1ସେତେବେଳେ ଇଲୀଶାୟ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ; ସଦାପ୍ରଭୁ ଏହି କଥା କହନ୍ତି, ‘କାଲି ପ୍ରାୟ ଏହି ସମୟକୁ ଶମରୀୟାର ନଗର ଦ୍ୱାରରେ ଏକ ପସୁରୀ ସରୁ ମଇଦା ଏକ ଶେକଲରେ ଓ ଦୁଇ ପସୁରୀ ଯବ ଏକ ଶେକଲରେ ବିକ୍ରି କରାଯିବ ।’”
2ସେତେବେଳେ ରାଜା ଯେଉଁ ସେନାପତି ହସ୍ତରେ ନିର୍ଭର କରିଥିଲେ, ସେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର କରି କହିଲା, “ଦେଖ, ଯେବେ ସଦାପ୍ରଭୁ ଆକାଶରେ ଦ୍ୱାର କରନ୍ତି, ତେବେ ହେଁ କ'ଣ ଏ କଥା ହୋଇ ପାରିବ ?” ତହିଁରେ ଇଲୀଶାୟ କହିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ, ମାତ୍ର ତହିଁରୁ ଭୋଜନ କରିବ ନାହିଁ ।”
3ସେହି ସମୟରେ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଚାରି ଜଣ କୁଷ୍ଠୀ ଥିଲେ; ଆଉ ସେମାନେ ପରସ୍ପର କହିଲେ, “ଆମ୍ଭେମାନେ ମରିବା ପର୍ଯ୍ୟନ୍ତ କାହିଁକି ଏଠାରେ ବସିଅଛୁ ?
4ଯେବେ କହୁ, ଆମ୍ଭେମାନେ ନଗରରେ ପ୍ରବେଶ କରିବା, ତେବେ ନଗରରେ ଦୁର୍ଭିକ୍ଷ ଅଛି, ପୁଣି ଆମ୍ଭେମାନେ ସେଠାରେ ମରିବା; ଆଉ ଯେବେ ଆମ୍ଭେମାନେ ଏଠାରେ ବସି ରହିବା, ତେବେ ମଧ୍ୟ ମରିବା । ଏହେତୁ ଆସ, ଆମ୍ଭେମାନେ ଅରାମୀୟମାନଙ୍କ ସୈନ୍ୟର ପକ୍ଷକୁ ଯାଉ; ଯେବେ ସେମାନେ ଆମ୍ଭମାନଙ୍କୁ ବଞ୍ଚାଇ ରଖିବେ, ତେବେ ଆମ୍ଭେମାନେ ବଞ୍ଚିବା; ଆଉ ଯେବେ ଆମ୍ଭମାନଙ୍କୁ ମାରି ପକାଇବେ, ତେବେ ମରିବା ।”
5ଏଣୁ କୁଷ୍ଠୀମାନେ ଅରାମୀୟମାନଙ୍କ ଛାଉଣିକୁ ଯିବା ପାଇଁ ଗୋଧୂଳି ସମୟରେ ଉଠିଲେ; ଆଉ ସେମାନେ ଅରାମୀୟମାନଙ୍କ ଛାଉଣିର ବାହାର ସୀମାରେ ଉପସ୍ଥିତ ହେବା ବେଳେ, ଦେଖ, ସେଠାରେ କୌଣସି ମନୁଷ୍ୟ ନ ଥିଲେ ।
6କାରଣ ସଦାପ୍ରଭୁ ଅରାମୀୟମାନଙ୍କ ସୈନ୍ୟଗଣକୁ ରଥ ଶବ୍ଦ ଓ ଅଶ୍ୱ ଶବ୍ଦ, ଅର୍ଥାତ୍, ମହାସୈନ୍ୟ ଶବ୍ଦ ଶୁଣାଇଥିଲେ; ତହିଁରେ ସେମାନେ ପରସ୍ପର କହିଲେ, “ଦେଖ, ଇସ୍ରାଏଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବା ପାଇଁ ହିତ୍ତୀୟମାନଙ୍କ ରାଜାଗଣକୁ ଓ ମିସ୍ରୀୟମାନଙ୍କ ରାଜାଗଣକୁ ଆମ୍ଭମାନଙ୍କ ପ୍ରତିକୂଳରେ ବେତନ ଦେଇ ନିଯୁକ୍ତ କରିଅଛି ।”
7ଏହେତୁ ଅରାମୀୟମାନଙ୍କ ସୈନ୍ୟଗଣ ଉଠି ଗୋଧୂଳି ସମୟରେ ପଳାଇଲେ, ଆଉ ସେମାନେ ଆପଣାମାନଙ୍କ ତମ୍ବୁ ଓ ଅଶ୍ୱ ଓ ଗର୍ଦ୍ଦଭ ଓ ଛାଉଣି ଯେପରି ଥିଲା, ସେପରି ଛାଡ଼ି ଆପଣାମାନଙ୍କ ପ୍ରାଣରକ୍ଷାର୍ଥେ ପଳାଇଲେ ।
8ଏଥିଉତ୍ତାରେ ସେହି କୁଷ୍ଠୀମାନେ ଛାଉଣିର ବାହାର ସୀମାକୁ ଆସି ଗୋଟିଏ ତମ୍ବୁ ଭିତରକୁ ଯାଇ ଭୋଜନପାନ କଲେ, ପୁଣି ତହିଁରୁ ରୂପା ଓ ସୁନା ଓ ବସ୍ତ୍ର ନେଇ ଲୁଚାଇ ରଖିଲେ; ତହୁଁ ସେମାନେ ପୁନର୍ବାର ଆସି ଆଉ ଏକ ତମ୍ବୁ ମଧ୍ୟରେ ପ୍ରବେଶ କଲେ ଓ ତହିଁରୁ ମଧ୍ୟ ଦ୍ରବ୍ୟାଦି ନେଇ ଯାଇ ଲୁଚାଇ ରଖିଲେ ।
9ତେବେ ସେମାନେ ପରସ୍ପର କହିଲେ, “ଆମ୍ଭେମାନେ ଭଲ କରୁନାହୁଁ; ଆଜି ସୁସମ୍ବାଦର ଦିନ, ମାତ୍ର ଆମ୍ଭେମାନେ ତୁନି ହୋଇ ରହୁଅଛୁ; ଯେବେ ଆମ୍ଭେମାନେ ପ୍ରଭାତ ଆଲୁଅ ପର୍ଯ୍ୟନ୍ତ ବିଳମ୍ବ କରୁ, ତେବେ ଆମ୍ଭମାନଙ୍କୁ ଦଣ୍ଡ ଘଟିବ; ଏହେତୁ ଏବେ ଆସ, ଆମ୍ଭେମାନେ ଯାଇ ରାଜଗୃହରେ ସମ୍ବାଦ ଦେଉ ।”
10ତହୁଁ ସେମାନେ ଆସି ନଗରର ଦ୍ୱାରୀକୁ ଡାକିଲେ; ଆଉ ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟମାନଙ୍କ ଛାଉଣିକୁ ଯାଇଥିଲୁ, ଆଉ ଦେଖ, ସେଠାରେ କୌଣସି ମନୁଷ୍ୟ ନାହିଁ; କି ମନୁଷ୍ୟର ଶବ୍ଦ ନାହିଁ, ମାତ୍ର ଅଶ୍ୱ ଓ ଗର୍ଦ୍ଦଭଗଣ ବନ୍ଧା ହୋଇଅଛନ୍ତି, ଆଉ ତମ୍ବୁସବୁ ଯେପରି ଥିଲା, ସେପରି ଅଛି ।”
11ତହୁଁ ସେ ଦ୍ୱାରୀମାନଙ୍କୁ ଡାକନ୍ତେ, ସେମାନେ ରାଜଗୃହ ଭିତରେ ସମ୍ବାଦ ଦେଲେ ।
12ତହିଁରେ ରାଜା ରାତ୍ରିରେ ଉଠି ଆପଣା ଦାସମାନଙ୍କୁ କହିଲେ, “ଅରାମୀୟମାନେ ଆମ୍ଭମାନଙ୍କ ପ୍ରତି ଯାହା କରିଅଛନ୍ତି, ତାହା ମୁଁ ଏବେ ତୁମ୍ଭମାନଙ୍କ ପ୍ରତି ପ୍ରକାଶ କରିବି । ସେମାନେ ଜାଣନ୍ତି ଯେ, ଆମ୍ଭେମାନେ କ୍ଷୁଧାର୍ତ୍ତ ଅଛୁ; ଏହେତୁ ସେମାନେ ଛାଉଣିରୁ ବାହାରି ଯାଇ ଆପଣାମାନଙ୍କୁ କ୍ଷେତ୍ରରେ ଲୁଚାଇ କହୁଛନ୍ତି, ସେମାନେ ନଗରରୁ ବାହାରିଲେ, ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଧରି ନଗରରେ ପ୍ରବେଶ କରିବା ।”
13ତହିଁରେ ତାହାର ଦାସମାନଙ୍କ ମଧ୍ୟରୁ ଜଣେ ଉତ୍ତର କରି କହିଲା, “ମୁଁ ବିନୟ କରୁଅଛି, ଆମ୍ଭେମାନେ କେତେକ ଲୋକ ପଠାଇ ଦେଖୁ, ସେମାନେ ନଗରରେ ଅବଶିଷ୍ଟ ଅଶ୍ୱମାନଙ୍କ ମଧ୍ୟରୁ ପାଞ୍ଚୋଟି ନେଇ ଯାଉନ୍ତୁ, ଦେଖନ୍ତୁ, ସେମାନେ ନଗରରେ ଅବଶିଷ୍ଟ ଇସ୍ରାଏଲର ସମସ୍ତ ଜନତା ସମାନ; ଦେଖନ୍ତୁ, ସେମାନେ ଇସ୍ରାଏଲର ସମସ୍ତ ନଷ୍ଟକଳ୍ପ ଜନତା ସମାନ ।”
14ଏହେତୁ ସେହି ଲୋକମାନେ ଅଶ୍ୱ ସହିତ ଦୁଇ ରଥ ନେଲେ ଓ ରାଜା ସେମାନଙ୍କୁ ଅରାମୀୟ ସୈନ୍ୟ ପଛେ ପଠାଇ କହିଲେ, “ଯାଇ ଦେଖ ।”
15ତହୁଁ ସେମାନେ ଯର୍ଦ୍ଦନ ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଗଲେ; ଆଉ ଦେଖ, ଅରାମୀୟମାନେ ତରତର ହୋଇ ଯାହା ପକାଇ ଦେଇ ଯାଇଥିଲେ, ଏପରି ବସ୍ତ୍ର ଓ ପାତ୍ରାଦିରେ ସମସ୍ତ ପଥ ପୂର୍ଣ୍ଣ ଥିଲା । ତେବେ ସେ ଦୂତମାନେ ଫେରି ଆସି ରାଜାଙ୍କୁ ସମ୍ବାଦ ଦେଲେ ।
16ତହିଁରେ ଲୋକମାନେ ବାହାରକୁ ଯାଇ ଅରାମୀୟମାନଙ୍କ ଛାଉଣି ଲୁଟ କଲେ । ତେଣୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଏକ ପସୁରୀ ସରୁ ମଇଦା ଏକ ଶେକଲରେ ଓ ଦୁଇ ପସୁରୀ ଯବ ଏକ ଶେକଲରେ ବିକ୍ରି କରାଗଲା ।
17ସେତେବେଳେ ରାଜା ଯେଉଁ ସେନାପତି ହସ୍ତରେ ନିର୍ଭର କରିଥିଲେ, ତାହାକୁ ନଗର ଦ୍ୱାର ରକ୍ଷା କରିବା ପାଇଁ ନିଯୁକ୍ତ କଲେ; ଏଥିରେ ଲୋକମାନେ ନଗର ଦ୍ୱାରରେ ତାହାକୁ ଦଳି ପକାଇଲେ, ତହିଁରେ ରାଜା ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଯିବା ବେଳେ ପରମେଶ୍ୱରଙ୍କ ଲୋକ ତାଙ୍କୁ ଯେପରି କହିଥିଲେ, ତଦନୁସାରେ ସେ ମଲା ।
18ପରମେଶ୍ୱରଙ୍କ ଲୋକ ରାଜାଙ୍କୁ ଏହି କଥା କହିଥିଲେ, “କାଲି ପ୍ରାୟ ଏହି ସମୟକୁ ଶମରୀୟାର ନଗର ଦ୍ୱାରରେ ଦୁଇ ପସୁରୀ ଯବ ଏକ ଶେକଲ ଓ ଏକ ପସୁରୀ ସରୁ ମଇଦା ଏକ ଶେକଲ ହେବ ।”
19ଆଉ ସେହି ସେନାପତି ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର କରି କହିଥିଲା, “ଦେଖ, ଯେବେ ସଦାପ୍ରଭୁ ଆକାଶରେ ଦ୍ୱାର କରନ୍ତି, ତେବେ ହେଁ କ'ଣ ଏପରି କଥା ହୋଇ ପାରିବ ।” ତହିଁରେ ଇଲୀଶାୟ କହିଥିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ, ମାତ୍ର ତହିଁରୁ ଭୋଜନ କରିବ ନାହିଁ ।”
20ସେହିପରି ତାହା ପ୍ରତି ଘଟିଲା; କାରଣ ଲୋକମାନେ ନଗର ଦ୍ୱାରରେ ତାହାକୁ ଦଳି ପକାନ୍ତେ, ସେ ମଲା ।