1ଯୋଥମ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ; ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ ; ତାଙ୍କର ମାତାଙ୍କ ନାମ ଯିରୁଶା, ସେ ସାଦୋକର କନ୍ୟା ଥିଲେ ।
2ପୁଣି, ସେ ଆପଣା ପିତା ଉଷୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ; ତଥାପି ସେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କଲେ ନାହିଁ । ଆଉ, ଲୋକମାନେ ସେସମୟରେ ହେଁ ଦୁରାଚରଣ କଲେ ।
3ସେ ସଦାପ୍ରଭୁଙ୍କ ଗୃହର ଉପରଦ୍ୱାର ଦୃଢ଼ କଲେ, ପୁଣି ଓଫଲର ପ୍ରାଚୀର ଉପରେ ଅନେକ ସ୍ଥାନ ନିର୍ମାଣ କଲେ ।
4ଆହୁରି, ସେ ଯିହୁଦାର ପର୍ବତମୟ ଦେଶରେ ନାନା ନଗର ଓ ବନରେ ଗଡ଼ ଓ ଦୁର୍ଗସବୁ ନିର୍ମାଣ କଲେ ।
5ମଧ୍ୟ ସେ ଅମ୍ମୋନ-ସନ୍ତାନଗଣର ରାଜା ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ ; ତହିଁରେ ଅମ୍ମୋନ ସନ୍ତାନଗଣ ସେହି ବର୍ଷ ତାଙ୍କୁ ଏକ ଶହ ତାଳନ୍ତ ରୂପା ଓ ଦଶ ସହସ୍ର ମହଣ ଗହମ ଓ ଦଶ ସହସ୍ର ମହଣ ଯବ ଦେଲେ । ଅମ୍ମୋନ ସନ୍ତାନଗଣ ଦ୍ୱିତୀୟ ଓ ତୃତୀୟ ବର୍ଷ ମଧ୍ୟ ସେତିକି ତାଙ୍କୁ ଦେଲେ ।
6ଏହିରୂପେ ଯୋଥମ୍ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ସମ୍ମୁଖରେ ଆପଣା ପଥ ସଜାଡ଼ିବାରୁ ପରାକ୍ରାନ୍ତ ହେଲେ ।
7ଏହି ଯୋଥମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସକଳ ଯୁଦ୍ଧ ଓ ତାଙ୍କର ଆଚରଣ ବିଷୟ, ଦେଖ, ଇସ୍ରାଏଲର ଓ ଯିହୁଦାର ରାଜାମାନଙ୍କ ପୁସ୍ତକରେ ଲେଖାଅଛି ।
8ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ ।
9ପୁଣି, ଯୋଥମ୍ ଆପଣା ପିତୃଗଣ ସହିତ ଶୟନ କରନ୍ତେ, ଲୋକମାନେ ଦାଉଦ-ନଗରରେ ତାଙ୍କୁ କବର ଦେଲେ ; ତହୁଁ ତାଙ୍କର ପୁତ୍ର ଆହସ୍ ତାଙ୍କର ପଦରେ ରାଜ୍ୟ କଲେ ।
<< 2 Chronicles 27 >>