Bible 2 India Mobile
[VER] : [ODIYA]     [PL]  [PB] 
 <<  Jeremiah 10 >> 

1ହେ ଇସ୍ରାଏଲ ବଂଶ, ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ କଥା କହନ୍ତି, ତାହା ଶୁଣ;

2ସଦାପ୍ରଭୁ ଏହି କଥା କହନ୍ତି, "ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ, ଆକାଶର ଓ ନାନା ଚିହ୍ନରେ ଭୀତ ହୁଅ ନାହିଁ, କାରଣ ଅନ୍ୟ ଦେଶୀୟମାନେ ତହିଁରେ ଭୀତ ହୁଅନ୍ତି ।"

3ଅନ୍ୟ ଦେଶୀୟମାନଙ୍କର ବିଧିସକଳ ଅସାର; ଯେହେତୁ ବନରୁ ଜଣେ ବୃକ୍ଷ ଛେଦନ କରେ, ତାହା ଅସ୍ତ୍ର ଦ୍ୱାରା କାରିଗରର ହସ୍ତକୃତ କର୍ମ ।

4ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି; ପୁଣି, ତାହା ଯେପରି ଟଳ ଟଳ ହେବ ନାହିଁ, ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି।

5ସେସବୁ ତାଳଗଛ ତୁଲ୍ୟ, କୁନ୍ଦା କର୍ମ ଓ କଥା କହନ୍ତି ନାହିଁ; ସେମାନେ ଚାଲି ପାରନ୍ତି ନାହିଁ, ଏଥିପାଇଁ ସେମାନଙ୍କୁ ବହିବାକୁ ହୁଏ । ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ; କାରଣ ସେମାନେ ଅମଙ୍ଗଳ କରି ପାରନ୍ତି ନାହିଁ କିଅବା ମଙ୍ଗଳ କରିବାକୁ ହିଁ ସେମାନଙ୍କର ସାଧ୍ୟ ନାହିଁ ।

6ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ କେହି ନାହିଁ; ତୁମ୍ଭେ ମହାନ, ଓ ପରାକ୍ରମରେ ତୁମ୍ଭର ନାମ ମହତ ।

7ହେ ସର୍ବଦେଶୀୟମାନଙ୍କର ରାଜନ୍‍, ତୁମ୍ଭଙ୍କୁ କିଏ ଭୟ ନ କରିବ ? କାରଣ ତାହା ତୁମ୍ଭର ପ୍ରାପ୍ୟ; ଯେହେତୁ ନାନା ଦେଶୀୟ ସମୁଦାୟ ଜ୍ଞାନୀମାନଙ୍କ ମଧ୍ୟରେ ଓ ସେମାନଙ୍କ ସମୁଦାୟ ରାଜକୀୟ ଐଶ୍ୱର୍ଯ୍ୟଶାଳୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ ।

8ସେମାନେ ସମସ୍ତେ ପଶୁବତ୍‍ ଓ ଅଜ୍ଞାନ ପ୍ରତିମାଗଣର ଶିକ୍ଷା କାଷ୍ଠ ମାତ୍ର ।

9ତର୍ଶୀଶ୍‍ରୁ ପିଟା ରୂପାପାତ୍ର ଓ ଉଫସରୁ ସୁନା ଅଣାଯାଏ, ତାହା କାରିଗରର କର୍ମ ଓ ସ୍ୱର୍ଣ୍ଣକାରର ହସ୍ତ ନିର୍ମିତ; ସେମାନଙ୍କର ବସ୍ତ୍ର ନୀଳ ଓ ଧୂମ୍ରବର୍ଣ୍ଣ, ସେସବୁ ନିପୁଣ ଶିଳ୍ପକରମାନଙ୍କର କୃତକର୍ମ ।

10ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି; ସେ ଜୀବିତ ପରମେଶ୍ୱର ଓ ଅନନ୍ତ କାଳସ୍ଥାୟୀ ରାଜା; ତାହାଙ୍କ କୋପରେ ପୃଥିବୀ କମ୍ପିତ ହୁଏ, ପୁଣି ସର୍ବଦେଶୀୟମାନେ ତାହାଙ୍କର କ୍ରୋଧ ସହି ପାରନ୍ତି ନାହିଁ ।

11ତୁମ୍ଭେମାନେ ସେମାନଙ୍କୁ ଏହି କଥା କହିବ, ଯେଉଁ ଦେବତାମାନେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି, ସେମାନେ ପୃଥିବୀରୁ ଓ ଆକାଶମଣ୍ଡଳର ତଳୁ ବିନଷ୍ଟ ହେବେ ।

12ସେ ଆପଣା ପରାକ୍ରମ ଦ୍ୱାରା ପୃଥିବୀ ନିର୍ମାଣ କରିଅଛନ୍ତି, ସେ ଆପଣା ଜ୍ଞାନ ଦ୍ୱାରା ଜଗତ ସ୍ଥାପନ କରିଅଛନ୍ତି ଓ ଆପଣାର ବୁଦ୍ଧି ଦ୍ୱାରା ସେ ଆକାଶମଣ୍ଡଳ ବିସ୍ତାର କରିଅଛନ୍ତି;

13ଯେତେବେଳେ ସେ ଆପଣା ରବ ଉଚ୍ଚାରଣ କରନ୍ତି, ସେତେବେଳେ ଆକାଶରେ ଜଳରାଶିର ଶବ୍ଦ ହୁଏ, ପୁଣି ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉତ୍‍ଥାପନ କରାନ୍ତି; ସେ ବୃଷ୍ଟି ନିମନ୍ତେ ବିଜୁଳି ପ୍ରସ୍ତୁତ କରନ୍ତି ଓ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି ।

14ପ୍ରତ୍ୟେକ ମନୁଷ୍ୟ ପଶୁବତ୍‍ ଓ ଜ୍ଞାନହୀନ ହୋଇଅଛି; ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ୱାରା ଲଜ୍ଜିତ ହୋଇଅଛି; କାରଣ ତାହାର ଢଳା ପ୍ରତିମା ମିଥ୍ୟା ଓ ସେମାନଙ୍କଠାରେ ପ୍ରାଣବାୟୁ ନାହିଁ ।

15ସେସବୁ ଅସାର ଓ ଭ୍ରାନ୍ତିର କର୍ମ; ସେମାନେ ଆପଣା ପ୍ରତିଫଳ ପାଇବା ସମୟରେ ବିନଷ୍ଟ ହେବେ ।

16ଯେ ଯାକୁବର ବାଣ୍ଟ ସ୍ୱରୂପ, ସେ ଏମାନଙ୍କ ପରି ନୁହନ୍ତି; କାରଣ ସେ ସର୍ବ ବସ୍ତୁର ନିର୍ମାଣକର୍ତ୍ତା ଓ ଇସ୍ରାଏଲ ବଂଶ ତାହାଙ୍କର ଅଧିକାର ସ୍ୱରୂପ; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ ।

17ହେ ଅବରୁଦ୍ଧ ସ୍ଥାନ ନିବାସୀନ୍‍, ତୁମ୍ଭେ ଦେଶରୁ ଆପଣା ସାମଗ୍ରୀ ସଂଗ୍ରହ କର।

18କାରଣ ସଦାପ୍ରଭୁ ଏହି କଥା କହନ୍ତି, "ଦେଖ, ଆମ୍ଭେ ଏହି ସମୟରେ ଦେଶ ନିବାସୀମାନଙ୍କୁ ଛାଟିଣୀ ମାରିବା ପରି ଫିଙ୍ଗି ଦେବା ଓ ସେମାନଙ୍କୁ ଏପରି କ୍ଳେଶ ଦେବା ଯେ, ସେମାନେ ତାହା ବୋଧ ପାଇବେ ।"

19ହାୟ ହାୟ, ମୋହର ଦୁଃଖ! ମୋହର କ୍ଷତ ଅତି ବେଦନାଯୁକ୍ତ; ତଥାପି ମୁଁ କହିଲି, "ଏହି ମୋହର ବେଦନା, ମୋତେ ଏହା ସହିବାକୁ ହେବ ।"

20ମୋର ତମ୍ବୁ ଲୁଟିତ ହୋଇଅଛି ଓ ମୋର ରଜ୍ଜୁସବୁ ଛିଣ୍ଡି ଯାଇଅଛି; ମୋର ବାଳକମାନେ ମୋ' ନିକଟରୁ ବାହାରି ଯାଇଅଛନ୍ତି, ସେମାନେ ନାହାନ୍ତି, ମୋର ତମ୍ବୁ ଆଉ ପ୍ରସାରିବାକୁ ଓ ମୋର ତମ୍ବୁର ବାଡ଼ ଲଗାଇବାକୁ କେହି ନାହିଁ ।

21କାରଣ ପାଳକଗଣ ପଶୁବତ୍‍ ହୋଇଅଛନ୍ତି ଓ ସଦାପ୍ରଭୁଙ୍କ ନିକଟରେ ପଚାରି ନାହାନ୍ତି; ଏହେତୁ ସେମାନେ ଉନ୍ନତି କରି ନାହାନ୍ତି ଓ ସେମାନଙ୍କର ପଲସବୁ ଛିନ୍ନଭିନ୍ନ ହୋଇଅଛନ୍ତି ।

22କୋଳାହଳର ରବ, ଦେଖ ତାହା ଉପସ୍ଥିତ ହେଉଅଛି, ଆଉ ଯିହୁଦାର ନଗରସବୁ ଉଚ୍ଛିନ୍ନ ଓ ଶୃଗାଳମାନଙ୍କର ବାସସ୍ଥାନ କରିବା ପାଇଁ ଉତ୍ତର ଦେଶରୁ ମହାଚହଳ ଆସୁଅଛି ।

23ହେ ସଦାପ୍ରଭୁ, ମୁଁ ଜାଣେ; ମନୁଷ୍ୟର ଗତି ତାହାର ଆୟତ୍ତ ନୁହେଁ; ନିଜ ପାଦ ବିକ୍ଷେପ ସ୍ଥିର କରିବାର ଗମନକାରୀ ମନୁଷ୍ୟର ସାଧ୍ୟ ନୁହେଁ ।

24ହେ ସଦାପ୍ରଭୁ, ମୋତେ ଶାସନ କର, ମାତ୍ର ବିଚାରପୂର୍ବକ କର; କ୍ରୋଧରେ ତାହା ନ କର, କଲେ ତୁମ୍ଭେ ମୋତେ ବିନାଶ କରିବ ।

25ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁ ଓ ଯେଉଁ ଗୋଷ୍ଠୀସକଳ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ, ସେମାନଙ୍କ ଉପରେ ତୁମ୍ଭେ ଆପଣା କୋପ ଢାଳିଦିଅ; କାରଣ ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି, ହଁ, ସେମାନେ ତାହାକୁ ଗ୍ରାସ କରି ସଂହାର କରିଅଛନ୍ତି ଓ ତାହାର ବାସସ୍ଥାନ ଉଚ୍ଛିନ୍ନ କରିଅଛନ୍ତି ।


  Share Facebook  |  Share Twitter

 <<  Jeremiah 10 >> 


Bible2india.com
© 2010-2024
Help
Dual Panel

Laporan Masalah/Saran