Bible 2 India Mobile
[VER] : [ODIYA]     [PL]  [PB] 
 <<  Ecclesiastes 8 >> 

1ଜ୍ଞାନବାନର ତୁଲ୍ୟ କିଏ ଅଛି ? ଓ କିଏ ବିଷୟର ଭାବାର୍ଥ ଜାଣେ ? ମନୁଷ୍ୟର ଜ୍ଞାନ ତାହାର ମୁଖ ପ୍ରସନ୍ନ କରେ ଓ ତାହାର ମୁଖର କାଠିନ୍ୟ ପରିବର୍ତ୍ତିତ ହୁଏ ।

2ତୁମ୍ଭେ ରାଜାଜ୍ଞା ପାଳନ କର, ମୁଁ ଏହା ପରାମର୍ଶ ଦିଏ ଓ ପରମେଶ୍ୱରଙ୍କ ସାକ୍ଷାତରେ ଶପଥ କରିବା ସକାଶୁ ତାହା କର ।

3ତାଙ୍କ ଛାମୁରୁ ବାହାରି ଯିବାକୁ ଚଞ୍ଚଳ ହୁଅ ନାହିଁ; କୌଣସି ମନ୍ଦ ବିଷୟର ସପକ୍ଷରେ ଠିଆ ହୁଅ ନାହିଁ; କାରଣ ଯାହା ତାଙ୍କର ଇଚ୍ଛା, ସେ ତାହା କରନ୍ତି ।

4ଯେହେତୁ ରାଜାଙ୍କ ବାକ୍ୟ ପରାକ୍ରମବିଶିଷ୍ଟ; ପୁଣି, ତୁମ୍ଭେ କଅଣ କରୁଅଛ, ଏହା ତାଙ୍କୁ କିଏ କହି ପାରେ ?

5ଯେ ଆଜ୍ଞା ପାଳନ କରେ, ସେ କୌଣସି ମନ୍ଦ ବିଷୟ ଜାଣିବ ନାହିଁ; ପୁଣି ଜ୍ଞାନୀର ମନ ସମୟ ଓ ବିଚାର ଜାଣେ;

6କାରଣ ପ୍ରତ୍ୟେକ ଅଭିପ୍ରାୟ ପାଇଁ ସମୟ ଓ ବିଚାର ଅଛି; ଯେହେତୁ ମନୁଷ୍ୟର ଦୁଃଖ ତାହା ପକ୍ଷରେ ଅତିଶୟ;

7କାରଣ କଅଣ ଘଟିବ, ତାହା ସେ ଜାଣେ ନାହିଁ ଓ କିପ୍ରକାରେ ତାହା ଘଟିବ, ଏହା କିଏ ତାହାକୁ ଜଣାଇ ପାରେ ?

8ଶ୍ୱାସବାୟୁ ଅଟକାଇ ରଖିବା ପାଇଁ ଶ୍ୱାସବାୟୁ ଉପରେ କୌଣସି ମନୁଷ୍ୟର କ୍ଷମତା ନାହିଁ; କିଅବା ମରଣ ଦିନ ଉପରେ ତାହାର କିଛି କ୍ଷମତା ନାହିଁ; ପୁଣି, ସେହି ଯୁଦ୍ଧରୁ ଛାଡ଼ ନାହିଁ; ଅଥବା ଦୁଷ୍ଟତାରେ ଆସକ୍ତ ଲୋକକୁ ଦୁଷ୍ଟତା ଉଦ୍ଧାର କରିବ ନାହିଁ ।

9ଏହିସବୁ ମୁଁ ଦେଖିଅଛି ଓ ସୂର୍ଯ୍ୟ ତଳେ ଯେଉଁ ପ୍ରତ୍ୟେକ କାର୍ଯ୍ୟ କରାଯାଏ, ତହିଁରେ ମୁଁ ମନୋଯୋଗ କରିଅଛି; କେବେ କେବେ ଏକ ମନୁଷ୍ୟର ଅନ୍ୟ ଉପରେ ତାହାର ଅମଙ୍ଗଳ ନିମନ୍ତେ କ୍ଷମତା ଥାଏ ।

10ଆହୁରି, ଦୁଷ୍ଟମାନେ କବରପ୍ରାପ୍ତ ହୋଇ ପରଲୋକରେ ଉପସ୍ଥିତ ହେଲେ; ପୁଣି, ଯଥାର୍ଥ କର୍ମକାରୀମାନେ ପବିତ୍ର ସ୍ଥାନକୁ ଗଲେ ଓ ନଗରରୁ ବିସ୍ମୃତ ହେଲେ; ଏହା ହିଁ ଅସାର ଦେଖିଲି ।

11କୁକର୍ମ ବିରୁଦ୍ଧରେ ଦଣ୍ଡାଜ୍ଞା ଅତିଶୀଘ୍ର ସମ୍ପାଦନ ନ ହେବାରୁ ମନୁଷ୍ୟ ସନ୍ତାନମାନଙ୍କ ଅନ୍ତଃକରଣ କୁକର୍ମ କରିବାକୁ ସମ୍ପୂର୍ଣ୍ଣ ଆସକ୍ତ ହୁଏ ।

12ଯଦ୍ୟପି ପାପୀ ଶହେ ଥର ଦୁଷ୍କର୍ମ କରି ଦୀର୍ଘଜୀବୀ ହୁଏ, ତଥାପି ମୁଁ ନିଶ୍ଚୟ ଜାଣେ ଯେ, ପରମେଶ୍ୱରଙ୍କ ଭୟକାରୀମାନେ ତାହାଙ୍କ ଛାମୁରେ ଭୀତ ହୁଅନ୍ତି ବୋଲି ସେମାନଙ୍କର ମଙ୍ଗଳ ହେବ;

13ମାତ୍ର ଦୁଷ୍ଟର ମଙ୍ଗଳ ହେବ ନାହିଁ, କିଅବା ସେ ଆପଣା ଛାୟା ସ୍ୱରୂପ ପରମାୟୁ ବୃଦ୍ଧି କରିବ ନାହିଁ; କାରଣ ସେ ପରମେଶ୍ୱରଙ୍କ ଛାମୁରେ ଭୀତ ନୁହେଁ ।

14ପୃଥିବୀରେ ଏହି ଗୋଟିଏ ଅସାରତା ସାଧିତ ହୁଏ; କେବେ କେବେ ଧାର୍ମିକମାନଙ୍କୁ ଦୁଷ୍ଟମାନଙ୍କ କର୍ମାନୁଯାୟୀ ଫଳ ଘଟେ, ପୁଣି କେବେ କେବେ ଦୁଷ୍ଟମାନଙ୍କୁ ଧାର୍ମିକମାନଙ୍କ କର୍ମାନୁଯାୟୀ ଫଳ ଘଟେ; ମୁଁ କହିଲି, “ଏହା ହିଁ ଅସାର ।”

15ତହୁଁ ମୁଁ ଆନନ୍ଦର ପ୍ରଶଂସା କଲି, କାରଣ ଭୋଜନ ଓ ପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ଯ୍ୟ ତଳେ ମନୁଷ୍ୟ ପ୍ରତି ଆଉ କୌଣସି ଉତ୍ତମ ବିଷୟ ନାହିଁ; ଯେଣୁ ସେ ସୂର୍ଯ୍ୟ ତଳେ ପରମେଶ୍ୱରଙ୍କ ଦତ୍ତ ତାହାର ପରମାୟୁ ମଧ୍ୟରେ ଯେଉଁ ଯେଉଁ ପରିଶ୍ରମ କରେ, ସେହି ସବୁରେ ଏହା ହିଁ ତାହାର ସହବର୍ତ୍ତୀ ହେବ ।

16ଯେତେବେଳେ ମୁଁ ଜ୍ଞାନର ତତ୍ତ୍ୱ ଜାଣିବାକୁ ଓ ପୃଥିବୀରେ ସାଧିତ କାର୍ଯ୍ୟ ଦେଖିବାକୁ ମନୋଯୋଗ କଲି (କାରଣ ଦିବାରାତ୍ର ଯାହାର ଚକ୍ଷୁ ନିଦ୍ରା ଦେଖେ ନାହିଁ, ଏପରି ଲୋକ ମଧ୍ୟ ଅଛନ୍ତି);

17ସେତେବେଳେ ମୁଁ ପରମେଶ୍ୱରଙ୍କର ସକଳ କାର୍ଯ୍ୟ ବିଷୟ ଦେଖିଲି ଯେ, ମନୁଷ୍ୟ ସୂର୍ଯ୍ୟ ତଳେ ସାଧିତ କାର୍ଯ୍ୟର ତତ୍ତ୍ୱ ପାଇ ନ ପାରେ; କାରଣ ତାହା ଅନ୍ଵେଷଣ କରିବା ପାଇଁ ମନୁଷ୍ୟ ଯେତେ ପରିଶ୍ରମ କଲେ ହେଁ ତାହା ପାଇ ପାରିବ ନାହିଁ; ଆହୁରି, ଜ୍ଞାନୀ ଲୋକ ତାହା ଜାଣିବାକୁ ଚିନ୍ତା କଲେ ହେଁ ତହିଁର ତତ୍ତ୍ୱ ପାଇବାକୁ ସମର୍ଥ ହେବ ନାହିଁ ।


  Share Facebook  |  Share Twitter

 <<  Ecclesiastes 8 >> 


Bible2india.com
© 2010-2024
Help
Dual Panel

Laporan Masalah/Saran