1ଅନନ୍ତର ଦାଉଦ ମନେ ମନେ କହିଲେ, ଏବେ ମୁଁ କୌଣସି ଦିନ ଶାଉଲଙ୍କ ହସ୍ତରେ ବିନଷ୍ଟ ହେବି ; ପଲେଷ୍ଟୀୟମାନଙ୍କ ଦେଶକୁ ପଳାଇ ରକ୍ଷା ପାଇବା ବିନୁ ମୋହର ଆଉ କିଛି ଭଲ ଉପାୟ ନାହିଁ ; ତହିଁରେ ଶାଉଲ ଇସ୍ରାଏଲର ସମସ୍ତ ଅଞ୍ଚଳରେ ମୋତେ ଖୋଜି ଖୋଜି ନିରାଶ ହେବେ ; ଏହିରୂପେ ମୁଁ ତାଙ୍କ ହସ୍ତରୁ ରକ୍ଷା ପାଇବି ।
2ଏଉତ୍ତାରେ ଦାଉଦ ଓ ତାଙ୍କ ସଙ୍ଗରେ ଥିବା ଛଅ ଶହ ଲୋକ ଉଠି ପାର ହୋଇ ମୋୟାବର ପୁତ୍ର ଆଖୀଶ୍ ନାମକ ଗାଥ୍ର ରାଜା ନିକଟକୁ ଗଲେ ।
3ପୁଣି, ଦାଉଦ ଓ ତାଙ୍କର ଲୋକମାନେ ପ୍ରତ୍ୟେକ ଜଣ ଆପଣା ଆପଣା ପରିବାର ସହିତ ଆଖୀଶ୍ ନିକଟରେ ଗାଥ୍ ନଗରରେ ବାସ କଲେ, ବିଶେଷତଃ ଦାଉଦ ଓ ଯିଷ୍ରିୟେଲୀୟା ଅହୀନୋୟମ୍ ଓ ନାବଲର ଭାର୍ଯ୍ୟା କର୍ମିଲୀୟା ଅବୀଗଲ ନାମ୍ନୀ ତାଙ୍କର ଏହି ଦୁଇ ଭାର୍ଯ୍ୟା ସେଠାରେ ବାସ କଲେ ।
4ଏଣୁ ଦାଉଦ ଗାଥ୍କୁ ପଳାଇଅଛି, ଏହି କଥା ଶାଉଲଙ୍କୁ ଜଣାଇ ଦିଆଯାଆନ୍ତେ, ସେ ପୁନର୍ବାର ତାଙ୍କର ଆଉ ଅନ୍ୱେଷଣ କଲେ ନାହିଁ ।
5ଅନନ୍ତର ଦାଉଦ ଆଖୀଶ୍କୁ କହିଲେ, ଯେବେ ମୁଁ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ମୋହର ବାସ ନିମନ୍ତେ ଦେଶର ଲୋକମାନେ କୌଣସି ନଗରରେ ମୋତେ ସ୍ଥାନ ଦେଉନ୍ତୁ ; କାହିଁକି ଆପଣଙ୍କ ଦାସ ଆପଣଙ୍କ ସହିତ ରାଜଧାନୀରେ ବାସ କରିବ ?
6ତହିଁରେ ଆଖୀଶ୍ ସେହି ଦିନ ତାହାକୁ ସିକ୍ଳଗ୍ ନଗର ଦେଲା ; ଏହି ହେତୁ ଅଦ୍ୟାପି ସିକ୍ଳଗ୍ ଯିହୁଦା ରାଜାମାନଙ୍କ ଅଧିକାରରେ ଅଛି ।
7ଦାଉଦ ପଲେଷ୍ଟୀୟମାନଙ୍କ ଦେଶରେ ବାସ କରିବା ଦିନର ସଂଖ୍ୟା ସମ୍ପୂର୍ଣ୍ଣ ଏକ ବର୍ଷ ଚାରି ମାସ ଥିଲା ।
8ଏଥି ମଧ୍ୟରେ ଦାଉଦ ଓ ତାଙ୍କର ଲୋକମାନେ ଯାଇ ଗଶୂରୀୟ ଓ ଗିଷରୀୟ ଓ ଅମାଲେକୀୟ ଲୋକମାନଙ୍କୁ ଆକ୍ରମଣ କରୁଥାଆନ୍ତି ; କାରଣ ଶୂରର ସନ୍ନିକଟ ଓ ମିସର ପର୍ଯ୍ୟନ୍ତ ଯେଉଁ ଦେଶ, ତହିଁ ମଧ୍ୟରେ ପୂର୍ବକାଳରୁ ସେମାନେ ବାସ କରୁଥିଲେ ।
9ପୁଣି, ଦାଉଦ ସେହି ଦେଶ ନିବାସୀମାନଙ୍କୁ ଆଘାତ କରି ପୁରୁଷ ଓ ସ୍ତ୍ରୀ କାହାକୁ ହିଁ ଜୀବିତ ରଖନ୍ତି ନାହିଁ ଓ ମେଷ, ଗୋରୁ, ଗର୍ଦ୍ଦଭ, ଉଷ୍ଟ୍ର ଓ ବସ୍ତ୍ରାଦି ଲୁଟ କରି ଆଖୀଶ୍ ନିକଟକୁ ଫେରି ଆସନ୍ତି ।
10ଏଥିରେ ଆଜି ତୁମ୍ଭେମାନେ କେଉଁ ସ୍ଥାନ ଆକ୍ରମଣ କଲ ବୋଲି ଆଖୀଶ୍ ପଚାରନ୍ତେ, ଦାଉଦ କହନ୍ତି, ଯିହୁଦାର ଦକ୍ଷିଣାଞ୍ଚଳ ଓ ଯିରହମେଲୀୟମାନଙ୍କ ଦକ୍ଷିଣାଞ୍ଚଳ ଓ କେନୀୟମାନଙ୍କ ଦକ୍ଷିଣାଞ୍ଚଳ ।
11ପୁଣି, ଦାଉଦ ଏପରି କରନ୍ତି ଓ ପଲେଷ୍ଟୀୟମାନଙ୍କ ଦେଶରେ ବାସ କରିବା ସମୟାବଧି ଏପରି କରିବାର ତାଙ୍କର ରୀତି ହୋଇଅଛି, ଏହି କଥା କେହି ଅବା ଆମ୍ଭମାନଙ୍କ ବିରୁଦ୍ଧରେ କହିବ ବୋଲି ଭାବି ଦାଉଦ ଗାଥ୍କୁ ଆଣିବା ପାଇଁ ପୁରୁଷ କି ସ୍ତ୍ରୀ କାହାକୁ ଜୀବିତ ରଖନ୍ତି ନାହିଁ ।
12ଏହେତୁ ଆଖୀଶ୍ ଦାଉଦଙ୍କୁ ବିଶ୍ୱାସ କରି କହିଲା, ସେ ଆପଣା ଲୋକ ଇସ୍ରାଏଲ ନିକଟରେ ଆପଣାକୁ ନିତାନ୍ତ ଦୁର୍ଗନ୍ଧ ସ୍ୱରୂପ କରିଅଛି ; ଏଣୁ ସେ ସର୍ବଦା ମୋହର ଦାସ ହୋଇ ରହିବ ।