Bible 2 India Mobile
[VER] : [ODIYA]     [PL]  [PB] 
 <<  Romans 10 >> 

1ହେ ଭାଇମାନେ, ସେମାନେ ଯେପରି ପରିତ୍ରାଣ ପାଆନ୍ତି, ଏହା ମୋହର ହୃଦୟର ବାଞ୍ଛା ଏବଂ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଛାମୁରେ ମୋହର ପ୍ରାର୍ଥନା ।

2କାରଣ ଈଶ୍ୱରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍‍ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍‍ଯୋଗ ଜ୍ଞାନଯୁକ୍ତ ନୁହେଁ ।

3ଯେଣୁ ଈଶ୍ୱରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ୱରଦତ୍ତ ଧାର୍ମିକତାର ବଶୀଭୂତ ହୋଇ ନାହାଁନ୍ତି ।

4କାରଣ ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ମୋଶାଙ୍କ ବ୍ୟବସ୍ଥାର ଶେଷ ଅଟନ୍ତି ।

5କାରଣ ମୋଶା ଲେଖନ୍ତି, ଯେଉଁ ମନୁଷ୍ୟ ମୋଶାଙ୍କ ବ୍ୟବସ୍ଥାମୂଳକ ଧାର୍ମିକତା ସାଧନ କରେ, ସେ ତଦ୍ୱାରା ବଞ୍ଚିବ ।

6କିନ୍ତୁ ବିଶ୍ୱାସମୂଳକ ଧାର୍ମିକତା ଏପରି କହେ, "ମନେ ମନେ କୁହ ନାହିଁ, "କିଏ ସ୍ୱର୍ଗାରୋହଣ କରିବ' (ଅର୍ଥାତ୍‍, ଖ୍ରୀଷ୍ଟଙ୍କୁ ଓହ୍ଲାଇଆଣିବା ନିମନ୍ତେ) ?

7ଅବା "କିଏ ପାତାଳକୁ ଅବତରଣ କରିବ' (ଅର୍ଥାତ୍‍, ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଆଣିବା ନିମନ୍ତେ) ?

8କିନ୍ତୁ ତାହା କ'ଣ କହେ ? "ବାକ୍ୟ ତୁମ୍ଭର ନିକଟବର୍ତ୍ତୀ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛି', ଅର୍ଥାତ୍‍ ଯେଉଁ ବିଶ୍ୱାସ ସମ୍ବନ୍ଧୀୟ ବାକ୍ୟ ଆମ୍ଭେମାନେ ପ୍ରଚାର କରୁ, ସେହି ବାକ୍ୟ ।"

9ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ, ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ;

10କାରଣ ଧାର୍ମିକତାପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ ।

11ଯେଣୁ ଶାସ୍ତ୍ର କହେ, ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ ।

12କାରଣ ଯିହୂଦୀ ଓ ଗ୍ରୀକ୍‍ ମଧ୍ୟରେ କିଛି ପ୍ରଭେଦ ନାହିଁ; ଯେଣୁ ସମସ୍ତଙ୍କର ତ ଏକ ପ୍ରଭୁ, ଆଉ ଯେତେ ଲୋକ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ପ୍ରତି ସେ ଅନୁଗ୍ରହର ନିଧିସ୍ୱରୂପ ।

13କାରଣ ଯେ କେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ ।

14ତେବେ ଯାହାଙ୍କୁ ସେମାନେ ବିଶ୍ୱାସ କରି ନାହାଁନ୍ତି, ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ ? ପୁଣି, ଯାହାଙ୍କ କଥା ସେମାନେ ଶୁଣି ନାହାଁନ୍ତି, କିପରି ତାହାଙ୍କଠାରେ ବିଶ୍ୱାସ କରିବେ ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ ?

15ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ ? ଯେପରି ଲେଖା ଅଛି, "ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ ।

16କିନ୍ତୁ ସମସ୍ତେ ସୁସମାଚାରର ବଶୀଭୂତ ହେଲେ ନାହିଁ । କାରଣ ଯିଶାଇୟ କହନ୍ତି, "ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି ?'

17ଅତଏବ, ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ ।

18କିନ୍ତୁ ମୁଁ କହେ, ସେମାନେ କି ଶୁଣି ନାହାଁନ୍ତି ? ହଁ, ନିଶ୍ଚୟ; ସମୁଦାୟ ପୃଥିବୀରେ ସେମାନଙ୍କ ସ୍ୱର, ଆଉ ଜଗତର ସୀମା ପର୍ଯ୍ୟନ୍ତ ସେମାନଙ୍କ ବାକ୍ୟ ବ୍ୟାପିଗଲା ।

19କିନ୍ତୁ ମୁଁ କହେ, ଇସ୍ରାଏଲ କ'ଣ ଜାଣି ନାହାଁନ୍ତି ? ପ୍ରଥମରେ ମୋଶା କହନ୍ତି, "ଆମ୍ଭେ ନଗଣ୍ୟ ଜାତି ଦ୍ୱାରା ତୁମ୍ଭମାନଙ୍କର ଈର୍ଷା ଜନ୍ମାଇବା, ଗୋଟିଏ ନିର୍ବୋଧ ଜାତି ଦ୍ୱାରା ତୁମ୍ଭମାନଙ୍କୁ କ୍ରୋଧାନ୍ୱିତ କରିବା ।

20ତାହା ପରେ ଯିଶାଇୟ ସାହସରେ କହନ୍ତି, "ଯେଉଁମାନେ ଆମ୍ଭର ଅନ୍ୱେଷଣ କରୁ ନ ଥିଲେ, ସେମାନେ ଆମ୍ଭକୁ ପ୍ରାପ୍ତ ହେଲେ; ଯେଉଁମାନେ ଆମ୍ଭ ବିଷୟ ପଚାରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ ।'

21କିନ୍ତୁ ସେ ଇସ୍ରାଏଲ ବିଷୟରେ କହନ୍ତି, "ଆମ୍ଭେ ଅନାଜ୍ଞାବହ ଓ ପ୍ରତିକୂଳବାଦୀ ଲୋକମାନଙ୍କ ପ୍ରତି ଦିନଯାକ ହସ୍ତ ବିସ୍ତାର କରିଅଛୁ ।'


  Share Facebook  |  Share Twitter

 <<  Romans 10 >> 


Bible2india.com
© 2010-2024
Help
Dual Panel

Laporan Masalah/Saran