1ଏଥିଉତ୍ତାରେ ଇଲୀଶାୟ ଭବିଷ୍ୟଦ୍ବକ୍ତା ଭବିଷ୍ୟଦ୍ବକ୍ତାଗଣଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, “ତୁମ୍ଭ କଟି ବାନ୍ଧ ଓ ଏହି ତୈଳ ଶିଶି ହସ୍ତରେ ନେଇ ରାମୋତ୍ ଗିଲୀୟଦକୁ ଯାଅ ।
2ପୁଣି ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ନିମ୍ଶିଙ୍କର ପୌତ୍ର ଯିହୋଶାଫଟଙ୍କର ପୁତ୍ର ଯେହୂଙ୍କର ଅନ୍ୱେଷଣ କର ଓ ଭିତରକୁ ଯାଇ ତାଙ୍କର ଭ୍ରାତୃଗଣ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରୀକୁ ନେଇଯାଅ ।
3ପୁଣି ତୈଳ ଶିଶି ନେଇ ତାଙ୍କ ମସ୍ତକରେ ଢାଳି କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ ।”’ ତହୁଁ ତୁମ୍ଭେ ଦ୍ୱାର ଫିଟାଇ ପଳାଇଯାଅ ଓ ବିଳମ୍ବ ନ କର ।”
4ତହିଁରେ ସେ ଯୁବା, ଅର୍ଥାତ୍, ସେହି ଯୁବା ଭବିଷ୍ୟଦ୍ବକ୍ତା ରାମୋତ୍ ଗିଲୀୟଦକୁ ଗଲେ ।
5ଆଉ ସେ ଉପସ୍ଥିତ ହେବା ବେଳେ ଦେଖ, ସେନାପତିମାନେ ବସିଅଛନ୍ତି; ତହିଁରେ ସେ କହିଲେ, “ହେ ସେନାପତି, ତୁମ୍ଭଠାରେ ମୋହର ଏକ କାର୍ଯ୍ୟ ଅଛି ।” ତହୁଁ ଯେହୂ କହିଲେ, “ଆମ୍ଭ ସମସ୍ତଙ୍କ ମଧ୍ୟରୁ କାହାଠାରେ ?” ତହିଁରେ ସେ କହିଲେ, “ହେ ସେନାପତି, ତୁମ୍ଭଠାରେ ।”
6ଏଥିରେ ସେ ଉଠି ଗୃହ ଭିତରକୁ ଗଲେ; ତହୁଁ ଭବିଷ୍ୟଦ୍ବକ୍ତା ତାଙ୍କର ମସ୍ତକରେ ତୈଳ ଢାଳି ତାଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ, ଅର୍ଥାତ୍, ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ ।
7ପୁଣି ଆମ୍ଭେ ଯେପରି ଈଷେବଲ୍ ହସ୍ତରୁ ଆମ୍ଭ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କ ରକ୍ତର ଓ ସଦାପ୍ରଭୁଙ୍କ ଦାସସମୂହର ରକ୍ତର ପରିଶୋଧ ନେବୁ, ଏଥିପାଇଁ ତୁମ୍ଭେ ଆପଣା ପ୍ରଭୁ ଆହାବର ବଂଶକୁ ଆଘାତ କରିବ ।
8କାରଣ ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ ଓ ଆମ୍ଭେ ଇସ୍ରାଏଲ ମଧ୍ୟରେ ଆହାବ ସମ୍ପର୍କୀୟ ପ୍ରତ୍ୟେକ ପୁଂସନ୍ତାନକୁ ଓ ବଦ୍ଧ କି ମୁକ୍ତ ଲୋକକୁ ଉଚ୍ଛିନ୍ନ କରିବା ।
9ଆଉ ଆମ୍ଭେ ଆହାବ ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଓ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବା ।
10ପୁଣି କୁକ୍କୁରମାନେ ଈଷେବଲ୍କୁ ଯିଷ୍ରିୟେଲ ଭୂମିରେ ଖାଇବେ ଓ ତାହାକୁ କବର ଦେବା ପାଇଁ କେହି ନ ଥିବ ।’” ତହୁଁ ଭବିଷ୍ୟଦ୍ବକ୍ତା ଦ୍ୱାର ଫିଟାଇ ପଳାଇଗଲେ ।
11ତହିଁରେ ଯେହୂ ବାହାର ହୋଇ ଆପଣା ପ୍ରଭୁର ଦାସମାନଙ୍କ ନିକଟକୁ ଆସନ୍ତେ, ଜଣେ ତାଙ୍କୁ ପଚାରିଲା, “ସବୁ ମଙ୍ଗଳ ତ ? ସେ ବାତୁଳଟି କାହିଁକି ତୁମ୍ଭ ନିକଟକୁ ଆସିଥିଲା ?” ତହିଁରେ ଯେହୂ ସେମାନଙ୍କୁ କହିଲେ, “ସେ ଲୋକକୁ ଓ ତାହାର କଥା କଅଣ, ତୁମ୍ଭେମାନେ ତ ଜାଣ ।”
12ଏଥିରେ ସେମାନେ କହିଲେ, “ଏ ମିଛ; ଏବେ ଆମ୍ଭମାନଙ୍କୁ କୁହ ।” ତହୁଁ ଯେହୂ କହିଲେ, “ସେ ମୋତେ ଏପରି ଏପରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ ।’”
13ତହୁଁ ସେମାନେ ପ୍ରତ୍ୟେକେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କର ତଳେ ରଖିଲେ ଓ ତୂରୀ ବଜାଇ କହିଲେ, “ଯେହୂ ରାଜା ହେଲେ ।”
14ଏଥିରେ ନିମ୍ଶିଙ୍କର ପୌତ୍ର ଯିହୋଶାଫଟଙ୍କର ପୁତ୍ର ଯେହୂ ଯୋରାମ୍ଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ । (ସେସମୟରେ ଯୋରାମ୍ ଓ ସମସ୍ତ ଇସ୍ରାଏଲ ଅରାମର ରାଜା ହସାୟେଲଠାରୁ ରାମୋତ୍ ଗିଲୀୟଦ ରକ୍ଷା କରୁଥିଲେ ।
15ମାତ୍ର ଯୋରାମ୍ ରାଜା ଅରାମର ରାଜା ହସାୟେଲ ସଙ୍ଗେ ଯୁଦ୍ଧ କରିବା ବେଳେ ଅରାମୀୟ ଲୋକମାନେ ତାଙ୍କୁ ଯେଉଁ କ୍ଷତବିକ୍ଷତ କରିଥିଲେ, ତହିଁରୁ ସେ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲକୁ ଫେରି ଯାଇଥିଲେ) । ପୁଣି ଯେହୂ କହିଲେ, “ଯେବେ ଏ ତୁମ୍ଭମାନଙ୍କ ମତ, ତେବେ ଯିଷ୍ରିୟେଲରେ ଏହା ଜଣାଇବା ପାଇଁ କାହାରିକୁ ନଗରର ବାହାରକୁ ପଳାଇ ଯିବାକୁ ନ ଦିଅ ।”
16ତହିଁରେ ଯେହୂ ରଥରେ ଚଢ଼ି ଯିଷ୍ରିୟେଲକୁ ଗଲେ; କାରଣ ସେସ୍ଥାନରେ ଯୋରାମ୍ ଶଯ୍ୟାଗତ ହୋଇଥିଲେ । ପୁଣି ଯିହୁଦାର ରାଜା ଅହସୀୟ ଯୋରାମ୍ଙ୍କୁ ଦେଖିବାକୁ ଆସିଥିଲେ ।
17ସେତେବେଳେ ଯିଷ୍ରିୟେଲ ଦୁର୍ଗ ଉପରେ ପ୍ରହରୀ ଠିଆ ହୋଇଥିଲା, ପୁଣି ଯେହୂ ଆସୁ ଆସୁ ପ୍ରହରୀ ତାଙ୍କର ଲୋକଦଳକୁ ଦେଖି କରି କହିଲା, “ମୁଁ ଏକ ଦଳ ଲୋକ ଦେଖୁଅଛି ।” ତହିଁରେ ଯୋରାମ୍ କହିଲେ, “ଜଣେ ଅଶ୍ୱାରୋହୀକୁ ନେଇ ସେମାନଙ୍କୁ ସାକ୍ଷାତ କରିବା ପାଇଁ ପଠାଅ ଓ ସେ ପଚାରୁ, ‘କୁଶଳ କି ?’”
18ତହିଁରେ ଜଣେ ଅଶ୍ୱ ଚଢ଼ି ତାଙ୍କୁ ସାକ୍ଷାତ କରିବାକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, ‘କୁଶଳ କି ?’” ତହିଁରେ ଯେହୂ କହିଲେ, “କୁଶଳରେ ତୁମ୍ଭର କଅଣ ଅଛି ? ତୁମ୍ଭେ ମୋ' ପଛକୁ ଯାଅ ।” ଏଥିରେ ପ୍ରହରୀ ଜଣାଇ କହିଲା, “ଦୂତ ସେମାନଙ୍କ ନିକଟକୁ ଗଲା, ମାତ୍ର ସେ ଫେରି ଆସୁ ନାହିଁ ।”
19ତହୁଁ ଯୋରାମ୍ ଦ୍ୱିତୀୟ ଜଣକୁ ଅଶ୍ୱରେ ପଠାନ୍ତେ, ସେ ସେମାନଙ୍କ ନିକଟକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, କୁଶଳ କି ?” ପୁଣି ଯେହୂ ଉତ୍ତର କଲେ, “କୁଶଳରେ ତୁମ୍ଭର କଅଣ ଅଛି ? ତୁମ୍ଭେ ମୋ' ପଛକୁ ଯାଅ ।”
20ଏଥିରେ ପ୍ରହରୀ ଜଣାଇ କହିଲା, “ସେ ଜଣ ହିଁ ସେମାନଙ୍କ ନିକଟକୁ ଗଲା, ଆଉ ସେ ଫେରି ଆସୁ ନାହିଁ; ପୁଣି ରଥଚାଳନ ନିମ୍ଶିର ପୁତ୍ର ଯେହୂର ଚାଳନା ପରି; କାରଣ ସେ ଅତି ପ୍ରଚଣ୍ଡ ବେଗରେ ଚଳାଏ ।”
21ତେବେ ଯୋରାମ୍ କହିଲେ, “ରଥ ପ୍ରସ୍ତୁତ କର ।” ତହିଁରେ ସେମାନେ ତାଙ୍କର ରଥ ପ୍ରସ୍ତୁତ କଲେ । ପୁଣି ଇସ୍ରାଏଲର ରାଜା ଯୋରାମ୍ ଓ ଯିହୁଦାର ରାଜା ଅହସୀୟ ଆପଣା ଆପଣା ରଥରେ ବାହାରିଲେ, ଆଉ ସେମାନେ ଯେହୂଙ୍କୁ ଭେଟିବାକୁ ଯାଇ ଯିଷ୍ରିୟେଲୀୟ ନାବୋତର ଭୂମିରେ ତାଙ୍କୁ ଦେଖିଲେ ।
22ପୁଣି ଯୋରାମ୍ ଯେହୂଙ୍କୁ ଦେଖନ୍ତେ, ତାଙ୍କୁ ପଚାରିଲେ, “ଯେହୂ କୁଶଳ କି ?” ତହିଁରେ; ସେ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଈଷେବଲ୍ର ଏତେ ବ୍ୟଭିଚାର ଓ ମାୟାବିତ୍ୱ ଅଛି, ସେପର୍ଯ୍ୟନ୍ତ କି କୁଶଳ ?”
23ଏଥିରେ ଯୋରାମ୍ ଆପଣା ହସ୍ତ ଫେରାଇ ପଳାଇଲେ ଓ ଅହସୀୟଙ୍କୁ କହିଲେ, “ହେ ଅହସୀୟ, ବିଶ୍ୱାସଘାତକତା ହେଲା ।”
24ତହୁଁ ଯେହୂ ଆପଣାର ସମ୍ପୂର୍ଣ୍ଣ ବଳରେ ଧନୁ ଟାଣି ଯୋରାମ୍ଙ୍କର ଦୁଇ ବାହୁ ମଧ୍ୟକୁ ମାରନ୍ତେ, ତୀର ତାଙ୍କ ହୃଦୟ ଦେଇ ବାହାରି ଗଲା, ତହିଁରେ ସେ ଆପଣା ରଥରେ ନଇଁ ପଡ଼ିଲେ ।
25ତେବେ ଯେହୂ ଆପଣା ସେନାପତି ବିଦ୍କରକୁ କହିଲେ, "ତାହାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତର କ୍ଷେତ୍ର ଭୂମିରେ ପକାଇଦିଅ; କାରଣ ମୁଁ ଓ ତୁମ୍ଭେ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ୍ଗମନ କରିବା ବେଳେ ସଦାପ୍ରଭୁ କିପ୍ରକାରେ ତାହା ଉପରେ ଏହି ଭାରୋକ୍ତି ଥୋଇ ଥିଲେ, ଏହା ସ୍ମରଣ କର:
26ଯଥା, ସଦାପ୍ରଭୁ କହନ୍ତି, 'ଆମ୍ଭେ ନିଶ୍ଚୟ ଗତ କାଲି ନାବୋତର ରକ୍ତ ଓ ତାହାର ପୁତ୍ରମାନଙ୍କ ରକ୍ତ ଦେଖିଲୁ; ପୁଣି ଆମ୍ଭେ ଏହି ଭୂମିରେ ତୁମ୍ଭକୁ ପ୍ରତିଫଳ ଦେବା, ଏହା ସଦାପ୍ରଭୁଙ୍କ ଉକ୍ତି ।' ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ତାହାକୁ ନେଇ ସେହି କ୍ଷେତ୍ରଭୂମିରେ ପକାଇଦିଅ ।"
27ମାତ୍ର ଯିହୁଦାର ରାଜା ଅହସୀୟ ଏହା ଦେଖି ଉଦ୍ୟାନ ଗୃହର ପଥ ଦେଇ ପଳାଇଲେ । ତହିଁରେ ଯେହୂ ତାଙ୍କର ପଛେ ପଛେ ଯାଇ କହିଲେ, “ତାହାକୁ ମଧ୍ୟ ରଥରେ ଆଘାତ କର ।” ତହୁଁ ସେମାନେ ଯିବ୍ଲୀୟମ୍ ନିକଟସ୍ଥ ଗୂର୍ ନାମକ ଉଠାଣି ନିକଟରେ ତାଙ୍କୁ ଆଘାତ କଲେ । ଆଉ ସେ ମଗିଦ୍ଦୋକୁ ପଳାଇ ସେଠାରେ ମଲେ ।
28ତହୁଁ ତାଙ୍କର ଦାସମାନେ ତାଙ୍କୁ ରଥରେ ଯିରୂଶାଲମକୁ ନେଇଗଲେ ଓ ଦାଉଦ ନଗରରେ ତାଙ୍କର ପିତୃଲୋକଙ୍କ ସହିତ ତାଙ୍କର କବରରେ ତାଙ୍କୁ କବର ଦେଲେ ।
29ଆହାବଙ୍କର ପୁତ୍ର ଯୋରାମ୍ଙ୍କର ଅଧିକାରର ଏକାଦଶ ବର୍ଷରେ ଅହସୀୟ ଯିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କରିଥିଲେ ।
30ଏଉତ୍ତାରେ ଯେହୂ ଯିଷ୍ରିୟେଲରେ ଉପସ୍ଥିତ ହୁଅନ୍ତେ, ଈଷେବଲ୍ ତାହା ଶୁଣିଲା; ତହୁଁ ସେ ଆପଣା ଚକ୍ଷୁରେ ଅଞ୍ଜନ ଦେଇ ଓ ଆପଣା ମସ୍ତକ ଭୂଷିତ କରି ଝରକା ନିକଟରେ ବାହାରକୁ ଅନାଇଲା ।
31ପୁଣି ଯେହୂ ଦ୍ୱାରରେ ପ୍ରବେଶ କରିବା ବେଳେ ଈଷେବଲ୍ କହିଲା, “ହେ ଆପଣା ପ୍ରଭୁର ହତ୍ୟାକାରୀ ସିମ୍ରି, କୁଶଳ କି ?”
32ଏଥିରେ ଯେହୂ ଝରକା ଆଡ଼େ ଆପଣା ମୁଖ ଉଠାଇ କହିଲେ, “କିଏ ମୋ' ପକ୍ଷରେ ଅଛି ? କିଏ ?” ତହୁଁ ତାଙ୍କ ଆଡ଼କୁ ଦୁଇ ବା ତିନି ନପୁଂସକ ଅନାଇଲେ ।
33ଏଥିରେ ଯେହୂ କହିଲେ, “ତାକୁ ତଳକୁ ପକାଇଦିଅ ।” ତହୁଁ ସେମାନେ ଈଷେବଲ୍କୁ ତଳକୁ ପକାଇଦେଲେ; ପୁଣି ତାହାର କିଛି ରକ୍ତ ପ୍ରାଚୀର ଓ ଅଶ୍ୱମାନଙ୍କ ଉପରେ ଛିଟ୍କି ପଡ଼ିଲା ଓ ସେ ତାକୁ ପାଦ ତଳେ ଦଳିଲେ ।
34ଏଥିଉତ୍ତାରେ ଯେହୂ ଭିତରକୁ ଯାଇ ଭୋଜନପାନ କଲେ; ଆଉ ସେ କହିଲେ, “ଏବେ ସେହି ଶାପଗ୍ରସ୍ତା ସ୍ତ୍ରୀର ବିଷୟ ବୁଝ ଓ ତାକୁ କବର ଦିଅ; କାରଣ ସେ ରାଜକନ୍ୟା ।”
35ଏଥିରେ ସେମାନେ ତାକୁ କବର ଦେବାକୁ ଗଲେ; ମାତ୍ର ତାହା ମୁଣ୍ଡର ଖପୁରୀ ଓ ପାଦ ଓ ହାତ ପାପୁଲି ଛଡ଼ା ଆଉ କିଛି ପାଇଲେ ନାହିଁ
36ଏହେତୁ ସେମାନେ ଫେରି ଆସି ଯେହୂଙ୍କୁ ଜଣାଇଲେ । ତହିଁରେ ସେ କହିଲେ, “ଏ ତ ସଦାପ୍ରଭୁଙ୍କ ବାକ୍ୟ, ସେ ଆପଣା ଦାସ ତିଶ୍ବୀୟ ଏଲୀୟଙ୍କ ଦ୍ୱାରା ଏହା କହିଥିଲେ, ଯଥା, ‘ଯିଷ୍ରିୟେଲୀୟ ଭୂମିରେ କୁକ୍କୁରମାନେ ଈଷେବଲ୍ର ମାଂସ ଖାଇବେ;
37ଆଉ ଯିଷ୍ରିୟେଲୀୟ ଭୂମିରେ ଈଷେବଲ୍ର ଶବ କ୍ଷେତ୍ର ଉପରେ ଖତ ପରି ହେବ; ତହିଁରେ ଏ ଈଷେବଲ୍ ବୋଲି ଲୋକେ କହିବେ ନାହିଁ ।’”