Bible 2 India Mobile
[VER] : [ODIYA]     [PL]  [PB] 
 <<  Isaiah 16 >> 

1ତୁମ୍ଭେମାନେ ପ୍ରାନ୍ତର ଅଭିମୁଖସ୍ଥ ସେଲାଠାରୁ ଦେଶାଧ୍ୟକ୍ଷ ନିମନ୍ତେ ସିୟୋନ କନ୍ୟାର ପର୍ବତକୁ ମେଷ ପଠାଅ ।

2କାରଣ ମୋୟାବର କନ୍ୟାଗଣ ଅର୍ଣ୍ଣୋନ ପାର ହେବାର ସମସ୍ତ ସ୍ଥାନରେ ଭ୍ରମଣକାରୀ ପକ୍ଷୀ ପରି ଓ ପକ୍ଷୀର ଛିନ୍ନଭିନ୍ନ ବସା ପରି ହେବେ ।

3ମନ୍ତ୍ରଣା ଦିଅ, ବିଚାର କର; ମଧ୍ୟାହ୍ନ କାଳର ଆପଣା ଛାୟାକୁ ରାତ୍ରି ତୁଲ୍ୟ କର; ବହିଷ୍କୃତ ଲୋକମାନଙ୍କୁ ଲୁଚାଅ; ଭ୍ରମଣକାରୀମାନଙ୍କୁ ପ୍ରକାଶ କର ନାହିଁ ।

4ଆମ୍ଭର ବହିଷ୍କୃତ ଲୋକମାନଙ୍କୁ ତୁମ୍ଭ ସଙ୍ଗରେ ବାସ କରିବାକୁ ଦିଅ; ବିନାଶକାରୀର ସମ୍ମୁଖରୁ ତୁମ୍ଭେ ମୋୟାବର ପାଇଁ ଆଶ୍ରୟ ସ୍ଥାନ ହୁଅ; କାରଣ ପୀଡ଼କ ମହାଜନ ଅକିଞ୍ଚିତ ହୋଇଅଛି, ଅପକାର ନିବୃତ୍ତ ହେଉଅଛି, ଦୌରାତ୍ମ୍ୟକାରୀମାନେ ଦେଶରୁ ସଂହାରିତ ହେଉଅଛନ୍ତି ।

5ପୁଣି, ଦୟାରେ ଏକ ସିଂହାସନ ସ୍ଥାପିତ ହେବ ଓ ଏକ ଜଣ ସତ୍ୟତାରେ ଦାଉଦଙ୍କର ତମ୍ବୁ ମଧ୍ୟରେ ତହିଁ ଉପରେ ଉପବିଷ୍ଟ ହେବେ; ସେ ନ୍ୟାୟ ଅନ୍ଵେଷଣ କରି ବିଚାର କରିବେ ଓ ଧର୍ମ ସାଧନ କରିବାରେ ସତ୍ୱର ହେବେ ।

6ଆମ୍ଭେମାନେ ମୋୟାବର ଗର୍ବ ବିଷୟରେ ଶୁଣିଅଛୁ ଯେ, ସେ ଅତ୍ୟନ୍ତ ଗର୍ବୀ, ତାହାର ଅହଙ୍କାର ଓ ତାହାର ଗର୍ବ ଓ ତାହାର କୋପର କଥା ଶୁଣିଅଛୁ; ତାହାର ଦର୍ପ କିଛି ହିଁ ନୁହେଁ ।

7ଏହେତୁ ମୋୟାବ ମୋୟାବର ନିମନ୍ତେ ହାହାକାର କରିବ, ପ୍ରତ୍ୟେକ ଲୋକ ହାହାକାର କରିବ; କାରଣ ତୁମ୍ଭେମାନେ ଅତ୍ୟନ୍ତ ଦୁଃଖିତ ହୋଇ କୀର-ହେରସତର ଦ୍ରାକ୍ଷାଚକ୍ତି ନିମନ୍ତେ ବିଳାପ କରିବ ।

8ଯେହେତୁ ହିଶ୍‌ବୋନ୍‍ର କ୍ଷେତ୍ରସବୁ ଓ ଶିବ୍‍ମାର ଦ୍ରାକ୍ଷାଲତା ମ୍ଳାନ ହେଉଅଛି; ଗୋଷ୍ଠୀବର୍ଗର ଅଧ୍ୟକ୍ଷଗଣ ତହିଁର ମନୋନୀତ ଚାରାସବୁ ଭାଙ୍ଗି ପକାଇ ଅଛନ୍ତି; ସେସବୁ ଯାସେର ପର୍ଯ୍ୟନ୍ତ ଗଲେ, ପ୍ରାନ୍ତର ପର୍ଯ୍ୟନ୍ତ ଏଣେତେଣେ ଗଲେ; ତାହାର ଶାଖାସବୁ ଚାରିଆଡ଼େ ବିସ୍ତୃତ ହେଲା, ସେସବୁ ସମୁଦ୍ର ପାର ହୋଇ ଗଲେ ।

9ଏହେତୁ ଆମ୍ଭେ ଯାସେରର ରୋଦନ କାଳରେ ଶିବ୍‍ମାର ଦ୍ରାକ୍ଷାଲତା ନିମନ୍ତେ ରୋଦନ କରିବା; ହେ ହିଶ୍‌ବୋନ୍‍, ହେ ଇଲିୟାଲି ଆମ୍ଭେ ଆପଣା ଲୋତକ ଜଳରେ ତୁମ୍ଭକୁ ତିନ୍ତାଇବା; କାରଣ ତୁମ୍ଭର ଗ୍ରୀଷ୍ମ କାଳରେ ଫଳ ଓ ତୁମ୍ଭର ଶସ୍ୟ ଉପରେ ଯୁଦ୍ଧଧ୍ୱନି ପଡ଼ିଅଛି ।

10ପୁଣି, ଆନନ୍ଦ ଓ ଉଲ୍ଲାସ ଉର୍ବରା କ୍ଷେତ୍ରରୁ ଦୂରୀକୃତ ହୋଇଅଛି; ଆଉ, ଦ୍ରାକ୍ଷାକ୍ଷେତ୍ରରେ ଗାନ ଅବା ଆନନ୍ଦଧ୍ୱନି ହେବ ନାହିଁ; କେହି ପଦ ଦ୍ୱାରା ଚାପି ଦ୍ରାକ୍ଷାକୁଣ୍ଡରେ ଦ୍ରାକ୍ଷାରସ ବାହାର କରିବ ନାହିଁ; ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦ ଧ୍ୱନି ନିବୃତ୍ତ କରିଅଛୁ ।

11ଏହି କାରଣରୁ ଆମ୍ଭର ନାଡ଼ୀ ମୋୟାବର ପାଇଁ ଓ ଆମ୍ଭର ଅନ୍ତର କୀରହେରସର ପାଇଁ ବୀଣା ପରି ବାଜୁଅଛି ।

12ପୁଣି, ମୋୟାବ ଆପେ ଉପସ୍ଥିତ ହେବା ବେଳେ ଓ ଉଚ୍ଚସ୍ଥଳୀରେ ଆପଣାକୁ କ୍ଳାନ୍ତ କରି ପ୍ରାର୍ଥନା କରିବା ପାଇଁ ଧର୍ମଧାମରେ ପ୍ରବେଶ କରିବା ବେଳେ ସେ କୃତାର୍ଥ ହେବ ନାହିଁ ।

13ଗତ କାଳରେ ସଦାପ୍ରଭୁ ମୋୟାବ ବିଷୟରେ ଏହି କଥା କହିଥିଲେ ।

14ମାତ୍ର ଏବେ ସଦାପ୍ରଭୁ ଏହି କଥା କହନ୍ତି, ବେତନଜୀବୀର ବର୍ଷ ତୁଲ୍ୟ ତିନି ବର୍ଷ ମଧ୍ୟରେ ମୋୟାବର ଗୌରବ ତାହାର ମହାଜନତା ସୁଦ୍ଧା ତୁଚ୍ଛୀକୃତ ହେବ, ଆଉ ଅବଶିଷ୍ଟାଂଶ ଅତି ଅଳ୍ପ ହେବ ଓ ଗଣନାଯୋଗ୍ୟ ହେବ ନାହିଁ ।


  Share Facebook  |  Share Twitter

 <<  Isaiah 16 >> 


Bible2india.com
© 2010-2024
Help
Dual Panel

Laporan Masalah/Saran