1ଅନନ୍ତର ଲୋକମାନେ ଯେପରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବା ପାଇଁ ଯିରୂଶାଲମକୁ ସଦାପ୍ରଭୁଙ୍କ ଗୃହକୁ ଆସିବେ, ଏଥିପାଇଁ ହିଜକିୟ ସମଗ୍ର ଇସ୍ରାଏଲ ଓ ଯିହୁଦା ନିକଟକୁ ଲୋକ ପଠାଇଲେ, ପୁଣି ଇଫ୍ରୟିମ୍ ଓ ମନଃଶି ନିକଟକୁ ହିଁ ପତ୍ର ଲେଖିଲେ ।
2କାରଣ ରାଜା, ତାଙ୍କର ଅଧିପତିମାନେ ଓ ଯିରୂଶାଲମସ୍ଥ ସମଗ୍ର ସମାଜ ଦ୍ୱିତୀୟ ମାସରେ ନିସ୍ତାର ପର୍ବ ପାଳନ କରିବା ପାଇଁ ମନ୍ତ୍ରଣା କରିଥିଲେ ।
3କାରଣ ଯଥେଷ୍ଟ ସଂଖ୍ୟକ ଯାଜକ ଆପଣାମାନଙ୍କୁ ପବିତ୍ର କରି ନ ଥିବାରୁ, କିଅବା ଲୋକମାନେ ଯିରୂଶାଲମରେ ଏକତ୍ରିତ ହୋଇ ନ ଥିବାରୁ ସେସମୟରେ ସେମାନେ ତାହା ପାଳନ କରି ପାରି ନ ଥିଲେ ।
4ଏ ବିଷୟ ରାଜାଙ୍କର ଓ ସମଗ୍ର ସମାଜର ଦୃଷ୍ଟିରେ ଯଥାର୍ଥ ବୋଧ ହେଲା ।
5ଏଣୁ ଲୋକମାନେ ଯେପରି ଯିରୂଶାଲମରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବାକୁ ଆସିବେ, ଏଥିପାଇଁ ସେମାନେ ବେର୍ଶେବା ଠାରୁ ଦାନ୍ ପର୍ଯ୍ୟନ୍ତ ଇସ୍ରାଏଲର ସର୍ବତ୍ର ଏହା ଘୋଷଣା କରିବାକୁ ସ୍ଥିର କଲେ । କାରଣ ସେମାନେ ଲିଖନାନୁସାରେ ଏରୂପ ବହୁସଂଖ୍ୟକ ହୋଇ ପାଳନ କରି ନ ଥିଲେ ।
6ତହିଁରେ ଦୂତମାନେ ରାଜା ଓ ତାଙ୍କର ଅଧିପତିମାନଙ୍କଠାରୁ ପତ୍ର ନେଇ ଇସ୍ରାଏଲ ଓ ଯିହୁଦାର ସର୍ବତ୍ର ଗମନ କରି ରାଜାଜ୍ଞାନୁସାରେ ଏହି କଥା କହିଲେ, "ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ଅବ୍ରହାମର ଓ ଇସ୍ହାକର ଓ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରତି ପୁନର୍ବାର ଫେର, ତହିଁରେ ସେ ଅଶୂର-ରାଜଗଣ ହସ୍ତରୁ ରକ୍ଷିତ ତୁମ୍ଭମାନଙ୍କ ଅବଶିଷ୍ଟାଂଶ ପ୍ରତି ଫେରିବେ ।
7ଆଉ, ତୁମ୍ଭେମାନେ ଆପଣାମାନଙ୍କ ପିତୃଗଣ ଓ ଭ୍ରାତୃଗଣ ତୁଲ୍ୟ ନ ହୁଅ, ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟଲଙ୍ଘନ କଲେ, ତେଣୁ ତୁମ୍ଭେମାନେ ଦେଖୁଅଛ ଯେ, ସେ ସେମାନଙ୍କୁ ବିନାଶରେ ସମର୍ପଣ କଲେ ।
8ତୁମ୍ଭେମାନେ ଆପଣାମାନଙ୍କ ପିତୃଲୋକଙ୍କ ତୁଲ୍ୟ ଶକ୍ତଗ୍ରୀବ ନ ହୁଅ ; ମାତ୍ର ତୁମ୍ଭମାନଙ୍କ ଉପରୁ ତାହାଙ୍କର ପ୍ରଚଣ୍ଡ କ୍ରୋଧ ଯେପରି ନିବୃତ୍ତ ହେବ, ଏଥିପାଇଁ ଆପଣାମାନଙ୍କୁ ସଦାପ୍ରଭୁଙ୍କର ବଶୀଭୂତ କର ଓ ସେ ଚିରକାଳ ନିମନ୍ତେ ଯେଉଁ ସ୍ଥାନ ପବିତ୍ର କରିଅଛନ୍ତି, ତାହାଙ୍କର ସେହି ଧର୍ମଧାମରେ ପ୍ରବେଶ କରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ସେବା କର ।
9କାରଣ ତୁମ୍ଭେମାନେ ଯେବେ ପୁନର୍ବାର ସଦାପ୍ରଭୁଙ୍କ ପ୍ରତି ଫେରିବ, ତେବେ ତୁମ୍ଭମାନଙ୍କ ଭ୍ରାତୃଗଣ ଓ ସନ୍ତାନଗଣ ଯେଉଁମାନଙ୍କ ଦ୍ୱାରା ବନ୍ଦୀ ରୂପେ ନୀତ ହୋଇଅଛନ୍ତି, ସେମାନଙ୍କ ଦୃଷ୍ଟିରେ ଦୟାପ୍ରାପ୍ତ ହେବେ ଓ ପୁନର୍ବାର ଏହି ଦେଶକୁ ଆସିବେ ; ଯେଣୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର କୃପାମୟ ଓ ଦୟାଳୁ ଅଟନ୍ତି, ଯେବେ ତୁମ୍ଭେମାନେ ତାହାଙ୍କ ପ୍ରତି ଫେରିବ, ତେବେ ସେ ତୁମ୍ଭମାନଙ୍କଠାରୁ ଆପଣା ମୁଖ ଫେରାଇବେ ନାହିଁ ।"
10ତହୁଁ ଦୂତମାନେ ଇଫ୍ରୟିମ ଓ ମନଃଶି ଦେଶ ଦେଇ ସବୂଲୁନ୍ ପର୍ଯ୍ୟନ୍ତ ନଗରକୁ ନଗର ଗମନ କଲେ ; ମାତ୍ର ଲୋକମାନେ ସେମାନଙ୍କୁ ଉପହାସ କରି ବିଦ୍ରୂପ କଲେ ।
11ତଥାପି ଆଶେର୍ର ଓ ମନଃଶିର ଓ ସବୂଲୁନ୍ର କେତେକ ଲୋକ ଆପଣାମାନଙ୍କୁ ନମ୍ର କରି ଯିରୂଶାଲମକୁ ଆସିଲେ ।
12ମଧ୍ୟ ସଦାପ୍ରଭୁଙ୍କ ବାକ୍ୟାନୁସାରେ ରାଜାଙ୍କର ଓ ଅଧିପତିମାନଙ୍କର ଆଜ୍ଞା ପାଳନ କରିବା ପାଇଁ ଯିହୁଦାର ଲୋକମାନଙ୍କୁ ଏକଚିତ୍ତ ହେବାକୁ ପରମେଶ୍ୱରଙ୍କ ହସ୍ତ ସେମାନଙ୍କ ମଧ୍ୟରେ ବିଦ୍ୟମାନ ହେଲା ।
13ତହୁଁ ଦ୍ୱିତୀୟ ମାସରେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କରିବା ପାଇଁ ଅନେକ ଲୋକର ଅତି ମହାସମାଜ ଯିରୂଶାଲମରେ ଏକତ୍ରିତ ହେଲେ ।
14ପୁଣି, ସେମାନେ ଉଠି ଯିରୂଶାଲମସ୍ଥ ଯଜ୍ଞବେଦି ସବୁ ଦୂର କଲେ ଓ ଧୂପଦାହାର୍ଥକ ଯଜ୍ଞବେଦିସବୁ ଦୂର କରି କିଦ୍ରୋଣ ନଦୀରେ ନିକ୍ଷେପ କଲେ ।
15ଏଉତ୍ତାରେ ସେମାନେ ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନରେ ନିସ୍ତାର ପର୍ବର ବଳି ବଧ କଲେ ; ତହିଁରେ ଯାଜକମାନେ ଓ ଲେବୀୟମାନେ ଲଜ୍ଜିତ ହୋଇ ଆପଣାମାନଙ୍କୁ ପବିତ୍ର କଲେ ଓ ସଦାପ୍ରଭୁଙ୍କ ଗୃହକୁ ହୋମବଳି ଆଣିଲେ ।
16ଆଉ, ସେମାନେ ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାନୁସାରେ ଶ୍ରେଣୀକ୍ରମେ ଆପଣା ଆପଣା ସ୍ଥାନରେ ଠିଆ ହେଲେ ; ଯାଜକମାନେ ଲେବୀୟମାନଙ୍କ ହସ୍ତରୁ ରକ୍ତ ଗ୍ରହଣ କରି ସେଚନ କଲେ ।
17କାରଣ ସମାଜ ମଧ୍ୟରେ ଅନେକ ଲୋକ ଆପଣାମାନଙ୍କୁ ପବିତ୍ର କରି ନ ଥିଲେ ; ଏହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବାକୁ ପ୍ରତ୍ୟେକ ଅଶୁଚି ଲୋକ ନିମନ୍ତେ ନିସ୍ତାର ପର୍ବର ବଳି ବଧ କରିବାର ଭାର ଲେବୀୟମାନଙ୍କ ଉପରେ ଥିଲା ।
18ଅସଂଖ୍ୟ ଲୋକ, ଅର୍ଥାତ୍, ଇଫ୍ରୟିମ୍ ଓ ମନଃଶି, ଇଷାଖର ଓ ସବୂଲୁନ୍ ମଧ୍ୟରୁ ଅନେକେ ଆପଣାମାନଙ୍କୁ ଶୁଚି କରି ନ ଥିଲେ, ତଥାପି ସେମାନେ ଲେଖାର ବିପରୀତରେ ନିସ୍ତାର ପର୍ବର ବଳି ଭୋଜନ କଲେ । କାରଣ ହିଜକିୟ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରି ଏହା କହିଥିଲେ,
19ଯେକେହି ପରମେଶ୍ୱରଙ୍କର, ସଦାପ୍ରଭୁ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଅନ୍ତଃକରଣ ନିବିଷ୍ଟ କରେ, ସେ ଧର୍ମଧାମର ଶୌଚବିଧି ଅନୁସାରେ ଶୁଚି ନୋହିଲେ ହେଁ ମଙ୍ଗଳମୟ ସଦାପ୍ରଭୁ ତାହାକୁ କ୍ଷମା କରନ୍ତୁ ।
20ପୁଣି, ସଦାପ୍ରଭୁ ହିଜକିୟଙ୍କର ବାକ୍ୟରେ କର୍ଣ୍ଣପାତ କଲେ ଓ ଲୋକମାନଙ୍କୁ ସୁସ୍ଥ କଲେ ।
21ଏହିରୂପେ ଯିରୂଶାଲମରେ ଉପସ୍ଥିତ ଇସ୍ରାଏଲ-ସନ୍ତାନଗଣ ମହାନନ୍ଦରେ ସାତ ଦିନ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କଲେ ; ପୁଣି ଲେବୀୟମାନେ ଓ ଯାଜକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଚ୍ଚ ବାଦ୍ୟ ଧ୍ୱନିରେ ଗାନ କରି ପ୍ରତି ଦିନ ସଦାପ୍ରଭୁଙ୍କର ପ୍ରଶଂସା କଲେ ।
22ଆଉ, ଯେଉଁ ସକଳ ଲେବୀୟ ଲୋକ ସଦାପ୍ରଭୁଙ୍କ ସେବାକାର୍ଯ୍ୟରେ ସୁଦକ୍ଷ ଥିଲେ, ସେମାନଙ୍କୁ ହିଜକିୟ ଚିତ୍ତ ପ୍ରବୋଧକ କଥା କହିଲେ । ତହୁଁ ସେମାନେ ପର୍ବର ସାତ ଦିନଯାକ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଭୋଜନ କଲେ ଓ ସଦାପ୍ରଭୁ ସେମାନଙ୍କ ପୈତୃକ ପରମେଶ୍ୱରଙ୍କ ନିକଟରେ ସ୍ୱୀକାର କଲେ ।
23ଏଉତ୍ତାରେ ଆଉ ସାତ ଦିନ ପାଳନ କରିବା ପାଇଁ ସମଗ୍ର ସମାଜ ପରାମର୍ଶ କଲେ ; ପୁଣି, ସେମାନେ ସେହି ସାତ ଦିନ ଆନନ୍ଦରେ ପାଳନ କଲେ ।
24ଏଣୁ ଯିହୁଦାର ରାଜା ହିଜକିୟ ଉପହାର ନିମନ୍ତେ ସମାଜକୁ ଏକ ସହସ୍ର ବୃଷ ଓ ସାତ ସହସ୍ର ମେଷ ଦେଲେ ; ଆଉ, ଅଧିପତିମାନେ ସମାଜକୁ ଏକ ସହସ୍ର ବୃଷ ଓ ଦଶ ସହସ୍ର ମେଷ ଦେଲେ ; ପୁଣି ଯାଜକମାନଙ୍କ ମଧ୍ୟରୁ ଅନେକେ ଆପଣାମାନଙ୍କୁ ପବିତ୍ର କଲେ ।
25ପୁଣି, ଯାଜକ ଓ ଲେବୀୟମାନଙ୍କ ସହିତ ଯିହୁଦାର ସମଗ୍ର ସମାଜ ଓ ଇସ୍ରାଏଲ ମଧ୍ୟରୁ ଆଗତ ସମଗ୍ର ସମାଜ, ପୁଣି ଇସ୍ରାଏଲ ଦେଶରୁ ଆଗତ ଓ ଯିହୁଦା ନିବାସୀ ବିଦେଶୀଗଣ ଆନନ୍ଦ କଲେ ।
26ଏହିରୂପେ ଯିରୂଶାଲମରେ ମହାନନ୍ଦ ହେଲା ; କାରଣ ଇସ୍ରାଏଲର ରାଜା ଦାଉଦଙ୍କର ପୁତ୍ର ଶଲୋମନଙ୍କ ସମୟଠାରୁ ଯିରୂଶାଲମରେ ଏପରି ଆଉ ହୋଇ ନ ଥିଲା ।
27ଏଉତ୍ତାରେ ଲେବୀୟ ଯାଜକମାନେ ଉଠି ଲୋକମାନଙ୍କୁ କଲ୍ୟାଣ କଲେ ; ପୁଣି ସେମାନଙ୍କ ରବରେ ମନୋଯୋଗ କରାଗଲା ଓ ସେମାନଙ୍କ ପ୍ରାର୍ଥନା ତାହାଙ୍କ ପବିତ୍ର ବାସସ୍ଥାନ ସ୍ୱର୍ଗ ପର୍ଯ୍ୟନ୍ତ ପ୍ରବେଶ କଲା ।
<< 2 Chronicles 30 >>