1ହେ ମୋହର ପୁତ୍ର, ତୁମ୍ଭେ ମୋହର ବ୍ୟବସ୍ଥା ପାସୋର ନାହିଁ; ମାତ୍ର ତୁମ୍ଭର ହୃଦୟ ମୋହର ଆଜ୍ଞାସବୁ ପାଳନ କରୁ ।
2ଯେହେତୁ ତଦ୍ଦ୍ୱାରା ପରମାୟୁର ଦୀର୍ଘତା ଓ ଜୀବନର ବର୍ଷ ସଂଖ୍ୟା ଓ ଶାନ୍ତି ବୃଦ୍ଧି ହେବ ।
3ଦୟା ଓ ସତ୍ୟତା ତୁମ୍ଭକୁ ପରିତ୍ୟାଗ ନ କରୁ; ଆପଣା କଣ୍ଠରେ ଉଭୟକୁ ବାନ୍ଧ ଓ ଆପଣା ଚିତ୍ତରୂପ ପଟାରେ ଲେଖି ରଖ ।
4ତାହା କଲେ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ଦୃଷ୍ଟିରେ ଅନୁଗ୍ରହ ଓ ସୁବିବେଚନା ଲାଭ କରିବ ।
5ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ ।
6ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ ।
7ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ୍୍ ହୁଅ ନାହିଁ; ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ ।
8ତାହା ତୁମ୍ଭ ନାଭିଦେଶର ସ୍ୱାସ୍ଥ୍ୟ ଓ ଅସ୍ଥିର ମଜ୍ଜା ହେବ ।
9ତୁମ୍ଭେ ଆପଣା ଧନରେ ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର ।
10ତହିଁରେ ତୁମ୍ଭର ଭଣ୍ଡାର ବହୁ ଧନରେ ପରିପୂର୍ଣ୍ଣ ହେବ ଓ ତୁମ୍ଭ କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଛୁଳି ପଡ଼ିବ ।
11ହେ ମୋହର ପୁତ୍ର, ସଦାପ୍ରଭୁଙ୍କ ଅନୁଯୋଗ ତୁଚ୍ଛ କର ନାହିଁ ଓ ତାହାଙ୍କ ଶାସନରେ କ୍ଳାନ୍ତ ହୁଅ ନାହିଁ ।
12କାରଣ ଯେପରି ପିତା ଆପଣା ସନ୍ତୋଷ ପାତ୍ର ପୁତ୍ରକୁ, ସେପରି ସଦାପ୍ରଭୁ ଆପଣା ପ୍ରେମପାତ୍ରକୁ ଶାସନ କରନ୍ତି ।
13ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ, ସେ ଧନ୍ୟ ।
14ଯେହେତୁ ରୂପାର ବାଣିଜ୍ୟଠାରୁ ତାହାର ବାଣିଜ୍ୟ ଉତ୍ତମ, ପୁଣି ଶୁଦ୍ଧ ସୁବର୍ଣ୍ଣଠାରୁ ତାହାର ଲାଭ ଶ୍ରେଷ୍ଠ ।
15ତାହା ମୁକ୍ତାଠାରୁ ଅଧିକ ମୂଲ୍ୟବାନ, ପୁଣି ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହାର ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ ।
16ତାହାର ଡାହାଣ ହସ୍ତରେ ଦୀର୍ଘାୟୁ, ତାହାର ବାମ ହସ୍ତରେ ଧନ ଓ ସମ୍ମାନ ଥାଏ ।
17ତାହାର ପଥସବୁ ସୁଖଦାୟକ ପଥ ଓ ତାହାର ସମସ୍ତ ମାର୍ଗ ଶାନ୍ତିକର ଅଟେ ।
18ଯେଉଁମାନେ ତାହାର ଆଶ୍ରୟ ନିଅନ୍ତି, ସେମାନଙ୍କ ପ୍ରତି ସେ ଜୀବନଦାୟକ ବୃକ୍ଷ ସ୍ୱରୂପ; ଯେଉଁ ଲୋକ ତାହା ଧରି ରଖେ, ସେ ଧନ୍ୟ ।
19ସଦାପ୍ରଭୁ ଜ୍ଞାନରେ ପୃଥିବୀ ସ୍ଥାପନ କଲେ, ସେ ବୁଦ୍ଧିରେ ଆକାଶମଣ୍ଡଳ ସୁସ୍ଥିର କଲେ ।
20ତାହାଙ୍କ ଜ୍ଞାନରେ ଗଭୀର ସ୍ଥାନରୁ ଜଳ ଉଛୁଳି ଉଠେ, ପୁଣି, ମେଘରୁ କାକର ଟୋପା ଟୋପା ପଡ଼େ ।
21ହେ ମୋହର ପୁତ୍ର, ଏହିସବୁ ତୁମ୍ଭ ଦୃଷ୍ଟିଗୋଚରରୁ ନ ଯାଉ, ତୁମ୍ଭେ ତତ୍ତ୍ୱଜ୍ଞାନ ଓ ପରିଣାମଦର୍ଶିତା ରକ୍ଷା କର ।
22ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହେବ ।
23ତେବେ ତୁମ୍ଭେ ଆପଣା ପଥରେ ନିର୍ଭୟରେ ଚାଲିବ, ପୁଣି, ତୁମ୍ଭର ଚରଣ ଝୁଣ୍ଟିବ ନାହିଁ ।
24ଶୟନ କାଳରେ ତୁମ୍ଭର ଆଶଙ୍କା ହେବ ନାହିଁ, ହଁ, ତୁମ୍ଭେ ଶୟନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହେବ ।
25ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିଅବା ଦୁଷ୍ଟମାନଙ୍କ ଉପସ୍ଥିତ ବିନାଶକୁ ଭୟ କର ନାହିଁ ।
26ଯେହେତୁ ସଦାପ୍ରଭୁ ତୁମ୍ଭର ବିଶ୍ୱାସଭୂମି ହେବେ, ସେ ତୁମ୍ଭର ପାଦ ଫାନ୍ଦରୁ ରକ୍ଷା କରିବେ ।
27ଉପକାର କରିବାର ସାମର୍ଥ୍ୟ ତୁମ୍ଭ ହସ୍ତରେ ଥିଲେ, ଉଚିତ ଦାନପାତ୍ରମାନଙ୍କୁ ମନା କର ନାହିଁ ।
28ଆପଣା ନିକଟରେ ଦ୍ରବ୍ୟ ଥିଲେ, "ଯାଅ, ପୁନର୍ବାର ଆସ, ଆମ୍ଭେ କାଲି ଦେବା" ଏହା ତୁମ୍ଭ ପ୍ରତିବାସୀକୁ କୁହ ନାହିଁ ।
29ତୁମ୍ଭ ପ୍ରତିବାସୀ ତୁମ୍ଭ ନିକଟରେ ନିର୍ଭୟରେ ବାସ କରିବାରୁ ତାହାର ବିରୁଦ୍ଧରେ ଅନିଷ୍ଟ ଚିନ୍ତା କର ନାହିଁ ।
30ମନୁଷ୍ୟ ତୁମ୍ଭର କ୍ଷତି ନ କଲେ, ଅକାରଣରେ ତାହା ସହିତ ବିରୋଧ କର ନାହିଁ ।
31ଉପଦ୍ରବୀ ପ୍ରତି ଈର୍ଷା କର ନାହିଁ, ପୁଣି, ତାହାର କୌଣସି ପଥ ମନୋନୀତ କର ନାହିଁ ।
32କାରଣ ଖଳ ଲୋକ ସଦାପ୍ରଭୁଙ୍କର ଘୃଣାପାତ୍ର; ମାତ୍ର ସରଳାଚାରୀମାନଙ୍କ ସଙ୍ଗେ ତାହାଙ୍କର ମିତ୍ରାଳାପ ଥାଏ ।
33ପାପୀମାନଙ୍କ ଗୃହରେ ସଦାପ୍ରଭୁଙ୍କର ଅଭିଶାପ ଥାଏ, ମାତ୍ର ସେ ଧାର୍ମିକମାନଙ୍କ ନିବାସକୁ ଆଶୀର୍ବାଦ କରନ୍ତି ।
34ଯଦ୍ୟପି ସେ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି, ତଥାପି ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି ।
35ଜ୍ଞାନବାନ୍୍ ଲୋକେ ସମ୍ମାନର ଅଧିକାରୀ ହେବେ, ମାତ୍ର ଲଜ୍ଜା ଅଜ୍ଞାନମାନଙ୍କ ଉନ୍ନତି ହେବ ।