Bible 2 India Mobile
[VER] : [ODIYA]     [PL]  [PB] 
 <<  Ezekiel 32 >> 

1ଏଥିଉତ୍ତାରେ ଦ୍ୱାଦଶ ବର୍ଷର ଦ୍ୱାଦଶ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ' ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,

2"ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ, ତୁମ୍ଭେ ଗୋଷ୍ଠୀୟମାନଙ୍କର ଯୁବା ସିଂହ ସଙ୍ଗେ ତୁଳନା କରାଯାଇଥିଲ, ତଥାପି ତୁମ୍ଭେ ଜଳଚର କୁମ୍ଭୀର ସଦୃଶ ଅଟ; ପୁଣି, ତୁମ୍ଭେ ଆପଣା ନଦୀସମୂହର ଜଳ ଅତିକ୍ରମ କରି ଓ ଆପଣା ପାଦରେ ଜଳ ହଲାଇ ସେମାନଙ୍କର ନଦୀସମୂହକୁ ଗୋଳିଆ କରିଅଛ ।"

3ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: "ଆମ୍ଭେ ଅନେକ ଗୋଷ୍ଠୀର ଏକ ସମାଜ ନେଇ ତୁମ୍ଭ ଉପରେ ଆମ୍ଭ ଜାଲ ପ୍ରସାରିବା ଓ ସେମାନେ ଆମ୍ଭ ଜାଲରେ ତୁମ୍ଭକୁ ଉପରକୁ ଆଣିବେ ।

4ପୁଣି, ଆମ୍ଭେ ତୁମ୍ଭକୁ ସ୍ଥଳରେ ଛାଡ଼ି ଦେବା, ଆମ୍ଭେ ତୁମ୍ଭକୁ ପଦାରେ ପକାଇ ଦେବା ଓ ଆକାଶର ପକ୍ଷସକଳକୁ ତୁମ୍ଭ ଉପରେ ବସାଇବା ଓ ସମୁଦାୟ ପୃଥିବୀର ପଶୁଗଣକୁ ତୁମ୍ଭ ଦ୍ୱାରା ତୃପ୍ତ କରାଇବା ।

5ଆମ୍ଭେ ପର୍ବତଗଣର ଉପରେ ତୁମ୍ଭର ମାଂସ ପକାଇବା ଓ ତୁମ୍ଭର ଦୀର୍ଘ ଶବରେ ଉପତ୍ୟକାସକଳ ପୂର୍ଣ୍ଣ କରିବା ।

6ଆହୁରି, ତୁମ୍ଭେ ଯେଉଁ ଦେଶରେ ପହଁରୁଅଛ, ସେହି ଦେଶକୁ ପର୍ବତ ପର୍ଯ୍ୟନ୍ତ ହିଁ ଆମ୍ଭେ ତୁମ୍ଭ ରକ୍ତରେ ସିକ୍ତ କରିବା ଓ ଜଳପ୍ରଣାଳୀସକଳ ତୁମ୍ଭ ରକ୍ତରେ ପରିପୂର୍ଣ୍ଣ ହେବ ।

7ପୁଣି, ଆମ୍ଭେ ତୁମ୍ଭକୁ ନିର୍ବାଣ କରିବା ସମୟରେ ଆକାଶକୁ ଆଚ୍ଛନ୍ନ କରିବା ଓ ତହିଁର ନକ୍ଷତ୍ରଗଣକୁ ଅନ୍ଧକାରମୟ କରିବା; ଆମ୍ଭେ ସୂର୍ଯ୍ୟକୁ ମେଘାଚ୍ଛନ୍ନ କରିବା ଓ ଚନ୍ଦ୍ର ଆପଣାର ଜ୍ୟୋତ୍ସ୍ନା ଦେବ ନାହିଁ ।

8ଆକାଶର ସକଳ ଉଜ୍ଜ୍ୱଳ ଜ୍ୟୋତିକୁ ଆମ୍ଭେ ତୁମ୍ଭ ଉପରେ ଅନ୍ଧକାରମୟ କରିବା ଓ ତୁମ୍ଭ ଦେଶ ଉପରେ ଅନ୍ଧକାର ସ୍ଥାପନ କରିବା," ଏହା ପ୍ରଭୁ, ସଦାପ୍ରଭୁ କହନ୍ତି ।

9"ଆହୁରି ଆମ୍ଭେ ତୁମ୍ଭର ଅଜ୍ଞାତ ଦେଶସମୂହ ପର୍ଯ୍ୟନ୍ତ ନାନା ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭର ବିନାଶ ଘଟାଇବା ବେଳେ ଅନେକ ଗୋଷ୍ଠୀର ହୃଦୟ ବ୍ୟସ୍ତ କରିବା ।

10ହଁ, ଆମ୍ଭେ ଅନେକ ଗୋଷ୍ଠୀକୁ ତୁମ୍ଭର ବିଷୟରେ ଚମତ୍କୃତ କରାଇବା, ଆଉ ସେମାନଙ୍କ ରାଜାଗଣର ସାକ୍ଷାତରେ ଆମ୍ଭେ ଆପଣା ଖଡ଼୍‍ଗ ଚଳାଇବା ବେଳେ ସେମାନେ ଅତିଶୟ ଭୀତ ହେବେ; ଆଉ, ତୁମ୍ଭର ପତନ ଦିନ ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରାଣ ବିଷୟରେ ଭୟରେ କମ୍ପିତ ହେବେ ।"

11କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି : "ବାବିଲ ରାଜାର ଖଡ଼୍‍ଗ ତୁମ୍ଭକୁ ଆକ୍ରମଣ କରିବ ।

12ଆମ୍ଭେ ତୁମ୍ଭର ଲୋକସମସ୍ତଙ୍କୁୁ ବୀରଗଣର ଖଡ଼୍‍ଗ ଦ୍ୱାରା ନିପାତ କରିବା; ସେମାନେ ସମସ୍ତେ ଗୋଷ୍ଠୀଗଣ ମଧ୍ୟରେ ଭୟଙ୍କର ଅଟନ୍ତି; ଆଉ, ସେମାନେ ମିସରର ଗର୍ବ ଚୂର୍ଣ୍ଣ କରିବେ ଓ ତହିଁର ଲୋକ ସମସ୍ତେ ବିନଷ୍ଟ ହେବେ ।

13ଆହୁରି, ଆମ୍ଭେ ଅପାର ଜଳ ନିକଟରୁ ତହିଁର ସମସ୍ତ ପଶୁ ବିନାଶ କରିବା; ତହିଁରେ ମନୁଷ୍ୟର ଚରଣ ତାହା ଆଉ ହଲାଇବ ନାହିଁ, ଅବା ପଶୁଗଣର ଖୁରା ତାହା ଚହଲାଇବ ନାହିଁ ।

14ସେତେବେଳେ ଆମ୍ଭେ ସେମାନଙ୍କର ଜଳ ନିର୍ମଳ କରିବା ଓ ସେମାନଙ୍କର ନଦୀସମୂହକୁ ତୈଳ ପରି ବହାଇବା," ଏହା ପ୍ରଭୁ, ସଦାପ୍ରଭୁ କହନ୍ତି ।

15"ଯେତେବେଳେ ଆମ୍ଭେ ମିସର ଦେଶକୁ ଧ୍ୱଂସସ୍ଥାନ ଓ ଶୂନ୍ୟ କରିବା, ଯହିଁରେ ସେ ପରିପୂର୍ଣ୍ଣ ହୋଇଥିଲା, ସେହି ସବୁ ତହିଁରୁ ରହିତ କରିବା, ଯେତେବେଳେ ଆମ୍ଭେ ତନ୍ନିବାସୀ ସମସ୍ତଙ୍କୁ ଆଘାତ କରିବା, ସେତେବେଳେ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।

16ଏହି ବିଳାପ ଗୀତ ଲୋକେ ଗାନ କରିବେ; ଗୋଷ୍ଠୀୟମାନଙ୍କର କନ୍ୟାଗଣ ବିଳାପ କରି ଏହା ଗାନ କରିବେ; ମିସରର ଉଦ୍ଦେଶ୍ୟରେ ଓ ତାହାର ସକଳ ଲୋକାରଣ୍ୟର ଉଦ୍ଦେଶ୍ୟରେ ବିଳାପ କରି ଗାନ କରିବେ" ଏହା ପ୍ରଭୁ, ସଦାପ୍ରଭୁ କହନ୍ତି ।

17ଦ୍ୱାଦଶ ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ' ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,

18"ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ଲୋକମାନଙ୍କ ବିଷୟରେ ହାହାକାର କର, ପୁଣି, ସେମାନଙ୍କୁ, ଅର୍ଥାତ୍‍, ତାହାକୁ ଓ ବିଖ୍ୟାତ ଗୋଷ୍ଠୀୟମାନଙ୍କର କନ୍ୟାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଅଧୋଭୁବନରେ ପକାଇ ଦିଅ ।

19ତୁମ୍ଭେ ସୌନ୍ଦର୍ଯ୍ୟରେ କାହା ଅପେକ୍ଷା ଅଧିକ ? ତଳକୁ ଯାଅ ଓ ଅସୁନ୍ନତ ଲୋକମାନଙ୍କ ସହିତ ଶୟନ କର ।

20ସେମାନେ ଖଡ଼୍‍ଗ ଦ୍ୱାରା ହତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସେ ଖଡ଼୍‍ଗରେ ସମର୍ପିତ ହୋଇଅଛି; ତାହାକୁ ଓ ତାହାର ସମସ୍ତ ଲୋକଙ୍କୁ ଟାଣି ନିଅ ।

21ବୀରଗଣ ମଧ୍ୟରେ ବଳବାନମାନେ ପାତାଳ ମଧ୍ୟରୁ ତାହାକୁ ଓ ତାହାର ସହାୟକାରୀମାନଙ୍କୁ କଥା କହିବେ; ସେମାନେ, ଅର୍ଥାତ୍‍, ଖଡ଼୍‍ଗ ଦ୍ୱାରା ହତ ଅସୁନ୍ନତ ଲୋକମାନେ ଓହ୍ଲାଇ ଯାଇଅଛନ୍ତି; ସେମାନେ ସ୍ଥିର ହୋଇ ଶୟନ କରନ୍ତି ।

22ଅଶୂର ଓ ତାହାର ସମସ୍ତ ଜନସମାଜ ସେଠାରେ ଅଛନ୍ତି; ତାହାର କବରସକଳ ତାହାର ଚତୁର୍ଦ୍ଦିଗରେ ଅଛି; ସେମାନେ ସମସ୍ତେ ହତ, ଖଡ଼୍‍ଗ ଦ୍ୱାରା ପତିତ ହୋଇଅଛନ୍ତି;

23ଗର୍ତ୍ତର ଶେଷ ସୀମାରେ ସେମାନଙ୍କୁ କବର ଦିଆଯାଇଅଛି ଓ ତାହାର ଜନସମାଜ ତାହାର କବରର ଚତୁର୍ଦ୍ଦିଗରେ ଅଛି; ଯେଉଁମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଲେ ସେମାନେ ସମସ୍ତେ ହତ, ଖଡ଼୍‍ଗ ଦ୍ୱାରା ପତିତ ହୋଇଅଛନ୍ତି ।

24ସେହି ସ୍ଥାନରେ ଏଲମ ଓ ତାହାର କବରର ଚତୁର୍ଦ୍ଦିଗରେ ତାହାର ସମସ୍ତ ଲୋକାରଣ୍ୟ ଅଛି; ଯେଉଁମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଲେ, ସେମାନେ ସମସ୍ତେ ହତ, ଖଡ଼୍‍ଗ ଦ୍ୱାରା ପତିତ ହୋଇ ଅସୁନ୍ନତ ଅବସ୍ଥାରେ ଅଧୋଭୁବନକୁ ଓହ୍ଲାଇ ଯାଇଅଛନ୍ତି ଓ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କ ଅପମାନ ଭୋଗ କରିଅଛନ୍ତି ।

25ହତ ଲୋକମାନଙ୍କ ମଧ୍ୟରେ ସେମାନେ ତାହାର ଓ ତାହା ସହିତ ତାହାର ସମସ୍ତ ଜନସମାଜର ଶଯ୍ୟା ପାତିଅଛନ୍ତି, ତାହାର ଚତୁର୍ଦ୍ଦିଗରେ ତାହାର କବରସବୁ ଅଛି; ସେମାନେ ସମସ୍ତେ ଅସୁନ୍ନତ ଅବସ୍ଥାରେ ଖଡ଼୍‍ଗ ଦ୍ୱାରା ପତିତ ହୋଇଅଛନ୍ତି; କାରଣ ସେମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇ ଥିଲେ, ଏବେ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କର ଅପମାନ ଭୋଗ କରିଅଛନ୍ତି; ସେ ହତ ଲୋକମାନଙ୍କ ମଧ୍ୟରେ ରଖା ଯାଇଅଛି ।

26ସେହି ସ୍ଥାନରେ ମେଶକ୍‍, ତୁବଲ୍‍ ଓ ତାହାର ସମସ୍ତ ଜନସମାଜ ଅଛନ୍ତି; ତାହାର ଚତୁର୍ଦ୍ଦିଗରେ ତାହାର କବରସବୁ ଅଛି; ସେମାନେ ସମସ୍ତେ ଅସୁନ୍ନତ ଅବସ୍ଥାରେ ଖଡ଼୍‍ଗ ଦ୍ୱାରା ପତିତ ହେଲେ; କାରଣ ସେମାନେ ଜୀବିତ ଲୋକମାନଙ୍କ ଦେଶରେ ଭୟ ଜନ୍ମାଇଥିଲେ ।

27ପୁଣି, ଅସୁନ୍ନତ ଲୋକମାନଙ୍କ ମଧ୍ୟରୁ ଯେଉଁ ବୀରମାନେ ପତିତ ହୋଇଅଛନ୍ତି, ଯେଉଁମାନେ ଆପଣା ଆପଣା ଯୁଦ୍ଧାସ୍ତ୍ର ସହିତ ପାତାଳକୁ ଓହ୍ଲାଇ ଯାଇଅଛନ୍ତି ଓ ଆପଣା ଆପଣା ଖଡ଼୍‍ଗ ଆପଣା ଆପଣା ମସ୍ତକର ତଳେ ରଖିଅଛନ୍ତି ଓ ସେମାନଙ୍କ ଅଧର୍ମ ସେମାନଙ୍କ ଅସ୍ଥି ଉପରେ ଅଛି, ସେମାନଙ୍କ ସହିତ ଏମାନେ ଶୟନ କରିବେ ନାହିଁ; କାରଣ ସେମାନେ ଜୀବିତମାନଙ୍କ ଦେଶରେ ବୀରଗଣର ପ୍ରତି ଭୟର ବିଷୟ ହୋଇଥିଲେ ।

28ମାତ୍ର ତୁମ୍ଭେ ଅସୁନ୍ନତମାନଙ୍କ ମଧ୍ୟରେ ଭଗ୍ନ ହେବ ଓ ଖଡ଼୍‍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଶୟନ କରିବ ।

29ସେହି ସ୍ଥାନରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିସକଳ ଅଛନ୍ତି, ସେମାନେ ଆପଣାମାନଙ୍କର ପରାକ୍ରମରେ ଖଡ଼୍‍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ରଖା ଯାଇଅଛନ୍ତି; ସେମାନେ ଅସୁନ୍ନତ ଲୋକମାନଙ୍କ ଓ ଗର୍ତ୍ତଗାମୀମାନଙ୍କ ସହିତ ଶୟନ କରିବେ ।

30ସେହି ସ୍ଥାନରେ ଉତ୍ତର ଦେଶୀୟ ଅଧିପତିମାନେ, ସେମାନଙ୍କର ସମସ୍ତେ ଓ ଯାବତୀୟ ସୀଦୋନୀୟ ଲୋକ ଅଛନ୍ତି, ସେମାନେ ହତ ଲୋକମାନଙ୍କ ସହିତ ଓହ୍ଲାଇ ଯାଇଅଛନ୍ତି; ସେମାନେ ଆପଣାମାନଙ୍କର ପରାକ୍ରମ ଦ୍ୱାରା ଯେଉଁ ଭୟ ଜନ୍ମାଇଲେ, ତହିଁ ବିଷୟରେ ଲଜ୍ଜିତ ହୋଇଅଛନ୍ତି; ଆଉ, ଅସୁନ୍ନତ ଅବସ୍ଥାରେ ସେମାନେ ଖଡ଼୍‍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଶୟନ କରନ୍ତି ଓ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କର ଅପମାନ ଭୋଗ କରନ୍ତି ।

31ଫାରୋ ସେମାନଙ୍କୁ ଦେଖିବ ଓ ଆପଣାର ଲୋକାରଣ୍ୟ ସମସ୍ତର ବିଷୟରେ ସାନ୍ତ୍ୱନା ପାଇବ; ହଁ, ଫାରୋ ଓ ତାହାର ସମସ୍ତ ସୈନ୍ୟ ଖଡ଼୍‍ଗ ଦ୍ୱାରା ହତ ହୋଇଅଛନ୍ତି," ଏହା ପ୍ରଭୁ, ସଦାପ୍ରଭୁ କହନ୍ତି ।

32"କାରଣ ଆମ୍ଭେ ଜୀବିତମାନଙ୍କ ଦେଶରେ ତାହା ବିଷୟରେ ଭୟ ଜନ୍ମାଇଅଛୁ; ଆଉ ସେ, ଅର୍ଥାତ୍‍, ଫାରୋ ଓ ତାହାର ଲୋକାରଣ୍ୟ ସମସ୍ତେ ଖଡ଼୍‍ଗ ଦ୍ୱାରା ହତ ଲୋକମାନଙ୍କ ସହିତ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ରଖାଯିବେ," ଏହା ପ୍ରଭୁ, ସଦାପ୍ରଭୁ କହନ୍ତି ।


  Share Facebook  |  Share Twitter

 <<  Ezekiel 32 >> 


Bible2india.com
© 2010-2024
Help
Dual Panel

Laporan Masalah/Saran