1ବହୁତ ଧନ ଅପେକ୍ଷା ସୁନାମ ମନୋନୀତ ହେବା ଯୋଗ୍ୟ, ପୁଣି, ରୂପା ଓ ସୁନା ଅପେକ୍ଷା ସ୍ନେହସୂଚକ ଅନୁଗ୍ରହ ଉତ୍ତମ ।
2ଧନବାନ ଓ ଦରିଦ୍ର ଏକତ୍ର ମିଳନ୍ତି; ସଦାପ୍ରଭୁ ସେସମସ୍ତଙ୍କର ସୃଷ୍ଟିକର୍ତ୍ତା ।
3ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ; ମାତ୍ର ଅବୋଧ ଲୋକମାନେ ଆଗ ବଢ଼ି ଶାସ୍ତି ପାଆନ୍ତି ।
4ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ ।
5କୁଟିଳ ଲୋକମାନଙ୍କ ପଥରେ କଣ୍ଟା ଓ ଫାନ୍ଦ ଥାଏ; ଯେ ଆପଣା ପ୍ରାଣ ରକ୍ଷା କରେ, ସେ ସେସବୁରୁ ଦୂରରେ ରହିବ ।
6ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ; ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ ।
7ଧନବାନ ଦରିଦ୍ର ଉପରେ କର୍ତ୍ତୃତ୍ୱ କରେ, ପୁଣି, ଋଣୀ ମହାଜନର ଦାସ ହୁଏ ।
8ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ୟ କାଟିବ ଓ ତାହାର କୋପରୂପ ଦଣ୍ଡ ଲୁପ୍ତ ହେବ ।
9ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ; ଯେହେତୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ ।
10ନିନ୍ଦକକୁ ବାହାର କରି ଦିଅ, ତହିଁରେ କଳି ବାହାରି ଯିବ; ପୁଣି, ବିରୋଧ ଓ ଅପମାନ ନିବୃତ୍ତ ହେବ ।
11ଯେଉଁ ଲୋକ ହୃଦୟର ଶୁଚିତା ଭଲ ପାଏ, ଯାହାର ଓଷ୍ଠ ଅନୁଗ୍ରହଯୁକ୍ତ, ରାଜା ତାହାର ବନ୍ଧୁ ହେବ ।
12ସଦାପ୍ରଭୁଙ୍କ ଚକ୍ଷୁ ଜ୍ଞାନପ୍ରାପ୍ତ ଲୋକକୁ ରକ୍ଷା କରେ; ମାତ୍ର ବିଶ୍ୱାସଘାତକର କଥା ସେ ଓଲଟାଇ ପକାନ୍ତି ।
13ଅଳସ ଲୋକ କହେ, ବାହାରେ ସିଂହ ଅଛି; ମୁଁ ସଡ଼କରେ ହତ ହେବି ।
14ପର-ସ୍ତ୍ରୀର ମୁଖ ଗଭୀର ଖାତ, ସଦାପ୍ରଭୁଙ୍କ ଘୃଣିତ ଲୋକ ତହିଁରେ ପଡ଼ିବ ।
15ପିଲାର ମନରେ ଅଜ୍ଞାନତା ବନ୍ଦ ଥାଏ, ପୁଣି, ଶାସନବାଡ଼ି ତାହା ବାହାର କରି ତାହାଠାରୁ ଦୂର କରି ଦିଏ ।
16ଯେଉଁ ଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ; ପୁଣି, ଯେ ଧନୀକୁ ଦାନ କରେ, ତାହାକୁ କେବଳ ଅଭାବ ଘଟିବ ।
17ତୁମ୍ଭେ ଆପଣା କର୍ଣ୍ଣ ଡେରି ଜ୍ଞାନବାନ୍ମାନଙ୍କ କଥା ଶୁଣ; ପୁଣି, ମୋ' ବିଦ୍ୟାରେ ଆପଣା ମନ ଲଗାଅ ।
18ଯେହେତୁ ତୁମ୍ଭେ ତାହା ହୃଦୟରେ ରଖିଲେ ଓ ତୁମ୍ଭ ଓଷ୍ଠାଧର ସଙ୍ଗେ ତାହା ଏକତ୍ର ସଂଯୁକ୍ତ ହେଲେ, ଆହ୍ଲାଦଜନକ ହେବ ।
19ସଦାପ୍ରଭୁଙ୍କଠାରେ ଯେପରି ତୁମ୍ଭର ନିର୍ଭର ରହିବ, ଏଥିପାଇଁ ମୁଁ ଆଜି ତୁମ୍ଭକୁ, ବିଶେଷ ରୂପେ ତୁମ୍ଭକୁ ଏହିସବୁ କଥା ଜଣାଇଲି ।
20ତୁମ୍ଭକୁ ସତ୍ୟତାରୂପ ବାକ୍ୟର ନିଶ୍ଚୟତା ଜଣାଇବାକୁ, ପୁଣି, ଯେଉଁମାନେ ତୁମ୍ଭକୁ ପଠାନ୍ତି,
21ତୁମ୍ଭେ ଯେପରି ସେମାନଙ୍କୁ ସତ୍ୟ ଉତ୍ତର ଦେଇପାର, ଏଥିପାଇଁ ମୁଁ କ'ଣ ତୁମ୍ଭ ପ୍ରତି ଯୁକ୍ତିରେ ଓ ବିଦ୍ୟାରେ ଉତ୍କୃଷ୍ଟ ବାକ୍ୟ ଲେଖି ନାହିଁ ?
22ଦୀନହୀନକୁ ଦୀନହୀନ ଜାଣି ତାହାର ଦ୍ରବ୍ୟ ହରଣ କର ନାହିଁ, ପୁଣି, ନଗର-ଦ୍ୱାରରେ ଦୁଃଖୀ ପ୍ରତି ଉପଦ୍ରବ କର ନାହିଁ ।
23ଯେହେତୁ ସଦାପ୍ରଭୁ ସେମାନଙ୍କ ପକ୍ଷରେ ପ୍ରତିବାଦ କରିବେ, ପୁଣି, ଯେଉଁମାନେ ସେମାନଙ୍କ ଦ୍ରବ୍ୟ ଅପହରଣ କରିବେ, ସେ ସେମାନଙ୍କର ପ୍ରାଣ ଅପହରଣ କରିବେ ।
24ରାଗଶୀଳ ଲୋକ ସଙ୍ଗରେ ମିତ୍ରତା କର ନାହିଁ, ପୁଣି, କ୍ରୋଧୀ ଲୋକ ସହିତ ଗମନ କର ନାହିଁ ।
25କଲେ, ତୁମ୍ଭେ ଅବା ତାହାର ବାଟ ଶିକ୍ଷା କରି ଆପଣା ପ୍ରାଣ ପାଇଁ ଫାନ୍ଦ ପ୍ରସ୍ତୁତ କରିବ ।
26ଯେଉଁମାନେ ହାତରେ ତାଳି ଦିଅନ୍ତି ଅବା ଋଣୀର ଲଗା ହୁଅନ୍ତି, ସେମାନଙ୍କ ମଧ୍ୟରେ ତୁମ୍ଭେ ଜଣେ ହୁଅ ନାହିଁ ।
27ଯେବେ ପରିଶୋଧ କରିବାକୁ ତୁମ୍ଭର କିଛି ନ ଥାଏ, ତେବେ ସେ କାହିଁକି ତୁମ୍ଭ ତଳରୁ ତୁମ୍ଭର ଶଯ୍ୟା ନେଇଯିବ ?
28ତୁମ୍ଭର ପିତୃଲୋକମାନେ ଯେଉଁ ପୁରାତନ ସୀମା ସ୍ଥାପନ କରିଅଛନ୍ତି, ତାହା ଘୁଞ୍ଚାଅ ନାହିଁ ।
29ତୁମ୍ଭେ କି କୌଣସି ଲୋକକୁ ଆପଣା ବ୍ୟବସାୟରେ ତତ୍ପର ଦେଖୁଅଛ ? ସେ ରାଜାମାନଙ୍କ ସମ୍ମୁଖରେ ଠିଆ ହେବ । ସେ ନୀଚ ଲୋକଙ୍କ ଆଗରେ ଠିଆ ହେବ ନାହିଁ ।