Bible 2 India Mobile
[VER] : [ODIYA]     [PL]  [PB] 
 <<  Ezekiel 42 >> 

1ତହିଁ ଉତ୍ତାରୁ ସେ ମୋତେ ଉତ୍ତରଦିଗସ୍ଥ ପଥରେ ବାହାର ପ୍ରାଙ୍ଗଣକୁ ଆଣିଲେ; ଆଉ, ପୃଥକ ସ୍ଥାନର ଓ ଗାନ୍ଥୁନୀର ନିକଟବର୍ତ୍ତୀ ଉତ୍ତର-ଦିଗସ୍ଥ କୋଠରୀରେ ଉପସ୍ଥିତ କରାଇଲେ ।

2ସମ୍ମୁଖରେ ଶହେ ହାତ ଦୀର୍ଘତାରେ ଉତ୍ତର ଦ୍ୱାର ଥିଲା ଓ ପ୍ରସ୍ଥ ପଚାଶ ହାତ ଥିଲା ।

3ଭିତର ପ୍ରାଙ୍ଗଣର କୋଡ଼ିଏ ହାତ ସମ୍ମୁଖରେ ଓ ବାହାର ପ୍ରାଙ୍ଗଣର ଚଟାଣର ସମ୍ମୁଖରେ ତୃତୀୟ ମହଲାରେ ଲଗାଲଗି ହୋଇ ଅପ୍ରଶସ୍ତ ବରଣ୍ଡା ଥିଲା ।

4ପୁଣି, କୋଠରୀ ସକଳର ସମ୍ମୁଖରେ ଭିତର ଆଡ଼େ ଦଶ ହାତ ପ୍ରସ୍ଥର ଏକ ପଥ ଓ ଏକ ହାତ ପ୍ରସ୍ଥ ଏକ ପଥ ଥିଲା ଓ ସକଳର ଦ୍ୱାର ଉତ୍ତର ଆଡ଼େ ଥିଲା ।

5ଉପରିସ୍ଥ କୋଠରୀ ସକଳ ଛୋଟ ଥିଲା; କାରଣ ଗାନ୍ଥୁନୀର ଅଧଃସ୍ଥିତ ଓ ମଧ୍ୟସ୍ଥିତ କୋଠରୀ ଅପେକ୍ଷା ଅପ୍ରଶସ୍ତ ବରଣ୍ଡାସବୁ ତହିଁରୁ ଅଧିକ ସ୍ଥାନ ଘେନିଲା ।

6କାରଣ ତାହା ତିନି ମହଲା ଥିଲା, ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେହି ସବୁରେ ସ୍ତମ୍ଭ ନ ଥିଲା; ଏଥିପାଇଁ ଭୂମିଠାରୁ ଉଚ୍ଚତମ କୋଠରୀସବୁ ଅଧଃସ୍ଥିତ ଓ ମଧ୍ୟସ୍ଥିତ ଅପେକ୍ଷା ଅପ୍ରଶସ୍ତ ଥିଲା ।

7ପୁଣି, କୋଠରୀ ସକଳର ସମ୍ମୁଖବର୍ତ୍ତୀ ବାହାର ପ୍ରାଙ୍ଗଣ ଆଡ଼େ କୋଠରୀ ସକଳର ପାର୍ଶ୍ୱରେ ଯେଉଁ କାନ୍ଥ ଥିଲା, ତହିଁର ଦୀର୍ଘତା ପଚାଶ ହାତ ଥିଲା ।

8କାରଣ ବାହାର ପ୍ରାଙ୍ଗଣସ୍ଥିତ କୋଠରୀ ସକଳର ଦୀର୍ଘତା ପଚାଶ ହାତ ଥିଲା; ପୁଣି, ଦେଖ, ମନ୍ଦିର ସମ୍ମୁଖରେ ତାହା ଶହେ ହାତ ଥିଲା ।

9ପୁଣି, ବାହାର ପ୍ରାଙ୍ଗଣରୁ ସେହି ସବୁ କୋଠରୀକୁ ଗଲା ବେଳେ ପୂର୍ବ ଦିଗରେ ତହିଁର ତଳରେ ପ୍ରବେଶ-ସ୍ଥାନ ପଡ଼ିଲା ।

10ପ୍ରାଙ୍ଗଣ କାନ୍ଥର ପ୍ରଶସ୍ତ ଭାଗରେ ପୂର୍ବ ଦିଗରେ ପୃଥକ ସ୍ଥାନର ଓ ଗାନ୍ଥୁନୀର ସମ୍ମୁଖରେ କୋଠରୀ ଶ୍ରେଣୀ ଥିଲା ।

11ଆଉ, ସେହି ସବୁର ସମ୍ମୁଖବର୍ତ୍ତୀ ପଥ ଉତ୍ତର ଦିଗାଭିମୁଖ କୋଠରୀ-ସକଳର ପଥ ପରି ଥିଲା; ସେହି ସବୁର ଦୀର୍ଘତା ପ୍ରମାଣରେ ପ୍ରସ୍ଥ ଥିଲା; ପୁଣି, ସେହି ସବୁର ନିର୍ଗମନ ସ୍ଥାନାନୁସାରେ ଗଠନ ଓ ଦ୍ୱାର ଥିଲା ।

12ପୁଣି, ଦକ୍ଷିଣ ଦିଗସ୍ଥିତ କୋଠରୀ ସକଳର ଦ୍ୱାର ତୁଲ୍ୟ ପଥ ମୁଣ୍ଡରେ ଗୋଟିଏ ଦ୍ୱାର ଥିଲା; ସେହି ପଥ କାନ୍ଥର ସମ୍ମୁଖରେ, ଅର୍ଥାତ୍‍, ସେସ୍ଥାନକୁ ଯିବା ଲୋକର ପୂର୍ବ ଦିଗରେ ପଡ଼ିଲା ।

13ତହୁଁ ସେ ମୋତେ କହିଲେ, "ପୃଥକ୍‍ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରୀମାନ ଅଛି, ସେହି ସବୁ ପବିତ୍ର କୋଠରୀ, ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି, ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସକଳ ଭୋଜନ କରିବେ; ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସକଳ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ରଖିବେ; କାରଣ ସେହି ସ୍ଥାନ ପବିତ୍ର ଅଟେ ।

14ଯେଉଁ ସମୟରେ ଯାଜକମାନେ ତହିଁ ମଧ୍ୟରେ ପ୍ରବେଶ କରନ୍ତି, ସେହି ସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ, ମାତ୍ର ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି, ତାହାସବୁ ସେଠାରେ ରଖିବେ; କାରଣ ସେହି ସବୁ ପବିତ୍ର; ଆଉ, ସେମାନେ ଅନ୍ୟ ବସ୍ତ୍ର ପିନ୍ଧିବେ, ତହିଁ ଉତ୍ତାରେ ଲୋକମାନଙ୍କ ସ୍ଥାନର ନିକଟକୁ ଯିବେ ।"

15ଭିତର ଗୃହ ମାପିବାର ସମାପ୍ତ କଲା ଉତ୍ତାରେ ସେ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ମୋତେ ବାହାରକୁ ଆଣିଲେ ଓ ତହିଁର ଚତୁର୍ଦ୍ଦିଗ ମାପିଲେ ।

16ସେ ପରିମାପକ ନଳ ଦ୍ୱାର ପୂର୍ବ ପାର୍ଶ୍ୱ ମାପିଲେ, ପରିମାପକ ନଳରେ ଚତୁର୍ଦ୍ଦିଗ ପାଞ୍ଚଶହ ନଳ ହେଲା ।

17ସେ ଉତ୍ତର ପାର୍ଶ୍ୱ ମାପିଲେ, ପରିମାପକ ନଳରେ ଚତୁର୍ଦ୍ଦିଗ ପାଞ୍ଚଶହ ନଳ ହେଲା ।

18ସେ ଦକ୍ଷିଣ ପାର୍ଶ୍ୱ ମାପିଲେ, ପରିମାପକ ନଳରେ ତାହା ପାଞ୍ଚଶହ ନଳ ହେଲା ।

19ସେ ପଶ୍ଚିମ ପାର୍ଶ୍ୱକୁ ଫେରି ପରିମାପକ ନଳରେ ପାଞ୍ଚଶହ ନଳ ମାପିଲେ ।

20ସେ ତାହାର ଚାରି ପାର୍ଶ୍ୱ ମାପିଲେ; ପବିତ୍ର ଓ ସାଧାରଣ ସ୍ଥାନ ମଧ୍ୟରେ ବିଚ୍ଛେଦ କରିବା ପାଇଁ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର ଥିଲା, ତାହା ଦୀର୍ଘରେ ପାଞ୍ଚଶହ ଓ ପ୍ରସ୍ଥରେ ପାଞ୍ଚଶହ (ନଳ) ଥିଲା ।


  Share Facebook  |  Share Twitter

 <<  Ezekiel 42 >> 


Bible2india.com
© 2010-2024
Help
Dual Panel

Laporan Masalah/Saran