Bible 2 India Mobile
[VER] : [ODIYA]     [PL]  [PB] 
 <<  Joshua 11 >> 

1ଅନନ୍ତର ହାତ୍‍ସୋରର ରାଜା ଯାବୀନ୍‍ ସେହି ବିଷୟ ଶୁଣନ୍ତେ, ସେ ମାଦୋନର ରାଜା ଯୋବବ୍‍ ଓ ଶିମ୍ରୋଣର ରାଜା ଓ ଅକ୍‍ଷଫର ରାଜା ନିକଟକୁ,

2ପୁଣି ଉତ୍ତର ଦେଶୀୟ ପର୍ବତରେ ଓ କିନ୍ନେରତର ଦକ୍ଷିଣସ୍ଥ ପଦାଭୂମିରେ ଓ ତଳଭୂମିରେ ଓ ପଶ୍ଚିମସ୍ଥ ଦୋର ନାମକ ଉପପର୍ବତରେ ଥିବା ରାଜଗଣ ନିକଟକୁ,

3ଅର୍ଥାତ୍‍, ପୂର୍ବ ଓ ପଶ୍ଚିମ ଦେଶୀୟ କିଣାନୀୟମାନଙ୍କ ଓ ଇମୋରୀୟମାନଙ୍କ ଓ ହିତ୍ତୀୟମାନଙ୍କ ଓ ପିରିଷୀୟମାନଙ୍କ ଓ ପର୍ବତସ୍ଥ ଯିବୂଷୀୟମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପି ଦେଶୀୟ ହିତ୍ତୀୟମାନଙ୍କ ନିକଟକୁ ଲୋକ ପଠାଇଲେ ।

4ତହିଁରେ ସେମାନେ ଆପଣା ଆପଣା ସୈନ୍ୟ ସହିତ ଅପାର ଲୋକ ସମୁଦ୍ର ତୀରସ୍ଥ ବାଲୁକା ତୁଲ୍ୟ ଲୋକାରଣ୍ୟ ହୋଇ ଅନେକ ଅନେକ ଅଶ୍ୱ ଓ ରଥ ସଙ୍ଗେ ନେଇ ବାହାର ହେଲେ ।

5ପୁଣି ଏ ସମସ୍ତ ରାଜା ଏକତ୍ର ମିଳିଲେ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ଆସି ମେରୋମ୍‍ ନାମକ ଜଳାଶୟ ନିକଟରେ ଏକତ୍ର ଛାଉଣି ସ୍ଥାପନ କଲେ ।

6ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ସେମାନଙ୍କ ସମ୍ମୁଖରେ ଭୀତ ନ ହୁଅ; କାରଣ କାଲି ଏହି ସମୟରେ ଆମ୍ଭେ ସେସମସ୍ତଙ୍କୁ ଇସ୍ରାଏଲ ସମ୍ମୁଖରେ ହତ କରି ସମର୍ପଣ କରିବା; ତୁମ୍ଭେ ସେମାନଙ୍କ ଅଶ୍ୱଗଣର ପାଦଶିରା କାଟିବ ଓ ସେମାନଙ୍କ ରଥସବୁ ଅଗ୍ନିରେ ଦଗ୍ଧ କରିବ ।

7ପୁଣି ଯିହୋଶୂୟ ଓ ସମସ୍ତ ଯୋଦ୍ଧା ମେରୋମ୍‍ ଜଳାଶୟ ନିକଟରେ ହଠାତ୍ ସେମାନଙ୍କ ବିରୁଦ୍ଧରେ ଆସି ସେମାନଙ୍କୁ ଆକ୍ରମଣ କଲେ ।

8ତହିଁରେ ସଦାପ୍ରଭୁ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ ଓ ମହାସୀଦୋନ୍‍ ଓ ମିଷ୍ରଫୋତ୍‍-ମୟିମ୍‍ ପର୍ଯ୍ୟନ୍ତ, ଆଉ ପୂର୍ବ ଦିଗରେ ମିସ୍ପିର ସମସ୍ଥଳୀ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼ାଇ ନେଲେ, ପୁଣି ସେମାନଙ୍କର କେହି ଅବଶିଷ୍ଟ ନ ରହିବାଯାଏ ସେମାନଙ୍କୁ ସଂହାର କଲେ ।

9ଆଉ ଯିହୋଶୂୟ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ; ସେ ସେମାନଙ୍କ ଅଶ୍ୱଗଣର ପାଦଶିରା କାଟି ପକାଇଲେ ଓ ସେମାନଙ୍କ ରଥସବୁ ଅଗ୍ନିରେ ଦଗ୍‍ଧ କଲେ ।

10ସେହି ସମୟରେ ଯିହୋଶୂୟ ଫେରି ଆସି ହାତ୍‍ସୋର ହସ୍ତଗତ କଲେ ଓ ତହିଁର ରାଜାକୁ ଖଡ଼୍‍ଗରେ ଆଘାତ କଲେ; ପୂର୍ବକାଳରେ ହାତ୍‍ସୋର ସେହି ସବୁ ରାଜ୍ୟର ମସ୍ତକ ଥିଲା ।

11ଆଉ ଲୋକମାନେ ତହିଁର ନିବାସୀ ସମସ୍ତ ପ୍ରାଣୀଙ୍କୁ ଖଡ଼୍‍ଗଧାରରେ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ; ନିଃଶ୍ୱାସପ୍ରଶ୍ୱାସଧାରୀ କେହି ଅବଶିଷ୍ଟ ରହିଲା ନାହିଁ ଓ ସେ ହାତ୍‍ସୋରକୁ ଅଗ୍ନିରେ ଦଗ୍‍ଧ କଲେ ।

12ପୁଣି ଯିହୋଶୂୟ ସେହି ରାଜଗଣର ସମସ୍ତ ନଗର ଓ ସେସବୁର ରାଜାମାନଙ୍କୁ ହସ୍ତଗତ କଲେ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଆଜ୍ଞାନୁସାରେ ଖଡ଼୍‍ଗଧାରରେ ସେମାନଙ୍କୁ ଆଘାତ କରି ସମ୍ପୁର୍ଣ୍ଣ ରୂପେ ବିନାଶ କଲେ ।

13ମାତ୍ର ଆପଣା ଆପଣା ଟିକର ଉପରେ ସ୍ଥାପିତ ନଗରମାନ ମଧ୍ୟରୁ କେବଳ ହାତ୍‍ସୋର ବିନୁ ଆଉ କୌଣସି ନଗର ଇସ୍ରାଏଲ ଦଗ୍‍ଧ କଲେ ନାହିଁ; ତାହା ଯିହୋଶୂୟ ଦଗ୍‍ଧ କଲେ ।

14ଆଉ ଇସ୍ରାଏଲ-ସନ୍ତାନଗଣ ସେସବୁ ନଗରର ଦ୍ରବ୍ୟାଦି ଓ ପଶୁଗଣକୁ ଆପଣାମାନଙ୍କ ନିମନ୍ତେ ଲୁଟ କରି ନେଲେ; ମାତ୍ର ସମ୍ପୁର୍ଣ୍ଣ ରୂପେ ବଧ କରିବା ଯାଏ ସେମାନେ ଖଡ଼୍‍ଗଧାରରେ ପ୍ରତ୍ୟେକ ମନୁଷ୍ୟକୁ ଆଘାତ କଲେ, ପୁଣି ସେମାନେ ନିଃଶ୍ୱାସପ୍ରଶ୍ୱାସଧାରୀ କାହାକୁ ଅବଶିଷ୍ଟ ରଖିଲେ ନାହିଁ ।

15ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶା ଯିହୋଶୂୟଙ୍କୁ ଆଜ୍ଞା ଦେଲେ; ଆଉ ଯିହୋଶୂୟ ତଦନୁସାରେ କର୍ମ କଲେ; ସଦାପ୍ରଭୁ ମୋଶାଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେସବୁ ମଧ୍ୟରୁ କୌଣସି କଥା ସେ ଅନ୍ୟଥା କଲେ ନାହିଁ ।

16ଏହିରୂପେ ଯିହୋଶୂୟ ସେହିସବୁ ପ୍ରଦେଶ ଓ ସେଠାର ପର୍ବତମୟ ଦେଶ ଓ ସମସ୍ତ ଦକ୍ଷିଣାଞ୍ଚଳ ଓ ଗୋଶନର ସମସ୍ତ ପ୍ରଦେଶ ଓ ତଳଭୂମି ଓ ପଦାଭୂମି ଓ ଇସ୍ରାଏଲର ପର୍ବତମୟ ଦେଶ ଓ ତହିଁର ତଳଭୂମି;

17ସେୟୀରଗାମୀ ହାଲକ୍‍ ପର୍ବତଠାରୁ ହର୍ମୋଣ ପର୍ବତର ନୀଚସ୍ଥ ଲିବାନୋନ୍‍ ସମସ୍ଥଳୀରେ ଥିବା ବାଲ୍‍ଗାଦ୍‍ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲେ; ପୁଣି ସେମାନଙ୍କର ସମସ୍ତ ରାଜାଙ୍କୁ ଧରି ଆଘାତପୂର୍ବକ ବଧ କଲେ ।

18ଯିହୋଶୂୟ ସେହି ରାଜାମାନଙ୍କ ସଙ୍ଗେ ଅନେକ ଦିନ ଯୁଦ୍ଧ କଲେ ।

19ଗିବିୟୋନ୍‍ ନିବାସୀ ହିବ୍ବୀୟ ଲୋକମାନଙ୍କ ଛଡ଼ା ଆଉ କୌଣସି ନଗରୀୟ ଲୋକମାନେ ଇସ୍ରାଏଲ ସନ୍ତାନଗଣ ସଙ୍ଗରେ ସନ୍ଧି କଲେ ନାହିଁ; ସେମାନେ ଯୁଦ୍ଧ କରି ଅନ୍ୟ ସମସ୍ତ ହସ୍ତଗତ କଲେ ।

20କାରଣ ସେମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଆସି ଯେପରି ସମ୍ପୁର୍ଣ୍ଣ ରୂପେ ବିନଷ୍ଟ ହୋଇ ଦୟା ନ ପାଇବେ, ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଉଚ୍ଛିନ୍ନ ହେବେ, ଏନିମନ୍ତେ ସେମାନଙ୍କ ହୃଦୟ କଠିନ କରିବାକୁ ସଦାପ୍ରଭୁଙ୍କର ମାନସ ଥିଲା ।

21ଆଉ ସେହି ସମୟରେ ଯିହୋଶୂୟ ଆସି ପର୍ବତମୟ ଦେଶରୁ, ହିବ୍ରୋଣରୁ, ଦବୀରରୁ, ଅନାବରୁ ଓ ଯିହୁଦାର ସମସ୍ତ ପର୍ବତମୟ ଦେଶରୁ ଓ ଇସ୍ରାଏଲର ସମସ୍ତ ପର୍ବତମୟ ଦେଶରୁ ଅନାକୀୟମାନଙ୍କୁ ଉଚ୍ଛିନ୍ନ କଲେ; ଯିହୋଶୂୟ ସେମାନଙ୍କ ନଗର ସମେତ ସେମାନଙ୍କୁ ବର୍ଜିତ ରୂପେ ବିନାଶ କଲେ ।

22ଇସ୍ରାଏଲ-ସନ୍ତାନଗଣର ଦେଶରେ ଅନାକୀୟମାନଙ୍କର କେହି ଅବଶିଷ୍ଟ ରହିଲେ ନାହିଁ, କେବଳ ଘସାରେ, ଗାଥ୍‍ ଓ ଅସ୍‍ଦୋଦରେ କେହି କେହି ରହିଲେ ।

23ଏହିରୂପେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯିହୋଶୂୟ ସେସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗାନୁସାରେ ଅଧିକାର କରିବାକୁ ଇସ୍ରାଏଲଙ୍କୁ ତାହା ଦେଲେ । ତହୁଁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା ।


  Share Facebook  |  Share Twitter

 <<  Joshua 11 >> 


Bible2india.com
© 2010-2024
Help
Dual Panel

Laporan Masalah/Saran