Bible 2 India Mobile
[VER] : [ODIYA]     [PL]  [PB] 
 <<  Lamentations 4 >> 

1ହାୟ, ସୁବର୍ଣ୍ଣ କିପରି ମଳିନ ହୋଇଅଛି ! ଅତ୍ୟନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହୋଇଅଛି ! ପବିତ୍ର ସ୍ଥାନର ପ୍ରସ୍ତରସବୁ ପ୍ରତ୍ୟେକ ଦାଣ୍ଡର ମୁଣ୍ଡରେ ନିକ୍ଷିପ୍ତ ହୋଇଅଛି ।

2ହାୟ ! ନିର୍ମଳ ସୁବର୍ଣ୍ଣ ତୁଲ୍ୟ ଯେ ସିୟୋନର ସନ୍ତାନଗଣ, ସେମାନେ କିପରି କୁମ୍ଭାରର ହସ୍ତକୃତ ମୃତ୍ତିକାର କଳସ ତୁଲ୍ୟ ଗଣିତ ହୋଇଅଛନ୍ତି !

3ଶୃଗାଳମାନେ ହିଁ ସ୍ତନ ଦିଅନ୍ତି, ସେମାନେ ଆପଣା ଆପଣା ଛୁଆମାନଙ୍କୁ ଦୁଗ୍ଧପାନ କରାନ୍ତି; ମୋ' ଲୋକଙ୍କର କନ୍ୟା ପ୍ରାନ୍ତରସ୍ଥ ଉଷ୍ଟ୍ରପକ୍ଷୀ ପରି ନିଷ୍ଠୁରା ହୋଇଅଛି ।

4ତୃଷା ହେତୁରୁ ସ୍ତନ୍ୟପାୟୀ ଶିଶୁର ଜିହ୍ୱା ତାଳୁରେ ଲାଗି ଯାଉଅଛି; ବାଳକ ବାଳିକାମାନେ ରୁଟି ମାଗନ୍ତି ଓ କେହି ସେମାନଙ୍କୁ ତାହା ଭାଙ୍ଗି ଦିଏ ନାହିଁ ।

5ଯେଉଁମାନେ ସୁଖାଦ୍ୟ ଭୋଜନ କଲେ, ସେମାନେ ଦାଣ୍ଡରେ ଅନାଥ ହୋଇଅଛନ୍ତି; ଯେଉଁମାନେ ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧି ପ୍ରତିପାଳିତ ହେଲେ, ସେମାନେ ଖତରାଶି ଅବଲମ୍ବନ କରନ୍ତି ।

6କାରଣ ଯେ ଏକ ନିମିଷ ମଧ୍ୟରେ ଉତ୍ପାଟିତ ହେଲା ଓ ଯାହାକୁ କାହାରି ହସ୍ତ ଆକ୍ରମଣ ନ କଲା, ଏପରି ଯେ ସଦୋମ, ତାହାର ପାପ ଅପେକ୍ଷା ମୋ' ଲୋକଙ୍କ କନ୍ୟାର ଅଧର୍ମ ଅଧିକ ଅଟେ ।

7ତାହାର କୁଳୀନ ଲୋକମାନେ ହିମ ଅପେକ୍ଷା ନିର୍ମଳ, ସେମାନେ ଦୁଗ୍ଧ ଅପେକ୍ଷା ଶୁକ୍ଳ ଥିଲେ, ସେମାନଙ୍କର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ, ସେମାନଙ୍କର କାନ୍ତି ନୀଳକାନ୍ତ ମଣି ତୁଲ୍ୟ ଥିଲା ।

8ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳା ବର୍ଣ୍ଣ; ସେମାନେ ଦାଣ୍ଡରେ ଚିହ୍ନା ଯା'ନ୍ତି ନାହିଁ; ସେମାନଙ୍କର ଚର୍ମ ଅସ୍ଥିରେ ଲାଗି ରହିଅଛି; ତାହା କାଷ୍ଠ ପରି ଶୁଷ୍କ ହୋଇଅଛି,

9କ୍ଷୁଧାରେ ହତ ହେବା ଲୋକମାନଙ୍କ ଅପେକ୍ଷା ଖଡ଼୍‍ଗରେ ହତ ହେବା ଲୋକମାନେ ଭଲ; କାରଣ ଏମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟର ଅଭାବରୂପ ଶୂଳରେ ବିଦ୍ଧ ହୋଇ କ୍ଷୟ ପାଆନ୍ତି ।

10ସ୍ନେହବତୀ ସ୍ତ୍ରୀଗଣର ହସ୍ତ ଆପଣା ଆପଣା ପିଲାମାନଙ୍କୁ ରାନ୍ଧିଅଛି; ମୋ' ଲୋକଙ୍କ କନ୍ୟାର ବିନାଶ ସମୟରେ ଶିଶୁମାନେ ସେମାନଙ୍କର ଆହାର ହେଲେ ।

11ସଦାପ୍ରଭୁ ଆପଣା କୋପ ସଫଳ କରିଅଛନ୍ତି, ସେ ଆପଣା ପ୍ରଚଣ୍ଡ କ୍ରୋଧ ଢାଳି ଦେଇଅଛନ୍ତି; ପୁଣି, ସେ ସିୟୋନରେ ଅଗ୍ନି ଜ୍ୱଳାଇ ଅଛନ୍ତି ତାହା ତାହାର ଭିତ୍ତିମୂଳ ଗ୍ରାସ କରିଅଛି ।

12ବିପକ୍ଷ ଲୋକ ଓ ଶତ୍ରୁ ଯେ ଯିରୂଶାଲମର ଦ୍ୱାର ସମୂହରେ ପ୍ରବେଶ କରିବ, ଏହା ପୃଥିବୀସ୍ଥ ରାଜଗଣ କିଅବା ଜଗନ୍ନିବାସୀ ସମସ୍ତେ ବିଶ୍ୱାସ କଲେ ନାହିଁ ।

13ତହିଁ ମଧ୍ୟରେ ଯେଉଁମାନେ ଧାର୍ମିକଗଣର ରକ୍ତପାତ କରିଅଛନ୍ତି, ସେହି ଭବିଷ୍ୟଦ୍‍ବକ୍ତାଗଣର ପାପ ଓ ଯାଜକଗଣର ଅଧର୍ମ ସକାଶୁ ଏହା ହୋଇଅଛି ।

14ସେମାନେ ଅନ୍ଧ ଲୋକମାନଙ୍କ ପରି ଦାଣ୍ଡରେ ଭ୍ରମଣ କରନ୍ତି, ସେମାନେ ରକ୍ତରେ ଅଶୁଚି ହୋଇଅଛନ୍ତି, ଏଣୁ ଲୋକେ ସେମାନଙ୍କର ବସ୍ତ୍ର ସ୍ପର୍ଶ କରି ନ ପାରନ୍ତି ।

15ଲୋକେ ସେମାନଙ୍କୁ ଡାକି କହିଲେ, ହେ ଅଶୁଚି ଲୋକମାନେ, ଦୂର ହୁଅ ! ଦୂର ହୁଅ, ଦୂର ହୁଅ, ସ୍ପର୍ଶ କର ନାହିଁ ! ସେମାନେ ପଳାଇ ଭ୍ରମଣ କଲା ବେଳେ ନାନା ଗୋଷ୍ଠୀ ମଧ୍ୟରୁ ଲୋକେ କହିଲେ, ସେମାନେ ଆଉ ଏଠାରେ ପ୍ରବାସ କରିବେ ନାହିଁ ।

16ସଦାପ୍ରଭୁଙ୍କ କ୍ରୋଧ ସେମାନଙ୍କୁ ଛିନ୍ନଭିନ୍ନ କରିଅଛି; ସେ ସେମାନଙ୍କ ପ୍ରତି ଆଉ ଦୃଷ୍ଟିପାତ କରିବେ ନାହିଁ; ସେମାନେ ଯାଜକମାନଙ୍କୁ ଆଦର କଲେ ନାହିଁ, ସେମାନେ ପ୍ରାଚୀନଗଣକୁ ଅନୁଗ୍ରହ କଲେ ନାହିଁ ।

17ଏବେ ହେଁ ମିଥ୍ୟା ସାହାଯ୍ୟର ଅପେକ୍ଷାରେ ଆମ୍ଭମାନଙ୍କର ଚକ୍ଷୁ କ୍ଷୀଣ ହୁଅଇ; ଆମ୍ଭେମାନେ ଅପେକ୍ଷାରେ ରହି ରହି ଉଦ୍ଧାର କରିବାକୁ ଅସମର୍ଥ ଗୋଷ୍ଠୀର ଅପେକ୍ଷା କରିଅଛୁ ।

18ସେମାନେ ଆମ୍ଭମାନଙ୍କର ପାଦବିକ୍ଷେପ ଛକି ରହିଅଛନ୍ତି, ଆମ୍ଭେମାନେ ଆପଣା ଦାଣ୍ଡରେ ବୁଲି ନ ପାରୁ; ଆମ୍ଭମାନଙ୍କର ଶେଷ ନିକଟ, ଆମ୍ଭମାନଙ୍କର ଆୟୁ ସମ୍ପୂର୍ଣ୍ଣ ହେଲା; କାରଣ ଆମ୍ଭମାନଙ୍କର ଶେଷ କାଳ ଉପସ୍ଥିତ;

19ଆମ୍ଭମାନଙ୍କୁ ଗୋଡ଼ାଇବା ଲୋକମାନେ ଆକାଶର ଉତ୍କ୍ରୋଶ ପକ୍ଷୀ ଅପେକ୍ଷା ବେଗଗାମୀ; ସେମାନେ ପର୍ବତରେ ଆମ୍ଭମାନଙ୍କୁ ଗୋଡ଼ାଇଲେ, ସେମାନେ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତରରେ ଛକି ବସିଲେ ।

20ଆମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ତାହାର ଛାୟା ତଳେ ବଞ୍ଚିବା ବୋଲି ଯାହାର ବିଷୟରେ କହିଲୁ, ଆମ୍ଭମାନଙ୍କ ନାସାର ନିଃଶ୍ୱାସସ୍ୱରୂପ, ସଦାପ୍ରଭୁଙ୍କର ସେହି ଅଭିଷିକ୍ତ ଲୋକ ସେମାନଙ୍କ ଗର୍ତ୍ତରେ ଧରାଗଲା ।

21ହେ ଉଷ ଦେଶ ନିବାସିନୀ ଇଦୋମର କନ୍ୟେ, ତୁମ୍ଭେ ଆନନ୍ଦ କର ଓ ପୁଲକିତା ହୁଅ; ସେହି ପାନପାତ୍ର ତୁମ୍ଭ ନିକଟକୁ ହିଁ ଯିବ; ତୁମ୍ଭେ ମତ୍ତା ହେବ ଓ ଆପଣାକୁ ଉଲଙ୍ଗିନୀ କରିବ ।

22ହେ ସିୟୋନର କନ୍ୟେ, ତୁମ୍ଭ ଅଧର୍ମର ଦଣ୍ଡ ସମ୍ପୂର୍ଣ୍ଣ ହୋଇଅଛି; ସେ ତୁମ୍ଭକୁ ବନ୍ଦୀତ୍ୱ ସ୍ଥାନକୁ ଆଉ ନେଇ ଯିବେ ନାହିଁ; ହେ ଇଦୋମର କନ୍ୟେ, ସେ ତୁମ୍ଭ ଅଧର୍ମର ପ୍ରତିଫଳ ଦେବେ; ସେ ତୁମ୍ଭର ପାପସବୁ ଅନାବୃତ୍ତ କରିବେ ।


  Share Facebook  |  Share Twitter

 <<  Lamentations 4 >> 


Bible2india.com
© 2010-2024
Help
Dual Panel

Laporan Masalah/Saran