1ଅନନ୍ତର ଶିବା ଦେଶର ରାଣୀ ଶଲୋମନଙ୍କର ସୁଖ୍ୟାତି ଶୁଣି ନିଗୂଢ଼ ପ୍ରଶ୍ନ ଦ୍ୱାରା ଯିରୂଶାଲମରେ ଶଲୋମନଙ୍କର ପରୀକ୍ଷା କରିବା ପାଇଁ ସୁଗନ୍ଧି ଦ୍ରବ୍ୟ ଓ ବିସ୍ତର ସୁବର୍ଣ୍ଣ ଓ ମଣିବାହକ ଉଷ୍ଟ୍ରଗଣ ସଙ୍ଗେ ନେଇ ମହାସମାରୋହରେ ଆସିଲା ; ପୁଣି ସେ ଶଲୋମନଙ୍କ ନିକଟକୁ ଆସି ଆପଣା ମନରେ ଯାହା ଯାହା ଥିଲା, ସେସବୁ ବିଷୟରେ ତାଙ୍କ ସଙ୍ଗେ କଥାବାର୍ତ୍ତା କଲା ।
2ତହିଁରେ ଶଲୋମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର କଲେ ଓ ଶଲୋମନଙ୍କର ବୋଧାଗମ୍ୟ କୌଣସି ବିଷୟ ନ ଥିଲା, ଯାହା ସେ ତାହାକୁ କହିଲେ ନାହିଁ ।
3ପୁଣି ଶିବାର ରାଣୀ ଶଲୋମନଙ୍କର ଜ୍ଞାନ ଓ ତାଙ୍କ ନିର୍ମିତ ଗୃହ
4ଓ ତାଙ୍କର ମେଜର ଖାଦ୍ୟଦ୍ରବ୍ୟ ଓ ତାଙ୍କର ଭୃତ୍ୟମାନଙ୍କର ଆସନ ଓ ତାଙ୍କର ମନ୍ତ୍ରୀମାନଙ୍କର ସେବା ଓ ସେମାନଙ୍କର ବସ୍ତ୍ର ଓ ତାଙ୍କର ପାତ୍ରବାହକଗଣ ଓ ସେମାନଙ୍କର ବସ୍ତ୍ର ଓ ସଦାପ୍ରଭୁଙ୍କ ଗୃହକୁ ଉଠିଯିବା ପାଇଁ ତାହାର ପାବଚ୍ଛ, ଏହିସବୁ ଦେଖି ହତଜ୍ଞାନ ହେଲା ।
5ତହୁଁ ସେ ରାଜାଙ୍କୁ କହିଲା, "ଆମ୍ଭେ ଆପଣା ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ଓ ଆପଣଙ୍କ ଜ୍ଞାନ ବିଷୟରେ ଯେଉଁ ସମ୍ବାଦ ପାଇଥିଲୁ, ତାହା ସତ୍ୟ ।
6ତଥାପି ଆମ୍ଭେ ଆସି ଆପଣା ଚକ୍ଷୁରେ ନ ଦେଖିବାଯାଏ ଲୋକମାନଙ୍କର କଥା ବିଶ୍ୱାସ କଲୁ ନାହିଁ ; ଆଉ ଦେଖନ୍ତୁ, ଆପଣଙ୍କ ଜ୍ଞାନର ଅର୍ଦ୍ଧେକ ମାହାତ୍ମ୍ୟ ଆମ୍ଭକୁ କୁହାଯାଇ ନଥିଲା ; ଆମ୍ଭ ଶୁଣିବାର ଅପେକ୍ଷା ଆପଣଙ୍କ ସୁଖ୍ୟାତି ଅଧିକ ।
7ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କର ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଠିଆ ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି ।
8ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ଯେ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହୋଇ ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ପକ୍ଷରେ ରାଜା ହେବାକୁ ଆପଣା ସିଂହାସନରେ ଆପଣଙ୍କୁ ବସାଇଅଛନ୍ତି ; ଯେଣୁ ଆପଣଙ୍କ ପରମେଶ୍ୱର ଇସ୍ରାଏଲକୁ ଅନନ୍ତ କାଳସ୍ଥାୟୀ କରିବା ନିମନ୍ତେ ସେମାନଙ୍କୁ ପ୍ରେମ କରନ୍ତି ; ଏହି ହେତୁରୁ ବିଚାର ଓ ନ୍ୟାୟ କରିବାକୁ ସେ ସେମାନଙ୍କ ଉପରେ ଆପଣଙ୍କୁ ରାଜା କଲେ" ।
9ଏଉତ୍ତାରେ ସେ ରାଜାଙ୍କୁ ଏକ ଶହ କୋଡ଼ିଏ ତାଳନ୍ତ ସୁନା ଓ ଅତି ବିସ୍ତର ସୁଗନ୍ଧି ଦ୍ରବ୍ୟ ଓ ମଣି ଦେଲା ; ଶିବାର ରାଣୀ ଶଲୋମନ ରାଜାଙ୍କୁ ଯେଉଁ ପ୍ରକାର ସୁଗନ୍ଧି ଦ୍ରବ୍ୟ ଦେଲା, ସେପ୍ରକାର ସୁଗନ୍ଧି ଦ୍ରବ୍ୟ ଆଉ ନ ଥିଲା ।
10ପୁଣି ହୂରମ୍ର ଯେଉଁ ଦାସମାନେ ଓ ଶଲୋମନଙ୍କର ଯେଉଁ ଦାସମାନେ ଓଫୀର୍ରୁ ସୁବର୍ଣ୍ଣ ଆଣିଲେ, ସେମାନେ ମଧ୍ୟ ଚନ୍ଦନ କାଷ୍ଠ ଓ ମଣି ଆଣିଲେ ।
11ଆଉ ରାଜା ସେହି ଚନ୍ଦନ କାଷ୍ଠ ଦ୍ୱାରା ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ପାଇଁ ସୋପାନ ଓ ଗାୟକମାନଙ୍କ ନିମନ୍ତେ ବୀଣା ଓ ନେବଲ ପ୍ରସ୍ତୁତ କଲେ ; ଏପରି ଚନ୍ଦନ କାଷ୍ଠ ପୂର୍ବରେ ଯିହୁଦା ଦେଶରେ ଦେଖାଯାଇ ନ ଥିଲା ।
12ପୁଣି ଶିବାର ରାଣୀ ଯାହା ଯାହା ମାଗିଲା, ତାହାର ମନୋବାଞ୍ଛାନୁସାରେ ଶଲୋମନ ରାଜା ତାହାସବୁ ତାହାକୁ ଦେଲେ, (ତାହା ଛଡ଼ା ରାଜାଙ୍କ ନିକଟକୁ ତାହାର ଆନୀତ ଦ୍ରବ୍ୟର ପ୍ରତିଦାନ କଲେ) ଏଥି ଉତ୍ତାରେ ରାଣୀ ଓ ତାହାର ଦାସମାନେ ଫେରି ଆପଣା ଦେଶକୁ ଗଲେ ।
13ବର୍ଷକ ମଧ୍ୟରେ ଶଲୋମନଙ୍କ ନିକଟକୁ ଛଅ ଶହ ଛଷଠି ତାଳନ୍ତ ପରିମିତ ସୁନା ଆସେ ;
14ତାହା ଛଡ଼ା ପାଇକର ଓ ବଣିକମାନେ ସୁନା ଆଣିଲେ ; ପୁଣି ଆରବୀୟ ସମସ୍ତ ରାଜା ଓ ଦେଶାଧ୍ୟକ୍ଷମାନେ ଶଲୋମନଙ୍କ ନିକଟକୁ ସୁନା ଓ ରୂପା ଆଣିଲେ ।
15ତହିଁରେ ଶଲୋମନ ରାଜା ପିଟାସୁନାରେ ଦୁଇ ଶହ ବଡ଼ ଢ଼ାଲ ପ୍ରସ୍ତୁତ କଲେ ; ପ୍ରତ୍ୟେକ ଢାଳରେ ଛଅ ଶହ (ଶେକଲ) ସୁନା ଲାଗିଲା ।
16ପୁଣି, ସେ ପିଟାସୁନାରେ ତିନି ଶହ ଢାଲ ପ୍ରସ୍ତୁତ କଲେ ; ପ୍ରତ୍ୟେକ ଢାଲରେ ତିନି ଶହ (ଶେକଲ) ସୁନା ଲାଗିଲା ; ଆଉ, ରାଜା ଲିବାନୋନ୍ ଅରଣ୍ୟ-ଗୃହରେ ତାହାସବୁ ରଖିଲେ ।
17ଆହୁରି, ରାଜା ହସ୍ତୀଦନ୍ତର ଗୋଟିଏ ବୃହତ୍ ସିଂହାସନ ନିର୍ମାଣ କରି ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ ।
18ସେହି ସିଂହାସନରେ ଏକ ସ୍ୱର୍ଣ୍ଣମୟ ପାଦପୀଠ ସହିତ ଛଅ ପାହାଚ ସିଂହାସନ ସଂଯୁକ୍ତ ହୋଇଥିଲା, ଆଉ ଆସନର ଦୁଇ ପାର୍ଶ୍ଵରେ ଦୁଇ ହସ୍ତାବଲମ୍ବନ ଥିଲା ଓ ସେହି ହସ୍ତାବଲମ୍ବନ ନିକଟରେ ଦୁଇ ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ ।
19ସେହି ଛଅ ପାହାଚ ଉପରେ ଦୁଇପାଖେ ବାର ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ ; ଏରୂପ ସିଂହାସନ କୌଣସି ରାଜ୍ୟରେ ପ୍ରସ୍ତୁତ ନୋହିଲା ।
20ଶଲୋମନ ରାଜାଙ୍କର ପାନପାତ୍ରସବୁ ସୁନାର ଥିଲା ଓ ଲିବାନୋନ୍ ଅରଣ୍ୟ-ଗୃହର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା ; ଶଲୋମନଙ୍କ ସମୟରେ ରୂପା କିଛି ବୋଲି ଗଣା ନୋହିଲା ।
21କାରଣ ହୂରମ୍ର ଦାସମାନଙ୍କ ସଙ୍ଗେ ରାଜାଙ୍କର ତର୍ଶୀଶ୍ଗାମୀ ଜାହାଜମାନ ଥିଲେ ; ସେହି ତର୍ଶୀଶ୍ର ଜାହାଜମାନ ତିନି ବର୍ଷରେ ଥରେ ସୁନା ଓ ରୂପା ଓ ହସ୍ତୀଦନ୍ତ, ପୁଣି ବାନର ଓ ମୟୂର ନେଇ ଆସନ୍ତି ।
22ଏହିରୂପେ ଶଲୋମନ ରାଜା ଐଶ୍ୱର୍ଯ୍ୟରେ ଓ ଜ୍ଞାନରେ ପୃଥିବୀସ୍ଥ ସମସ୍ତ ରାଜାଙ୍କ ଅପେକ୍ଷା ମହାନ୍ ହେଲେ ।
23ଆଉ ପରମେଶ୍ୱର ଶଲୋମନଙ୍କର ହୃଦୟରେ ଯେଉଁ ଜ୍ଞାନ ଦେଇଥିଲେ, ତହିଁର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତ ରାଜା ତାଙ୍କର ସାକ୍ଷାତ କରିବାକୁ ଚାହିଁଲେ ।
24ପୁଣି, ପ୍ରତ୍ୟେକ ଲୋକ ନିରୂପଣାନୁସାରେ ବର୍ଷକୁ ବର୍ଷ ଆପଣା ଆପଣାର ଭେଟୀ ରୂପେ ରୂପାପାତ୍ର ଓ ସୁନାପାତ୍ର ଓ ବସ୍ତ୍ର, ଅସ୍ତ୍ରଶସ୍ତ୍ର ଓ ସୁଗନ୍ଧି ଦ୍ରବ୍ୟ, ଅଶ୍ୱ ଓ ଖଚର ଆଣିଲେ ।
25ଆଉ ଶଲୋମନଙ୍କର ଅଶ୍ୱ ଓ ରଥ ନିମନ୍ତେ ଚାରି ହଜାର ଶାଳା ଥିଲା ଓ ବାର ହଜାର ଅଶ୍ୱାରୂଢ଼ ଥିଲେ, ଏସବୁକୁ ସେ ରଥ ନଗରମାନରେ ଓ ଯିରୂଶାଲମରେ ରାଜାଙ୍କ ନିକଟରେ ରଖିଲେ ।
26ଆଉ, ସେ (ଫରାତ୍) ନଦୀଠାରୁ ପଲେଷ୍ଟୀୟମାନଙ୍କର ଦେଶ ଓ ମିସରର ସୀମା ପର୍ଯ୍ୟନ୍ତ ସମସ୍ତ ରାଜା ଉପରେ ରାଜତ୍ୱ କଲେ ।
27ପୁଣି ରାଜା ଯିରୂଶାଲମରେ ରୂପାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ କାଷ୍ଠକୁ ତଳଭୂମିସ୍ଥ ଡିମ୍ବିରି ବୃକ୍ଷ ପରି କଲେ ।
28ଆଉ ଲୋକମାନେ ମିସରରୁ ଓ ସମସ୍ତ ଦେଶରୁ ଶଲୋମନଙ୍କ ପାଇଁ ଅଶ୍ୱ ଆଣିଲେ ।
29ଶଲୋମନଙ୍କର ଅବଶିଷ୍ଟ ବୃତ୍ତାନ୍ତ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ନାଥନ ଭବିଷ୍ୟଦ୍ବକ୍ତାଙ୍କର ଇତିହାସ ପୁସ୍ତକରେ ଓ ଶୀଲୋନୀୟ ଅହୀୟର ଭବିଷ୍ୟଦ୍ବାକ୍ୟରେ ଓ ନବାଟର ପୁତ୍ର ଯାରବୀୟାମ୍ବିଷୟକ ଇଦ୍ଦୋ ଦର୍ଶକର ଦର୍ଶନ ମଧ୍ୟରେ କ'ଣ ଲେଖା ନାହିଁ ?
30ଶଲୋମନ ଯିରୂଶାଲମରେ ଚାଳିଶ ବର୍ଷ କାଳ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ ।
31ପୁଣି ଶଲୋମନ ଆପଣା ପିତୃଲୋକଙ୍କ ସହିତ ଶୟନ କରି ଆପଣା ପିତା ଦାଉଦଙ୍କର ନଗରରେ କବର ପ୍ରାପ୍ତ ହେଲେ ; ତହୁଁ ତାଙ୍କର ପୁତ୍ର ରିହବୀୟାମ୍ ତାଙ୍କର ପଦରେ ରାଜ୍ୟ କଲେ ।