1ଇସ୍ରାଏଲଙ୍କର ଯେଉଁ ପୁତ୍ରଗଣ ପ୍ରତ୍ୟେକେ ଆପଣା ଆପଣା ପରିଜନ ଘେନି ଯାକୁବଙ୍କ ସହିତ ମିସର ଦେଶକୁ ଆସିଲେ, ସେମାନଙ୍କ ନାମ;
2ରୁବେନ୍, ଶିମୀୟୋନ, ଲେବୀ ଓ ଯିହୁଦା;
3ଇଷାଖର, ସବୂଲୂନ୍ ଓ ବିନ୍ୟାମିନ;
4ଦାନ ଓ ନପ୍ତାଲି; ଗାଦ ଓ ଆଶେର ।
5ସର୍ବସୁଦ୍ଧା ଯାକୁବଙ୍କଠାରୁ ଉତ୍ପନ୍ନ ବଂଶ ସତୁରି ପ୍ରାଣୀ ଥିଲେ; ମାତ୍ର ଯୋଷେଫ ପୂର୍ବେ ମିସରରେ ଥିଲେ ।
6ଅନନ୍ତର ଯୋଷେଫ, ତାଙ୍କର ଭ୍ରାତୃଗଣ ଓ ତତ୍କାଳୀନ ସମସ୍ତ ଲୋକ ମଲେ ।
7ତଥାପି ଇସ୍ରାଏଲ ବଂଶ ବହୁପ୍ରଜ, ବର୍ଦ୍ଧିଷ୍ଣୁ ଓ ବହୁଗୋଷ୍ଠୀକ ହୋଇ ଅତିଶୟ ପ୍ରବଳ ହେଲେ, ପୁଣି, ସେମାନଙ୍କ ଦ୍ୱାରା ଦେଶ ପରିପୂର୍ଣ୍ଣ ହେଲା ।
8ଅନନ୍ତର ଯେ ଯୋଷେଫଙ୍କୁ ଜାଣି ନ ଥିଲେ, ଏପରି ଏକ ନୂତନ ରାଜା ମିସର ଦେଶରେ ହେଲେ ।
9ସେ ଆପଣା ଲୋକମାନଙ୍କୁ କହିଲେ, "ଦେଖ, ଇସ୍ରାଏଲ ସନ୍ତାନମାନଙ୍କ ବଂଶ, ବଳରେ ଓ ସଂଖ୍ୟାରେ ଆମ୍ଭମାନଙ୍କଠାରୁ ଅଧିକ ଅଟନ୍ତି ।
10ସେମାନେ ଯେପରି ବର୍ଦ୍ଧିତ ନ ହୁଅନ୍ତି, ପୁଣି, ଯୁଦ୍ଧ ଘଟିଲେ, ଆମ୍ଭମାନଙ୍କର ଶତ୍ରୁପକ୍ଷ ହୋଇ ଆମ୍ଭମାନଙ୍କ ସଙ୍ଗେ ଯୁଦ୍ଧ ନ କରନ୍ତି ଓ ଏ ଦେଶରୁ ପ୍ରସ୍ଥାନ ନ କରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କ ସଙ୍ଗେ ସାବଧାନ ହୋଇ ବ୍ୟବହାର କରୁ ।"
11ଅନନ୍ତର ସେମାନେ ଭାରବହନ ଦ୍ୱାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି, ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର, ଅର୍ଥାତ୍, ପିଥୋମ୍ ଓ ରାମିଷେଷ୍ ନିର୍ମାଣ କରାଇଲେ ।
12ମାତ୍ର ସେମାନେ ସେମାନଙ୍କୁ ଯେତେ ଅଧିକ କ୍ଳେଶ ଦେଲେ, ସେମାନେ ସେତେ ଅଧିକ ବୃଦ୍ଧି ପାଇଲେ, ପୁଣି, ସେତେ ଅଧିକ ବ୍ୟାପି ଗଲେ । ଏହେତୁ ଇସ୍ରାଏଲର ସନ୍ତାନମାନଙ୍କ ନିମନ୍ତେ ସେମାନେ ଅତିଶୟ ଉଦ୍ବିଗ୍ନ ହେଲେ ।
13ତହିଁରେ ମିସ୍ରୀୟ ଲୋକମାନେ ନିର୍ଦ୍ଦୟ ଭାବରେ ଇସ୍ରାଏଲ ସନ୍ତାନମାନଙ୍କୁ ଦାସ୍ୟକର୍ମ କରାଇଲେ ।
14ପୁଣି, କାଦୁଅ, ଇଟା ଓ ବିଲର ସବୁ କର୍ମାଦି କଠିନ ଦାସ୍ୟକର୍ମ ଦ୍ୱାରା ସେମାନଙ୍କ ପ୍ରାଣକୁ ବିରକ୍ତ କରିବାକୁ ଲାଗିଲେ । ସେମାନେ ଯେସମସ୍ତ ଦାସ୍ୟକର୍ମ କରାଇଲେ; ସେସମସ୍ତ ନିର୍ଦ୍ଦୟ ଭାବରେ କରାଇଲେ ।
15ଅନନ୍ତର ମିସ୍ରୀୟ ରାଜା, ଶିଫ୍ରା ଓ ପୂୟା ନାମ୍ନୀ ଦୁଇ ଏବ୍ରୀୟା ଧାତ୍ରୀଙ୍କୁ ଏହି କଥା କହିଲେ,
16"ଯେଉଁ ସମୟରେ ତୁମ୍ଭେମାନେ ଏବ୍ରୀୟା ସ୍ତ୍ରୀମାନଙ୍କର ଧାତ୍ରୀକାର୍ଯ୍ୟ କରିବ ଓ ସେମାନଙ୍କୁ ଜନ୍ମାସନରେ ଦେଖିବ; ସେ ସମୟରେ ଯେବେ ପୁତ୍ରସନ୍ତାନ ହେବ, ତେବେ ତାକୁ ବଧ କରିବ; ଆଉ ଯେବେ କନ୍ୟା ହେବ, ତେବେ ତାକୁ ଜୀବିତ ରଖିବ ।"
17ମାତ୍ର ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ମିସ୍ରୀୟ ରାଜାଙ୍କର ଆଜ୍ଞା ଅନୁସାରେ ନ କରି ପୁତ୍ରସନ୍ତାନମାନଙ୍କୁ ଜୀବିତ ରଖିଲେ ।
18ତେଣୁ ମିସରର ରାଜା ଧାତ୍ରୀମାନଙ୍କୁ ଡକାଇ କହିଲେ, " ତୁମ୍ଭେମାନେ ଏପରି କାର୍ଯ୍ୟ କିହେତୁ କରୁଅଛ ? ପୁତ୍ରସନ୍ତାନମାନଙ୍କୁ କାହିଁକି ଜୀବିତ ରଖୁଅଛ ?"
19ତହିଁରେ ଧାତ୍ରୀମାନେ ଫାରୋଙ୍କୁ କହିଲେ, "ଏବ୍ରୀୟା ସ୍ତ୍ରୀଗଣ ମିସ୍ରୀୟା ସ୍ତ୍ରୀଗଣ ପରି ନୁହଁନ୍ତି; ସେମାନେ ବଳବତୀ, ସେମାନଙ୍କ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସେମାନେ ପ୍ରସବ କରନ୍ତି"।
20ପୁଣି, ପରମେଶ୍ୱର ସେହି ଧାତ୍ରୀମାନଙ୍କର ମଙ୍ଗଳ କଲେ, ତହିଁରେ ଲୋକମାନେ ଅତ୍ୟନ୍ତ ବୃଦ୍ଧି ପାଇ ଅତିଶୟ ବଳବାନ୍ ହେଲେ ।
21ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ସେ ସେମାନଙ୍କ ବଂଶ ବୃଦ୍ଧି କଲେ ।
22ଅନନ୍ତର ଫାରୋ ଆପଣା ସମସ୍ତ ପ୍ରଜାଙ୍କୁ ଏହି ଆଜ୍ଞା ଦେଲେ, "ତୁମ୍ଭେମାନେ ନବଜାତ ପ୍ରତ୍ୟେକ ପୁତ୍ରସନ୍ତାନକୁ ନଦୀରେ ନିକ୍ଷେପ କର, ମାତ୍ର ପ୍ରତ୍ୟେକ କନ୍ୟାକୁ ଜୀବିତ ରଖ"।