Bible 2 India Mobile
[VER] : [ODIYA]     [PL]  [PB] 
 <<  John 3 >> 

1ଫାରୂଶୀମାନଙ୍କ ମଧ୍ୟରେ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଯିହୂଦୀମାନଙ୍କର ଜଣେ ନେତା ।

2ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ୱରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ୱର ସାଙ୍ଗରେ ନ ଥିଲେ ସେହି ସବୁ କେହି କରି ପାରେ ନାହିଁ ।

3ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରେ ନାହିଁ ।

4ନୀକଦୀମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାର ଜନ୍ମ ହୋଇ ପାରେ ? ସେ କ'ଣ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇ ପାରେ ?

5ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରେ ନାହିଁ ।

6ମାଂସରୁ ଯାହା ଜାତ, ତାହା ମାଂସ; ପୁଣି, ଆତ୍ମାରୁ ଯାହା ଜାତ, ତାହା ଆତ୍ମା ।

7ତୁମ୍ଭମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ ବୋଲି ମୁଁ ଯେ ତୁମ୍ଭକୁ କହିଲି, ଏଥିରେ ଚମତ୍କୃତ ହୁଅ ନାହିଁ ।

8ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି, କେଉଁଠାକୁ ଯାଏ, ତାହା ଜାଣ ନାହିଁ; ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର ।

9ନୀକଦୀମ ତାହାଙ୍କୁ ଉତ୍ତର ଦେଲେ, ଏହି ସବୁ କିପରି ହୋଇ ପାରେ ?

10ଯୀଶୁ ତାଙ୍କୁ ଉତ୍ତର ଦେଲେ, ତୁମ୍ଭେ ଇସ୍ରାଏଲର ଜଣେ ଗୁରୁ ହୋଇ ସୁଦ୍ଧା କ'ଣ ଏହି ସବୁ ବୁଝୁ ନାହଁ ?

11ମୁଁ ତୁମ୍ଭକୁ ସତ୍ୟ ସତ୍ୟ କହୁଅଛି, ଆମ୍ଭେମାନେ ଯାହା ଜାଣୁ, ତାହା କହୁ, ପୁଣି, ଯାହା ଦେଖିଅଛୁ, ତାହା ବିଷୟରେ ସାକ୍ଷ୍ୟ ଦେଉ, ଆଉ ତୁମ୍ଭେମାନେ ଆମ୍ଭମାନଙ୍କର ସାକ୍ଷ୍ୟ ଗ୍ରହଣ କରୁ ନାହଁ ।

12ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଲେ ଯଦି ତୁମ୍ଭେମାନେ ବିଶ୍ୱାସ ନ କର, ତେବେ ତୁମ୍ଭମାନଙ୍କୁ ସ୍ୱର୍ଗୀୟ ବିଷୟ କହିଲେ କିପରି ବିଶ୍ୱାସ କରିବ ?

13ଆଉ, ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ ।

14ପୁଣି, ମୋଶା ଯେପ୍ରକାର ପ୍ରାନ୍ତରରେ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ,

15ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।

16କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।

17ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ ।

18ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ ।

19ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ ।

20କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିଃକୁ ଘୃଣା କରେ, ପୁଣି, କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ ।

21କିନ୍ତୁ ଯେ କେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ୱରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ ।

22ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିହୂଦା ପ୍ରଦେଶକୁ ଗଲେ, ଆଉ ସେ ସେ ସ୍ଥାନରେ ସେମାନଙ୍କ ସହିତ ରହି ବାପ୍ତିସ୍ମ ଦେବାକୁ ଲାଗିଲେ ।

23ଯୋହନ ମଧ୍ୟ ଶାଲମ ନିକଟସ୍ଥ ଏନୋନରେ ବାପ୍ତିସ୍ମ ଦେଉଥିଲେ, କାରଣ ସେ ସ୍ଥାନରେ ବହୁତ ଜଳ ଥିଲା, ଆଉ ଲୋକେ ଆସି ବାପ୍ତିସ୍ମ ଗ୍ରହଣ କରୁଥିଲେ ।

24ଯେଣୁ ଯୋହନ ସେପର୍ଯ୍ୟନ୍ତ କାରାଗାରରେ ନିକ୍ଷିପ୍ତ ହୋଇ ନ ଥିଲେ ।

25ସେଥିମଧ୍ୟରେ ଶୌଚକ୍ରିୟା ସମ୍ବନ୍ଧରେ ଯୋହନଙ୍କ ଶିଷ୍ୟମାନଙ୍କ ପକ୍ଷରୁ ଜଣେ ଯିହୂଦୀ ସହିତ ବାଦାନୁବାଦ ଘଟିଲା ।

26ଆଉ, ସେମାନେ ଯୋହନଙ୍କ ନିକଟକୁ ଯାଇ ତାଙ୍କୁ କହିଲେ, ହେ ଗୁରୁ, ଯେ ଯର୍ଦନର ଅପର ପାରିରେ ଆପଣଙ୍କ ସହିତ ଥିଲେ, ଯାହାଙ୍କ ସମ୍ବନ୍ଧରେ ଆପଣ ସାକ୍ଷ୍ୟ ଦେଇଅଛନ୍ତି, ଦେଖନ୍ତୁ, ସେ ବାପ୍ତିସ୍ମ ଦେଉଅଛନ୍ତି ଓ ସମସ୍ତେ ତାହାଙ୍କ ନିକଟକୁ ଯାଉଅଛନ୍ତି ।

27ଯୋହନ ଉତ୍ତର ଦେଲେ, ସ୍ୱର୍ଗରୁ ପ୍ରଦତ୍ତ ନ ହେଲେ ମନୁଷ୍ୟ କିଛି ପ୍ରାପ୍ତ ହୋଇ ପାରେ ନାହିଁ ।

28ମୁଁ ଯେ ଖ୍ରୀଷ୍ଟ ନୁହେଁ, କିନ୍ତୁ ତାହାଙ୍କ ଆଗରେ ପ୍ରେରିତ ହୋଇଅଛି, ଏହା ମୁଁ କହିଥିଲି ବୋଲି ତୁମ୍ଭେମାନେ ନିଜେ ନିଜେ ମୋହର ସାକ୍ଷୀ ।

29ଯେ କନ୍ୟା ଗ୍ରହଣ କରନ୍ତି, ସେ ବର, କିନ୍ତୁ ବରଙ୍କ ଯେଉଁ ବନ୍ଧୁ ଠିଆ ହୋଇ ତାଙ୍କ କଥା ଶୁଣେ, ସେ ବରଙ୍କ ସ୍ୱର ସକାଶେ ଅତ୍ୟନ୍ତ ଆନନ୍ଦିତ ହୁଏ । ଅତଏବ, ମୋହର ଏହି ଆନନ୍ଦ ପୂର୍ଣ୍ଣ ହୋଇଅଛି ।

30ତାହାଙ୍କୁ ଅବଶ୍ୟ ବୃଦ୍ଧି ପାଇବାକୁ ହେବ, କିନ୍ତୁ ମୋତେ ହ୍ରାସ ହେବାକୁ ହେବ ।

31ଯେ ଊର୍ଦ୍ଧ୍ୱରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ; ଯେ ପୃଥିବୀରୁ ଉତ୍ପନ୍ନ, ସେ ପାର୍ଥିବ, ଆଉ ସେ ପାର୍ଥିବ କଥା କହେ; ଯେ ସ୍ୱର୍ଗରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ ।

32ସେ ଯାହା ଦେଖିଅଛନ୍ତି ଓ ଶୁଣିଅଛନ୍ତି, ତାହା ସମ୍ବନ୍ଧରେ ସେ ସାକ୍ଷ୍ୟ ଦିଅନ୍ତି, କିନ୍ତୁ ତାହାଙ୍କର ସାକ୍ଷ୍ୟ କେହି ଗ୍ରହଣ କରେ ନାହିଁ ।

33ଯେ ତାହାଙ୍କର ସାକ୍ଷ୍ୟ ଗ୍ରହଣ କରିଅଛି, ଈଶ୍ୱର ଯେ ସତ୍ୟ, ଏହା ସେ ମୁଦ୍ରାଙ୍କନ କରିଅଛି ।

34କାରଣ ଈଶ୍ୱର ଯାହାକୁ ପ୍ରେରଣ କରିଅଛନ୍ତି, ସେ ଈଶ୍ୱରଙ୍କ ବାକ୍ୟ କହନ୍ତି, ଯେଣୁ ସେ ପରିମିତ ଭାବରେ ଆତ୍ମା ପ୍ରଦାନ କରନ୍ତି ନାହିଁ ।

35ପିତା ପୁତ୍ରଙ୍କୁ ପ୍ରେମ କରନ୍ତି, ପୁଣି, ସମସ୍ତ ବିଷୟ ତାହାଙ୍କ ହସ୍ତରେ ଅର୍ପଣ କରିଅଛନ୍ତି ।

36ଯେ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ ।


  Share Facebook  |  Share Twitter

 <<  John 3 >> 


Bible2india.com
© 2010-2024
Help
Dual Panel

Laporan Masalah/Saran