1ତୁମ୍ଭେମାନେ ଆପଣାମାନଙ୍କର ଭ୍ରାତୃଗଣଙ୍କୁ "ଅମ୍ମି (ଆମ୍ଭର ଲୋକ)" ଓ ଆପଣାମାନଙ୍କର ଭଗିନୀଗଣଙ୍କୁ "ରୁହାମା (ଦୟାପାତ୍ରୀ)" ବୋଲି କୁହ ।
2ତୁମ୍ଭେମାନେ ଆପଣା ମାତା ସହିତ ବାଦାନୁବାଦ କର; କାରଣ ସେ ଆମ୍ଭର ଭାର୍ଯ୍ୟା ନୁହେଁ, କିଅବା ଆମ୍ଭେ ତାହାର ସ୍ୱାମୀ ନୋହୁଁ; ସେ ଆପଣା ଦୃଷ୍ଟିରୁ ଆପଣା ବେଶ୍ୟାଚାର ଓ ଆପଣା ସ୍ତନଦ୍ୱୟର ମଧ୍ୟରୁ ବ୍ୟଭିଚାର ଦୂର କରୁ;
3ନୋହିଲେ ଅବା ଆମ୍ଭେ ତାହାକୁ ବିବସ୍ତ୍ରା କରିବା ଓ ସେ ଜନ୍ମ ଦିନରେ ଯେରୂପ ଥିଲା, ସେରୂପ କରି ତାହାକୁ ରଖିବା; ପୁଣି, ତାହାକୁ ପ୍ରାନ୍ତରର ତୁଲ୍ୟ କରିବା ଓ ମରୁଭୂମି ତୁଲ୍ୟ କରି ତୃଷାରେ ତାହାକୁ ବଧ କରିବା;
4ଆହୁରି, ଆମ୍ଭେ ତାହାର ସନ୍ତାନଗଣ ପ୍ରତି ଦୟା କରିବା ନାହିଁ, କାରଣ ସେମାନେ ବେଶ୍ୟାଚାରରୁ ଜାତ ସନ୍ତାନ ।
5ଯେହେତୁ ସେମାନଙ୍କର ମାତା ବେଶ୍ୟାବୃତ୍ତି କରିଅଛି; ସେମାନଙ୍କର ଗର୍ଭଧାରିଣୀ ଲଜ୍ଜାକର କର୍ମ କରିଅଛି; କାରଣ ସେ କହିଲା, "ମୋର ଯେଉଁ ପ୍ରେମିକଗଣ ମୋତେ ଅନ୍ନ, ଜଳ, ମେଷଲୋମ, ମସିନାବସ୍ତ୍ର, ତୈଳ ଓ ମୋର ପେୟଦ୍ରବ୍ୟ ମୋତେ ଦିଅନ୍ତି, ମୁଁ ସେମାନଙ୍କର ପଛେ ପଛେ ଯିବି ।"
6ଏଥିପାଇଁ ଦେଖ, ଆମ୍ଭେ କଣ୍ଟା ଦ୍ୱାରା ତୁମ୍ଭର ପଥ ରୁଦ୍ଧ କରିବା ଓ ଆମ୍ଭେ ତାହାର ବିରୁଦ୍ଧରେ ବାଡ଼ ବାନ୍ଧିବା, ତହିଁରେ ସେ ଆପଣା ପଥ ପାଇବ ନାହିଁ ।
7ପୁଣି, ସେ ଆପଣା ପ୍ରେମିକଗଣର ପଛେ ପଛେ ଯିବ, ମାତ୍ର ସେ ସେମାନଙ୍କର ସଙ୍ଗ ଧରିବ ନାହିଁ ଓ ସେ ସେମାନଙ୍କର ଅନ୍ଵେଷଣ କରିବ, ମାତ୍ର ଉଦ୍ଦେଶ୍ୟ ପାଇବ ନାହିଁ; ତହୁଁ ସେ କହିବ, "ମୁଁ ଫେରି ଆପଣା ପ୍ରଥମ ସ୍ୱାମୀ ନିକଟକୁ ଯିବି; କାରଣ ବର୍ତ୍ତମାନ ଅପେକ୍ଷା ସେତେବେଳେ ମୋର ମଙ୍ଗଳ ଥିଲା ।"
8"ଯେହେତୁ ଆମ୍ଭେ ଯେ ତାହାକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଦେଲୁ ଓ ତାହାର ରୂପା ଓ ସୁନା ବୃଦ୍ଧି କଲୁ, ଏହା ସେ ଜାଣିଲା ନାହିଁ, ସେମାନେ ସେହି ରୂପା, ସୁନା ବାଲ୍ଦେବ ଉଦ୍ଦେଶ୍ୟରେ ବ୍ୟୟ କଲେ ।
9ଏଥିପାଇଁ ଆମ୍ଭେ ଶସ୍ୟ ସମୟରେ ଆମ୍ଭର ଶସ୍ୟ ଓ ଦ୍ରାକ୍ଷାରସର ଋତୁରେ ଆମ୍ଭର ଦ୍ରାକ୍ଷାରସ ଫେରାଇ ନେବା, ଯାହା ଦ୍ୱାରା ତାହାର ଉଲଙ୍ଗତା ଆଚ୍ଛାଦିତ ହୁଅନ୍ତା, ଆମ୍ଭର ସେହି ମେଷଲୋମ ଓ ମସିନା ଛଡ଼ାଇ ନେବା ।
10ପୁଣି, ଏବେ ଆମ୍ଭେ ତାହାର ପ୍ରେମିକଗଣର ସାକ୍ଷାତରେ ତାହାର ଭ୍ରଷ୍ଟତା ପ୍ରକାଶ କରିବା ଓ ଆମ୍ଭ ହସ୍ତରୁ କେହି ତାହାକୁ ଉଦ୍ଧାର କରିବେ ନାହିଁ ।
11ଆହୁରି, ଆମ୍ଭେ ତାହାର ସକଳ ଆମୋଦ, ତାହାର ଉତ୍ସବ, ଅମାବାସ୍ୟା, ବିଶ୍ରାମ ଦିନ ଓ ତାହାର ମହାସଭା ସକଳ ବନ୍ଦ କରିବା ।
12ଆଉ, ସେ ଆପଣାର ଯେଉଁ ଦ୍ରାକ୍ଷାଲତା ଓ ଡିମ୍ୱିରି ବୃକ୍ଷ ବିଷୟରେ କହିଥିଲା 'ଏହି ସବୁ ମୋର ପ୍ରେମିକଗଣ ମୋର ବର୍ତ୍ତନ ସ୍ୱରୂପେ ମୋତେ ଦେଇଅଛନ୍ତି', ସେହି ସବୁ ଆମ୍ଭେ ଉଜାଡ଼ କରିବା; ଆଉ, ଆମ୍ଭେ ସେହିସବୁକୁ ଅରଣ୍ୟ କରିବା, ତହିଁରେ ବନ୍ୟ ପଶୁଗଣ ତାହା ଖାଇ ପକାଇବେ ।
13ପୁଣି, ଯେଉଁମାନଙ୍କ ଉଦ୍ଦେଶ୍ୟରେ ସେ ଧୂପ ଜ୍ୱଳାଇଲା, ସେହି ବାଲ୍ ଦେବଗଣର (ପ୍ରତିଷ୍ଠିତ) ଦିନସମୂହର ପ୍ରତିଫଳ ଆମ୍ଭେ ତାହାକୁ ଭୋଗ କରାଇବା; ସେହି ସମୟରେ ସେ କର୍ଣ୍ଣକୁଣ୍ଡଳ ଓ ଅଳଙ୍କାର ଇତ୍ୟାଦିରେ ଆପଣାକୁ ଭୂଷିତା କରି ଆପଣା ପ୍ରେମିକଗଣର ପଛେ ପଛେ ଗଲା ଓ ଆମ୍ଭକୁ ଭୁଲିଲା," ଏହା ସଦାପ୍ରଭୁ କହନ୍ତି ।
14"ଏଥିନିମନ୍ତେ ଦେଖ, ଆମ୍ଭେ ତାହାର ମନକୁ ଆକର୍ଷଣ କରି ତାହାକୁ ପ୍ରାନ୍ତରକୁ ଆଣିବା ଓ ତାହାକୁ ଚିତ୍ତ ପ୍ରବୋଧକ କଥା କହିବା ।
15ପୁଣି, ସେହି ସ୍ଥାନରୁ ଆମ୍ଭେ ତାହାକୁ ତାହାର ଦ୍ରାକ୍ଷାକ୍ଷେତ୍ର ଓ ଭରସାରୂପ ଦ୍ୱାର ନିମନ୍ତେ ଆଖୋର ଉପତ୍ୟକା ଦେବା; ପୁଣି, ସେ ଯେପରି ଆପଣା ଯୌବନ କାଳରେ ଓ ମିସର ଦେଶରୁ ଆସିବା ଦିନରେ ଉତ୍ତର କରିଥିଲା, ସେପରି ସେହି ସ୍ଥାନରେ ଉତ୍ତର କରିବ ।"
16ଆଉ, ସଦାପ୍ରଭୁ କହନ୍ତି, "ସେହି ଦିନ ତୁମ୍ଭେ ଆମ୍ଭକୁ 'ଈଶୀ (ଆମ୍ଭର ସ୍ୱାମୀ)' ବୋଲି ଡାକିବ ଓ 'ବାଲୀ (କର୍ତ୍ତା)' ବୋଲି ଆଉ ଡାକିବ ନାହିଁ ।"
17କାରଣ ଆମ୍ଭେ ତାହାର ମୁଖରୁ ବାଲ୍ ଦେବଗଣର ନାମସବୁ ଦୂର କରିବା, ପୁଣି ସେହି ନାମସବୁ ପୁନର୍ବାର ଧରାଯିବ ନାହିଁ ।
18ଆଉ, ସେହି ଦିନ ଆମ୍ଭେ ସେମାନଙ୍କ ନିମନ୍ତେ କ୍ଷେତ୍ରସ୍ଥ ବନ୍ୟ ପଶୁ ଓ ଆକାଶସ୍ଥ ପକ୍ଷୀ ଓ ଭୂମିସ୍ଥ ଉରୋଗାମୀ ଜନ୍ତୁଗଣର ସହିତ ନିୟମ କରିବା ଓ ଆମ୍ଭେ ଦେଶରୁ ଧନୁ, ଖଡ୍ଗ ଓ ଯୁଦ୍ଧ ଉଚ୍ଛିନ୍ନ କରିବା, ଆଉ ସେମାନଙ୍କୁ ନିରାପଦରେ ଶୟନ କରାଇବା ।
19ପୁଣି, ଆମ୍ଭେ ଚିରକାଳ ନିମନ୍ତେ ଆମ୍ଭ ପାଇଁ ତୁମ୍ଭକୁ ବାଗ୍ଦାନ କରିବା; ହଁ, ଆମ୍ଭେ ତୁମ୍ଭକୁ ଧର୍ମରେ, ନ୍ୟାୟ ବିଚାରରେ, ସ୍ନେହପୂର୍ଣ୍ଣ କରୁଣାରେ ଓ ଦୟାରେ ଆମ୍ଭ ପାଇଁ ବାଗ୍ଦାନ କରିବା ।
20ଆମ୍ଭେ ତୁମ୍ଭକୁ ବିଶ୍ୱସ୍ତତାରେ ଆମ୍ଭ ପାଇଁ ବାଗ୍ଦାନ କରିବା; ତହିଁରେ ତୁମ୍ଭେ ସଦାପ୍ରଭୁଙ୍କୁ ଜ୍ଞାତ ହେବ ।"
21ଆହୁରି, ସଦାପ୍ରଭୁ କହନ୍ତି, "ସେହି ଦିନ ଆମ୍ଭେ ଉତ୍ତର ଦେବା, ଆମ୍ଭେ ଆକାଶମଣ୍ଡଳକୁ ଉତ୍ତର ଦେବା ଓ ଆକାଶମଣ୍ଡଳ ପୃଥିବୀକୁ ଉତ୍ତର ଦେବ;
22ପୁଣି, ପୃଥିବୀ ଶସ୍ୟକୁ, ଦ୍ରାକ୍ଷାରସକୁ ଓ ତୈଳକୁ ଉତ୍ତର ଦେବ; ଆଉ, ସେହି ସମସ୍ତେ ଯିଷ୍ରିୟେଲକୁ ଉତ୍ତର ଦେବେ;
23ପୁଣି, ଆମ୍ଭେ ଆପଣା ପାଇଁ ତାହାକୁ ଦେଶରେ ରୋପଣ କରିବା; ତହିଁରେ ଯେ ଦୟା ପାଇ ନ ଥିଲା, ତାହା ପ୍ରତି ଆମ୍ଭେ ଦୟା କରିବା; ଆଉ, ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ କହିବା, 'ତୁମ୍ଭେ ଆମ୍ଭର ଲୋକ' ଓ ସେମାନେ କହିବେ, 'ତୁମ୍ଭେ ଆମ୍ଭର ପରମେଶ୍ୱର ।'"