Bible 2 India Mobile
[VER] : [ODIYA]     [PL]  [PB] 
 <<  Lamentations 3 >> 

1ଯେ ତାହାଙ୍କ କ୍ରୋଧରୂପ ପାଞ୍ଚଣ ଦ୍ୱାରା କ୍ଳେଶ ଦେଖିଅଛି, ମୁଁ ସେହି ମନୁଷ୍ୟ ।

2ସେ ମୋତେ ଆଲୁଅରେ ନୁହେଁ, ଅନ୍ଧକାରରେ ଚଳାଇ ଅଛନ୍ତି ।

3ସେ ନିଶ୍ଚୟ ମୋ' ବିରୁଦ୍ଧରେ ଆପଣା ହସ୍ତ ପୁନଃ ପୁନଃ ଫେରାଉ ଅଛନ୍ତି ।

4ସେ ମୋହର ମାଂସ ଓ ମୋର ଚର୍ମ ଜୀର୍ଣ୍ଣ କରିଅଛନ୍ତି; ସେ ମୋହର ଅସ୍ଥିସବୁ ଭାଙ୍ଗି ପକାଇ ଅଛନ୍ତି ।

5ସେ ମୋତେ ଅବରୁଦ୍ଧ କରିଅଛନ୍ତି, ସେ ମୋତେ ତିକ୍ତତା ଓ ଶ୍ରାନ୍ତିରେ ବେଷ୍ଟିତ କରିଅଛନ୍ତି ।

6ସେ ବହୁ କାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ ଅନ୍ଧକାର ସ୍ଥାନରେ ବାସ କରାଇ ଅଛନ୍ତି ।

7ସେ ମୋର ଚାରିଆଡ଼େ ସୁରକ୍ଷାର ବାଡ଼ ଦେଇଅଛନ୍ତି, ଯେପରି ମୁଁ ବାହାରି ଯାଇ ନ ପାରେ; ସେ ମୋହର ଜଞ୍ଜିର ଭାରୀ କରିଅଛନ୍ତି ।

8ହଁ, ମୁଁ ସାହାଯ୍ୟ ପାଇଁ ଆର୍ତ୍ତସ୍ୱର କଲେ, ସେ ମୋହର ପ୍ରାର୍ଥନା ଅଗ୍ରାହ୍ୟ କରନ୍ତି ।

9ସେ କଟା ପଥରରେ ମୋହର ପଥ ଅବରୋଧ କରିଅଛନ୍ତି, ସେ ମୋର ପଥସବୁ ବକ୍ର କରିଅଛନ୍ତି ।

10ସେ ମୋ' ପ୍ରତି ଛକି ବସିଥିବା ଭାଲୁ ଓ ଅନ୍ତରାଳରେ ଥିବା ସିଂହ ପରି ଅଟନ୍ତି ।

11ସେ ମୋର ପଥ ବିପଥ କରି ମୋତେ ଟାଣି ଖଣ୍ଡ ଖଣ୍ଡ କରିଅଛନ୍ତି; ସେ ମୋତେ ଅନାଥ କରିଅଛନ୍ତି ।

12ସେ ଆପଣା ଧନୁରେ ଗୁଣ ଦେଇଅଛନ୍ତି ଓ ମୋତେ ତୀର ଲକ୍ଷ୍ୟ କରି ରଖିଅଛନ୍ତି ।

13ସେ ଆପଣା ତୂଣର ଶର ମୋହର ହୃଦୟରେ ପ୍ରବେଶ କରାଇଅଛନ୍ତି ।

14ମୁଁ ନିଜ ଲୋକସକଳର ଉପହାସର ବିଷୟ ଓ ଦିନସାରା ସେମାନଙ୍କର ଗାୟନ ହୋଇଅଛି ।

15ସେ ମୋତେ ତିକ୍ତତାରେ ପୂର୍ଣ୍ଣ କରିଅଛନ୍ତି, ସେ ନାଗଦଅଣାରେ ମୋତେ ପୂରିତ କରିଅଛନ୍ତି ।

16ଆହୁରି, ସେ କଙ୍କରରେ ମୋର ଦନ୍ତ ଭାଙ୍ଗିଅଛନ୍ତି, ସେ ଭସ୍ମରେ ମୋତେ ଆଚ୍ଛାଦିତ କରିଅଛନ୍ତି ।

17ପୁଣି, ତୁମ୍ଭେ ମୋହର ପ୍ରାଣକୁ ଶାନ୍ତିରୁ ଦୂରରେ ରଖିଅଛ; ମୁଁ ଆନନ୍ଦ ପାସୋରି ଯାଇଅଛି ।

18ଏଣୁ ମୁଁ କହିଲି, ମୋହର ବଳ ଓ ସଦାପ୍ରଭୁଙ୍କଠାରେ ମୋର ପ୍ରତ୍ୟାଶା ନଷ୍ଟ ହୋଇଅଛି ।

19ମୋହର ଦୁଃଖ ଓ ଦୁର୍ଗତି ସ୍ମରଣ କର, ତାହା ନାଗଦଅଣା ଓ ବିଷ ସ୍ୱରୂପ ।

20ମୋହର ପ୍ରାଣ ଏପର୍ଯ୍ୟନ୍ତ ତାହା ସ୍ମରଣରେ ରଖୁଅଛି ଓ ମୋ' ଅନ୍ତରରେ ଅବସନ୍ନ ହେଉଅଛି ।

21ମୁଁ ଏହା ମନରେ ସ୍ମରଣ କରୁଥାଏ, ଏଥିପାଇଁ ମୋହର ଭରସା ଅଛି ।

22ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇ ନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ ।

23ସେହିସବୁ ପ୍ରତି ପ୍ରଭାତରେ ନୂତନ ହୋଇଥାଏ; ଓ ତୁମ୍ଭର ବିଶ୍ୱସ୍ତତା ମହତ୍ ଅଟେ ।

24ମୋର ପ୍ରାଣ କୁହେ, ସଦାପ୍ରଭୁ ମୋହର ବାଣ୍ଟସ୍ୱରୂପ; ଏଥିପାଇଁ ମୁଁ ତାହାଙ୍କଠାରେ ଭରସା ରଖିବି ।

25ଯେଉଁମାନେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରନ୍ତି, ଯେଉଁ ପ୍ରାଣ ତାହାଙ୍କର ଅନ୍ୱେଷଣ କରେ, ତାହା ପ୍ରତି ସେ ମଙ୍ଗଳମୟ ଅଟନ୍ତି ।

26ସଦାପ୍ରଭୁଙ୍କ ପରିତ୍ରାଣର ପ୍ରତ୍ୟାଶା କରି ସୁସ୍ଥିର ଭାବରେ ଅପେକ୍ଷା କରିବାର ମନୁଷ୍ୟର ମଙ୍ଗଳ ।

27ଯୌବନ କାଳରେ ଯୁଆଳି ବହିବା ମନୁଷ୍ୟ ନିମନ୍ତେ ମଙ୍ଗଳ ଅଟେ ।

28ସେ ଏକାକୀ ବସି ନୀରବ ହୋଇ ରହୁ, କାରଣ ସେ ତାହାର ସ୍କନ୍ଧରେ ଯୁଆଳି ରଖି ଅଛନ୍ତି ।

29ସେ ଧୂଳିରେ ଆପଣା ମୁଖ ରଖୁ; ତାହାହେଲେ ଅବା ଭରସା ଥାଇପାରେ ।

30ଯେ ତାହାକୁ ପ୍ରହାର କରେ, ସେ ତାହାକୁ ଆପଣା ଗାଲ ଦେଖାଇ ଦେଉ; ସେ ପୂର୍ଣ୍ଣ ଅପମାନରେ ପରିପୂର୍ଣ୍ଣ ହେଉ ।

31କାରଣ ପ୍ରଭୁ ସଦାକାଳ ପରିତ୍ୟାଗ କରିବେ ନାହିଁ ।

32କାରଣ ଯଦ୍ୟପି ସେ ଦୁଃଖ ଘଟାନ୍ତି, ତଥାପି ଆପଣାର ଅପାର ଦୟାନୁସାରେ ସେ କରୁଣା କରିବେ ।

33କାରଣ ସେ ମନୁଷ୍ୟ-ସନ୍ତାନଗଣକୁ ସ୍ୱେଚ୍ଛାରେ କ୍ଳେଶ କିଅବା ଦୁଃଖ ଦିଅନ୍ତି ନାହିଁ ।

34ପୃଥିବୀର ବନ୍ଦୀସକଳ ପଦ ତଳେ ଦଳିତ ହେବାର,

35ସର୍ବୋପରିସ୍ଥଙ୍କ ସମ୍ମୁଖରେ ମନୁଷ୍ୟର ସତ୍ତ୍ୱ ଅନ୍ୟଥା ହେବାର,

36ମନୁଷ୍ୟର ବିବାଦ ଅଯଥାର୍ଥ ରୂପେ ନିଷ୍ପତ୍ତି ହେବାର, ପ୍ରଭୁ ଭଲ ପାଆନ୍ତି ନାହିଁ ।

37ପ୍ରଭୁ ଆଜ୍ଞା ନ କଲେ, ଯେ କଥା କହେ ଓ ତାହା ସିଦ୍ଧ ହୁଏ, ଏପରି କିଏ ଅଛି ?

38ସର୍ବୋପରିସ୍ଥଙ୍କ ମୁଖରୁ ଅମଙ୍ଗଳ ଓ ମଙ୍ଗଳ କି ନିର୍ଗତ ହୁଏ ନାହିଁ ?

39ଜୀବିତ ମନୁଷ୍ୟ କାହିଁକି ଅସନ୍ତୋଷର କଥା କହେ, ଆପଣା ପାପର ଦଣ୍ଡ ସକାଶୁ ମନୁଷ୍ୟ କାହିଁକି ଅସନ୍ତୋଷର କଥା କହେ ?

40ଆମ୍ଭେମାନେ ଆପଣା ଆପଣା ପଥ ଅନୁସନ୍ଧାନ ଓ ପରୀକ୍ଷା କରୁ, ପୁଣି ସଦାପ୍ରଭୁଙ୍କ ପ୍ରତି ଫେରୁ ।

41ଆମ୍ଭେମାନେ ସ୍ୱର୍ଗ ନିବାସୀ ପରମେଶ୍ୱରଙ୍କ ଆଡ଼େ କୃତାଞ୍ଜଳିପୂର୍ବକ ଆପଣା ଆପଣା ହୃଦୟ ଉଠାଉ ।

42ଆମ୍ଭେମାନେ ଆଜ୍ଞା ଲଙ୍ଘନ ଓ ବିଦ୍ରୋହାଚରଣ କରିଅଛୁ; ତୁମ୍ଭେ କ୍ଷମା କରି ନାହଁ ।

43ତୁମ୍ଭେ କ୍ରୋଧରେ ଆଚ୍ଛନ୍ନ ହୋଇ ଆମ୍ଭମାନଙ୍କ ପଛେ ପଛେ ଗୋଡ଼ାଇଅଛ; ତୁମ୍ଭେ ବଧ କରିଅଛ, ତୁମ୍ଭେ ଦୟା କରି ନାହଁ ।

44ଆମ୍ଭମାନଙ୍କର ପ୍ରାର୍ଥନା ଯେପରି ଭେଦ କରି ଯାଇ ନ ପାରେ, ଏଥିପାଇଁ ତୁମ୍ଭେ ଆପଣାକୁ ମେଘରେ ଆଚ୍ଛନ୍ନ କରିଅଛ ।

45ତୁମ୍ଭେ ଗୋଷ୍ଠୀଗଣ ମଧ୍ୟରେ ଆମ୍ଭମାନଙ୍କୁ ଝଟା ଅଳିଆ ଓ ଅଗ୍ରାହ୍ୟ ବସ୍ତୁ ତୁଲ୍ୟ କରିଅଛ ।

46ଆମ୍ଭମାନଙ୍କର ଶତ୍ରୁ ସମସ୍ତେ ଆମ୍ଭମାନଙ୍କ ବିରୁଦ୍ଧରେ ଆପଣା ଆପଣା ମୁଖ ଫର୍ଚ୍ଚା କରି ମେଲାଇ ଅଛନ୍ତି ।

47ତ୍ରାସ ଓ ଖାତ, ଉଜାଡ଼ ଓ ବିନାଶ ଆମ୍ଭମାନଙ୍କ ପ୍ରତି ଘଟିଅଛି ।

48ମୋ' ଲୋକଙ୍କ କନ୍ୟାର ବିନାଶ ସକାଶୁ ମୋ' ଚକ୍ଷୁରୁ ଜଳଧାରା ବହୁଅଛି ।

49ଯେପର୍ଯ୍ୟନ୍ତ ସଦାପ୍ରଭୁ ସ୍ୱର୍ଗରୁ ଅନାଇ ନ ଦେଖନ୍ତି,

50ସେଯାଏ, ମୋର ଚକ୍ଷୁ ଅବିଶ୍ରାନ୍ତ ଅଶ୍ରୁ ବର୍ଷାଉଅଛି, ନିବୃତ୍ତ ହେଉ ନାହିଁ ।

51ମୋ' ନଗରୀର ସକଳ କନ୍ୟାଙ୍କ ସକାଶୁ ମୋହର ଚକ୍ଷୁ ମୋ' ପ୍ରାଣକୁ ଦୁଃଖ ଆଣେ ।

52ବିନା କାରଣରେ ଯେଉଁମାନେ ମୋହର ଶତ୍ରୁ, ସେମାନେ ମୋତେ ପକ୍ଷୀ ପରି ମୃଗୟା କରିଅଛନ୍ତି ।

53ସେମାନେ କୂପରେ ମୋର ପ୍ରାଣ ସଂହାର କରି ମୋ' ଉପରେ ପ୍ରସ୍ତର ପକାଇ ଅଛନ୍ତି ।

54ମୋ' ମସ୍ତକର ଉପର ଦେଇ ଜଳ ବହିଗଲା ମୁଁ କହିଲି, ମୁଁ ଉଚ୍ଛିନ୍ନ ହେଲି ।

55ହେ ସଦାପ୍ରଭୁ, ମୁଁ ଗଭୀରତମ କୂପ ମଧ୍ୟରୁ ତୁମ୍ଭ ନାମରେ ପ୍ରାର୍ଥନା କଲି ।

56ତୁମ୍ଭେ ମୋହର ରବ ଶୁଣିଲ ମୋର ନିଶ୍ୱାସ, ମୋହର ଆର୍ତ୍ତନାଦ ପ୍ରତି ଆପଣା କର୍ଣ୍ଣ ଲୁଚାଅ ନାହିଁ ।

57ଯେଉଁ ଦିନ ମୁଁ ତୁମ୍ଭ ଛାମୁରେ ପ୍ରାର୍ଥନା କଲି, ସେଦିନ ତୁମ୍ଭେ ନିକଟବର୍ତ୍ତୀ ହେଲ; ତୁମ୍ଭେ କହିଲ, ଭୟ କର ନାହିଁ ।

58ହେ ପ୍ରଭୁ, ତୁମ୍ଭେ ମୋ' ପ୍ରାଣର ବିବାଦସକଳର ସପକ୍ଷରେ ପ୍ରତିବାଦ କରିଅଛ; ତୁମ୍ଭେ ମୋହର ଜୀବନ ମୁକ୍ତ କରିଅଛ ।

59ହେ ସଦାପ୍ରଭୁ, ମୋ' ପ୍ରତି କୃତ ଅନ୍ୟାୟ ତୁମ୍ଭେ ଦେଖିଅଛ; ତୁମ୍ଭେ ମୋହର ବିଚାର ନିଷ୍ପତ୍ତି କର ।

60ତୁମ୍ଭେ ସେମାନଙ୍କର ପ୍ରତିଶୋଧ ଓ ମୋ' ବିରୁଦ୍ଧରେ ସେମାନଙ୍କର କୃତ ସଙ୍କଳ୍ପସବୁ ଦେଖିଅଛ ।

61ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କ ତିରସ୍କାର ଓ ମୋ' ବିରୁଦ୍ଧରେ ସେମାନଙ୍କର କୃତ ସଙ୍କଳ୍ପସବୁ ଶୁଣିଅଛ;

62ମୋ' ବିରୁଦ୍ଧରେ ଉଠିଲା ଲୋକମାନଙ୍କ ଓଷ୍ଠାଧରର କଥା ଓ ଦିନଯାକ ମୋ' ବିରୁଦ୍ଧରେ ସେମାନଙ୍କ କଳ୍ପନାସବୁ ତୁମ୍ଭେ ଶୁଣିଅଛ ।

63ତୁମ୍ଭେ ସେମାନଙ୍କର ବସିବାର ଓ ଉଠିବାର ନିରୀକ୍ଷଣ କର; ମୁଁ ସେମାନଙ୍କର ଗାୟନ ସ୍ୱରୂପ ହୋଇଅଛି ।

64ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କ ହସ୍ତକୃତ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବ ।

65ତୁମ୍ଭେ ସେମାନଙ୍କୁ ଚିତ୍ତର କଠିନତା, ତୁମ୍ଭର ଅଭିଶାପ ଦେବ ।

66ତୁମ୍ଭେ କ୍ରୋଧରେ ସେମାନଙ୍କ ପଛେ ପଛେ ଗୋଡ଼ାଇବ ଓ ସଦାପ୍ରଭୁଙ୍କ ଆକାଶମଣ୍ଡଳର ତଳୁ ସେମାନଙ୍କୁ ଉଚ୍ଛିନ୍ନ କରିବ ।


  Share Facebook  |  Share Twitter

 <<  Lamentations 3 >> 


Bible2india.com
© 2010-2024
Help
Dual Panel

Laporan Masalah/Saran