Bible 2 India Mobile
[VER] : [ODIYA]     [PL]  [PB] 
 <<  Jeremiah 18 >> 

1ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କ ନିକଟରୁ ଏହି ବାକ୍ୟ ଉପସ୍ଥିତ ହେଲା;

2"ତୁମ୍ଭେ ଉଠି କୁମ୍ଭକାରର ଗୃହକୁ ଯାଅ, ସେଠାରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ୟ ଶୁଣାଇବା ।"

3ତେବେ ମୁଁ କୁମ୍ଭକାର ଗୃହକୁ ଗଲି, ଆଉ ଦେଖ, ସେ ଚକ୍ରରେ ଆପଣା କର୍ମ କରୁଥିଲା ।

4କୁମ୍ଭକାର ମୃତ୍ତିକାର ଯେଉଁ ପାତ୍ର ନିର୍ମାଣ କରୁଥିଲା, ତାହା ତାହାର ହସ୍ତରେ ବିଗିଡ଼ି ଯିବାରୁ କୁମ୍ଭକାର ତାହା ନେଇ ଆପଣା ଇଚ୍ଛାନୁସାରେ ଆଉ ଗୋଟିଏ ପାତ୍ର ନିର୍ମାଣ କଲା ।

5ତହୁଁ ମୋ' ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,

6ସଦାପ୍ରଭୁ କହନ୍ତି, "ହେ ଇସ୍ରାଏଲ ବଂଶ, ଆମ୍ଭେ କି ଏହି କୁମ୍ଭକାର ପରି ତୁମ୍ଭ ପ୍ରତି କରି ନ ପାରୁ ? ହେ ଇସ୍ରାଏଲ ବଂଶ, ଦେଖ, ଯେପରି ମୃତ୍ତିକା କୁମ୍ଭକାରର ହସ୍ତରେ, ସେପରି ତୁମ୍ଭେମାନେ ଆମ୍ଭ ହସ୍ତରେ ଅଛ ।

7ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ ଓ ଅଧଃପତନ ଓ ବିନାଶର କଥା କହିବା;

8ସେତେବେଳେ ଯେଉଁ ଗୋଷ୍ଠୀ ବିଷୟରେ ଆମ୍ଭେ କହିଅଛୁ, ସେମାନେ ଯଦି ଆପଣା ଆପଣା ଦୁଷ୍କର୍ମରୁ ଫେରନ୍ତି, ତେବେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ଆମ୍ଭେ ମନରେ କଲୁ, ତହିଁରୁ ଆମ୍ଭେ କ୍ଷାନ୍ତ ହେବା ।

9ପୁଣି, ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀକି ରାଜ୍ୟ ବିଷୟରେ ଗଠନ ଓ ରୋପଣର କଥା କହିବା;

10ସେତେବେଳେ ସେ ଯଦି ଆମ୍ଭର ରବ ନ ମାନି ଆମ୍ଭ ଦୃଷ୍ଟିରେ ଦୁଷ୍କର୍ମ କରେ, ତେବେ ଆମ୍ଭେ ତାହା ପ୍ରତି ଯେଉଁ ମଙ୍ଗଳ କରିବାର କଥା କହିଲୁ, ତହିଁରୁ ଆମ୍ଭେ କ୍ଷାନ୍ତ ହେବା ।"

11ଏନିମନ୍ତେ ଏବେ ତୁମ୍ଭେ ଯିହୁଦାର ଲୋକମାନଙ୍କ ଓ ଯିରୂଶାଲମ ନିବାସୀମାନଙ୍କ ନିକଟକୁ ଯାଇ କୁହ, ସଦାପ୍ରଭୁ ଏହି କଥା କହନ୍ତି; "ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ସଂକଳ୍ପ କରୁଅଛୁ; ଏବେ ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେର, ପୁଣି ଆପଣା ଆପଣା ପଥ ଓ ଆପଣା ଆପଣା କ୍ରିୟାର ଶୋଧନ କର ।"

12ମାତ୍ର ସେମାନେ କହନ୍ତି, ଭରସା ନାହିଁ; କାରଣ ଆମ୍ଭେମାନେ ଆପଣା ଆପଣା ସଂକଳ୍ପ ଅନୁସାରେ ଚାଲିବା ଓ ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ କର୍ମ କରିବା ।

13ଏଥିପାଇଁ ସଦାପ୍ରଭୁ ଏହି କଥା କହନ୍ତି; "ତୁମ୍ଭେମାନେ ଏବେ ନାନା ଦେଶୀୟମାନଙ୍କ ମଧ୍ୟରେ ପଚାର, ଏପରି କଥା କିଏ ଶୁଣିଅଛି; ଇସ୍ରାଏଲର ଅନୂଢ଼ା କନ୍ୟା ଅତ୍ୟନ୍ତ ରୋମାଞ୍ଚଜନକ କାର୍ଯ୍ୟ କରିଅଛି ।

14ଲିବାନୋନ୍‍ର ହିମ କି କ୍ଷେତ୍ରସ୍ଥ ଶୈଳରେ ଅଭାବ ହେବ ? କିଅବା ଦୂରରୁ ପ୍ରବାହିତ ସୁଶୀତଳ ଜଳସ୍ରୋତ କି ଶୁଷ୍କ ହେବ ?

15ମାତ୍ର ଆମ୍ଭର ଲୋକମାନେ ଆମ୍ଭକୁ ପାସୋରି ଅସାର ଦେବଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି, ଆଉ ସେମାନେ ଅପ୍ରସ୍ତୁତ ମାର୍ଗର ନାନା ଉପପଥରେ ସେମାନଙ୍କୁ ଗମନ କରାଇବା ନିମନ୍ତେ ସେମାନଙ୍କ ପଥରେ, ପୁରାତନ ପଥରେ ସେମାନଙ୍କର ବିଘ୍ନ ଜନ୍ମାଇ ଅଛନ୍ତି;

16ଏଥିରେ ସେମାନଙ୍କର ଦେଶକୁ ବିସ୍ମୟର ଓ ନିତ୍ୟ ଶୀସ୍‍ ଶବ୍ଦର ପାତ୍ର କରନ୍ତି; ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମୟାପନ୍ନ ହୋଇ ଆପଣା ମସ୍ତକ ହଲାଇବ ।

17ଆମ୍ଭେ ଶତ୍ରୁ ସମ୍ମୁଖରେ ପୂର୍ବୀୟ ବାୟୁ ଦ୍ୱାରା ଛିନ୍ନ ହେଲା ପରି ସେମାନଙ୍କୁ ଛିନ୍ନଭିନ୍ନ କରିବା; ଆମ୍ଭେ ସେମାନଙ୍କ ବିପଦ ଦିନରେ ସେମାନଙ୍କ ପ୍ରତି ଅଭିମୁଖ ନ ହୋଇ ବିମୁଖ ହେବା ।"

18ତେବେ ସେମାନେ କହିଲେ, "ଆସ, ଆମ୍ଭେମାନେ ଯିରିମିୟ ବିରୁଦ୍ଧରେ ପରାମର୍ଶ କରୁ; କାରଣ ଯାଜକ ନିକଟରୁ ବ୍ୟବସ୍ଥା ଅବା ଜ୍ଞାନବାନ ନିକଟରୁ ମନ୍ତ୍ରଣା ଅଥବା ଭବିଷ୍ୟଦ୍‍ବକ୍ତା ନିକଟରୁ ବାକ୍ୟ ଲୁପ୍ତ ହେବ ନାହିଁ । ଆସ, ଆମ୍ଭେମାନେ ଜିହ୍ୱା ଦ୍ୱାରା ତାହାକୁ ପ୍ରହାର କରୁ, ପୁଣି ତାହାର କୌଣସି କଥାରେ ମନୋଯୋଗ ନ କରୁ ।"

19ହେ ସଦାପ୍ରଭୁ, ମୋ' ପ୍ରତି ମନୋଯୋଗ କର ଓ ମୋ' ସଙ୍ଗେ ବିରୋଧକାରୀମାନଙ୍କର କଥାରେ ଅବଧାନ କର ।

20ମଙ୍ଗଳର ପରିଶୋଧରେ କି ଅମଙ୍ଗଳ କରାଯିବ ? କାରଣ ସେମାନେ ମୋ' ପ୍ରାଣ ପାଇଁ ଗର୍ତ୍ତ ଖୋଳିଅଛନ୍ତି । ମୁଁ ସେମାନଙ୍କଠାରୁ ତୁମ୍ଭର ପ୍ରଚଣ୍ଡ କ୍ରୋଧ ଫେରାଇବା ନିମନ୍ତେ ସେମାନଙ୍କ ପକ୍ଷରେ ମଙ୍ଗଳଜନକ କଥା କହିବା ପାଇଁ କିପରି ତୁମ୍ଭ ସମ୍ମୁଖରେ ଠିଆ ହେଲି, ଏହା ସ୍ମରଣ କର ।

21ଏହେତୁ ତୁମ୍ଭେ ସେମାନଙ୍କ ସନ୍ତାନଗଣକୁ ଦୁର୍ଭିକ୍ଷରେ ସମର୍ପଣ କର ଓ ସେମାନଙ୍କୁ ଖଡ୍ଗର ପରାକ୍ରମରେ ଛାଡ଼ି ଦିଅ; ଆଉ, ସେମାନଙ୍କର ଭାର୍ଯ୍ୟାମାନେ ସନ୍ତାନହୀନା ଓ ବିଧବା ହେଉନ୍ତୁ ଓ ସେମାନଙ୍କର ପୁରୁଷମାନେ ମୃତ୍ୟୁରେ ସଂହାରିତ ହେଉନ୍ତୁ ଓ ସେମାନଙ୍କର ଯୁବାଗଣ ଯୁଦ୍ଧରେ ଖଡ୍ଗରେ ହତ ହେଉନ୍ତୁ ।

22ତୁମ୍ଭେ ଯେଉଁ ସମୟରେ ହଠାତ୍‍ ସେମାନଙ୍କ ବିରୁଦ୍ଧରେ ସୈନ୍ୟଦଳ ଆଣିବ, ସେହି ସମୟରେ ସେମାନଙ୍କର ସକଳ ଗୃହରୁ କ୍ରନ୍ଦନର ସ୍ୱର ଶୁଣାଯାଉ; କାରଣ ସେମାନେ ମୋତେ ଧରିବା ପାଇଁ ଗର୍ତ୍ତ ଖୋଳିଅଛନ୍ତି ଓ ମୋ' ଚରଣ ପାଇଁ ଗୋପନରେ ଫାନ୍ଦ ପାତିଅଛନ୍ତି ।

23ତଥାପି ହେ ସଦାପ୍ରଭୁ, ମୋତେ ବଧ କରିବା ପାଇଁ ସେମାନଙ୍କର ମନ୍ତ୍ରଣାସବୁ ତୁମ୍ଭେ ଜାଣୁଅଛ; ତୁମ୍ଭେ ସେମାନଙ୍କର ଅଧର୍ମ କ୍ଷମା କର ନାହିଁ, କିଅବା ତୁମ୍ଭ ଦୃଷ୍ଟିରୁ ସେମାନଙ୍କ ପାପ ଲିଭାଇ ଦିଅ ନାହିଁ; ମାତ୍ର ସେମାନେ ତୁମ୍ଭ ସମ୍ମୁଖରେ ନିପାତିତ ହେଉନ୍ତୁ; ତୁମ୍ଭେ ଆପଣା କ୍ରୋଧ ସମୟରେ ସେମାନଙ୍କ ପ୍ରତି ବ୍ୟବହାର କର ।


  Share Facebook  |  Share Twitter

 <<  Jeremiah 18 >> 


Bible2india.com
© 2010-2024
Help
Dual Panel

Laporan Masalah/Saran