1କେହି ନ ଗୋଡ଼ାଇଲେ ହେଁ ଦୁଷ୍ଟ ପଳାଏ; ମାତ୍ର ଧାର୍ମିକମାନେ ସିଂହ ପରି ସାହସିକ ।
2ଦେଶର ଅଧର୍ମ ସକାଶୁ ତହିଁର ଅଧିପତି ଅନେକ ହୁଅନ୍ତି; ମାତ୍ର ବୁଦ୍ଧିମାନ୍ ଓ ଜ୍ଞାନବାନ୍ ଲୋକମାନଙ୍କ ଦ୍ୱାରା ତହିଁର ସ୍ଥିରତା ଦୀର୍ଘ ହୁଏ ।
3ଯେଉଁ ଦରିଦ୍ର ଲୋକ ଦୀନହୀନକୁ ଉପଦ୍ରବ କରେ, ସେ ପ୍ଳାବନକାରୀ ବୃଷ୍ଟି ପରି; ତହିଁରେ ଭକ୍ଷ୍ୟର ଅଭାବ ଘଟେ ।
4ବ୍ୟବସ୍ଥାତ୍ୟାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି, ପୁଣି, ଆଜ୍ଞା ପାଳିବା ଲୋକମାନେ ସେମାନଙ୍କ ସହିତ ବିରୋଧ କରନ୍ତି ।
5ମନ୍ଦ ଲୋକମାନେ ନ୍ୟାୟ ବୁଝନ୍ତି ନାହିଁ, ମାତ୍ର ସଦାପ୍ରଭୁଙ୍କ ଅନ୍ୱେଷଣକାରୀମାନେ ସବୁ ବିଷୟ ବୁଝନ୍ତି ।
6ଦ୍ୱିପଥଗାମୀ କୁଟିଳ ଲୋକ ଧନୀ ହେଲେ ହେଁ ତାହା ଅପେକ୍ଷା ଆପଣା ସିଦ୍ଧତାରେ ଗମନକାରୀ ଦରିଦ୍ର ଲୋକ ଭଲ ।
7ଯେ ବ୍ୟବସ୍ଥା ମାନେ, ସେ ବୁଦ୍ଧିମାନ୍ ପୁତ୍ର; ପୁଣି, ଯେ ପେଟାର୍ଥୀମାନଙ୍କର ସଙ୍ଗୀ ହୁଏ, ସେ ଆପଣା ପିତାକୁ ଲଜ୍ଜା ଦିଏ ।
8ଯେଉଁ ଲୋକ ସୁଧ ଓ ବୃଦ୍ଧି ଦ୍ୱାରା ଆପଣା ସମ୍ପତ୍ତି ବୃଦ୍ଧି କରେ, ସେ ଦୀନହୀନ ପ୍ରତି ଦୟାକାରୀ ପାଇଁ ତାହା ସଞ୍ଚୟ କରେ ।
9ଯେଉଁ ଲୋକ ବ୍ୟବସ୍ଥା ଶୁଣିବାରୁ ଆପଣା କର୍ଣ୍ଣ ଫେରାଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ ।
10ଯେଉଁ ଲୋକ ସରଳ ଲୋକକୁ ମନ୍ଦ ପଥରେ ଯିବାକୁ ଭୁଲାଏ, ସେ ସ୍ୱକୃତ ଖାତରେ ଆପେ ପଡ଼ିବ; ମାତ୍ର ସିଦ୍ଧ ଲୋକେ ମଙ୍ଗଳ ଅଧିକାର କରିବେ ।
11ଧନବାନ ଆପଣା ଦୃଷ୍ଟିରେ ଜ୍ଞାନବାନ୍; ମାତ୍ର ବୁଦ୍ଧିମାନ୍ ଦୀନହୀନ ଲୋକ ତାହାର ପରିଚୟ ନିଏ ।
12ଧାର୍ମିକମାନେ ଜୟ କଲେ ମହାଗୌରବ ହୁଏ; ମାତ୍ର ଦୁଷ୍ଟମାନଙ୍କର ଉନ୍ନତି ହେଲେ ଲୋକେ ଆପଣାକୁ ଲୁଚାନ୍ତି ।
13ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ; ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ, ସେ ଦୟା ପାଇବ ।
14ଯେଉଁ ଲୋକ ସବୁବେଳେ ଭୟ ରଖେ, ସେ ଧନ୍ୟ; ମାତ୍ର ଯେ ଆପଣା ମନକୁ କଠିନ କରେ, ସେ ଆପଦରେ ପଡ଼ିବ ।
15ଯେପରି ଗର୍ଜ୍ଜନକାରୀ ସିଂହ ଓ ଭ୍ରମଣକାରୀ ଭାଲୁ; ସେପରି ଦୀନହୀନ ପ୍ରଜାଙ୍କ ଉପରେ ଦୁଷ୍ଟ କର୍ତ୍ତା ।
16ଯେଉଁ ଅଧ୍ୟକ୍ଷ ବୁଦ୍ଧିହୀନ, ସେ ମଧ୍ୟ ଅତି ଉପଦ୍ରବୀ ହୁଏ, ମାତ୍ର ଯେ ଲୋଭକୁ ଘୃଣା କରେ, ସେ ଆପଣା ଦିନ ବଢ଼ାଇବ ।
17ଯେଉଁ ଲୋକ କୌଣସି ଲୋକର ରକ୍ତରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ଯ୍ୟନ୍ତ ପଳାଇବ; କେହି ତାହାକୁ ନ ଅଟକାଉ ।
18ଯେଉଁ ଲୋକ ସିଦ୍ଧ ଭାବରେ ଚାଲେ, ସେ ରକ୍ଷା ପାଏ; ମାତ୍ର ଆପଣା ପଥରେ କୁଟିଳ ଲୋକ ଅକସ୍ମାତ୍ ପଡ଼ିବ ।
19ଆପଣା ଭୂମି ଯେ ଚଷେ, ସେ ଯଥେଷ୍ଟ ଆହାର ପାଇବ; ପୁଣି, ଯେ ଅସାର ଲୋକଙ୍କର ଅନୁଗାମୀ ହୁଏ, ତାହାର ଯଥେଷ୍ଟ ଦରିଦ୍ରତା ହେବ ।
20ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ; ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ଅଦଣ୍ଡିତ ନୋହିବ ।
21ମୁଖାପେକ୍ଷା କରିବା ଭଲ ନୁହେଁ । କିଅବା ଖଣ୍ଡେ ରୋଟୀ ପାଇଁ ଅଧର୍ମ କରିବା ଭଲ ନୁହେଁ ।
22କୁଦୃଷ୍ଟି ଲୋକ ସମ୍ପତ୍ତି ପଛେ ଦୌଡ଼େ, ମାତ୍ର ତାହାକୁ ଅଭାବ ଆକ୍ରମଣ କରିବ ବୋଲି ସେ ଜାଣେ ନାହିଁ ।
23ଜିହ୍ୱାରେ ଚାଟୁବାଦ କରିବା ଲୋକ ଅପେକ୍ଷା ମନୁଷ୍ୟକୁ ଅନୁଯୋଗ କରିବା ଲୋକ ଶେଷରେ ଅଧିକ ଅନୁଗ୍ରହ ପାଏ ।
24ଯେ ଆପଣା ପିତା କିମ୍ବା ମାତାର ଦ୍ରବ୍ୟ ଅପହରଣ କରି କହେ, ଏଥିରେ କିଛି ଅଧର୍ମ ନାହିଁ, ସେ ସଂହାରକର ସଙ୍ଗୀ ।
25ବହୁପ୍ରତ୍ୟାଶୀ ପ୍ରାଣ ବିବାଦ ଜନ୍ମାଏ, ମାତ୍ର ଯେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖେ, ସେ ହୃଷ୍ଟପୁଷ୍ଟ ହେବ ।
26ଯେ ଆପଣା ଅନ୍ତଃକରଣରେ ନିର୍ଭର ରଖେ, ସେ ମୂର୍ଖ; ମାତ୍ର ଯେ ଜ୍ଞାନରେ ଚାଲେ, ସେ ରକ୍ଷା ପାଇବ ।
27ଯେ ଦରିଦ୍ରକୁ ଦାନ କରେ, ତାହାର ଅଭାବ ହେବ ନାହିଁ; ମାତ୍ର ଯେ ଆପଣା ଚକ୍ଷୁ ମୁଦେ, ସେ ଅନେକ ଅଭିଶାପ ପାଇବ ।
28ଦୁଷ୍ଟମାନେ ଉନ୍ନତ ହେଲେ, ଲୋକେ ଆପଣାମାନଙ୍କୁ ଲୁଚାନ୍ତି; ମାତ୍ର ସେମାନେ ବିନଷ୍ଟ ହେଲେ, ଧାର୍ମିକଗଣ ବର୍ଦ୍ଧିଷ୍ଣୁ ହୁଅନ୍ତି ।