Bible 2 India Mobile
[VER] : [ODIYA]     [PL]  [PB] 
 <<  1 Kings 18 >> 

1ଅନେକ ଦିନ ଉତ୍ତାରେ ତୃତୀୟ ବର୍ଷରେ ଏଲୀୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା, ତୁମ୍ଭେ ଯାଇ ଆହାବକୁ ଦେଖା ଦିଅ; ତହୁଁ ଆମ୍ଭେ ଭୂମିକୁ ବୃଷ୍ଟି ପଠାଇବା ।

2ଏଥିରେ ଏଲୀୟ ଆହାବଙ୍କୁ ଦେଖା ଦେବା ପାଇଁ ଗମନ କଲେ । ସେସମୟରେ ଶମରୀୟାରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା ।

3ଏଣୁ ଆହାବ ରାଜଗୃହର ଅଧ୍ୟକ୍ଷ ଓବଦୀୟକୁ ଡକାଇଲେ । (ସେହି ଓବଦୀୟ ସଦାପ୍ରଭୁଙ୍କୁ ଅତିଶୟ ଭୟ କରିଥିଲା ।

4ପୁଣି, ଯେଉଁ ସମୟରେ ଈଷେବଲ୍‍ ସଦାପ୍ରଭୁଙ୍କ ଭବିଷ୍ୟଦ୍‍ବକ୍ତାମାନଙ୍କୁ ଉଚ୍ଛିନ୍ନ କରୁଥିଲା, ସେସମୟରେ ଓବଦୀୟ ଏକଶତ ଭବିଷ୍ୟଦ୍‍ବକ୍ତାଙ୍କୁ ନେଇ ପଚାଶ ପଚାଶ ଜଣ କରି ଗହ୍ୱର ମଧ୍ୟରେ ଲୁଚାଇ ରଖି ଅନ୍ନ ଓ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲା )।

5ପୁଣି, ଆହାବ ଓବଦୀୟକୁ କହିଲେ, "ଦେଶ ମଧ୍ୟ ଦେଇ ସବୁ ଜଳ-ନିର୍ଝର ଓ ସବୁ ନଦୀ ନିକଟକୁ ଯାଅ; ହୋଇପାରେ, ଆମ୍ଭେମାନେ ଅଶ୍ୱ ଓ ଖଚରମାନଙ୍କୁ ବଞ୍ଚାଇ ରଖିବା ପାଇଁ ତୃଣ ପାଇ ପାରିବା, ତାହାହେଲେ ପଶୁମାନଙ୍କୁ ହରାଇବା ନାହିଁ"।

6ତହୁଁ ସେମାନେ ସବୁଆଡ଼େ ଯିବା ପାଇଁ ଆପଣାମାନଙ୍କ ମଧ୍ୟରେ ଦେଶ ବିଭାଗ କଲେ; ଆହାବ ଆପେ ଏକଆଡ଼େ ଗଲେ ଓ ଓବଦୀୟ ଆପେ ଅନ୍ୟ ଆଡ଼େ ଗଲା ।

7ଓବଦୀୟ ପଥରେ ଯାଉ ଯାଉ ଦେଖ, ଏଲୀୟ ତାହାକୁ ଭେଟିଲେ; ତହୁଁ ଓବଦୀୟ ତାଙ୍କୁ ଚିହ୍ନି ମୁହଁ ମାଡ଼ି ପଡ଼ି କହିଲା, "ଆପଣ କ'ଣ ମୋ' ପ୍ରଭୁ ଏଲୀୟ ?"

8ତହିଁରେ ସେ ଉତ୍ତର କଲେ ; "ହଁ, ମୁଁ; ଯାଅ, ତୁମ୍ଭ ପ୍ରଭୁକୁ କୁହ, ଦେଖ, ଏଲୀୟ ଏଠାରେ ଅଛନ୍ତି"।

9ତହୁଁ ସେ କହିଲା, "ମୁଁ କିପରି ପାପ କରିଅଛି ଯେ, ଆପଣ ଆପଣା ଦାସଙ୍କୁ ବଧ କରିବା ପାଇଁ ଆହାବଙ୍କ ହସ୍ତରେ ସମର୍ପଣ କରୁଅଛନ୍ତି ?"

10ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଜୀବିତ ଥିବା ପ୍ରମାଣେ କହୁଅଛି, ମୋ' ପ୍ରଭୁ ଆପଣଙ୍କୁ ଅନ୍ୱେଷଣ କରିବା ପାଇଁ ଯାହା ନିକଟକୁ ଲୋକ ପଠାଇ ନାହାନ୍ତି, ଏପରି କୌଣସି ଗୋଷ୍ଠୀ କିମ୍ବା ରାଜ୍ୟ ନାହିଁ । ପୁଣି, ସେ ଏଠାରେ ନାହିଁ ବୋଲି ସେମାନେ କହିଲେ, "ସେ ସେହି ରାଜ୍ୟ ଓ ଗୋଷ୍ଠୀକି ଆପଣଙ୍କୁ ଦେଖି ନ ଥିବା ବିଷୟରେ ଶପଥ କରାଇଲେ"।

11ଏବେ ଆପଣ କହୁଅଛନ୍ତି, ଯାଅ, ତୁମ୍ଭ ପ୍ରଭୁଙ୍କୁ କୁହ, ଦେଖ, ଏଲୀୟ ଏଠାରେ ଅଛନ୍ତି ।

12ମାତ୍ର ମୁଁ ଆପଣଙ୍କ ନିକଟରୁ ଗଲାକ୍ଷଣେ ଯେବେ ସଦାପ୍ରଭୁଙ୍କ ଆତ୍ମା ମୋହର ଅଜ୍ଞାତ କୌଣସି ସ୍ଥାନକୁ ଆପଣଙ୍କୁ ନେଇଯିବେ, ତେବେ ମୁଁ ଯାଇ ଆହାବଙ୍କୁ ସମ୍ବାଦ ଦେଲେ, ସେ ଆପଣଙ୍କୁ ପାଇ ନ ପାରି ମୋତେ ବଧ କରିବେ; ମାତ୍ର ଆପଣଙ୍କ ଦାସ ମୁଁ ବାଲ୍ୟକାଳାବଧି ସଦାପ୍ରଭୁଙ୍କୁ ଭୟ କରୁଅଛି ।

13ଈଷେବଲ୍‍ ଯେତେବେଳେ ସଦାପ୍ରଭୁଙ୍କ ଭବିଷ୍ୟଦ୍‍-ବକ୍ତାମାନଙ୍କୁ ବଧ କରୁଥିଲା, ସେତେବେଳେ ମୁଁ ଯାହା କରିଥିଲି ଓ କିପରି ସଦାପ୍ରଭୁଙ୍କର ଏକ ଶତ ଭବିଷ୍ୟଦ୍‍ବକ୍ତାଙ୍କୁ ପଚାଶ ପଚାଶ ଜଣ କରି ଗହ୍ୱରରେ ଲୁଚାଇ ରଖି ଅନ୍ନ ଓ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲି, ଏହା କ'ଣ ଆମ୍ଭ ପ୍ରଭୁଙ୍କୁ ଜ୍ଞାତ କରାଯାଇ ନାହିଁ ?

14ତଥାପି ଆପଣ ଏବେ କହୁଅଛନ୍ତି, ଯାଅ, ତୁମ୍ଭ ପ୍ରଭୁଙ୍କୁ କୁହ, ଦେଖ, ଏଲୀୟ ଏଠାରେ ଅଛନ୍ତି; ତହିଁରେ ସେ ମୋତେ ବଧ କରିବେ ।

15ତହୁଁ ଏଲୀୟ କହିଲେ, "ମୁଁ ଯାହାଙ୍କ ସମ୍ମୁଖରେ ଛିଡ଼ା ହେଉଅଛି, ସେହି ସୈନ୍ୟାଧିପତି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ନିଶ୍ଚୟ ଆଜି ତାହାକୁ ଦେଖା ଦେବି"।

16ଏଥିରେ ଓବଦୀୟ ଆହାବଙ୍କ ସହିତ ସାକ୍ଷାତ କରିବାକୁ ଯାଇ ତାଙ୍କୁ ସମ୍ବାଦ ଦେଲା; ତହିଁରେ ଆହାବ ଏଲୀୟ ସହିତ ସାକ୍ଷାତ କରିବାକୁ ଗଲେ ।

17ପୁଣି, ଆହାବ ଏଲୀୟଙ୍କୁ ଦେଖିବାମାତ୍ର ଆହାବ ତାଙ୍କୁ କହିଲେ, "ହେ ଇସ୍ରାଏଲର ଦୁଃଖଦାୟକ, ଏ କ'ଣ ତୁମ୍ଭେ ?"

18ତହୁଁ ସେ ଉତ୍ତର କଲେ, "ମୁଁ ଇସ୍ରାଏଲକୁ ଦୁଃଖ ଦେଇ ନାହିଁ, ମାତ୍ର ତୁମ୍ଭେ ଓ ତୁମ୍ଭ ପିତୃବଂଶ ଦେଇଅଛ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାସକଳ ତ୍ୟାଗ କରିଅଛ ଓ ତୁମ୍ଭେ ବାଲ୍‍ ଦେବଗଣର ଅନୁଗାମୀ ହୋଇଅଛ ।

19ଏହେତୁ ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ ଓ ଈଷେବଲ୍‍ର ମେଜରେ ଭୋଜନକାରୀ ବାଲ୍‍ର ଚାରିଶହ ପଚାଶ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ଆଶେରାର ଚାରିଶହ ଭବିଷ୍ୟଦ୍‍ବକ୍ତାଙ୍କୁ କର୍ମିଲ ପର୍ବତରେ ମୋ' ନିକଟରେ ଏକତ୍ର କର"।

20ତହିଁରେ ଆହାବ ସମସ୍ତ ଇସ୍ରାଏଲ-ସନ୍ତାନଗଣଙ୍କ ନିକଟକୁ ଲୋକ ପଠାଇଲେ ଓ ଭବିଷ୍ୟଦ୍‍ବକ୍ତାମାନଙ୍କୁ କର୍ମିଲ ପର୍ବତରେ ଏକତ୍ର କଲେ ।

21ଏଉତ୍ତାରେ ଏଲୀୟ ସମଗ୍ର ଲୋକଙ୍କ ନିକଟକୁ ଆସି କହିଲେ, "ତୁମ୍ଭେମାନେ କେତେ କାଳ ଦୁଇ ମତ ମଧ୍ୟରେ ସନ୍ଦିଗ୍ଧ ହୋଇ ରହିବ ? ସଦାପ୍ରଭୁ ଯେବେ ପରମେଶ୍ୱର ହୁଅନ୍ତି, ତେବେ ତାହାଙ୍କର ଅନୁଗାମୀ ହୁଅ; ମାତ୍ର ଯେବେ ବାଲ୍‍, ତେବେ ତାହାର ଅନୁଗାମୀ ହୁଅ"। ଏଥିରେ ଲୋକମାନେ ତାଙ୍କୁ ଗୋଟିଏ କଥା ଉତ୍ତର ଦେଲେ ନାହିଁ ।

22ତହୁଁ ଏଲୀୟ ଲୋକମାନଙ୍କୁ କହିଲେ, "ମୁଁ, କେବଳ ମୁଁ ସଦାପ୍ରଭୁଙ୍କର ଏକ ଭବିଷ୍ୟଦ୍‍ବକ୍ତା ଅବଶିଷ୍ଟ ଅଛି; ମାତ୍ର ବାଲ୍‍ର ଭବିଷ୍ୟଦ୍‍ବକ୍ତା ଚାରିଶହ ପଚାଶ ଜଣ ଅଛନ୍ତି ।

23ଏହେତୁ ସେମାନେ ଆମ୍ଭମାନଙ୍କୁ ଦୁଇ ବୃଷ ଦେଉନ୍ତୁ, ଆଉ ସେମାନେ ଆପଣାମାନଙ୍କ ପାଇଁ ଗୋଟିଏ ବୃଷ ପସନ୍ଦ କରନ୍ତୁ ଓ ତାହା ଖଣ୍ଡ ଖଣ୍ଡ କରି କାଷ୍ଠ ଉପରେ ରଖନ୍ତୁ, ମାତ୍ର ତଳେ ଅଗ୍ନି ନ ଦେଉନ୍ତୁ; ଆଉ ମୁଁ ଅନ୍ୟ ବୃଷଟିକୁ ପ୍ରସ୍ତୁତ କରି କାଷ୍ଠ ଉପରେ ରଖିବି, ମାତ୍ର ତଳେ ଅଗ୍ନି ଦେବି ନାହିଁ ।

24ତହୁଁ ତୁମ୍ଭେମାନେ ଆପଣାମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର, ପୁଣି, ମୁଁ ସଦାପ୍ରଭୁଙ୍କ ନାମରେ ଡାକି ପ୍ରାର୍ଥନା କରିବି; ତହିଁରେ ଯେ ଅଗ୍ନି ଦ୍ୱାରା ଉତ୍ତର ଦେବେ, ସେ ପରମେଶ୍ୱର ହେଉନ୍ତୁ"। ଏଥିରେ ସମସ୍ତ ଲୋକ ଉତ୍ତର କଲେ, "ଏ କଥା ଉତ୍ତମ"।

25ଏଥିଉତ୍ତାରେ ଏଲୀୟ ବାଲ୍‍ର ଭବିଷ୍ୟଦ୍‍-ବକ୍ତାମାନଙ୍କୁ କହିଲେ, "ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଏକ ବୃଷ ପସନ୍ଦ କରି ପ୍ରଥମେ ତାହା ପ୍ରସ୍ତୁତ କର; କାରଣ ତୁମ୍ଭେମାନେ ଅନେକ; ଆଉ ତୁମ୍ଭେମାନେ ଆପଣାମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର; ମାତ୍ର ତଳେ ଅଗ୍ନି ନ ଦିଅ"।

26ତହୁଁ ସେମାନେ ଆପଣାମାନଙ୍କୁ ଦତ୍ତ ବୃଷ ନେଇ ତାହା ପ୍ରସ୍ତୁତ କଲେ, ପୁଣି, ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଲ୍‍ ନାମରେ ଡାକି ପ୍ରାର୍ଥନା କରି କହିଲେ, "ହେ ବାଲ୍‍, ଆମ୍ଭମାନଙ୍କ କଥା ଶୁଣ"। ମାତ୍ର କୌଣସି ରବ ନୋହିଲା, ଅବା କେହି ଉତ୍ତର ଦେଲା ନାହିଁ । ତହିଁରେ ସେମାନେ ସେହି ନିର୍ମିତ ଯଜ୍ଞବେଦିର ଚାରିଆଡ଼େ ନାଚିଲେ ।

27ଏଣୁ ମଧ୍ୟାହ୍ନ ସମୟରେ ଏଲୀୟ ସେମାନଙ୍କୁ ପରିହାସ କରି କହିଲେ, "ଉଚ୍ଚ ସ୍ୱର କରି ଡାକ; କାରଣ ସେ ତ ଦେବତା; ସେ ଧ୍ୟାନ କରୁଥିବ, ଅବା ବାହାରେ ଯାଇଥିବ, କିଅବା ଯାତ୍ରା କରୁଥିବ, ଅବା ହୋଇପାରେ ନିଦ୍ରିତ ଥିବ, ଏଣୁ ତାହାକୁ ଜଗାଇବାକୁ ହେବ"।

28ପୁଣି, ସେମାନେ ଉଚ୍ଚ ସ୍ୱର କରି ଡାକିଲେ ଓ ଆପଣାମାନଙ୍କ ବ୍ୟବହାରାନୁସାରେ ଦେହରୁ ରକ୍ତ ବହିଯିବା ପର୍ଯ୍ୟନ୍ତ ସେମାନେ ଛୁରୀ ଓ ବର୍ଚ୍ଛାରେ ଆପଣାମାନଙ୍କୁ କ୍ଷତବିକ୍ଷତ କଲେ ।

29ପୁଣି, ମଧ୍ୟାହ୍ନ କାଳ ଗତ ହେଲା ଉତ୍ତାରେ ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପୋକ୍ତି କଲେ; ମାତ୍ର କୌଣସି ରବ ନୋହିଲା, କି ଉତ୍ତର ଦେବାକୁ କେହି ନ ଥିଲା, ଅବା କେହି ମନୋଯୋଗ କଲା ନାହିଁ ।

30ଏଥିରେ ଏଲୀୟ ସମଗ୍ର ଲୋକଙ୍କୁ କହିଲେ, "ମୋ' ନିକଟକୁ ଆସ,"ତହୁଁ ସମଗ୍ର ଲୋକ ତାଙ୍କ ନିକଟକୁ ଆସିଲେ । ତହିଁରେ ସେ ସଦାପ୍ରଭୁଙ୍କ ଉତ୍ପାଟିତ ଯଜ୍ଞବେଦି ପୁନନିର୍ମାଣ କଲେ ।

31ପୁଣି, ଯେଉଁ ଯାକୁବ ନିକଟରେ "ତୁମ୍ଭର ନାମ ଇସ୍ରାଏଲ ହେବ" ବୋଲି ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହୋଇଥିଲା, ତାହାର ପୁତ୍ରମାନଙ୍କ ଗୋଷ୍ଠୀର ସଂଖ୍ୟାନୁସାରେ ଏଲୀୟ ବାର ପଥର ନେଲେ ।

32ଆଉ ସେହି ପଥର ସବୁରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ନିର୍ମାଣ କରି ଯଜ୍ଞବେଦିର ଚାରିଆଡ଼େ ଦୁଇ ମହଣ ବିହନ ଧରୁଥିବା ଭଳି ଖାଇ ନିର୍ମାଣ କଲେ ।

33ତହୁଁ ସେ କାଷ୍ଠ ସଜାଇ ବୃଷକୁ ଖଣ୍ଡ ଖଣ୍ଡ କରି କାଟି କାଷ୍ଠ ଉପରେ ଥୋଇଲେ । ଆଉ ସେ କହିଲେ, "ଚାରି କଳସ ଜଳରେ ପୂର୍ଣ୍ଣ କରି ହୋମାର୍ଥକ ବଳି ଓ କାଷ୍ଠ ଉପରେ ତାହା ଢାଳ"।

34ପୁଣି, ସେ କହିଲେ, "ଦ୍ୱିତୀୟ ଥର ତାହା କର,"ତହୁଁ ସେମାନେ ଦ୍ୱିତୀୟ ଥର ତାହା କଲେ । ଆହୁରି ସେ କହିଲେ, "ତୃତୀୟ ଥର ତାହା କର,"ତହୁଁ ସେମାନେ ତୃତୀୟ ଥର ତାହା କଲେ ।

35ତହିଁରେ ଯଜ୍ଞବେଦିର ଚାରିଆଡ଼େ ଜଳ ବହିଗଲା; ଏଲୀୟ ଖାଇକୁ ମଧ୍ୟ ଜଳରେ ପୂର୍ଣ୍ଣ କଲେ ।

36ଏଉତ୍ତାରେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଏଲୀୟ ଭବିଷ୍ୟଦ୍‍ବକ୍ତା ନିକଟବର୍ତ୍ତୀ ହୋଇ କହିଲେ, "ହେ ସଦାପ୍ରଭୁ, ଅବ୍ରହାମର ଓ ଇସ୍‍ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ଅଟ ଓ ମୁଁ ଯେ ତୁମ୍ଭର ସେବକ ଓ ମୁଁ ଯେ ତୁମ୍ଭ ବାକ୍ୟ ପ୍ରମାଣେ ଏହିସବୁ କାର୍ଯ୍ୟ କରିଅଛି, ଏହା ଆଜି ଜଣାଯାଉ"।

37ତୁମ୍ଭେ ସଦାପ୍ରଭୁ ଯେ ପରମେଶ୍ୱର ଅଟ ଓ ତୁମ୍ଭେ ଯେ ସେମାନଙ୍କର ଅନ୍ତଃକରଣ ଫେରାଇଅଛ, ଏହା ଏହି ଲୋକମାନେ ଯେପରି ଜାଣି ପାରିବେ, ଏଥିପାଇଁ ମୋ' କଥା ଶୁଣ, ହେ ସଦାପ୍ରଭୁ, ମୋ' କଥା ଶୁଣ ।

38ସେତେବେଳେ ସଦାପ୍ରଭୁଙ୍କ ଅଗ୍ନି ପତିତ ହୋଇ ହୋମାର୍ଥକ ବଳି, କାଷ୍ଠ, ପ୍ରସ୍ତରସବୁ, ଧୂଳି ଗ୍ରାସ କରି ଖାଇରେ ଥିବା ଜଳ ଚାଟି ପକାଇଲା ।

39ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁ ମାଡ଼ି ପଡ଼ି କହିଲେ, "ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି"।

40ତହୁଁ ଏଲିୟ ସେମାନଙ୍କୁ କହିଲେ, "ବାଲ୍‍ର ଭବିଷ୍ୟଦ୍‍-ବକ୍ତାମାନଙ୍କୁ ଧର; ସେମାନଙ୍କର କାହାରିକୁ ପଳାଇବାକୁ ଦିଅ ନାହିଁ"। ତହିଁରେ ଲୋକମାନେ ସେମାନଙ୍କୁ ଧରିଲେ, ପୁଣି, ଏଲୀୟ ସେମାନଙ୍କୁ କୀଶୋନ ନଦୀ ନିକଟକୁ ନେଇ ସେଠାରେ ସେମାନଙ୍କୁ ବଧ କଲେ ।

41ଏଥିଉତ୍ତାରେ ଏଲୀୟ ଆହାବଙ୍କୁ କହିଲେ, "ତୁମ୍ଭେ ଉଠି ଯାଇ ଭୋଜନ ପାନ କର; କାରଣ ଅତିଶୟ ବୃଷ୍ଟିର ଶବ୍ଦ ହେଉଅଛି"।

42ତହୁଁ ଆହାବ ଭୋଜନ ପାନ କରିବାକୁ ଉଠିଗଲେ । ପୁଣି, ଏଲୀୟ କର୍ମିଲର ଶୃଙ୍ଗକୁ ଯାଇ ଭୂମିରେ ନଇଁପଡ଼ି ଆପଣା ଆଣ୍ଠୁ ମଧ୍ୟରେ ମୁଖ ରଖିଲେ ।

43ପୁଣି, ସେ ଆପଣା ଦାସକୁ କହିଲେ, "ଉଠିଯାଇ ସମୁଦ୍ରଆଡ଼େ ଅନାଅ"। ତହୁଁ ସେ ଉଠିଯାଇ ଅନାଇ କହିଲା, "କିଛି ନାହିଁ"। ଏଥିରେ ଏଲୀୟ କହିଲେ, "ପୁନର୍ବାର ସାତ ଥର ଯାଅ"।

44ତହୁଁ ସେ ସପ୍ତମ ଥର କହିଲା, "ଦେଖନ୍ତୁ, ମନୁଷ୍ୟର ହାତ ପରି ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠୁଅଛି"। ଏଥିରେ ଏଲୀୟ କହିଲେ, "ଉଠିଯାଇ ଆହାବଙ୍କୁ କୁହ, ବୃଷ୍ଟି ଯେପରି ତୁମ୍ଭକୁ ନ ଅଟକାଏ, ଏଥିପାଇଁ ରଥ ପ୍ରସ୍ତୁତ କରି ତଳକୁ ଯାଅ"।

45ତହୁଁ ଅଳ୍ପକ୍ଷଣ ମଧ୍ୟରେ ମେଘ ଓ ବାୟୁରେ ଆକାଶ କଳା ହୋଇଗଲା ଓ ମହାବୃଷ୍ଟି ହେଲା । ପୁଣି, ଆହାବ ରଥରେ ଚଢ଼ି ଯିଷ୍ରିୟେଲକୁ ଗଲେ ।

46ଏଥିରେ ସଦାପ୍ରଭୁଙ୍କ ହସ୍ତ ଏଲୀୟଙ୍କ ଉପରେ ଅବସ୍ଥାନ କରନ୍ତେ, ସେ ଆପଣା କଟି ବାନ୍ଧି ଯିଷ୍ରିୟେଲର ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ଆହାବଙ୍କର ଆଗେ ଆଗେ ଦୌଡ଼ିଗଲେ ।


  Share Facebook  |  Share Twitter

 <<  1 Kings 18 >> 


Bible2india.com
© 2010-2025
Help
Dual Panel

Laporan Masalah/Saran