Bible 2 India Mobile
[VER] : [ODIYA]     [PL]  [PB] 
 <<  Ezekiel 27 >> 

1ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋ' ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,

2"ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସୋର ବିଷୟରେ ବିଳାପ କର;

3ଆଉ, ସୋରକୁ କୁହ, ହେ ସମୁଦ୍ରର ପ୍ରବେଶ-ସ୍ଥାନ ନିବାସିନୀ; ଅନେକ ଦ୍ୱୀପରେ ଗୋଷ୍ଠୀଗଣର ବାଣିଜ୍ୟକାରିଣୀ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସୋର, ତୁମ୍ଭେ କହିଅଛ, ମୁଁ ପରମ ସୁନ୍ଦରୀ,

4ସମୁଦ୍ରଗଣର ମଧ୍ୟସ୍ଥଳରେ ତୁମ୍ଭର ସୀମା, ତୁମ୍ଭର ନିର୍ମାଣକାରୀମାନେ ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଅଛନ୍ତି ।"

5ସେମାନେ ସେନୀରୀୟ ଦେବଦାରୁ କାଷ୍ଠରେ ତୁମ୍ଭର ତକ୍ତା କାଠପଟା ସବୁ ପ୍ରସ୍ତୁତ କରିଅଛନ୍ତି, ସେମାନେ ତୁମ୍ଭର ମାସ୍ତୁଲ ପ୍ରସ୍ତୁତ କରିବା ପାଇଁ ଲିବାନୋନରୁ ଏରସ କାଷ୍ଠ ନେଇଅଛନ୍ତି ।

6ବାଶନର ଅଲୋନ କାଷ୍ଠରେ ସେମାନେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି; ସେମାନେ କିତ୍ତୀମ ଦ୍ୱୀପରୁ ଆନୀତ ତାଶୂର କାଷ୍ଠରେ ଖଚିତ ହସ୍ତୀ ଦନ୍ତ ଦ୍ୱାରା ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି ।

7ତୁମ୍ଭର ଧ୍ୱଜା ହେବା ପାଇଁ ମିସର ଦେଶରୁ ଆନୀତ ସୂଚୀକର୍ମରେ ଚିତ୍ରିତ ଶୁଭ୍ର କ୍ଷୌମବସ୍ତ୍ରରେ ତୁମ୍ଭର ପାଲ ପ୍ରସ୍ତୁତ ହୋଇଥିଲା; ତୁମ୍ଭର ଚାନ୍ଦୁଆ ଇଲୀଶା ଦ୍ୱୀପ-ସମୂହର ନୀଳ ଓ ଧୂମ୍ର ବର୍ଣ୍ଣ ବସ୍ତ୍ରରେ ପ୍ରସ୍ତୁତ ହୋଇଥିଲା ।

8ସୀଦୋନ ଓ ଅର୍ବଦ ନିବାସୀମାନେ ତୁମ୍ଭର ଆହୁଲା ମାରିବାର ଲୋକ ଥିଲେ; ହେ ସୋର, ତୁମ୍ଭର ଜ୍ଞାନୀଲୋକ ତୁମ୍ଭ ମଧ୍ୟରେ ଥିଲେ, ସେମାନେ ତୁମ୍ଭର କର୍ଣ୍ଣଧାର ହୋଇଥିଲେ ।

9ତୁମ୍ଭର ମଧ୍ୟବର୍ତ୍ତୀ ଗବାଲର ପ୍ରାଚୀନବର୍ଗ ଓ ତହିଁର ଜ୍ଞାନୀମାନେ ତୁମ୍ଭର ନୌକା ବଟାଳିବା ଲୋକ ହୋଇଥିଲେ; ସମୁଦ୍ରର ଯାବତୀୟ ଜାହାଜ ଓ ସେମାନଙ୍କର ନାବିକଗଣ ବାଣିଜ୍ୟ ଦ୍ରବ୍ୟ ଧରିବା ନିମନ୍ତେ ତୁମ୍ଭ ମଧ୍ୟରେ ଥିଲେ ।

10ପାରସ୍ୟ, ଲୁଦ୍‍ ଓ ପୁଟ ଦେଶୀୟମାନେ ତୁମ୍ଭ ସୈନ୍ୟସାମନ୍ତ ମଧ୍ୟରେ ତୁମ୍ଭର ଯୋଦ୍ଧା ଥିଲେ; ସେମାନେ ତୁମ୍ଭ ମଧ୍ୟରେ ଢାଲ ଓ ଟୋପର ଟଙ୍ଗାଇ ରଖିଲେ; ସେମାନେ ତୁମ୍ଭର ଶୋଭା ପ୍ରକାଶ କଲେ ।

11ଅର୍ବଦର ଲୋକମାନେ ତୁମ୍ଭ ସୈନ୍ୟସାମନ୍ତ ସଙ୍ଗରେ ତୁମ୍ଭ ପ୍ରାଚୀରର ଉପରେ ଚତୁର୍ଦ୍ଦିଗରେ ଥିଲେ ଓ ଯୁଦ୍ଧବୀରମାନେ ତୁମ୍ଭର ସବୁ ଗଡ଼ ଉପରେ ଥିଲେ; ସେମାନେ ତୁମ୍ଭ ପ୍ରାଚୀର ଉପରେ ଚତୁର୍ଦ୍ଦିଗରେ ଆପଣା ଆପଣା ଢାଲ ଟଙ୍ଗାଇଲେ; ସେମାନେ ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଅଛନ୍ତି ।

12ସବୁ ପ୍ରକାର ଧନର ବାହୁଲ୍ୟ ସକାଶୁ ତର୍ଶୀଶ୍‍ ତୁମ୍ଭର ବଣିକ ଥିଲା, ସେମାନେ ରୂପା, ଲୁହା, ଦସ୍ତା ଓ ସୀସା ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।

13ଯବନ, ତୁବଲ ଓ ମେଷକ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ମନୁଷ୍ୟ ଓ ପିତ୍ତଳର ପାତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।

14ତୋଗର୍ମ ବଂଶୀୟ ଲୋକମାନେ ଅଶ୍ୱ, ଯୁଦ୍ଧାଶ୍ୱ ଓ ଖଚର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।

15ଦଦାନର ଲୋକମାନେ ତୁମ୍ଭର ବ୍ୟବସାୟୀ ଥିଲେ; ଅନେକ ଦ୍ୱୀପ ତୁମ୍ଭର ହସ୍ତଗତ ଗଞ୍ଜ ଥିଲା, ସେମାନେ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବଦଳେ ହାତୀର ଦନ୍ତ ଶୃଙ୍ଗ ଓ ଅବଲୁସ୍‍ କାଷ୍ଠ ଆଣିଲେ ।

16ତୁମ୍ଭ ହସ୍ତନିର୍ମିତ ଦ୍ରବ୍ୟର ବାହୁଲ୍ୟ ହେତୁ ଅରାମ ତୁମ୍ଭର ବଣିକ ଥିଲା; ସେମାନେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗମଣି ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।

17ଯିହୂଦା ଓ ଇସ୍ରାଏଲ ଦେଶ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ମିନ୍ନୀତର ଗହମ ଓ ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁଗ୍‍ଗୁଳ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।

18ସର୍ବପ୍ରକାର ଧନର ବାହୁଲ୍ୟ କ୍ରମେ, ତୁମ୍ଭର ହସ୍ତନିର୍ମିତ ଦ୍ରବ୍ୟର ବାହୁଲ୍ୟ ସକାଶୁ ଦାମାସ୍‍କସ୍‍ ତୁମ୍ଭର ବଣିକ ଥିଲା, ସେମାନେ ହିଲ୍‍ବୋନର ଦ୍ରାକ୍ଷାରସ ଓ ଶୁଭ୍ର ମେଷଲୋମ ଦେଲେ ।

19ବଦାନ ଓ ଯବନ ଲୋମନିର୍ମିତ ସୂତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ; ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ କାନ୍ତଲୌହ, ଗୁଡ଼ତ୍ୱକ୍‍ ଓ ସୁଗନ୍ଧି ବଚ ଥିଲା ।

20ଦଦାନ ବାହନର ଉପଯୋଗୀ ବହୁମୂଲ୍ୟ ବସ୍ତ୍ରାଦିରେ ତୁମ୍ଭର ବ୍ୟବସାୟୀ ଥିଲା ।

21ଆରବ ଓ କେଦରର ଅଧିପତି ସମସ୍ତେ ତୁମ୍ଭର ହସ୍ତଗତ ବଣିକ ଥିଲେ; ମେଷଶାବକ, ମେଷ ଓ ଛାଗ, ଏସକଳ ବିଷୟରେ ସେମାନେ ତୁମ୍ଭର ବଣିକ ଥିଲେ ।

22ଶିବାର ଓ ରୟମାର ବ୍ୟବସାୟୀମାନେ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ସର୍ବପ୍ରକାର ଶ୍ରେଷ୍ଠ ଗନ୍ଧଦ୍ରବ୍ୟ ଓ ସର୍ବପ୍ରକାର ବହୁମୂଲ୍ୟ ପ୍ରସ୍ତର, ଆଉ ସୁବର୍ଣ୍ଣ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।

23ହାରଣ ଓ କନ୍ନୀ ଓ ଏଦନ୍‍, ଶିବାର ଏହି ବ୍ୟବସାୟୀମାନେ, ପୁଣି ଅଶୂର ଓ କିଲ୍ମଦ୍‍ ତୁମ୍ଭର ବ୍ୟବସାୟୀ ଥିଲେ ।

24ଏମାନେ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ ଉତ୍କୃଷ୍ଟ ନାନା ଦ୍ରବ୍ୟ, ନୀଳବର୍ଣ୍ଣ ଓ ବୁଟାଦାର ଆବରଣୀୟ ବସ୍ତ୍ର ଓ ବହୁମୂଲ୍ୟ ବସ୍ତ୍ର, ରଜ୍ଜୁରେ ବନ୍ଧା ଏରସ କାଷ୍ଠନିର୍ମିତ ସିନ୍ଦୁକରେ ତୁମ୍ଭର ବ୍ୟବସାୟୀ ଥିଲେ ।

25ତର୍ଶୀଶର ଜାହାଜସକଳ ତୁମ୍ଭର ବ୍ୟବସାୟକାରୀ ପଥିକ ସ୍ୱରୂପ ଥିଲେ; ପୁଣି, ତୁମ୍ଭେ ପରିପୂର୍ଣ୍ଣା ଓ ସମୁଦ୍ରର ମଧ୍ୟସ୍ଥଳରେ ଅତିଶୟ ପ୍ରତାପାନ୍ୱିତା ଥିଲ ।

26ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ୟକୁ ଆଣିଅଛନ୍ତି; ପୂର୍ବୀୟ ବାୟୁ ସମୁଦ୍ରମାନଙ୍କ ମଧ୍ୟସ୍ଥଳରେ ତୁମ୍ଭକୁ ଭାଙ୍ଗି ପକାଇଅଛି ।

27ତୁମ୍ଭର ଧନ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ, ତୁମ୍ଭର ବାଣିଜ୍ୟ, ତୁମ୍ଭର ନାବିକଗଣ ଓ ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭର ଛିଦ୍ର ବଟାଳିବା ଲୋକମାନେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ଧରିବା ଲୋକମାନେ, ଆଉ ତୁମ୍ଭର ମଧ୍ୟବର୍ତ୍ତୀ ଯୋଦ୍ଧା ସମସ୍ତେ ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ସମାଜ ସହିତ ତୁମ୍ଭର ପତନ ଦିନ ସମୁଦ୍ରମାନଙ୍କ ମଧ୍ୟସ୍ଥଳରେ ପତିତ ହେବେ ।

28ତୁମ୍ଭ କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦରେ ଉପନଗରସମୂହ କମ୍ପିତ ହେବେ ।

29ପୁଣି, ଆହୁଲା ଧରିବା ସମସ୍ତ ଲୋକ, ନାବିକମାନେ ଓ ସମୁଦ୍ରସ୍ଥ କର୍ଣ୍ଣଧାର ସମସ୍ତେ ଆପଣା ଆପଣା ଜାହାଜରୁ ଓହ୍ଳାଇ ଆସି ସ୍ଥଳରେ ଠିଆ ହେବେ,

30ପୁଣି, ତୁମ୍ଭ ଉଦ୍ଦେଶ୍ୟରେ ଆପଣାମାନଙ୍କ ଶବ୍ଦ ଶୁଣାଇ ଅତିଶୟ କ୍ରନ୍ଦନ କରିବେ ଓ ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ ଭସ୍ମରେ ଗଡ଼ିବେ;

31ଆଉ, ସେମାନେ ତୁମ୍ଭ ସକାଶୁ ମସ୍ତକ ମୁଣ୍ଡନ କରି କଟୀଦେଶରେ ଚଟ ବାନ୍ଧିବେ, ଆଉ ତୁମ୍ଭ ସକାଶୁ ପ୍ରାଣର ବିକଳତାରେ ରୋଦନ କରି ଅତିଶୟ ବିଳାପ କରିବେ ।

32ପୁଣି, ସେମାନେ ଆପଣାମାନଙ୍କର ଶୋକ ସମୟରେ ତୁମ୍ଭ ଉଦ୍ଦେଶ୍ୟରେ ବିଳାପ କରି ତୁମ୍ଭ ବିଷୟରେ ଏହି କଥା କହି ବିଳାପ କରିବେ, ସୋର ପରି, ଯେ ସମୁଦ୍ର ମଧ୍ୟ ସ୍ଥାନରେ ନିସ୍ତବ୍‍ଧା ହେଲା, ତାହା ପରି କିଏ ଅଛି ?

33ଯେତେବେଳେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟସବୁ ସମୁଦ୍ରମାନଙ୍କ ମଧ୍ୟରୁ ବାହାରି ଗଲା, ସେତେବେଳେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ପରିପୂର୍ଣ୍ଣ କଲ; ତୁମ୍ଭେ ଆପଣା ଧନ ଓ ବାଣିଜ୍ୟ ଦ୍ରବ୍ୟର ବାହୁଲ୍ୟରେ ପୃଥିବୀର ରାଜଗଣକୁ ଧନୀ କଲ ।

34ତୁମ୍ଭେ ସମୁଦ୍ର ଦ୍ୱାରା ଗଭୀର ଜଳରାଶିରେ ଭଗ୍ନ ହେବା ସମୟରେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧ୍ୟରେ ପତିତ ହେଲେ ।

35ଦ୍ୱୀପସମୂହର ନିବାସୀ ସମସ୍ତେ ତୁମ୍ଭ ବିଷୟରେ ବିସ୍ମିତ ହୋଇଅଛନ୍ତି ଓ ସେମାନଙ୍କର ରାଜଗଣ ଅତ୍ୟନ୍ତ ଭୀତ ହୋଇଅଛନ୍ତି ଓ ସେମାନଙ୍କର ବଦନ ବିଷର୍ଣ୍ଣ ହୋଇଅଛି ।

36ଗୋଷ୍ଠୀଗଣର ମଧ୍ୟବର୍ତ୍ତୀ ବଣିକମାନେ ତୁମ୍ଭ ଉଦ୍ଦେଶ୍ୟରେ ଶୀଷ୍‍ ଶବ୍ଦ କରନ୍ତି; ତୁମ୍ଭେ ଭୟଙ୍କର ହୋଇଅଛ, ପୁଣି, ତୁମ୍ଭେ ଆଉ କେବେ ସ୍ଥାପିତ ହେବ ନାହିଁ ।


  Share Facebook  |  Share Twitter

 <<  Ezekiel 27 >> 


Bible2india.com
© 2010-2024
Help
Dual Panel

Laporan Masalah/Saran