Bible 2 India Mobile
[VER] : [ODIYA]     [PL]  [PB] 
 <<  Jeremiah 16 >> 

1ସଦାପ୍ରଭୁଙ୍କର ବାକ୍ୟ ଆହୁରି ମୋ' ନିକଟରେ ଉପସ୍ଥିତ ହେଲା,

2ଯଥା, "ତୁମ୍ଭେ ଏହି ସ୍ଥାନରେ ବିବାହ କରିବ ନାହିଁ, କିଅବା ପୁତ୍ରକନ୍ୟା ଜାତ କରିବ ନାହିଁ ।"

3କାରଣ ଏହି ସ୍ଥାନରେ ଜାତ ପୁତ୍ର ଓ କନ୍ୟାଗଣ ବିଷୟରେ ଓ ଏହି ଦେଶରେ ସେମାନଙ୍କର ପ୍ରସବକାରିଣୀ ମାତାମାନଙ୍କ ବିଷୟରେ, ଆଉ ସେମାନଙ୍କ ଜନ୍ମଦାତା ପିତୃଗଣ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି ।

4"ସେମାନେ ଅତି ଯନ୍ତ୍ରଣାଦାୟକ ମୃତ୍ୟୁରେ ପ୍ରାଣତ୍ୟାଗ କରିବେ; ସେମାନଙ୍କ ନିମନ୍ତେ ବିଳାପ କରାଯିବ ନାହିଁ, କିଅବା ସେମାନଙ୍କୁ କବର ଦିଆଯିବ ନାହିଁ, ସେମାନେ ଭୂମି ଉପରେ ଖତ ପରି ହେବେ; ଆଉ, ସେମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ୱାରା ସଂହାରିତ ହେବେ; ପୁଣି, ସେମାନଙ୍କର ଶବ ଆକାଶ ପକ୍ଷୀଗଣର ଓ ଭୂଚର ପଶୁଗଣର ଖାଦ୍ୟ ହେବ ।"

5କାରଣ ସଦାପ୍ରଭୁ ଏହି କଥା କହନ୍ତି, "ଶୋକ ଗୃହରେ ପ୍ରବେଶ କର ନାହିଁ, କିଅବା ସେମାନଙ୍କ ପାଇଁ ବିଳାପ ଅଥବା କ୍ରନ୍ଦନ କରିବା ପାଇଁ ଯାଅ ନାହିଁ;" କାରଣ ସଦାପ୍ରଭୁ କହନ୍ତି "ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭର ଶାନ୍ତି ଓ ସ୍ନେହପୂର୍ଣ୍ଣ କରୁଣା ଓ ଦୟା ହରଣ କରିଅଛୁ ।

6ଏହି ଦେଶରେ ମହାନ ଓ କ୍ଷୁଦ୍ର ଉଭୟ ଲୋକ ମରିବେ; ସେମାନଙ୍କୁ କବର ଦିଆଯିବ ନାହିଁ, ଅଥବା ଲୋକେ ସେମାନଙ୍କ ନିମନ୍ତେ ବିଳାପ କରିବେ ନାହିଁ, କିଅବା ସେମାନଙ୍କ ନିମନ୍ତେ ଆପଣା ଆପଣା ଅଙ୍ଗରେ ଅସ୍ତ୍ରାଘାତ ଅଥବା ମସ୍ତକ ମୁଣ୍ଡନ କରିବେ ନାହିଁ;

7କିଅବା ମୃତ ଲୋକମାନଙ୍କ ନିମନ୍ତେ ଶୋକକାରୀମାନଙ୍କୁ ସାନ୍ତ୍ୱନା କରିବା ପାଇଁ ଲୋକେ ରୁଟି ଭାଙ୍ଗିବେ ନାହିଁ; ଅଥବା ଆପଣା ଆପଣା ପିତା ଓ ମାତା ନିମନ୍ତେ ପାନ କରିବା ପାଇଁ ସାନ୍ତ୍ୱନାସୂଚକ ପାତ୍ର ଦେବେ ନାହିଁ ।"

8ପୁଣି, ତୁମ୍ଭେ ଭୋଜନ ପାନ କରିବା ନିମନ୍ତେ ସେମାନଙ୍କ ସଙ୍ଗେ ବସିବା ପାଇଁ କୌଣସି ଭୋଜି ଗୃହକୁ ଯିବ ନାହିଁ ।

9କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; "ଦେଖ, ଆମ୍ଭେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ଓ ତୁମ୍ଭମାନଙ୍କ ସମୟରେ ଏହି ସ୍ଥାନରୁ ଆମୋଦପ୍ରମୋଦର ଧ୍ୱନି ଓ ଆନନ୍ଦର ଧ୍ୱନି, ବରର ରବ ଓ କନ୍ୟାର ରବ ନିବୃତ୍ତ କରାଇବା ।"

10ଆଉ, ତୁମ୍ଭେ ଏହିସବୁ କଥା ଏ ଲୋକମାନଙ୍କ ନିକଟରେ ଯେତେବେଳେ ପ୍ରକାଶ କରିବ ଓ ସେମାନେ ତୁମ୍ଭକୁ କହିବେ, ସଦାପ୍ରଭୁ କାହିଁକି ଏହିସବୁ ମହା ଅମଙ୍ଗଳର କଥା ଆମ୍ଭମାନଙ୍କ ବିରୁଦ୍ଧରେ କହିଅଛନ୍ତି ? ଅବା ଆମ୍ଭମାନଙ୍କର ଅପରାଧ କି ? ଅବା ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ କି ପାପ କରିଅଛୁ ?

11ତହିଁରେ ତୁମ୍ଭେ ସେମାନଙ୍କୁ କହିବ, ସଦାପ୍ରଭୁ କହନ୍ତି, "ତୁମ୍ଭମାନଙ୍କ ପିତୃପୁରୁଷମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଅନ୍ୟ ଦେବଗଣର ପଶ୍ଚାଦ୍‍ଗମନ କରି ସେମାନଙ୍କର ସେବା କରିଅଛନ୍ତି ଓ ସେମାନଙ୍କର ପୂଜା କରିଅଛନ୍ତି, ଆଉ ଆମ୍ଭକୁ ପରିତ୍ୟାଗ କରି ଆମ୍ଭର ବ୍ୟବସ୍ଥା ପାଳନ କରି ନାହାନ୍ତି ।

12ପୁଣି, ତୁମ୍ଭେମାନେ ତୁମ୍ଭମାନଙ୍କର ପିତୃପୁରୁଷଗଣର ଅପେକ୍ଷା ଅଧିକ ମନ୍ଦ ଆଚରଣ କରିଅଛ; କାରଣ ଦେଖ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟାନ୍ତଃକରଣର ଅବାଧ୍ୟତାନୁସାରେ ଆଚରଣ କରୁଅଛ, ଆମ୍ଭ ବାକ୍ୟରେ ଅବଧାନ କରୁନାହଁ;

13ଏହେତୁ ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶରୁ, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପିତୃପୁରୁଷଗଣର ଅଜ୍ଞାତ ଏକ ଦେଶରେ ନିକ୍ଷେପ କରିବା; ଆଉ, ସେଠାରେ ତୁମ୍ଭେମାନେ ଦିବାରାତ୍ର ଅନ୍ୟ ଦେବଗଣର ସେବା କରିବ; କାରଣ ଆମ୍ଭେ ତୁମ୍ଭମାନଙ୍କୁ କିଛିମାତ୍ର ଅନୁଗ୍ରହ କରିବା ନାହିଁ ।"

14ଏନିମନ୍ତେ ସଦାପ୍ରଭୁ କହନ୍ତି, "ଦେଖ, ଇସ୍ରାଏଲ ସନ୍ତାନଗଣକୁ ଯେ ମିସର ଦେଶରୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ," ଯେଉଁ ସମୟରେ ଲୋକମାନେ ଏହି କଥା କହିବେ ନାହିଁ;

15ମାତ୍ର "ଇସ୍ରାଏଲ ସନ୍ତାନଗଣକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନରେ ସେ ସେମାନଙ୍କୁ ତଡ଼ି ଦେଇଥିଲେ, ସେହିସବୁ ଦେଶରୁ ଯେ ସେମାନଙ୍କୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ" ବୋଲି କହିବେ, ଏପରି ସମୟ ଆସୁଅଛି; ପୁଣି, ଆମ୍ଭେ ସେମାନଙ୍କର ପିତୃପୁରୁଷମାନଙ୍କୁ ଯେଉଁ ଦେଶ ଦେଇଥିଲୁ, ସେମାନଙ୍କର ସେହି ଦେଶକୁ ସେମାନଙ୍କୁ ପୁନର୍ବାର ଆଣିବା ।

16ସଦାପ୍ରଭୁ କହନ୍ତି, "ଦେଖ, ଆମ୍ଭେ ଅନେକ ଧୀବର ଅଣାଇବା, ତହିଁରେ ସେମାନେ ମତ୍ସ୍ୟ ପରି ସେମାନଙ୍କୁ ଧରିବେ; ପୁଣି, ତହିଁ ଉତ୍ତାରେ ଆମ୍ଭେ ଅନେକ ବ୍ୟାଧ ଅଣାଇବା, ତହିଁରେ ସେମାନେ ପ୍ରତ୍ୟେକ ପର୍ବତରୁ ଓ ପ୍ରତ୍ୟେକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସେମାନଙ୍କୁ ଅନୁସନ୍ଧାନ କରି ଆଣିବେ ।

17କାରଣ ସେମାନଙ୍କର ସମସ୍ତ ପଥରେ ଆମ୍ଭର ଦୃଷ୍ଟି ଅଛି; ସେମାନେ ଆମ୍ଭ ସାକ୍ଷାତରୁ ଲୁଚା ନୁହନ୍ତି, କିଅବା ସେମାନଙ୍କର ଅଧର୍ମ ଆମ୍ଭ ଦୃଷ୍ଟିରେ ଅଗୋଚର ନୁହେଁ ।

18ପୁଣି, ଆମ୍ଭେ ପ୍ରଥମେ ସେମାନଙ୍କର ଅଧର୍ମ ଓ ପାପର ଦୁଇଗୁଣ ପ୍ରତିଫଳ ଦେବା,କାରଣ ସେମାନେ ଆପଣାମାନଙ୍କ ଘୃଣ୍ୟ ବସ୍ତୁ ରୂପ ଶବରେ ଆମ୍ଭର ଦେଶ ଅପବିତ୍ର କରିଅଛନ୍ତି ଓ ଆପଣାମାନଙ୍କର ଘୃଣାଯୋଗ୍ୟ କର୍ମରେ ଆମ୍ଭର ଅଧିକାର ପରିପୂର୍ଣ୍ଣ କରିଅଛନ୍ତି ।"

19ହେ ମୋର ବଳ, ମୋର ଦୃଢ଼ ଦୁର୍ଗ ଓ ବିପଦ ସମୟରେ ମୋର ଆଶ୍ରୟସ୍ୱରୂପ ସଦାପ୍ରଭୁ, ପୃଥିବୀର ପ୍ରାନ୍ତସକଳରୁ ନାନା ଦେଶୀୟମାନେ ତୁମ୍ଭ ନିକଟକୁ ଆସି କହିବେ, "ଆମ୍ଭମାନଙ୍କର ପୂର୍ବପୁରୁଷମାନେ କେବଳ ମିଥ୍ୟା, ଅର୍ଥାତ୍‍, ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି ।"

20ମନୁଷ୍ୟ କି ଆପଣା ନିମନ୍ତେ ଈଶ୍ୱର ନିର୍ମାଣ କରିବ ? ସେ ତ ଈଶ୍ୱର ନୁହେଁ ।

21ଏନିମନ୍ତେ ଦେଖ, ଆମ୍ଭେ ସେମାନଙ୍କୁ ଜ୍ଞାତ କରାଇବା, ଆମେ ଏହି ଏକ ଥର ସେମାନଙ୍କୁ ଆମ୍ଭର ହସ୍ତ ଓ ଆମ୍ଭର ପରାକ୍ରମ ଜ୍ଞାତ କରାଇବା; ତହିଁରେ ଆମ୍ଭର ନାମ ଯେ ସଦାପ୍ରଭୁ, ଏହା ସେମାନେ ଜାଣିବେ ।


  Share Facebook  |  Share Twitter

 <<  Jeremiah 16 >> 


Bible2india.com
© 2010-2024
Help
Dual Panel

Laporan Masalah/Saran