1ଇଫ୍ରୟିମ-ପର୍ବତମୟ ଦେଶସ୍ଥ ରାମାଥୟିମ୍ସୂଫୀମର ଏକ ଇଫ୍ରୟିମୀୟ ଲୋକ ଥିଲା, ତାହାର ନାମ ଇଲ୍କାନା, ସେ ସୂଫର ବୃଦ୍ଧ-ପ୍ରପୌତ୍ର, ତୋହର ପ୍ରପୌତ୍ର, ଇଲୀହର ପୁତ୍ର, ଯିରୋହମର ପୁତ୍ର ;
2ପୁଣି, ତାହାର ଦୁଇ ଭାର୍ଯ୍ୟା ଥିଲେ ; ଜଣକର ନାମ ହାନ୍ନା, ଅନ୍ୟର ନାମ ପନିନ୍ନା ; ପନିନ୍ନାର ସନ୍ତାନସନ୍ତତି ଥିଲେ, ମାତ୍ର ହାନ୍ନାର କୌଣସି ସନ୍ତାନସନ୍ତତି ନ ଥିଲେ ।
3ସେହି ବ୍ୟକ୍ତି ବର୍ଷକୁ ବର୍ଷ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରେ ଆରାଧନା ଓ ବଳିଦାନ କରିବା ନିମନ୍ତେ ଆପଣା ନଗରରୁ ଶୀଲୋକୁ ଯାଉଥାଏ । ସେହି ସ୍ଥାନରେ ଏଲିଙ୍କର ଦୁଇ ପୁତ୍ର ହଫ୍ନି ଓ ପୀନହସ୍ ସଦାପ୍ରଭୁଙ୍କ ଯାଜକ ଥିଲେ ।
4ପୁଣି, ଇଲ୍କାନା ବଳିଦାନ କରିବା ଦିନରେ ସେ ଆପଣା ଭାର୍ଯ୍ୟା ପନିନ୍ନାକୁ ଓ ତାହାର ପୁତ୍ର କନ୍ୟା ସମସ୍ତଙ୍କୁ ଅଂଶ ଦେଲା ;
5ମାତ୍ର ସେ ହାନ୍ନାକୁ ଦ୍ୱିଗୁଣ ଅଂଶ ଦେଲା ; କାରଣ ସେ ହାନ୍ନାକୁ ପ୍ରେମ କରୁଥିଲେ, ମାତ୍ର ସଦାପ୍ରଭୁ ତାହାର ଗର୍ଭାଶୟ ରୁଦ୍ଧ କରିଥିଲେ ।
6ପୁଣି, ସଦାପ୍ରଭୁ ତାହାର ଗର୍ଭାଶୟ ରୁଦ୍ଧ କରିବାରୁ ତାହାର ସପତ୍ନୀ ତାହାର ରୋଷ ଜନ୍ମାଇବା ନିମନ୍ତେ ତାହାକୁ ଅତିଶୟ ବିରକ୍ତ କରେ ।
7ସେ ସଦାପ୍ରଭୁଙ୍କ ଗୃହକୁ ଗଲା ବେଳେ ତାହାର ସ୍ୱାମୀ ବର୍ଷକୁ ବର୍ଷ ଏପରି କରେ, ତାହାର ସପତ୍ନୀ ମଧ୍ୟ ସେହିପରି ତାହାକୁ ବିରକ୍ତ କରେ ; ଏହେତୁ ସେ ରୋଦନ କରେ, ଆଉ କିଛି ଖାଏ ନାହିଁ ।
8ଏଥିରେ ତାହାର ସ୍ୱାମୀ ଇଲ୍କାନା ତାହାକୁ କହିଲା, ହାନ୍ନା, କାହିଁକି ରୋଦନ କରୁଅଛ ? କାହିଁକି ଖାଉ ନାହଁ ? କାହିଁକି ତୁମ୍ଭ ମନ ଦୁଃଖିତ ହୋଇଅଛି ? ମୁଁ କି ଦଶ ପୁତ୍ରଠାରୁ ତୁମ୍ଭ ପ୍ରତି ଉତ୍ତମ ନୁହେଁ ?
9ଏହିରୂପେ ଏକ ସମୟରେ ସେମାନେ ଶୀଲୋରେ ଭୋଜନପାନ ସମାପ୍ତ କଲା ଉତ୍ତାରେ ହାନ୍ନା ଉଠିଲା । ସେସମୟରେ ଏଲି ଯାଜକ ସଦାପ୍ରଭୁଙ୍କ ମନ୍ଦିର-ଦ୍ୱାରବନ୍ଧ ନିକଟସ୍ଥ ଆପଣା ଆସନରେ ବସିଥିଲେ ।
10ପୁଣି, ହାନ୍ନା ତିକ୍ତମନା ହୋଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ଅତିଶୟ ରୋଦନ କଲା ।
11ପୁଣି, ସେ ଏକ ମାନତ ମନାଶି କହିଲା ; ହେ ସୈନ୍ୟାଧିପତି ସଦାପ୍ରଭୁ, ଯେବେ ତୁମ୍ଭେ ଆପଣା ଦାସୀର ଦୁଃଖ ପ୍ରତି ନିତାନ୍ତ ଦୃଷ୍ଟିପାତ କରିବ ଓ ମୋତେ ସ୍ମରଣ କରି ଆପଣା ଦାସୀକୁ ପାସୋରିବ ନାହିଁ, ମାତ୍ର ଆପଣା ଦାସୀକି ଗୋଟିଏ ପୁରୁଷ-ସନ୍ତାନ ଦେବ, ତେବେ ମୁଁ ତାହାର ଯାବଜ୍ଜୀବନ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବି ଓ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ ।
12ଏହିରୂପେ ସେ ସଦାପ୍ରଭୁଙ୍କ ସାକ୍ଷାତରେ ପ୍ରାର୍ଥନା କରୁଥିବା ସମୟରେ ଏଲି ତାହାର ମୁଖକୁ ଅନାଇଲେ ।
13ସେସମୟରେ ହାନ୍ନା ଆପଣା ମନେ ମନେ କଥା କହୁଥିଲା ; କେବଳ ତାହାର ଓଷ୍ଠ ହଲୁଥିଲା, ମାତ୍ର ତାହାର ରବ ଶୁଣାଯାଉ ନ ଥିଲା ; ତେଣୁ ସେ ମତ୍ତ ହୋଇଥିବ ବୋଲି ଏଲି ବିଚାର କଲେ ।
14ତହିଁରେ ଏଲି ତାହାକୁ କହିଲେ, ତୁମ୍ଭେ କେତେ କାଳ ମତ୍ତ ହୋଇଥିବ ? ତୁମ୍ଭ ଦ୍ରାକ୍ଷାରସ ତୁମ୍ଭଠାରୁ ଦୂର କର ।
15ଏଥିରେ ହାନ୍ନା ଉତ୍ତର ଦେଇ କହିଲା, ନା, ମୋହର ପ୍ରଭୁ, ମୁଁ ଦୁଃଖିନୀ ସ୍ତ୍ରୀ ; ମୁଁ ଦ୍ରାକ୍ଷାରସ କି ମଦ୍ୟପାନ କରି ନାହିଁ, ମାତ୍ର ସଦାପ୍ରଭୁଙ୍କ ସମ୍ମୁଖରେ ମୁଁ ଆପଣା ପ୍ରାଣ (ବେଦନା) ଢାଳୁଥିଲି ।
16ଆପଣା ଦାସୀକୁ ପାପାଧମର କନ୍ୟା ବୋଲି ଜ୍ଞାନ ନ କର ; ମୁଁ ଆପଣା ଚିନ୍ତା ଓ ବିରକ୍ତିର ବାହୁଲ୍ୟ ହେତୁରୁ ଏପର୍ଯ୍ୟନ୍ତ କଥା କହୁଥିଲି ।
17ତହିଁରେ ଏଲି ଉତ୍ତର ଦେଇ କହିଲେ, କୁଶଳରେ ଯାଅ ; ଯାହା ତୁମ୍ଭେ ମାଗିଲ, ଇସ୍ରାଏଲର ପରମେଶ୍ୱର ତୁମ୍ଭର ସେହି ନିବେଦନ ଅନୁସାରେ ତୁମ୍ଭକୁ ଦେଉନ୍ତୁ ।
18ତହୁଁ ସେ କହିଲା, ତୁମ୍ଭ ଦାସୀ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପ୍ରାପ୍ତ ହେଉ । ଆଉ ସେ ସ୍ତ୍ରୀ ଆପଣା ପଥରେ ଗଲା ଓ ଭୋଜନ କଲା, ପୁଣି, ତାହାର ମୁଖ ଆଉ ବିଷର୍ଣ୍ଣ ନୋହିଲା ।
19ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠି ସଦାପ୍ରଭୁଙ୍କ ଆରାଧନା କରି ଫେରିଲେ ଓ ଆପଣାମାନଙ୍କ ବାସସ୍ଥାନ ରାମାକୁ ଆସିଲେ ; ଆଉ ଇଲ୍କାନା ଆପଣା ଭାର୍ଯ୍ୟା ହାନ୍ନାର ସହବାସ କରନ୍ତେ, ସଦାପ୍ରଭୁ ତାହାକୁ ସ୍ମରଣ କଲେ ।
20ପୁଣି, ସମୟ ଉପସ୍ଥିତ ହୁଅନ୍ତେ, ହାନ୍ନା ଗର୍ଭଧାରଣ କରି ପୁତ୍ର ପ୍ରସବ କଲା; ଆଉ ମୁଁ ସଦାପ୍ରଭୁଙ୍କୁ ମାଗିଥିଲି, ଏହା କହି ତାହାର ନାମ ଶାମୁୟେଲ (ପରମେଶ୍ୱର ଦତ୍ତ) ରଖିଲା ।
21ଏଉତ୍ତାରେ ଇଲ୍କାନା ଓ ତାହାର ଗୃହସ୍ଥ ସମସ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବାର୍ଷିକ ବଳିଦାନ ଓ ଆପଣା ମାନତ ନିବେଦନ କରିବାକୁ ଗଲେ ।
22ମାତ୍ର ହାନ୍ନା ଗଲା ନାହିଁ ; କାରଣ ସେ ଆପଣା ସ୍ୱାମୀକୁ କହିଲା, ବାଳକ ସ୍ତନ୍ୟପାନ ତ୍ୟାଗ କରିବା ପର୍ଯ୍ୟନ୍ତ (ମୁଁ ଯିବି ନାହିଁ), ତହିଁ ଉତ୍ତାରେ ମୁଁ ତାହାକୁ ନେଇ ଯିବି, ତହିଁରେ ସେ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହେବ ଓ ସେଠାରେ ସର୍ବଦା ରହିବ ।
23ତହୁଁ ତାହାର ସ୍ୱାମୀ ଇଲ୍କାନା ତାହାକୁ କହିଲା, ଯାହା ତୁମ୍ଭକୁ ଭଲ ଦିଶେ, କର ; ତାହାକୁ ସ୍ତନ୍ୟପାନ ତ୍ୟାଗ କରାଇବା ପର୍ଯ୍ୟନ୍ତ ରୁହ ; ସଦାପ୍ରଭୁ କେବଳ ଆପଣା ବାକ୍ୟ ସ୍ଥିର କରନ୍ତୁ । ତେଣୁ ସେହି ସ୍ତ୍ରୀ ଆପଣା ପୁତ୍ରକୁ ସ୍ତନ୍ୟପାନ ତ୍ୟାଗ କରାଇବା ପର୍ଯ୍ୟନ୍ତ ଅପେକ୍ଷା କରି ସ୍ତନ୍ୟପାନ କରାଇଲା ।
24ଅନନ୍ତର ସେ ତାହାକୁ ସ୍ତନ୍ୟପାନ ତ୍ୟାଗ କରାନ୍ତେ, ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ କୁମ୍ପା ଦ୍ରାକ୍ଷାରସ ସହିତ ତାହାକୁ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକୁ ଆଣିଲା ; ସେତେବେଳେ ବାଳକ ଅଳ୍ପବୟସ୍କ ଥିଲା ।
25ତହୁଁ ସେମାନେ ଗୋବତ୍ସ ବଧ କରି ବାଳକକୁ ଏଲିଙ୍କ କତିକି ଆଣିଲେ ।
26ତହିଁରେ ସେ ସ୍ତ୍ରୀ କହିଲା, ହେ ମୋହର ପ୍ରଭୁ, ତୁମ୍ଭ ପ୍ରାଣ ଜୀବିତ ଥିବା ପ୍ରମାଣେ, ହେ ମୋହର ପ୍ରଭୋ, ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ଏହି ସ୍ଥାନରେ ତୁମ୍ଭ ସମ୍ମୁଖରେ ଠିଆ ହୋଇଥିଲା, ମୁଁ ସେହି ।
27ଏହି ବାଳକ ନିମନ୍ତେ ମୁଁ ପ୍ରାର୍ଥନା କରିଥିଲି; ଆଉ ମୁଁ ଯାହା ମାଗିଥିଲି, ସଦାପ୍ରଭୁ ମୋହର ସେହି ନିବେଦନ ଅନୁସାରେ ମୋତେ ଦେଇଅଛନ୍ତି ।
28ଏଣୁ ମୁଁ ମଧ୍ୟ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିବେଦନ କଲି ; ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ ହେଲା, ଏଉତ୍ତାରେ ସେ ସେଠାରେ ସଦାପ୍ରଭୁଙ୍କର ଆରାଧନା କଲା ।