1ଆଉ ମିସର ଦେଶରେ ଶସ୍ୟ ଅଛି, ଏହି କଥା ଶୁଣି ଯାକୁବ ଆପଣା ପୁତ୍ରମାନଙ୍କୁ କହିଲେ, "ତୁମ୍ଭେମାନେ କାହିଁକି ଏକ ଆରେକ ପ୍ରତି ଅନାଇ ରହୁଅଛ ?"
2ସେ ଆହୁରି କହିଲେ, "ଦେଖ, ମୁଁ ଶୁଣିଲି, ମିସର ଦେଶରେ ଶସ୍ୟ ଅଛି; ଏଣୁ ତୁମ୍ଭେମାନେ ସେଠାକୁ ଯାଇ ଆମ୍ଭମାନଙ୍କ ନିମନ୍ତେ ଶସ୍ୟ କିଣି ଆଣ; ତହିଁରେ ଆମ୍ଭେମାନେ ନ ମରି ବଞ୍ଚିବା ।"
3ଅନନ୍ତର ଯୋଷେଫଙ୍କର ଦଶ ଭ୍ରାତା ଶସ୍ୟ କିଣିବା ନିମନ୍ତେ ମିସର ଦେଶକୁ ଗଲେ ।
4ମାତ୍ର ଯାକୁବ ଯୋଷେଫଙ୍କର ସହୋଦର ବିନ୍ୟାମୀନକୁ ଭାଇମାନଙ୍କ ସଙ୍ଗରେ ପଠାଇଲେ ନାହିଁ; କାରଣ ସେ କହିଲେ, "କେଜାଣି ଅବା ଏହାକୁ ବିପତ୍ତି ଘଟେ ।"
5ସେତେବେଳେ ସେଠାକୁ ଯିବା ଲୋକମାନଙ୍କ ମଧ୍ୟରେ ଇସ୍ରାଏଲଙ୍କର ପୁତ୍ରମାନେ ଶସ୍ୟ କିଣିବା ନିମନ୍ତେ ଗଲେ; ଯେହେତୁ କିଣାନ ଦେଶରେ ମଧ୍ୟ ଦୁର୍ଭିକ୍ଷ ଥିଲା ।
6ସେହି ସମୟରେ ଯୋଷେଫ ସେହି ଦେଶର ଅଧ୍ୟକ୍ଷ ହେବାରୁ ଦେଶୀୟ ଲୋକ ସମସ୍ତଙ୍କୁ ଶସ୍ୟ ବିକ୍ରୟ କରୁଥିଲେ; ତହିଁରେ ଯୋଷେଫଙ୍କର ଭ୍ରାତୃଗଣ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ ।
7ସେତେବେଳେ ଯୋଷେଫ ଆପଣା ଭାଇମାନଙ୍କୁ ଦେଖି ଚିହ୍ନିଲେ, ମାତ୍ର ସେମାନଙ୍କ ଆଗରେ ଅପରିଚିତ ଲୋକ ପରି ବ୍ୟବହାର କରି କଟୁ କଥାରେ କହିଲେ, "ତୁମ୍ଭେମାନେ କେଉଁଠାରୁ ଆସିଅଛ ?" ସେମାନେ କହିଲେ, "କିଣାନ ଦେଶରୁ ଖାଦ୍ୟଦ୍ରବ୍ୟ କିଣିବାକୁ ଆସିଅଛୁ ।"
8ମାତ୍ର ଯୋଷେଫ ଆପଣା ଭାଇମାନଙ୍କୁ ଚିହ୍ନିଲେ ହେଁ ସେମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ ।
9ତହୁଁ ଯୋଷେଫ ସେମାନଙ୍କ ବିଷୟରେ ଯେ ସବୁ ସ୍ୱପ୍ନ ଦେଖିଥିଲେ, ତାହା ସ୍ମରଣ କରି ସେମାନଙ୍କୁ କହିଲେ, "ତୁମ୍ଭେମାନେ ଚୋରଲୋକ; ଦେଶର ଛିଦ୍ର ଅନୁସନ୍ଧାନ କରିବାକୁ ତୁମ୍ଭେମାନେ ଆସିଅଛ ।"
10ସେମାନେ କହିଲେ, "ନା ପ୍ରଭୁ, ତାହା ନୁହେଁ, ଆପଣଙ୍କର ଏହି ଦାସମାନେ ଖାଦ୍ୟଦ୍ରବ୍ୟ କିଣିବାକୁ ଆସିଅଛନ୍ତି ।"
11ଆମ୍ଭେମାନେ ସମସ୍ତେ ଏକ ବ୍ୟକ୍ତିର ପୁତ୍ର, ଆମ୍ଭେମାନେ ବିଶ୍ୱାସ୍ୟ ଲୋକ, ଆପଣଙ୍କ ଏହି ଦାସମାନେ ଚୋର ନୁହଁନ୍ତି ।
12ତେବେ ସେ ସେମାନଙ୍କୁ କହିଲେ, "ନା, ନା, ତୁମ୍ଭେମାନେ ଦେଶର ଛିଦ୍ର ଅନୁସନ୍ଧାନ କରିବାକୁ ଆସିଅଛ ।"
13ସେମାନେ କହିଲେ, "ଆପଣଙ୍କର ଏହି ଦାସମାନେ ଦ୍ୱାଦଶ ଭ୍ରାତା, କିଣାନ ଦେଶ ନିବାସୀ ଜଣକର ପୁତ୍ର; ଆଉ ଦେଖନ୍ତୁ, ଆମ୍ଭମାନଙ୍କର କନିଷ୍ଠ ଭ୍ରାତା ପିତା ନିକଟରେ ଅଛି, ପୁଣି, ଜଣେ ନାହିଁ ।"
14ତହୁଁ ଯୋଷେଫ ସେମାନଙ୍କୁ କହିଲେ, "ଆମ୍ଭେ ତୁମ୍ଭମାନଙ୍କୁ ଚୋର ବୋଲି ଯାହା କହିଲୁ, ତୁମ୍ଭେମାନେ ତାହା ହିଁ ପ୍ରମାଣ ।"
15ଏହା ଦ୍ୱାରା ତୁମ୍ଭମାନଙ୍କୁ ପରୀକ୍ଷା କରାଯିବ; ଆମ୍ଭେ ଫାରୋର ଆୟୁର ଶପଥ କରି କହୁଅଛୁ, ତୁମ୍ଭମାନଙ୍କର କନିଷ୍ଠ ଭ୍ରାତା ଏଠାକୁ ନ ଆସିଲେ, ତୁମ୍ଭେମାନେ ଏଠାରୁ ଯାଇ ପାରିବ ନାହିଁ ।
16ତୁମ୍ଭମାନଙ୍କ ମଧ୍ୟରୁ ଜଣକୁ ପଠାଅ, ସେ ତୁମ୍ଭ ଭାଇକି ଆଣୁ, ତୁମ୍ଭେମାନେ ବନ୍ଦୀ ଥାଅ; ତୁମ୍ଭମାନଙ୍କ କଥା ସତ୍ୟ କି ନାହିଁ, ପରୀକ୍ଷା ହେଲେ ଜଣାଯିବ; ନୋହିଲେ ଆମ୍ଭେ ଫାରୋର ଆୟୁର ଶପଥ କରି କହୁଅଛୁ, ତୁମ୍ଭେମାନେ ଅବଶ୍ୟ ଚୋର ଅଟ ।
17ତହୁଁ ଯୋଷେଫ ସେମାନଙ୍କୁ ତିନି ଦିନ କାରାଗାରରେ ବନ୍ଦ କରି ରଖିଲେ ।
18ପୁଣି, ତୃତୀୟ ଦିନରେ ଯୋଷେଫ ସେମାନଙ୍କୁ କହିଲେ, "ପରମେଶ୍ୱରଙ୍କ ପ୍ରତି ଆମ୍ଭର ଭୟ ଅଛି; ଏଣୁ ଏହି କର୍ମ କର, ତହିଁରେ ବଞ୍ଚିବ ।
19ତୁମ୍ଭେମାନେ ଯେବେ ବିଶ୍ୱାସ୍ୟ ଲୋକ, ତେବେ ଆପଣା ମଧ୍ୟରୁ ଏକ ଭାଇକି ଏହି କାରାଗାରରେ ବନ୍ଦ ରଖି ଦୁର୍ଭିକ୍ଷ ହେତୁ ଗୃହକୁ ଶସ୍ୟ ଘେନିଯାଅ ।
20ମାତ୍ର ତୁମ୍ଭେମାନେ ଆପଣା ସାନ ଭାଇକି ଆମ୍ଭ ନିକଟକୁ ଆଣ, ତହିଁରେ ତୁମ୍ଭମାନଙ୍କ କଥା ସପ୍ରମାଣ ହେଲେ, ତୁମ୍ଭେମାନେ ମରିବ ନାହିଁ ।" ତହୁଁ ସେମାନେ ସେହି ପ୍ରକାର କଲେ ।
21ଅନନ୍ତର ସେମାନେ ପରସ୍ପର କୁହାକୁହି ହେଲେ, "ଆମ୍ଭେମାନେ ଆପଣା ଭାଇ ବିଷୟରେ ନିଶ୍ଚୟ ଅପରାଧୀ ଅଟୁ; ସେ ଆମ୍ଭମାନଙ୍କୁ ବିନତି କରିବା ବେଳେ ଆମ୍ଭେମାନେ ତାହା ପ୍ରାଣର ବ୍ୟାକୁଳତା ଦେଖିଲେ ହେଁ ତାହା ଶୁଣିଲୁ ନାହିଁ, ତେଣୁକରି ଆମ୍ଭମାନଙ୍କୁ ଏହି ବିପତ୍ତି ଘଟିଅଛି ।
22ସେତେବେଳେ ରୁବେନ୍ ସେମାନଙ୍କୁ କହିଲା, "ତୁମ୍ଭେମାନେ ସେହି ବାଳକ ବିଷୟରେ ପାପ କର ନାହିଁ, ଏହି କଥା କି ମୁଁ ତୁମ୍ଭମାନଙ୍କୁ କହି ନାହିଁ ? ତଥାପି ତୁମ୍ଭେମାନେ ଶୁଣିଲ ନାହିଁ; ଏନିମନ୍ତେ ଦେଖ, ଏବେ ତାହାର ରକ୍ତର ନିକାଶ ନିଆଯାଉଅଛି ।"
23ମାତ୍ର ଯୋଷେଫ ଯେ ସେମାନଙ୍କ କଥାବାର୍ତ୍ତା ବୁଝିଲେ, ଏହା ସେମାନେ ଜାଣି ପାରିଲେ ନାହିଁ; କାରଣ ସେ ଦ୍ୱିଭାଷୀ ଦ୍ୱାରା ସେମାନଙ୍କ ସହିତ କଥା କହୁଥିଲେ;
24"ଅନନ୍ତର ଯୋଷେଫ ସେମାନଙ୍କ ନିକଟରୁ ଯାଇ କ୍ରନ୍ଦନ କଲେ; ପୁନର୍ବାର ଆସି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କ ମଧ୍ୟରୁ ଶିମୀୟୋନକୁ ଧରି ସେମାନଙ୍କ ସାକ୍ଷାତରେ ବାନ୍ଧିଲେ ।"
25ତହୁଁ ଯୋଷେଫ ସେମାନଙ୍କ ପାତ୍ରରେ ଶସ୍ୟ ପୂର୍ଣ୍ଣ କରି ପ୍ରତ୍ୟେକ ଜଣର ପଟରେ ଟଙ୍କା ଫେରାଇ ଦେବାକୁ ଓ ସେମାନଙ୍କୁ ପାଥେୟ ଦ୍ରବ୍ୟ ଦେବାକୁ ଆଜ୍ଞା ଦେଲେ; ତହିଁରେ ତଦ୍ରୂପ କରାଗଲା,
26ତହୁଁ ସେମାନେ ଆପଣା ଆପଣା ଗଧ ଉପରେ ଶସ୍ୟ ନଦି ସେଠାରୁ ପ୍ରସ୍ଥାନ କଲେ ।
27ମାତ୍ର ଉତ୍ତରିବା ସ୍ଥାନରେ ଜଣେ ଗଧକୁ ଆହାର ଦେବା ନିମନ୍ତେ ପଟ ଫିଟାନ୍ତେ, ଆପଣା ଟଙ୍କା ଦେଖିଲା; କାରଣ ପଟ ମୁହଁରେ ଟଙ୍କା ଥିଲା ।
28ତହିଁରେ ସେ ଭାଇମାନଙ୍କୁ କହିଲା, "ମୋହର ଟଙ୍କା ଫେରି ଆସିଅଛି; ଏହି ଦେଖ, ତାହା ମୋ' ପଟରେ ଅଛି ।" ଏଣୁ ସେମାନଙ୍କର ହଂସା ଉଡ଼ିଗଲା, ଆଉ ସେମାନେ କମ୍ପିତ ହୋଇ ଏକଆରେକ ପ୍ରତି ଅନାଇ କହିଲେ, "ପରମେଶ୍ୱର ଆମ୍ଭମାନଙ୍କର ପ୍ରତି ଏ କି କର୍ମ କଲେ ?"
29ଅନନ୍ତର ସେମାନେ କିଣାନ ଦେଶରେ ଆପଣା ପିତା ଯାକୁବଙ୍କ ନିକଟରେ ଉପସ୍ଥିତ ହୋଇ ଆପଣାମାନଙ୍କ ପ୍ରତି ଯାହା ଯାହା ଘଟିଥିଲା, ତାହା ସବୁ ତାଙ୍କୁ ଜଣାଇ କହିଲେ,
30"ଯେଉଁ ବ୍ୟକ୍ତି ସେହି ଦେଶର କର୍ତ୍ତା, ସେ ଆମ୍ଭମାନଙ୍କୁ ଦେଶର ଚୋର ଜ୍ଞାନ କରି କଟୁ କଥା କହିଲା ।"
31ତହିଁରେ ଆମ୍ଭେମାନେ ତାକୁ କହିଲୁ, "ଆମ୍ଭେମାନେ ବିଶ୍ୱାସ୍ୟ ଲୋକ, ଚୋର ନୋହୁଁ,
32ଆମ୍ଭେମାନେ ବାର ଭାଇ, ସମସ୍ତେ ଏକ ପିତାଙ୍କର ସନ୍ତାନ; ଆମ୍ଭମାନଙ୍କ ମଧ୍ୟରେ ଜଣେ ନାହିଁ, ପୁଣି, କିଣାନ ଦେଶରେ ପିତାଙ୍କ ନିକଟରେ ଆଉ ଏକ ସାନ ଭାଇ ଅଛି ।"
33ସେତେବେଳେ ଦେଶର କର୍ତ୍ତା ସେହି ବ୍ୟକ୍ତି ଆମ୍ଭମାନଙ୍କୁ କହିଲା, "ଏହା କଲେ ଆମ୍ଭେ ତୁମ୍ଭମାନଙ୍କୁ ବିଶ୍ୱାସ୍ୟ ଲୋକ ବୋଲି ବୁଝି ପାରିବା; ତୁମ୍ଭେମାନେ ଆପଣାମାନଙ୍କ ଏକ ଭାଇକି ଆମ୍ଭ ନିକଟରେ ରଖି ଆପଣାମାନଙ୍କ ଗୃହର ଦୁର୍ଭିକ୍ଷ ହେତୁ ଶସ୍ୟ ଘେନି ଯାଅ ।
34ପୁଣି, ଆପଣାମାନଙ୍କ ସାନ ଭାଇକି ଆମ୍ଭ ନିକଟକୁ ଆଣ, ତେବେ ତୁମ୍ଭେମାନେ ଯେ ବିଶ୍ୱାସ୍ୟ ଲୋକ, ଚୋର ନୁହଁ, ଏହା ବୁଝିବା; ତହିଁରେ ତୁମ୍ଭମାନଙ୍କ ଭାଇକି ତୁମ୍ଭମାନଙ୍କୁ ସମର୍ପଣ କରି ଦେବା, ପୁଣି, ତୁମ୍ଭେମାନେ ଏ ଦେଶରେ ବାଣିଜ୍ୟ କରି ପାରିବ ।"
35ଅନନ୍ତର ସେମାନେ ପଟ ଖାଲି କରନ୍ତେ, ପ୍ରତିଜଣ ଆପଣା ଆପଣା ପଟ ଭିତରୁ ଟଙ୍କାପୁଡ଼ିଆ ପାଇଲେ । ତେବେ ସେହି ସବୁ ଟଙ୍କାପୁଡ଼ିଆ ଦେଖି, ସେମାନେ ଓ ସେମାନଙ୍କ ପିତା ଭୀତ ହେଲେ ।
36ତହିଁରେ ସେମାନଙ୍କ ପିତା ଯାକୁବ କହିଲେ, "ତୁମ୍ଭେମାନେ ମୋତେ ପୁତ୍ରହୀନ କରୁଅଛ; ଯୋଷେଫ ନାହିଁ, ଶିମୀୟୋନ ନାହିଁ, ପୁଣି, ବିନ୍ୟାମୀନକୁ ମଧ୍ୟ ଘେନିଯିବାକୁ ପାଞ୍ଚୁଅଛ, ଏହିସବୁ ସିନା ମୋହର ପ୍ରତିକୂଳ ହେଉଅଛି ।"
37ତହିଁରେ ରୁବେନ୍ ପିତାଙ୍କୁ କହିଲା, "ମୁଁ ଯେବେ ତୁମ୍ଭ ପାଖକୁ ତାକୁ ନ ଆଣେ, ତେବେ ତୁମ୍ଭେ ମୋର ଦୁଇ ପୁଅଙ୍କୁ ବଧ କରିବ; ମୋ' ହସ୍ତରେ ତାକୁ ସମର୍ପଣ କର; ମୁଁ ତାକୁ ପୁନର୍ବାର ତୁମ୍ଭ ପାଖକୁ ଆଣି ଦେବି ।"
38ତେବେ ସେ କହିଲେ, "ମୋ' ପୁଅ ତୁମ୍ଭମାନଙ୍କ ସଙ୍ଗରେ ଯିବ ନାହିଁ, ତାହାର ସହୋଦର ମରିଅଛି, ସେଇଟି ମାତ୍ର ବାକି ଅଛି; ତୁମ୍ଭେମାନେ ଯେଉଁ ପଥରେ ଯାଉଅଛ, ତହିଁରେ ଏହାକୁ ଯେବେ କୌଣସି ବିପଦ ଘଟିବ, ତେବେ ତୁମ୍ଭେମାନେ ମୋତେ ଶୋକରେ ଏହି ପକ୍ୱ କେଶରେ କବରକୁ ପଠାଇବ ।"