Bible 2 India Mobile
[VER] : [ODIYA]     [PL]  [PB] 
 <<  Isaiah 34 >> 

1ହେ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର, ହେ ଗୋଷ୍ଠୀଗଣ, ତୁମ୍ଭେମାନେ ମନୋଯୋଗ କର; ପୃଥିବୀ ଓ ତତ୍ପୂର୍ଣ୍ଣତା ଶ୍ରବଣ କରୁ; ଜଗତ ଓ ତଦୁତ୍ପନ୍ନ ସକଳ ପଦାର୍ଥ ଶ୍ରବଣ କରୁ ।

2କାରଣ ଦେଶୀୟ ସମସ୍ତଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କର କ୍ରୋଧ ଓ ସେମାନଙ୍କର ସମସ୍ତ ସୈନ୍ୟସାମନ୍ତର ପ୍ରତିକୂଳରେ ତାହାଙ୍କର ପ୍ରଚଣ୍ଡ କୋପ ଅଛି; ସେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ସେ ସେମାନଙ୍କୁ ହତ ହେବା ନିମନ୍ତେ ସମର୍ପଣ କରିଅଛନ୍ତି ।

3ସେମାନଙ୍କର ହତ ଲୋକମାନେ ବାହାରେ ନିକ୍ଷିପ୍ତ ହେବେ, ସେମାନଙ୍କ ଶବରୁ ଦୁର୍ଗନ୍ଧ ଉଠିବ ଓ ସେମାନଙ୍କ ରକ୍ତରେ ପର୍ବତମାନ ତରଳି ଯିବ ।

4ପୁଣି, ଆକାଶମଣ୍ଡଳର ସୈନ୍ୟ ସମସ୍ତେ କ୍ଷୟ ପାଇବେ ଓ ଗଗନମଣ୍ଡଳ ଲେଖାପତ୍ର ତୁଲ୍ୟ ଗୁଡ଼ା ହେବ; ଆଉ, ଯେପରି ଦ୍ରାକ୍ଷାଲତାର ଜୀର୍ଣ୍ଣପତ୍ର ଓ ଡିମ୍ୱିରି ବୃକ୍ଷର ଜୀର୍ଣ୍ଣପତ୍ର, ସେପରି ସେମାନଙ୍କର ସୈନ୍ୟସାମନ୍ତସବୁ କ୍ଷୟ ପାଇବେ ।

5କାରଣ ଆମ୍ଭର ଖଡ଼୍‍ଗ ସ୍ୱର୍ଗରେ ପରିତୃପ୍ତ ରୂପେ ପାନ କରିଅଛି; ଦେଖ, ବିଚାର ସାଧନାର୍ଥେ ତାହା ଇଦୋମର ଓ ଆମ୍ଭର ଅଭିଶପ୍ତ ଲୋକମାନଙ୍କର ଉପରେ ପଡ଼ିବ ।

6ସଦାପ୍ରଭୁଙ୍କ ଖଡ଼୍‍ଗ ରକ୍ତରେ ପରିତୃପ୍ତ, ମେଦରେ ଓ ଛାଗଗଣର ଗୁର୍ଦାର ମେଦରେ ପୁଷ୍ଟ ହୋଇଅଛି; କାରଣ ବସ୍ରାରେ ସଦାପ୍ରଭୁଙ୍କର ଏକ ଯଜ୍ଞ ଓ ଇଦୋମ ଦେଶରେ ଏକ ମହାହତ୍ୟାକାଣ୍ଡ ହେବ ।

7ପୁଣି, ସେମାନଙ୍କ ସଙ୍ଗେ ବନ୍ୟଗୋରୁ, ବୃଷଭ ସଙ୍ଗେ ଯୁବା ବୃଷ ଆସିବେ; ତହିଁରେ ସେମାନଙ୍କ ଦେଶ ରକ୍ତରେ ମତ୍ତ ଓ ସେମାନଙ୍କ ଧୂଳି ମେଦରେ ପୁଷ୍ଟ ହେବ ।

8କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧର ଦିନ, ଏହା ସିୟୋନର ବିବାଦ ସମ୍ବନ୍ଧୀୟ ପ୍ରତିଫଳର ବର୍ଷ ।

9ପୁଣି, ତହିଁର ସ୍ରୋତସବୁ ଝୁଣାରେ, ତହିଁର ଧୂଳି ଗନ୍ଧକରେ ପରିଣତ ହେବ ଓ ତହିଁର ଭୂମି ପ୍ରଜ୍ୱଳିତ ଝୁଣା ହେବ ।

10ତାହା ଦିବାରାତ୍ର ନିର୍ବାଣ ହେବ ନାହିଁ; ତହିଁର ଧୂମ ସଦାକାଳ ଉଠିବ; ପୁରୁଷାନୁକ୍ରମେ ତାହା ମରୁଭୂମି ହୋଇ ରହିବ; ଅନନ୍ତ କାଳ ତାହାର ମଧ୍ୟ ଦେଇ କେହି ଗମନ କରିବ ନାହିଁ ।

11ମାତ୍ର ପାଣିଭେଳା ଓ ଝିଙ୍କ ତାହା ଅଧିକାର କରିବେ; ଆଉ, ପେଚା ଓ ଡାମରାକାଉ ତହିଁ ମଧ୍ୟରେ ବାସ କରିବେ; ପୁଣି, ସେ ତହିଁ ଉପରେ ଅବସ୍ତୁତାରୂପ ମାନରଜ୍ଜୁ ଓ ଶୂନ୍ୟତାରୂପ ଓଳମ ଟାଣିବେ ।

12ସେମାନେ ତହିଁର କୁଳୀନମାନଙ୍କୁ ରାଜତ୍ୱ କରିବାକୁ ଡାକିବେ; ମାତ୍ର କେହି ସେଠାରେ ନ ଥିବେ ଓ ତହିଁର ଅଧିପତି ସମସ୍ତେ ଲୁପ୍ତ ହେବେ ।

13ତହିଁର ଅଟ୍ଟାଳିକାସକଳରେ କଣ୍ଟକ ଓ ତହିଁର ଦୁର୍ଗସବୁରେ ବିଛୁଆତି, କଣ୍ଟକ ଲତା ବଢ଼ିବ, ତାହା ଶୃଗାଳଗଣର ବାସସ୍ଥାନ ଓ ଓଟପକ୍ଷୀଗଣର ଚରାସ୍ଥାନ ହେବ ।

14ପୁଣି, ସେଠାରେ ବନ୍ୟ ପଶୁଗଣ କେନ୍ଦୁଆମାନଙ୍କ ସଙ୍ଗେ ମିଳିବେ ଓ ଛାଗ ଦେବତା ଆପଣା ସଙ୍ଗୀକୁ ଡାକିବ; ଆହୁରି, ନିଶାଚର ସେଠାରେ ବାସ କରି ବିଶ୍ରାମ ସ୍ଥାନ ପାଇବ ।

15ସେସ୍ଥାନରେ ଡିଆଁ ସର୍ପ ଆପଣା ବସା କରି ଡିମ୍ବ ଦେବ ଓ ଛୁଆ ଫୁଟାଇ ଆପଣା ଛାୟା ତଳେ ଏକତ୍ର କରିବ; ଆହୁରି, ଚିଲମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗିନୀ ସହିତ ସେଠାରେ ଏକତ୍ର ହେବେ ।

16ତୁମ୍ଭେମାନେ ସଦାପ୍ରଭୁଙ୍କ ପୁସ୍ତକରୁ ଅନୁସନ୍ଧାନ କରି ପାଠ କର; ଏମାନଙ୍କ ମଧ୍ୟରୁ କେହି ଅନୁପସ୍ଥିତ ହେବ ନାହିଁ, କେହି ଆପଣା ସଙ୍ଗିନୀବିହୀନ ହେବ ନାହିଁ; କାରଣ ମୋ' ମୁଖ ଦ୍ୱାରା ସେ ଏହା ଆଜ୍ଞା କରିଅଛନ୍ତି ଓ ତାହାଙ୍କର ଆତ୍ମା ସେମାନଙ୍କୁ ସଂଗ୍ରହ କରିଅଛି ।

17ପୁଣି, ସେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି ଓ ତାହାଙ୍କର ହସ୍ତ ପରିମାପକ ରଜ୍ଜୁ ଦ୍ୱାରା ତାହା ବିଭାଗ କରି ସେମାନଙ୍କୁ ଦେଇଅଛି; ସେମାନେ ତାହା ସଦା କାଳ ଅଧିକାର କରିବେ, ସେମାନେ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରିବେ ।


  Share Facebook  |  Share Twitter

 <<  Isaiah 34 >> 


Bible2india.com
© 2010-2024
Help
Dual Panel

Laporan Masalah/Saran