Bible 2 India Mobile
[VER] : [ODIYA]     [PL]  [PB] 
 <<  Lamentations 2 >> 

1ପ୍ରଭୁ ଆପଣା କ୍ରୋଧରେ ସିୟୋନ କନ୍ୟାକୁ କିପରି ମେଘାଚ୍ଛନ୍ନ କରିଅଛନ୍ତି ! ସେ ଇସ୍ରାଏଲର ଶୋଭା ସ୍ୱର୍ଗରୁ ପୃଥିବୀକୁ ପକାଇ ଦେଇଅଛନ୍ତି, ପୁଣି ଆପଣା କ୍ରୋଧର ଦିନରେ ଆପଣା ପାଦପୀଠ ସ୍ମରଣ କରି ନାହାନ୍ତି ।

2ପ୍ରଭୁ ଯାକୁବର ସକଳ ବାସ ସ୍ଥାନ ଗ୍ରାସ କରିଅଛନ୍ତି ଓ ଦୟା କରି ନାହାନ୍ତି, ସେ ଆପଣା କୋପରେ ଯିହୁଦା କନ୍ୟାର ଦୃଢ଼ ଦୁର୍ଗସବୁ ଉତ୍ପାଟନ କରିଅଛନ୍ତି; ସେସବୁକୁ ସେ ଭୂମିସାତ୍‍ କରିଅଛନ୍ତି ରାଜ୍ୟ ଓ ତହିଁର ଅଧିପତିଗଣକୁ ସେ ଅଶୁଚି କରିଅଛନ୍ତି ।

3ସେ ପ୍ରଚଣ୍ଡ କ୍ରୋଧରେ ଇସ୍ରାଏଲର ଶୃଙ୍ଗସବୁ କାଟି ପକାଇଅଛନ୍ତି; ସେ ଶତ୍ରୁ ସମ୍ମୁଖରୁ ଆପଣା ଦକ୍ଷିଣ ହସ୍ତ ପଛକୁ ଟାଣି ନେଇଅଛନ୍ତି; ଆଉ, ସେ ଅଗ୍ନିଶିଖା ପରି ଯାକୁବକୁ ପ୍ରଜ୍ୱଳିତ କରିଅଛନ୍ତି, ତାହା ଚତୁର୍ଦ୍ଦିଗ ଗ୍ରାସ କରଇ ।

4ସେ ଶତ୍ରୁ ତୁଲ୍ୟ ଆପଣା ଧନୁରେ ଗୁଣ ଦେଇଅଛନ୍ତି, ସେ ବିପକ୍ଷ ପରି ଆପଣା ଦକ୍ଷିଣ ହସ୍ତ ଟେକି ଠିଆ ହୋଇଅଛନ୍ତି ଓ ଚକ୍ଷୁର ସୁଖଜନକ ସକଳକୁ ବଧ କରିଅଛନ୍ତି; ସେ ସିୟୋନ କନ୍ୟାର ତମ୍ବୁ ମଧ୍ୟରେ ଆପଣା କୋପ ଅଗ୍ନି ପରି ଢାଳି ଦେଇଅଛନ୍ତି ।

5ପ୍ରଭୁ ଶତ୍ରୁ ତୁଲ୍ୟ ହୋଇଅଛନ୍ତି, ସେ ଇସ୍ରାଏଲକୁ ଗ୍ରାସ କରିଅଛନ୍ତି; ସେ ତାହାର ଅଟ୍ଟାଳିକାସକଳ ଗ୍ରାସ କରିଅଛନ୍ତି, ସେ ତାହାର ଦୁର୍ଗସବୁ ଧ୍ୱଂସ କରିଅଛନ୍ତି; ଆଉ, ସେ ଯିହୁଦାର କନ୍ୟା ମଧ୍ୟରେ ଶୋକ ଓ ବିଳାପ ବୃଦ୍ଧି କରିଅଛନ୍ତି ।

6ସେ ଉଦ୍ୟାନସ୍ଥ ତମ୍ବୁ ପରି ଆପଣା ଆବାସ-ତମ୍ବୁ ବଳପୂର୍ବକ ଦୂର କରିଅଛନ୍ତି; ସେ ଆପଣା ସମାଜ-ସ୍ଥାନ ନଷ୍ଟ କରିଅଛନ୍ତି; ସଦାପ୍ରଭୁ ସିୟୋନରେ ମହାସଭା ଓ ବିଶ୍ରାମବାର ବିସ୍ମୃତ କରାଇଅଛନ୍ତି ଓ ଆପଣା କ୍ରୋଧର ପ୍ରଚଣ୍ଡତାରେ ରାଜା ଓ ଯାଜକକୁ ତୁଚ୍ଛଜ୍ଞାନ କରିଅଛନ୍ତି ।

7ପ୍ରଭୁ ଆପଣା ଯଜ୍ଞବେଦି ଦୂର କରିଅଛନ୍ତି, ସେ ଆପଣା ପବିତ୍ର ସ୍ଥାନ ଘୃଣା କରିଅଛନ୍ତି, ସେ ତାହାର ଅଟ୍ଟାଳିକାର ଭିତ୍ତିଗୁଡିକୁ ଶତ୍ରୁ ହସ୍ତରେ ସମର୍ପଣ କରିଅଛନ୍ତି; ସେମାନେ ସଦାପ୍ରଭୁଙ୍କ ଗୃହ ମଧ୍ୟରେ ମହାସଭାର ଦିନ ତୁଲ୍ୟ ଚହଳ କରିଅଛନ୍ତି ।

8ସଦାପ୍ରଭୁ ସିୟୋନ କନ୍ୟାର ପ୍ରାଚୀର ନଷ୍ଟ କରିବାକୁ ସଙ୍କଳ୍ପ କରିଅଛନ୍ତି; ସେ ସୂତ୍ର ଟାଣିଅଛନ୍ତି, ସେ ବିନାଶକରଣରୁ ଆପଣା ହସ୍ତ ନିବୃତ୍ତ କରି ନାହାନ୍ତି; ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇଅଛନ୍ତି; ସେମାନେ ଏକ ସମୟରେ ନିସ୍ତେଜ ହୋଇଅଛନ୍ତି ।

9ତାହାର ନଗର-ଦ୍ୱାରସକଳ ଭୂମିରେ ମଗ୍ନ ହୋଇଅଛି; ସେ ତାହାର ଅର୍ଗଳସବୁ ନଷ୍ଟ ଓ ଖଣ୍ଡ ଖଣ୍ଡ କରିଅଛନ୍ତି ; ଯେଉଁ ଗୋଷ୍ଠୀୟମାନଙ୍କର ବ୍ୟବସ୍ଥା ନାହିଁ, ସେମାନଙ୍କ ମଧ୍ୟରେ ତାହାର ରାଜା ଓ ଅଧିପତିଗଣ ଅଛନ୍ତି; ହଁ, ତାହାର ଭବିଷ୍ୟଦ୍‍ବକ୍ତାଗଣ ସଦାପ୍ରଭୁଙ୍କଠାରୁ କୌଣସି ଦର୍ଶନ ପା'ନ୍ତି ନାହିଁ ।

10ସିୟୋନ କନ୍ୟାର ପ୍ରାଚୀନଗଣ ଭୂମିରେ ବସୁଅଛନ୍ତି, ସେମାନେ ନୀରବ ହୋଇ ରହିଅଛନ୍ତି ; ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇଅଛନ୍ତି; ସେମାନେ କଟିଦେଶରେ ଝୋଟର କନା ବାନ୍ଧିଅଛନ୍ତି; ଯିରୂଶାଲମର କୁମାରୀଗଣ ଭୂମିକୁ ଆପଣା ଆପଣା ମସ୍ତକ ଅବନତ କରିଅଛନ୍ତି ।

11ମୋହର ଚକ୍ଷୁ ଲୋତକରେ କ୍ଷୀଣ ହୁଅଇ, ମୋର ଅନ୍ତ୍ର ବ୍ୟଥିତ ହୁଅଇ, ମୋ' ଲୋକଙ୍କ କନ୍ୟାର ବିନାଶ ହେତୁ ମୋହର କଲିଜା ଭୂମିରେ ଢଳା ଯାଇଅଛି; କାରଣ ନଗରର ପଥସମୂହରେ ବାଳକ ବାଳିକା ଓ ସ୍ତନ୍ୟପାୟୀ ଶିଶୁମାନେ ମୂର୍ଚ୍ଛାପନ୍ନ ହେଉଅଛନ୍ତି ।

12ଶସ୍ୟ ଓ ଦ୍ରାକ୍ଷାରସ କାହିଁ ? ଏହି କଥା ଆପଣା ଆପଣା ମାତାକୁ କହୁ କହୁ, ସେମାନେ ନଗରର ପଥସମୂହରେ କ୍ଷତବିକ୍ଷତ ଲୋକ ପରି ମୁର୍ଚ୍ଛାପନ୍ନ ହୁଅନ୍ତି, ସେମାନେ ଆପଣା ଆପଣା ମାତାର କୋଳରେ ପ୍ରାଣତ୍ୟାଗ କରନ୍ତି ।

13ଆଗୋ ଯିରୂଶାଲମର କନ୍ୟେ, ମୁଁ ତୁମ୍ଭକୁ କିପରି ସାନ୍ତ୍ଵନା ଦେବି ? ମୁଁ କାହା ସହିତ ତୁମ୍ଭର ଉପମା ଦେବି ? ଆଗୋ ସିୟୋନ କୁମାରୀ, ମୁଁ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ କାହାର ସମାନ ତୁମ୍ଭକୁ କରିବି ? କାରଣ ତୁମ୍ଭର କ୍ଷତ ସମୁଦ୍ର ପରି ବଡ଼; କିଏ ତୁମ୍ଭକୁ ସୁସ୍ଥ କରି ପାରେ ?

14ତୁମ୍ଭର ଭବିଷ୍ୟଦ୍‍ବକ୍ତାମାନେ ତୁମ୍ଭ ନିମନ୍ତେ ଅସାରତା ଓ ମୂର୍ଖତାର ଦର୍ଶନ ପାଇଅଛନ୍ତି; ଆଉ, ତୁମ୍ଭର ବନ୍ଦୀତ୍ୱର ମୋଚନ ନିମନ୍ତେ ସେମାନେ ତୁମ୍ଭର ଅଧର୍ମ ପ୍ରକାଶ କରି ନାହାନ୍ତି, ମାତ୍ର ଅସାର ଭାରୋକ୍ତି ଓ ତୁମ୍ଭ ନିର୍ବାସିତ ହେବାର କାରଣ ଦେଖି ପ୍ରଚାର କରିଅଛନ୍ତି ।

15ପଥିକମାନେ ତୁମ୍ଭ ପ୍ରତି ହାତ ତାଳି ଦିଅନ୍ତି; ସେମାନେ ଶୀସ୍‍ ଶବ୍ଦ କରି ଓ ଯିରୂଶାଲମର କନ୍ୟାଆଡ଼େ ମସ୍ତକ ହଲାଇ କୁହନ୍ତି, ଯେଉଁ ନଗରକୁ ଲୋକେ ସୌନ୍ଦର୍ଯ୍ୟର ସିଦ୍ଧି ଓ ସମୁଦାୟ ପୃଥିବୀର ଆନନ୍ଦ ସ୍ୱରୂପ ବୋଲି କହିଲେ, ତାହା କି ଏହି ?

16ତୁମ୍ଭର ଶତ୍ରୁସକଳ ତୁମ୍ଭ ବିରୁଦ୍ଧରେ ଆପଣା ଆପଣା ମୁଖ ମେଲାଇ ଅଛନ୍ତି; ସେମାନେ ଶୀସ୍‍ ଦିଅନ୍ତି ଓ ଦନ୍ତ କଡ଼ମଡ଼ କରନ୍ତି; ସେମାନେ କହନ୍ତି, ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ; ଆମ୍ଭେମାନେ ଯେଉଁ ଦିନର ଅପେକ୍ଷା କଲୁ, ଏ ଅବଶ୍ୟ ସେହି ଦିନ; ଆମ୍ଭେମାନେ ତାହା ପାଇଅଛୁ, ଆମ୍ଭେମାନେ ତାହା ଦେଖିଅଛୁ ।

17ସଦାପ୍ରଭୁ ଯାହା ସଙ୍କଳ୍ପ କଲେ, ତାହା ସିଦ୍ଧ କରିଅଛନ୍ତି, ସେ ପୁରାତନ କାଳରେ ଯାହା ଆଜ୍ଞା କରିଥିଲେ, ଆପଣାର ସେହି ବାକ୍ୟ ସଫଳ କରିଅଛନ୍ତି; ସେ ନିପାତ କରିଅଛନ୍ତି ଓ ଦୟା କରି ନାହାନ୍ତି; ଆଉ, ସେ ଶତ୍ରୁକୁ ତୁମ୍ଭ ଉପରେ ଆନନ୍ଦ କରିବାକୁ ଦେଇଅଛନ୍ତି, ସେ ତୁମ୍ଭ ବିପକ୍ଷଗଣର ଶୃଙ୍ଗ ଉନ୍ନତ କରିଅଛନ୍ତି ।

18ଲୋକମାନଙ୍କର ହୃଦୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା; ହେ ସିୟୋନ କନ୍ୟାର ପ୍ରାଚୀର, ଦିବାରାତ୍ର ଅଶ୍ରୁଧାରା ସ୍ରୋତ ପରି ବୁହାଅ; ତୁମ୍ଭେ ଆପଣାକୁ କିଛି ବିଶ୍ରାମ ଦିଅ ନାହିଁ; ତୁମ୍ଭ ଚକ୍ଷୁର ତାରା ଶାନ୍ତ ନ ହେଉ ।

19ଉଠ, ରାତ୍ରିରେ, ପ୍ରତ୍ୟେକ ପ୍ରହରର ଆରମ୍ଭରେ ଆର୍ତ୍ତସ୍ୱର କର; ପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳ ପରି ଢାଳିଦିଅ; ତୁମ୍ଭର ବାଳକ ବାଳିକାଗଣର ପ୍ରାଣରକ୍ଷାର୍ଥେ ତାହାଙ୍କ ଛାମୁରେ କୃତାଞ୍ଜଳି ହୁଅ, ସେମାନେ ପ୍ରତ୍ୟେକ ସଡ଼କର ମୁଣ୍ଡରେ କ୍ଷୁଧାରେ କ୍ଳାନ୍ତ ହେଉଅଛନ୍ତି ।

20ହେ ସଦାପ୍ରଭୁ, ଦେଖ, ନିରୀକ୍ଷଣ କର, ତୁମ୍ଭେ କାହା ପ୍ରତି ଏପ୍ରକାର ବ୍ୟବହାର କରିଅଛ ? ସ୍ତ୍ରୀଲୋକେ କି ଆପଣା ଗର୍ଭଫଳକୁ, ହସ୍ତରେ ଲାଳିତ ଶିଶୁମାନଙ୍କୁ ଭୋଜନ କରିବେ ? ଯାଜକ ଓ ଭବିଷ୍ୟଦ୍‍ବକ୍ତା କି ପ୍ରଭୁଙ୍କର ପବିତ୍ର ସ୍ଥାନରେ ହତ ହେବେ ?

21ଆବାଳବୃଦ୍ଧ ଲୋକ ବାଟରେ ଭୂମିରେ ପଡ଼ିଅଛନ୍ତି; ଆମ୍ଭର କୁମାରୀ ଓ ଯୁବକଗଣ ଖଡ଼୍‍ଗରେ ହତ ହୋଇ ପଡ଼ିଅଛନ୍ତି; ତୁମ୍ଭେ ସେମାନଙ୍କୁ ଆପଣା କ୍ରୋଧର ଦିନରେ ବଧ କରିଅଛ; ତୁମ୍ଭେ ଦୟା ନ କରି ହତ୍ୟା କରିଅଛ ।

22ତୁମ୍ଭେ ମୋର ଚତୁର୍ଦ୍ଦିଗସ୍ଥ ଆଶଙ୍କାସକଳକୁ ମହାସଭା ଦିନର ନ୍ୟାୟ ଆହ୍ୱାନ କରିଅଛ । ସଦାପ୍ରଭୁଙ୍କ କ୍ରୋଧର ଦିନରେ କେହି ରକ୍ଷା ପାଇ ନ ଥିଲେ, କି ଅବଶିଷ୍ଟ ରହି ନ ଥିଲେ; ଯେଉଁମାନଙ୍କୁ ମୁଁ ଲାଳନ ପାଳନ କରିଅଛି, ସେମାନଙ୍କୁ ମୋର ଶତ୍ରୁ ସଂହାର କରିଅଛି ।


  Share Facebook  |  Share Twitter

 <<  Lamentations 2 >> 


Bible2india.com
© 2010-2024
Help
Dual Panel

Laporan Masalah/Saran