା ବୃଷ୍ଟି ହେଲେ ସେମାନେ ମରିବେ"।
20ସେତେବେଳେ ଫାରୋଙ୍କର ଦାସମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ସଦାପ୍ରଭୁଙ୍କ ବାକ୍ୟରେ ଭୀତ ହେଲା, ସେ ଶୀଘ୍ର ଆପଣା ଦାସ ଓ ପଶୁମାନଙ୍କୁ ଗୃହକୁ ଆଣିଲା ।
21ମାତ୍ର ଯେ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ ନ କଲା, ସେ ଆପଣା ଦାସ ଓ ପଶୁମାନଙ୍କୁ କ୍ଷେତ୍ରରେ ତ୍ୟାଗ କଲା ।
22ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, "ତୁମ୍ଭେ ଆକାଶ ଆଡ଼େ ଆପଣା ହସ୍ତ ବିସ୍ତାର କର, ତହିଁରେ ମିସ୍ରୀୟ ସମସ୍ତ ମନୁଷ୍ୟ, ପଶୁ ଓ କ୍ଷେତ୍ରସ୍ଥ ତୃଣାଦି ସମସ୍ତ ଉପରେ ଶିଳା ବୃଷ୍ଟି ହେବ"।
23ତହୁଁ ମୋଶା ଆପଣା ଯଷ୍ଟି ଆକାଶ ଆଡ଼େ ବିସ୍ତାର କରନ୍ତେ, ସଦାପ୍ରଭୁ ମେଘ ଗର୍ଜ୍ଜନ ଓ ଶିଳା ବୃଷ୍ଟି କଲେ; ପୁଣି, ବିଜୁଳି ଭୂମି ଆଡ଼େ ବେଗେ ଗମନ କଲା; ଏହିରୂପେ ସଦାପ୍ରଭୁ ମିସର ଦେଶରେ ଶିଳା ବୃଷ୍ଟି କଲେ ।
24ତହିଁରେ ଶିଳା ବୃଷ୍ଟି ହେଲା ଓ ଶିଳା ସଙ୍ଗେ ସଙ୍ଗେ ବିଜୁଳି ଚମକିଲା; ଏପ୍ରକାର ଅତି ଦୁଃସହ ଶିଳାବୃଷ୍ଟି ମିସର ଦେଶରେ ରାଜ୍ୟସ୍ଥାପନାବଧି କେବେ ହୋଇ ନ ଥିଲା ।
25ତହିଁରେ ସମୁଦାୟ ମିସର ଦେଶର କ୍ଷେତ୍ରସ୍ଥ ମନୁଷ୍ୟ ଓ ପଶୁ ସମସ୍ତେ ଶିଳା ଦ୍ୱାରା ହତ ହେଲେ ଓ କ୍ଷେତ୍ରସ୍ଥ ସକଳ ତୃଣ ଶିଳା ବୃଷ୍ଟିରେ ନଷ୍ଟ ହେଲା, କ୍ଷେତ୍ରସ୍ଥ ସବୁ ବୃକ୍ଷ ଭାଙ୍ଗିଗଲା ।
26କେବଳ ଇସ୍ରାଏଲ-ସନ୍ତାନଗଣର ବାସସ୍ଥାନ ଗୋଶନ ପ୍ରଦେଶରେ ଶିଳାବୃଷ୍ଟି ହେଲା ନାହିଁ ।
27ଅନନ୍ତର ଫାରୋ ଲୋକ ପଠାଇ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, ଏହି ଥର ମୁଁ ପାପ କରିଅଛି; ସଦାପ୍ରଭୁ ଧାର୍ମିକ, ମାତ୍ର ଆମ୍ଭେ ଓ ଆମ୍ଭ ଲୋକମାନେ ଦୋଷୀ ଅଟୁ ।
28ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର; କାରଣ ପରମେଶ୍ୱରକୃତ ଗର୍ଜ୍ଜନ ଓ ଶିଳା ବୃଷ୍ଟି ଯଥେଷ୍ଟ ହୋଇଅଛି; ଆମ୍ଭେ ତୁମ୍ଭମାନଙ୍କୁ ଯିବାକୁ ଦେବା, ତୁମ୍ଭମାନଙ୍କର ଆଉ ବିଳମ୍ବ ହେବ ନାହିଁ ।
29ସେତେବେଳେ ମୋଶା ତାଙ୍କୁ କହିଲେ, "ମୁଁ ନଗରରୁ ବାହାର ହୋଇ ଗଲା କ୍ଷଣେ ସଦାପ୍ରଭୁଙ୍କ ନିକଟରେ ଆପଣ ହସ୍ତ ବିସ୍ତାର କରିବି, ତହିଁରେ ମେଘ ଗର୍ଜ୍ଜନ ନିବୃତ୍ତ ହେବ ଓ ଶିଳା ବୃଷ୍ଟି ଆଉ ହେବ ନାହିଁ; ପୁଣି, ଏହି ପୃଥିବୀ ଯେ ସଦାପ୍ରଭୁଙ୍କର, ତାହା ଆପଣ ଜାଣି ପାରିବେ ।
30ମାତ୍ର ମୁଁ ଜାଣେ, ଆପଣ ଓ ଆପଣଙ୍କ ଦାସଗଣ ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ପରମେଶ୍ୱରଙ୍କୁ ଭୟ କରୁ ନାହାନ୍ତି"।
31ସେ ସମୟରେ ଫେସି ଓ ଯବ ସବୁ ନଷ୍ଟ ହେଲା, କାରଣ ଯବ ଶିଷାଯୁକ୍ତ ଓ ଫେସି ପୁଷ୍ପିତ ଥିଲା ।
32ମାତ୍ର ଗହମ ଓ ଯହ୍ନା ବଡ଼ ହୋଇ ନ ଥିବାରୁ ନଷ୍ଟ ହେଲା ନାହିଁ ।
33ଅନନ୍ତର ମୋଶା ଫାରୋଙ୍କ ନିକଟରୁ ନଗରର ବାହାରକୁ ଯାଇ ସଦାପ୍ରଭୁଙ୍କ ଛାମୁରେ ଆପଣା ହସ୍ତ ବିସ୍ତାର କରନ୍ତେ, ମେଘଗର୍ଜ୍ଜନ ଓ ଶିଳା ବୃଷ୍ଟି ନିବୃତ୍ତ ହେଲା, ଭୂମିରେ ଆଉ ଜଳ ବୃଷ୍ଟି ହେଲା ନାହିଁ ।
34ସେତେବେଳେ ବୃଷ୍ଟି ଓ ଶିଳାପାତ ଓ ମେଘ ଗର୍ଜ୍ଜନ ନିବୃତ୍ତ ହେବାର ଦେଖି ଫାରୋ ଆହୁରି ପାପ କଲେ, ପୁଣି, ସେ ଓ ତାଙ୍କ ଦାସମାନେ ଆପଣା ଆପଣା ମନ କଠିନ କଲେ ।
35ତହିଁରେ ଫାରୋଙ୍କର ହୃଦୟ କଠିନ ହେଲା; ଏଣୁ ମୋଶାଙ୍କ ଦ୍ୱାରା କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେ ଇସ୍ରାଏଲ-ସନ୍ତାନମାନଙ୍କୁ ଯିବାକୁ ଦେଲେ ନାହିଁ ।