1ସଦାପ୍ରଭୁ ମୋଶାଙ୍କୁ କହିଲେ, "ଆମ୍ଭେ ଫାରୋ ଓ ମିସର ଉପରେ ଆଉ ଏକ ଉତ୍ପାତ ଆଣିବା; ତହିଁ ଉତ୍ତାରେ ସେ ତୁମ୍ଭମାନଙ୍କୁ ଏ ସ୍ଥାନରୁ ଯିବାକୁ ଦେବ; ପୁଣି, ଯିବାକୁ ଦେବା ସମୟରେ ସେ ତୁମ୍ଭମାନଙ୍କୁ ନିତାନ୍ତ ତଡ଼ିଦେବ ।
2ଏହେତୁ ଏବେ ଲୋକମାନଙ୍କ କର୍ଣ୍ଣଗୋଚରରେ କୁହ, ପ୍ରତ୍ୟେକ ପୁରୁଷ ଆପଣା ଆପଣା ପ୍ରତିବାସୀଠାରୁ ଓ ପ୍ରତ୍ୟେକ ସ୍ତ୍ରୀ ଆପଣା ଆପଣା ପ୍ରତିବାସିନୀଠାରୁ ରୌପ୍ୟ-ଅଳଙ୍କାର ଓ ସ୍ୱର୍ଣ୍ଣ-ଅଳଙ୍କାର ମାଗି ନିଅନ୍ତୁ"।
3ଆଉ ସଦାପ୍ରଭୁ ମିସ୍ରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହପ୍ରାପ୍ତ କଲେ । ପୁଣି, ମିସର ଦେଶରେ ଫାରୋଙ୍କର ଦାସମାନଙ୍କ ଓ ଲୋକମାନଙ୍କ ଦୃଷ୍ଟିରେ ମୋଶା ଅତି ସମ୍ଭ୍ରାନ୍ତ ପୁରୁଷ ହେଲେ ।
4ଅନନ୍ତର ମୋଶା କହିଲେ, "ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଦୁଇପ୍ରହର ରାତ୍ରିରେ ମିସରର ମଧ୍ୟ ଦେଇ ଗମନ କରିବା"।
5ତହିଁରେ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତଠାରୁ ଚକି ପେଷଣକାରିଣୀ ଦାସୀର ପ୍ରଥମଜାତ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ଓ ପଶୁମାନଙ୍କର ପ୍ରଥମଜାତ ମରିବେ ।
6ଏଣୁ ସମୁଦାୟ ମିସର ଦେଶରେ, ଯେପରି କେବେ ହୋଇ ନାହିଁ ଓ ହେବ ନାହିଁ, ଏପରି ମହାରୋଦନ ହେବ ।
7ମାତ୍ର ସଦାପ୍ରଭୁ ମିସ୍ରୀୟ ଲୋକଙ୍କଠାରୁ ଇସ୍ରାଏଲୀୟ ଲୋକଙ୍କୁ ପ୍ରଭେଦ କରନ୍ତି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହେବ, ଏଥିପାଇଁ ଇସ୍ରାଏଲ-ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ କି ପଶୁ ପ୍ରତି ଗୋଟିଏ କୁକ୍କୁର ସୁଦ୍ଧା ଜିହ୍ୱା ପଜାଇବ ନାହିଁ ।
8ତହିଁରେ ତୁମ୍ଭର ଏହି ସମସ୍ତ ଦାସମାନେ ମୋ' ନିକଟକୁ ନତ ହୋଇ ଆସିବେ ଓ ମୋତେ ପ୍ରଣାମ କରି କହିବେ, ତୁମ୍ଭେ ଓ ତୁମ୍ଭର ଅନୁଗତ ସମସ୍ତ ଲୋକ ବାହାରି ଯାଅ; ତହିଁ ଉତ୍ତାରେ ମୁଁ ବାହାରି ଯିବି । ଅନନ୍ତର ସେ ପ୍ରଚଣ୍ଡ କ୍ରୋଧରେ ଫାରୋଙ୍କ ନିକଟରୁ ବାହାରି ଗଲେ ।
9ସଦାପ୍ରଭୁ ମୋଶାଙ୍କୁ କହିଥିଲେ, ଆମ୍ଭେ ଯେପରି ମିସର ଦେଶରେ ଆପଣା ଆଶ୍ଚର୍ଯ୍ୟକ୍ରିୟା ବହୁସଂଖ୍ୟକ କରିବା, ଏଥିପାଇଁ ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ ।
10ପୁଣି, ମୋଶା ଓ ହାରୋଣ ଫାରୋଙ୍କ ସମ୍ମୁଖରେ ଏହି ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଥିଲେ; ମାତ୍ର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କରନ୍ତେ, ସେ ଆପଣା ଦେଶରୁ ଇସ୍ରାଏଲ ସନ୍ତାନଗଣଙ୍କୁ ଯିବାକୁ ଦେଲେ ନାହିଁ ।