1ସେହି ସମୟରେ ସଦାପ୍ରଭୁ ମୋତେ କହିଲେ, "ତୁମ୍ଭେ ପ୍ରଥମ ପରି ଦୁଇ ପ୍ରସ୍ତର ଫଳକ ଖୋଳି ପର୍ବତ ଉପରେ ଆମ୍ଭ ନିକଟକୁ ଆସ, ପୁଣି ଆପଣା ପାଇଁ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କର" ।
2ଆଉ ତୁମ୍ଭେ ଯେଉଁ ପ୍ରଥମ ପ୍ରସ୍ତର ଫଳକ ଭାଙ୍ଗିଲ, ତହିଁରେ ଯେଉଁ ଯେଉଁ ବାକ୍ୟ ଥିଲା, ତାହା ଆମ୍ଭେ ଏହି ପ୍ରସ୍ତର ଫଳକରେ ଲେଖିବା, ପୁଣି ତୁମ୍ଭେ ତାହା ଏହି ସିନ୍ଦୁକରେ ରଖିବ ।
3ତହୁଁ ମୁଁ ଶିଟୀମ କାଷ୍ଠରେ ଏକ ସିନ୍ଦୁକ ନିର୍ମାଣ କଲି ଓ ପ୍ରଥମ ପରି ଦୁଇ ପ୍ରସ୍ତର ଫଳକ ଖୋଳିଲି, ଆଉ ସେହି ଦୁଇ ପ୍ରସ୍ତର ଫଳକ ହସ୍ତରେ ନେଇ ପର୍ବତ ଉପରକୁ ଗଲି ।
4ଅନନ୍ତର ସଦାପ୍ରଭୁ ପର୍ବତରେ ସମାଜ-ଦିନରେ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା ତୁମ୍ଭମାନଙ୍କୁ କହିଥିଲେ, ସେ ତାହା ପ୍ରଥମ ଲେଖାନୁସାରେ ସେହି ପ୍ରସ୍ତର ଫଳକରେ ଲେଖିଲେ; ତହୁଁ ସଦାପ୍ରଭୁ ତାହା ମୋତେ ଦେଲେ ।
5ଏଉତ୍ତାରେ ମୁଁ ମୁଖ ଫେରାଇ ପର୍ବତରୁ ଓହ୍ଲାଇଲି ଓ ମୋହର ନିର୍ମିତ ସିନ୍ଦୁକରେ ସେହି ଦୁଇ ପ୍ରସ୍ତର ଫଳକ ରଖିଲି; ଆଉ ମୋ' ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାହା ସେହି ସ୍ଥାନରେ ରହିଅଛି ।
6(ଅନନ୍ତର ଇସ୍ରାଏଲ-ସନ୍ତାନଗଣ ବେରୋତ୍-ବନେୟା-କନଠାରୁ ମୋଷେରତକୁ ଯାତ୍ରା କଲେ, ସେ ସ୍ଥାନରେ ହାରୋଣ ମଲେ ଓ ସେହି ସ୍ଥାନରେ ସେ କବର ପାଇଲେ; ପୁଣି ତାଙ୍କର ପୁତ୍ର ଇଲୀୟାସର ତାଙ୍କ ପଦରେ ଯାଜକ କର୍ମ କଲା ।
7ସେଠାରୁ ସେମାନେ ଗୁଦ୍ଗୋଦାକୁ ଯାତ୍ରା କଲେ ଓ ଗୁଦ୍ଗୋଦାରୁ ଜଳସ୍ରୋତମୟ ଦେଶ ଯଟବାଥାକୁ ଯାତ୍ରା କଲେ ।
8ସେହି ସମୟରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିବା ପାଇଁ, ସଦାପ୍ରଭୁଙ୍କ ସେବା କର୍ମ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀୟମାନଙ୍କୁ ପୃଥକ କରିଅଛନ୍ତି ।
9ଏନିମନ୍ତେ ଲେବୀର ଆପଣା ଭ୍ରାତୃଗଣ ମଧ୍ୟରେ କୌଣସି ଅଂଶ କି ଅଧିକାର ନାହିଁ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତାହାକୁ ଯାହା କହିଅଛନ୍ତି, ତଦନୁସାରେ ସଦାପ୍ରଭୁ ହିଁ ତାହାର ଅଧିକାର ଅଟନ୍ତି) ।
10ପ୍ରଥମ ଥର ପରି ମୁଁ ଚାଳିଶ ଦିନ ଓ ଚାଳିଶ ରାତ୍ରି ପର୍ବତରେ ରହିଲି; ପୁଣି ସେହି ଥର ମଧ୍ୟ ସଦାପ୍ରଭୁ ମୋ' ପ୍ରତି କର୍ଣ୍ଣପାତ କଲେ; ସଦାପ୍ରଭୁ ତୁମ୍ଭକୁ ବିନାଶ କରିବା ପାଇଁ ସମ୍ମତ ହେଲେ ନାହିଁ,
11ଅନନ୍ତର ସଦାପ୍ରଭୁ ମୋତେ କହିଲେ, ଉଠ, ଯାତ୍ରା ନିମନ୍ତେ ଲୋକମାନଙ୍କର ଅଗ୍ରଗାମୀ ହୁଅ; ପୁଣି ଆମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ନିମନ୍ତେ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛୁ, ସେମାନେ ସେହି ଦେଶରେ ପ୍ରବେଶ କରି ତାହା ଅଧିକାର କରିବେ ।
12ଏବେ ହେ ଇସ୍ରାଏଲ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବାର, ତାହାଙ୍କ ସକଳ ପଥରେ ଗମନ କରିବାର ଓ ତାହାଙ୍କୁ ପ୍ରେମ କରିବାର, ପୁଣି ଆପଣାର ସମସ୍ତ ଅନ୍ତଃକରଣ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସେବା କରିବାର,
13ଆଉ ଆଜି ମୁଁ ତୁମ୍ଭର ହିତ ନିମନ୍ତେ ସଦାପ୍ରଭୁଙ୍କ ଯେଉଁ ଯେଉଁ ଆଜ୍ଞା ଓ ବିଧି ତୁମ୍ଭମାନଙ୍କୁ ଦେଉଅଛି, ସେସମସ୍ତ ପାଳନ କରିବାର, ଏସବୁ ଛଡ଼ା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭଠାରୁ ଆଉ କଅଣ ଚାହାନ୍ତି ?
14ଦେଖ, ଆକାଶମଣ୍ଡଳ ଓ ତହିଁ ଉପରିସ୍ଥ ସ୍ୱର୍ଗ, ପୁଣି ପୃଥିବୀ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅଟେ ।
15କେବଳ ତୁମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ସ୍ନେହ କରିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥିବାରୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆଜି ଦିନ ପରି ସେ ସର୍ବଗୋଷ୍ଠୀୟ ଲୋକମାନଙ୍କଠାରୁ ମନୋନୀତ କଲେ ।
16ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ହୃଦୟର ଅଗ୍ରଚର୍ମ ସୁନ୍ନତ କର, ଆଉ ଶକ୍ତଗ୍ରୀବ ହୁଅ ନାହିଁ ।
17କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ, ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର ଅଟନ୍ତି, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ ।
18ସେ ପିତୃହୀନ, ବିଧବାର ବିଚାର ନିଷ୍ପତ୍ତି କରନ୍ତି ଓ ବିଦେଶୀକୁ ଅନ୍ନ ଓ ବସ୍ତ୍ର ଦେଇ ପ୍ରେମ କରନ୍ତି ।
19ଏଥିପାଇଁ ତୁମ୍ଭେମାନେ ବିଦେଶୀକୁ ପ୍ରେମ କର, କାରଣ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ ।
20ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ; ତାହାଙ୍କର ତୁମ୍ଭେ ସେବା କରିବ ଓ ତାହାଙ୍କଠାରେ ତୁମ୍ଭେ ଆସକ୍ତ ହେବ, ପୁଣି ତାହାଙ୍କ ନାମରେ ତୁମ୍ଭେ ଶପଥ କରିବ ।
21ସେ ତୁମ୍ଭର ପ୍ରଶଂସାର ଯୋଗ୍ୟ, ପୁଣି ସେ ତୁମ୍ଭର ପରମେଶ୍ୱର ଅଟନ୍ତି, ତୁମ୍ଭର ଚକ୍ଷୁ ଯାହା ଯାହା ଦେଖିଅଛି, ସେହିସବୁ ମହତ୍ ଓ ଭୟଙ୍କର କର୍ମ ସେ ତୁମ୍ଭ ନିମନ୍ତେ କରିଅଛନ୍ତି ।
22ତୁମ୍ଭ ପୂର୍ବପୁରୁଷମାନେ ସତୁରି ପ୍ରାଣୀ ସହିତ ମିସରକୁ ଯାଇଥିଲେ; ମାତ୍ର ଏବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆକାଶମଣ୍ଡଳର ତାରାଗଣ ପରି ତୁମ୍ଭକୁ ବହୁସଂଖ୍ୟକ କରିଅଛନ୍ତି ।
<< Deuteronomy 10 >>