Bible 2 India Mobile
[VER] : [ODIYA]     [PL]  [PB] 
 <<  Jeremiah 8 >> 

1ସଦାପ୍ରଭୁ କହନ୍ତି, "ସେହି ସମୟରେ ଲୋକମାନେ ଯିହୁଦାର ରାଜାଗଣର ଅସ୍ଥି ଓ ତାହାର ଅଧିପତିଗଣର ଅସ୍ଥି, ଯାଜକଗଣର ଅସ୍ଥି, ଭବିଷ୍ୟଦ୍‍ବକ୍ତାଗଣଙ୍କ ଅସ୍ଥି ଓ ଯିରୂଶାଲମ ନିବାସୀଗଣର ଅସ୍ଥି ସେମାନଙ୍କ କବରରୁ ବାହାର କରିବେ ।

2ଆଉ, ସେମାନେ ସୂର୍ଯ୍ୟ, ଚନ୍ଦ୍ର ଓ ଆକାଶମଣ୍ଡଳସ୍ଥ ସୈନ୍ୟଗଣକୁ ଭଲ ପାଇଅଛନ୍ତି ଓ ଯେଉଁମାନଙ୍କର ସେବା କରିଅଛନ୍ତି ଓ ଯେଉଁମାନଙ୍କର ପଶ୍ଚାଦ୍‍ଗାମୀ ହୋଇଅଛନ୍ତି ଓ ଯେଉଁମାନଙ୍କର ଅନ୍ୱେଷଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସେମାନଙ୍କ ଆଗରେ ତାହାସବୁ ଛିନ୍ନଭିନ୍ନ କରି ପକାଇବେ; ସେହି ଅସ୍ଥିସବୁ ଏକତ୍ରୀକୃତ କିଅବା କବରରେ ପୋତା ହେବ ନାହିଁ; ସେସବୁ ଭୂମିରେ ଖତ ତୁଲ୍ୟ ହେବ ।"

3ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, "ଏହି ଦୁଷ୍ଟ ବଂଶକୁ ଆମ୍ଭେ ଯେଉଁ ଯେଉଁ ସ୍ଥାନକୁ ତଡ଼ି ଦେଇଅଛୁ, ସେସବୁ ସ୍ଥାନରେ ସେମାନଙ୍କର ଅବଶିଷ୍ଟ ଥିବା ସମସ୍ତଙ୍କ ପ୍ରତି ଜୀବନ ଅପେକ୍ଷା ବରଞ୍ଚ ମୃତ୍ୟୁ ବାଞ୍ଛନୀୟ ହେବ ।

4ଆହୁରି, ତୁମ୍ଭେ ସେମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, "ମନୁଷ୍ୟ ପଡ଼ିଲେ, କ'ଣ ଆଉ ଉଠେ ନାହିଁ ? ବିପଥରେ ଗଲେ, କ'ଣ ଆଉ ଫେରେ ନାହିଁ ?"

5ତେବେ ଯିରୂଶାଲମସ୍ଥ ଏହି ଲୋକମାନେ ଚିରକାଳ ବିପଥଗମନରେ କାହିଁକି ବିପଥଗାମୀ ହୋଇଅଛନ୍ତି ? ସେମାନେ ପ୍ରବଞ୍ଚନା ଦୃଢ଼ ରୂପେ ଧରନ୍ତି, ସେମାନେ ଫେରିବାକୁ ଅସମ୍ମତ ।

6ଆମ୍ଭେ ମନୋଯୋଗ କରି ଶୁଣିଲୁ, ମାତ୍ର ସେମାନେ ଯଥାର୍ଥ କଥା କହିଲେ ନାହିଁ; ହାୟ ହାୟ, ମୁଁ କ'ଣ କରିଅଛି ! ଏହା କହି କେହି ଆପଣା ଦୁଷ୍ଟତା ସକାଶେ ଅନୁତାପ କରେ ନାହିଁ; ଯେପରି ଊର୍ଦ୍ଧ୍ୱଶ୍ୱାସରେ ଅଶ୍ୱ ଯୁଦ୍ଧରେ ଦୌଡ଼େ, ସେପରି ପ୍ରତ୍ୟେକ ଲୋକ ଆପଣା ଆପଣା ପଥରେ ଦୌଡ଼େ ।

7ହଁ, ଆକାଶଗାମିନୀ ଚରଳ ଆପଣାର ନିରୂପିତ ସମୟ ଜାଣେ; ଆଉ, କପୋତ, ତାଳଚୋଞ୍ଚ ଓ ସାରସ ଆପଣା ଆପଣାର ଆସିବାର କାଳ ରକ୍ଷା କରନ୍ତି; ମାତ୍ର ଆମ୍ଭର ଲୋକମାନେ ସଦାପ୍ରଭୁଙ୍କର ନିୟମ ଜାଣନ୍ତି ନାହିଁ ।

8ଆମ୍ଭେମାନେ ଜ୍ଞାନୀ ଓ ସଦାପ୍ରଭୁଙ୍କର ବ୍ୟବସ୍ଥା ଆମ୍ଭମାନଙ୍କଠାରେ ଅଛି, ଏହି କଥା ତୁମ୍ଭେମାନେ କିପରି କହୁଅଛ ? ମାତ୍ର, ଦେଖ, ଅଧ୍ୟାପକମାନଙ୍କର ମିଥ୍ୟା ଲେଖନୀ ମିଥ୍ୟା ଗଢ଼ିଅଛି ।

9ଜ୍ଞାନୀମାନେ ଲଜ୍ଜିତ ହୋଇଅଛନ୍ତି, ସେମାନେ ଘାବରା ଓ ଧରା ହୋଇଅଛନ୍ତି; ଦେଖ, ସେମାନେ ସଦାପ୍ରଭୁଙ୍କର ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି; ଆଉ, ସେମାନଙ୍କର ଜ୍ଞାନ କିପ୍ରକାର ?

10ଏହେତୁ ଆମ୍ଭେ ଅନ୍ୟମାନଙ୍କୁ ସେମାନଙ୍କର ଭାର୍ଯ୍ୟାଗଣ ଓ ଅନ୍ୟ ଅନ୍ୟ ଅଧିକାରୀଙ୍କୁ ସେମାନଙ୍କର କ୍ଷେତ୍ରସବୁ ଦେବା; କାରଣ ସେମାନଙ୍କର କ୍ଷୁଦ୍ର ଠାରୁ ଅତ୍ୟନ୍ତ ମହାନ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକେ ହିଁ ଲୋଭାସକ୍ତ, ଭବିଷ୍ୟଦ୍‍ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକେ ହିଁ ମିଥ୍ୟାଚରଣ କରନ୍ତି ।

11ପୁଣି, ଶାନ୍ତି ନ ଥିଲେ ହେଁ ସେମାନେ ଶାନ୍ତି, ଶାନ୍ତି ବୋଲି କହି ଆମ୍ଭ ଲୋକମାନଙ୍କ କନ୍ୟାର କ୍ଷତ ଉପରେ ଉପରେ ସୁସ୍ଥ କରନ୍ତି ।

12ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରିଅଛନ୍ତି ବୋଲି କ'ଣ ଲଜ୍ଜିତ ହେଲେ ? ନା, ସେମାନେ କିଛି ହିଁ ଲଜ୍ଜିତ ହେଲେ ନାହିଁ, କିଅବା ମୁଖ ବିବର୍ଣ୍ଣ କଲେ ନାହିଁ; ଏହେତୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସଦାପ୍ରଭୁ କହନ୍ତି, "ସେମାନଙ୍କ ପ୍ରତିଫଳ ପ୍ରାପ୍ତିର ସମୟରେ ସେମାନେ ନିପାତିତ ହେବେ ।"

13ସଦାପ୍ରଭୁ କହନ୍ତି, "ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ସଂହାର କରିବା; ଦ୍ରାକ୍ଷାଲତାରେ ଦ୍ରାକ୍ଷାଫଳ, କିଅବା ଡିମ୍ୱିରି ବୃକ୍ଷରେ ଡିମ୍ୱିରି ଫଳ ରହିବ ନାହିଁ ଓ ପତ୍ର ମ୍ଳାନ ହେବ; ଆଉ, ଆମ୍ଭେ ସେମାନଙ୍କୁ ଯାହା ଦେଇଅଛୁ, ସେସବୁ ସେମାନଙ୍କଠାରୁ ଛାଡ଼ିଯିବ ।"

14ଆମ୍ଭେମାନେ କାହିଁକି ତୁନି ହୋଇ ବସୁଅଛୁ ? ଏକତ୍ରିତ ହୁଅ,ଆସ, ଆମ୍ଭେମାନେ ପ୍ରାଚୀରବେଷ୍ଟିତ ନଗରମାନରେ ପ୍ରବେଶ କରୁ ଓ ସେଠାରେ ନୀରବ ହେଉ; କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ ବୋଲି ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ନୀରବ କରିଅଛନ୍ତି ଓ ବିଷବୃକ୍ଷର ରସ ପାନ କରିବାକୁ ଦେଇଅଛନ୍ତି ।

15ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ; ଆରୋଗ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ !

16ଦାନ୍‍ ନଗରଠାରୁ ତାହାର ଅଶ୍ୱଗଣର ନାସା ଶବ୍ଦ ଶୁଣା ଯାଉଅଛି; ତାହାର ବଳିଷ୍ଠ ଅଶ୍ୱଗଣର ହିଁ ହିଁ ଶବ୍ଦରେ ସମୁଦାୟ ଦେଶ କମ୍ପୁଅଛି; କାରଣ ସେମାନେ ଆସିଅଛନ୍ତି, ଆଉ ଦେଶ ଓ ତନ୍ମଧ୍ୟସ୍ଥିତ ସକଳ ନଗର ଓ ତନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି;

17"ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ସର୍ପ, କାଳସର୍ପମାନଙ୍କୁ ପଠାଇବା, ସେମାନେ ତୁମ୍ଭମାନଙ୍କୁ ଦଂଶନ କରିବେ," ଏହା ସଦାପ୍ରଭୁ କହନ୍ତି ।

18ଆହା, ମୁଁ ଯେବେ ଦୁଃଖ ପ୍ରତିକୂଳରେ ଆପଣାକୁ ସାନ୍ତ୍ୱନା କରି ପାରନ୍ତି ! ମୋର ମଧ୍ୟରେ ମୋ' ହୃଦୟ ମୂର୍ଚ୍ଛିତ ।

19ଦେଖ, ଅତି ଦୂର ଦେଶରୁ ମୋ' ଲୋକଙ୍କ କନ୍ୟାର ଆର୍ତ୍ତନାଦ; ସଦାପ୍ରଭୁ କ'ଣ ସିୟୋନରେ ନାହାନ୍ତି ? ତହିଁର ରାଜା କ'ଣ ତହିଁ ମଧ୍ୟରେ ନାହାନ୍ତି ? ସେମାନେ ଆପଣାମାନଙ୍କର ଖୋଦିତ ପ୍ରତିମା ଓ ବିଦେଶୀୟ ଅସାର ବସ୍ତୁ ସମୂହ ଦ୍ୱାରା କାହିଁକି ଆମ୍ଭଙ୍କୁ ବିରକ୍ତ କରିଅଛନ୍ତି ?

20ଶସ୍ୟସଂଗ୍ରହର ସମୟ ଗତ ହେଲା, ଗ୍ରୀଷ୍ମକାଳ ଶେଷ ହେଲା, ମାତ୍ର ଆମ୍ଭମାନଙ୍କର ପରିତ୍ରାଣ ହୋଇ ନାହିଁ ।

21ମୁଁ ଆପଣା ଲୋକମାନଙ୍କ କନ୍ୟାର ଦୁଃଖ ସକାଶୁ ଦୁଃଖିତ; ମୁଁ ମଳିନ; ବିସ୍ମୟତା ମୋତେ ଆକ୍ରାନ୍ତ କରିଅଛି ।

22ଗିଲୀୟଦରେ କ'ଣ ଔଷଧ ନାହିଁ ? ସେଠାରେ କ'ଣ ବୈଦ୍ୟ ନାହାନ୍ତି ? ତେବେ ମୋ' ଲୋକମାନଙ୍କ କନ୍ୟା କାହିଁକି ପୁନଃ ସ୍ୱାସ୍ଥ୍ୟଲାଭ କରୁ ନାହିଁ ?


  Share Facebook  |  Share Twitter

 <<  Jeremiah 8 >> 


Bible2india.com
© 2010-2024
Help
Dual Panel

Laporan Masalah/Saran