Bible 2 India Mobile
[VER] : [ODIYA]     [PL]  [PB] 
 <<  Isaiah 1 >> 

1ଆମୋସର ପୁତ୍ର ଯିଶାଇୟଙ୍କର ଦର୍ଶନ, ସେ ଯିହୁଦା ରାଜଗଣ ଉଷିୟ, ଯୋଥମ୍‍, ଆହସ୍‌ ଓ ହିଜକୀୟର ଅଧିକାର ସମୟରେ ଯିହୁଦା ଓ ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ ।

2ହେ ଆକାଶମଣ୍ଡଳ, ଶୁଣ, ହେ ପୃଥିବୀ, କର୍ଣ୍ଣପାତ କର, କାରଣ ସଦାପ୍ରଭୁ କହିଅଛନ୍ତି; ଆମ୍ଭେ ସନ୍ତାନଗଣକୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସେମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି ।

3ଗୋରୁ ଆପଣା ଖାଉନ୍ଦକୁ ଓ ଗର୍ଦ୍ଦଭ ଆପଣା କର୍ତ୍ତାର କୁଣ୍ଡକୁ ଚିହ୍ନେ; ମାତ୍ର ଇସ୍ରାଏଲ ଜାଣେ ନାହିଁ, ଆମ୍ଭର ଲୋକମାନେ ବିବେଚନା କରନ୍ତି ନାହିଁ ।

4ଆହା ପାପିଷ୍ଠ ଗୋଷ୍ଠୀ, ଅଧର୍ମରେ ଭାରଗ୍ରସ୍ତ ଲୋକେ, ଦୁଷ୍କର୍ମକାରୀମାନଙ୍କ ବଂଶ, ଭ୍ରଷ୍ଟାଚାରୀ ସନ୍ତାନଗଣ ! ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି, ସେମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଅବଜ୍ଞା କରିଅଛନ୍ତି, ସେମାନେ ବିମୁଖ ହୋଇ ପଛକୁ ଚାଲି ଯାଇଅଛନ୍ତି ।

5ତୁମ୍ଭେମାନେ ଅଧିକ ଅଧିକ ବିଦ୍ରୋହାଚରଣ କରିବା ପାଇଁ କାହିଁକି ଆହୁରି ପ୍ରହାରିତ ହେବ ? ମସ୍ତକଯାକ ପୀଡ଼ିତ ଓ ସମୁଦାୟ ହୃଦୟ ଦୁର୍ବଳ ହୋଇଅଛି ।

6ପାଦର ତଳଠାରୁ ମସ୍ତକ ପର୍ଯ୍ୟନ୍ତ କିଛି ସ୍ୱାସ୍ଥ୍ୟ ନାହିଁ; କେବଳ କ୍ଷତ, ଦାଗ ଓ ପୂଜପୂର୍ଣ୍ଣ ଘା; ସେସବୁ ଟିପା କିମ୍ବା ବନ୍ଧା ଯାଇ ନାହିଁ, କିଅବା ତୈଳ ଦ୍ୱାରା କୋମଳ କରାଯାଇ ନାହିଁ ।

7ତୁମ୍ଭମାନଙ୍କର ଦେଶ ଧ୍ୱଂସସ୍ଥାନ; ତୁମ୍ଭମାନଙ୍କର ନଗରସବୁ ଅଗ୍ନିରେ ଦଗ୍ଧ; ତୁମ୍ଭମାନଙ୍କର ଭୂମି ବିଦେଶୀମାନେ ତୁମ୍ଭମାନଙ୍କର ସାକ୍ଷାତରେ ଗ୍ରାସ କରନ୍ତି, ତାହା ବିଦେଶୀମାନଙ୍କ ଦ୍ୱାରା ବିନଷ୍ଟ ହେବା ତୁଲ୍ୟ ଧ୍ୱଂସସ୍ଥାନ ହୋଇଅଛି ।

8ପୁଣି, ସିୟୋନର କନ୍ୟା ଦ୍ରାକ୍ଷାକ୍ଷେତ୍ରର କୁଟୀର, କାକୁଡ଼ିକ୍ଷେତ୍ରର ବସା, ଅବରୁଦ୍ଧ ନଗର ତୁଲ୍ୟ ହୋଇ ରହିଅଛି ।

9ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ପାଇଁ ଅତି ଅଳ୍ପ ଲୋକ ଅବଶିଷ୍ଟ ରଖି ନ ଥିଲେ, ଆମ୍ଭେମାନେ ସଦୋମର ତୁଲ୍ୟ ହୋଇଥା'ନ୍ତୁ, ଆମ୍ଭେମାନେ ହମୋରାର ତୁଲ୍ୟ ହୋଇଥା'ନ୍ତୁ ।

10ହେ ସଦୋମର ଶାସନକର୍ତ୍ତାମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ, ହେ ହମୋରାର ଲୋକମାନେ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥାରେ କର୍ଣ୍ଣପାତ କର ।

11ସଦାପ୍ରଭୁ କହନ୍ତି, "ଆମ୍ଭ ଉଦ୍ଦେଶ୍ୟରେ ତୁମ୍ଭମାନଙ୍କ ଅପାର ବଳିଦାନର ଅଭିପ୍ରାୟ କଅଣ ?" "ଆମ୍ଭେ ମେଷଗଣର ହୋମବଳିରେ ଓ ପୁଷ୍ଟ ପଶୁଗଣର ମେଦରେ ପୂର୍ଣ୍ଣ ହୋଇଅଛୁ; ପୁଣି, ବୃଷ କିମ୍ବା ମେଷ କିମ୍ବା ଛାଗଳମାନଙ୍କ ରକ୍ତରେ ଆମ୍ଭର ତୁଷ୍ଟି ନାହିଁ ।

12ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଉପସ୍ଥିତ ହେବା ବେଳେ ଆମ୍ଭର ପ୍ରାଙ୍ଗଣସକଳ ପଦ ତଳେ ଦଳିବା ପାଇଁ କିଏ ତୁମ୍ଭମାନଙ୍କଠାରୁ ଚାହିଁଅଛି ?

13ଅସାର ନୈବେଦ୍ୟ ଆଉ ଆଣ ନାହିଁ; ଧୂପଦାହ ଆମ୍ଭର ଘୃଣିତ; ଅମାବାସ୍ୟା ଓ ବିଶ୍ରାମବାର, ସଭାର ଘୋଷଣା ଏହି ଅଧର୍ମ ଓ ମହାସଭା ଆମ୍ଭେ ସହି ପାରୁ ନାହୁଁ ।

14ଆମ୍ଭ ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ୟା ଓ ନିରୂପିତ ପର୍ବସବୁ ଘୃଣା କରେ; ସେହିସବୁ ଆମ୍ଭ ପ୍ରତି କ୍ଲେଶକର; ଆମ୍ଭେ ସେସବୁ ବହିବାକୁ କ୍ଳାନ୍ତ ହୋଇଅଛୁ ।

15ପୁଣି, ତୁମ୍ଭେମାନେ ଆପଣାମାନଙ୍କର ହସ୍ତ ପ୍ରସାର କଲା ବେଳେ ଆମ୍ଭେ ତୁମ୍ଭମାନଙ୍କଠାରୁ ଆପଣା ଚକ୍ଷୁ ଆଚ୍ଛାଦନ କରିବା; ଆହୁରି, ତୁମ୍ଭେମାନେ ଅନେକ ପ୍ରାର୍ଥନା କଲା ବେଳେ ଆମ୍ଭେ ଶୁଣିବା ନାହିଁ । ତୁମ୍ଭମାନଙ୍କ ହସ୍ତ ରକ୍ତରେ ପରିପୂର୍ଣ୍ଣ ।

16ତୁମ୍ଭେମାନେ ଆପଣାମାନଙ୍କୁ ଧୌତ କର, ଆପଣାମାନଙ୍କୁ ଶୁଚି କର; ଆମ୍ଭ ଦୃଷ୍ଟିରୁ ଆପଣାମାନଙ୍କର କ୍ରିୟାର ମନ୍ଦତା ଦୂର କର; କୁକ୍ରିୟା କରିବାରୁ ନିବୃତ୍ତ ହୁଅ;

17ସୁକ୍ରିୟା କରିବାକୁ ଶିଖ; ନ୍ୟାୟବିଚାର ଚେଷ୍ଟା କର, ଉପଦ୍ରବଗ୍ରସ୍ତମାନଙ୍କର ସାହାଯ୍ୟ କର, ପିତୃହୀନମାନଙ୍କର ନ୍ୟାୟ ବିଚାର କର, ବିଧବାମାନଙ୍କ ପକ୍ଷରେ ପ୍ରତିବାଦ କର ।"

18ସଦାପ୍ରଭୁ କହନ୍ତି, ଆସ, ଆମ୍ଭେମାନେ ଉତ୍ତର ପ୍ରତ୍ୟୁତ୍ତର କରୁ; ତୁମ୍ଭମାନଙ୍କର ପାପସବୁ ସିନ୍ଦୂରବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ; ସେସବୁ ଲୋହିତବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ହେବ ।

19ଯଦି ତୁମ୍ଭେମାନେ ସମ୍ମତ ଓ ଆଜ୍ଞାବହ ହେବ, ତେବେ ଦେଶର ଉତ୍ତମ ଫଳ ଭୋଗ କରିବ ।

20ମାତ୍ର ଯଦି ତୁମ୍ଭେମାନେ ଅସମ୍ମତ ଓ ବିରୁଦ୍ଧାଚାରୀ ହେବ, ତେବେ ଖଡ଼୍‍ଗଭୁକ୍ତ ହେବ; କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି ।

21ସତୀ ନଗରୀ କିପରି ବେଶ୍ୟା ହୋଇଅଛି ! ସେ ନ୍ୟାୟବିଚାରରେ ପୂର୍ଣ୍ଣା ଥିଲା । ଧର୍ମ ତାହା ମଧ୍ୟରେ ବାସ କଲା, ମାତ୍ର ଏବେ ହତ୍ୟାକାରୀମାନେ ଅଛନ୍ତି ।

22ତୁମ୍ଭର ରୂପା ଖାଦ ହୋଇଅଛି, ତୁମ୍ଭର ଦ୍ରାକ୍ଷାରସ ଜଳମିଶ୍ରିତ ହୋଇଅଛି ।

23ତୁମ୍ଭର ଅଧିପତିମାନେ ବିଦ୍ରୋହୀ ଓ ଚୋରମାନଙ୍କର ସଖା; ପ୍ରତ୍ୟେକେ ଲାଞ୍ଚ ଭଲ ପା'ନ୍ତି ଓ ପାରିତୋଷିକର ପଶ୍ଚାଦ୍‍ବର୍ତ୍ତୀ ହୁଅନ୍ତି; ସେମାନେ ପିତୃହୀନମାନଙ୍କର ବିଚାର କରନ୍ତି ନାହିଁ, କିଅବା ବିଧବାର ଗୁହାରି ସେମାନଙ୍କ ନିକଟକୁ ଆସେ ନାହିଁ ।

24ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ବଳଦାତା କହନ୍ତି, ଆଃ, ଆମ୍ଭେ ଆପଣା ବିପକ୍ଷଗଣ ବିଷୟରେ ଆରାମ ପାଇବା ଓ ଆମ୍ଭେ ଆପଣା ଶତ୍ରୁଗଣଠାରୁ ପରିଶୋଧ ନେବା;

25ପୁଣି, ଆମ୍ଭେ ତୁମ୍ଭଆଡ଼େ ଆପଣା ହସ୍ତ ଫେରାଇ ତୁମ୍ଭର ଖାଦ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରିବା ଓ ତୁମ୍ଭର ସୀସାସବୁ କାଢ଼ି ନେବା;

26ଆଉ, ଆମ୍ଭେ ପୂର୍ବ କାଳ ପରି ତୁମ୍ଭର ବିଚାର-କର୍ତ୍ତୃଗଣଙ୍କୁ ଓ ଆଦ୍ୟ ସମୟ ପରି ତୁମ୍ଭ ମନ୍ତ୍ରୀଗଣଙ୍କୁ ପୁନଃସ୍ଥାପନ କରିବା; ତହିଁ ଉତ୍ତାରୁ ତୁମ୍ଭେ ଧର୍ମପୁରୀ, ସତୀ ନଗରୀ ବୋଲି ବିଖ୍ୟାତ ହେବ ।

27ସିୟୋନ ନ୍ୟାୟବିଚାର ଦ୍ୱାରା ଓ ତାହାର ଫେରି ଆସିବା ଲୋକମାନେ ଧାର୍ମିକତା ଦ୍ୱାରା ମୁକ୍ତି ପାଇବେ ।

28ମାତ୍ର ଅଧର୍ମାଚାରୀ ଓ ପାପୀମାନେ ଏକତ୍ର ବିନଷ୍ଟ ହେବେ ଓ ଯେଉଁମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରନ୍ତି, ସେମାନେ ସଂହାରିତ ହେବେ ।

29କାରଣ ସେମାନେ ତୁମ୍ଭମାନଙ୍କର ବାଞ୍ଛିତ ଅଲୋନ୍‍ ବୃକ୍ଷ ବିଷୟରେ ଲଜ୍ଜିତ ହେବେ, ପୁଣି, ତୁମ୍ଭେମାନେ ଆପଣାମାନଙ୍କର ମନୋନୀତ ଉଦ୍ୟାନସକଳର ବିଷୟରେ ହତାଶ ହେବ ।

30ଯେହେତୁ ତୁମ୍ଭେମାନେ ଶୁଷ୍କପତ୍ର ଅଲୋନ୍‍ ବୃକ୍ଷ ଓ ନିର୍ଜଳ ଉଦ୍ୟାନ ତୁଲ୍ୟ ହେବ ।

31ପୁଣି, ବଳବାନ ଲୋକ ଛଣପଟ ପରି ଓ ତାହାର କର୍ମ ଅଗ୍ନିକଣା ପରି ହେବ; ସେ ଦୁଇ ଏକତ୍ର ଜ୍ୱଳିବ ଓ କେହି ତାହା ଲିଭାଇବ ନାହିଁ ।


  Share Facebook  |  Share Twitter

 <<  Isaiah 1 >> 


Bible2india.com
© 2010-2024
Help
Dual Panel

Laporan Masalah/Saran