Bible 2 India Mobile
[VER] : [ODIYA]     [PL]  [PB] 
 <<  Ecclesiastes 7 >> 

1ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଓ ଜନ୍ମ ଦିନ ଅପେକ୍ଷା ମରଣ ଦିନ ଭଲ ।

2ଭୋଜଗୃହକୁ ଯିବାଠାରୁ ବିଳାପ ଗୃହକୁ ଯିବାର ଭଲ; କାରଣ ତାହା ସମୁଦାୟ ମନୁଷ୍ୟର ଶେଷ ଗତି ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବ ।

3ହାସ୍ୟଠାରୁ ଖେଦ ଭଲ; କାରଣ ମୁଖର ବିଷର୍ଣ୍ଣତା ଦ୍ୱାରା ହୃଦୟ ପ୍ରସନ୍ନ ହୁଏ ।

4ଜ୍ଞାନୀମାନଙ୍କ ହୃଦୟ ବିଳାପ ଗୃହରେ ଥାଏ, ମାତ୍ର ମୂର୍ଖମାନଙ୍କ ହୃଦୟ ଆନନ୍ଦ ଗୃହରେ ଥାଏ ।

5ମୂର୍ଖମାନଙ୍କର ଗୀତ ଶୁଣିବା ଅପେକ୍ଷା ଜ୍ଞାନୀମାନଙ୍କର ଭର୍ତ୍ସନା ଶୁଣିବାର ଭଲ ।

6କାରଣ ହାଣ୍ଡି ତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି, ମୂର୍ଖର ହାସ୍ୟ ସେପରି; ଏହା ହିଁ ଅସାର ।

7ନିଶ୍ଚୟ ଅନ୍ୟାୟ ଧନଗ୍ରହଣ ଜ୍ଞାନୀ ଲୋକକୁ ନିର୍ବୋଧ କରେ ଓ ଲାଞ୍ଚ ବୁଦ୍ଧି ନଷ୍ଟ କରେ ।

8କାର୍ଯ୍ୟର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ; ପୁଣି, ଆତ୍ମାରେ ଗର୍ବୀ ହେବା ଅପେକ୍ଷା ଆତ୍ମାରେ ଧୀର ହେବା ଭଲ ।

9କ୍ରୋଧ କରିବା ପାଇଁ ଆପଣା ଆତ୍ମାରେ ଚଞ୍ଚଳ ହୁଅ ନାହିଁ; କାରଣ ମୂର୍ଖମାନଙ୍କ ହୃଦୟରେ କ୍ରୋଧ ଅବସ୍ଥାନ କରେ ।

10ବର୍ତ୍ତମାନ କାଳ ଅପେକ୍ଷା ପୂର୍ବ କାଳ ଭଲ ଥିବାର କାରଣ କଅଣ, ଏହା ନ କୁହ, କାରଣ ତୁମ୍ଭେ ଏ ବିଷୟ ଜ୍ଞାନରେ ପ୍ରଶ୍ନ କରୁ ନାହଁ ।

11ଜ୍ଞାନ ପୈତୃକ ଅଧିକାରର ତୁଲ୍ୟ ଉତ୍ତମ; ଆହୁରି, ସୂର୍ଯ୍ୟଦର୍ଶୀ ଲୋକମାନଙ୍କ ପ୍ରତି ତାହା ଅଧିକ ଶ୍ରେଷ୍ଠ ।

12କାରଣ ଧନ ଯେପରି ଆଶ୍ରୟ ସ୍ୱରୂପ, ଜ୍ଞାନ ହିଁ ସେପରି ଆଶ୍ରୟ ସ୍ୱରୂପ ଅଟେ; ମାତ୍ର ବିଦ୍ୟାର ଶ୍ରେଷ୍ଠତା ଏହି ଯେ, ଜ୍ଞାନ ଆପଣା ଅଧିକାରୀର ଜୀବନ ରକ୍ଷା କରେ ।

13ପରମେଶ୍ୱରଙ୍କର କାର୍ଯ୍ୟ ବିବେଚନା କର; କାରଣ ସେ ଯାହା ବଙ୍କା କରିଅଛନ୍ତି, କିଏ ତାହା ସଳଖ କରି ପାରେ ?

14ସୁଖ ସମୟରେ ଆନନ୍ଦିତ ହୁଅ ଓ ଦୁଃଖ ସମୟରେ ବିବେଚନା କର; ମନୁଷ୍ୟକୁ ଭବିଷ୍ୟତରେ ଯାହା ଘଟିବ, ତାହା ଯେପରି ସେ ଜାଣି ନ ପାରେ, ଏଥିପାଇଁ ପରମେଶ୍ୱର ସୁଖ ଓ ଦୁଃଖକୁ ପାଖେ ପାଖେ ରଖିଅଛନ୍ତି ।

15ମୁଁ ଆପଣା ଅସାରତା ସମୟରେ ଏହିସବୁ ଦେଖିଅଛି; ଧାର୍ମିକ ଲୋକ କେବେ କେବେ ଆପଣା ଧାର୍ମିକତାରେ ବିନଷ୍ଟ ହୁଏ, ପୁଣି ଦୁଷ୍ଟ ଲୋକ ଆପଣା ଦୁଷ୍କ୍ରିୟାରେ ଦୀର୍ଘଜୀବୀ ହୁଏ ।

16ଅତିରିକ୍ତ ଧାର୍ମିକ ହୁଅ ନାହିଁ; କିଅବା ଆପଣାକୁ ଅତି ଜ୍ଞାନୀ ଦେଖାଅ ନାହିଁ; କାହିଁକି ତୁମ୍ଭେ ଆପଣାକୁ ବିନାଶ କରିବ ?

17ତୁମ୍ଭେ ଅତି ଦୁଷ୍ଟ ହୁଅ ନାହିଁ, କିଅବା ନିର୍ବୋଧ ହୁଅ ନାହିଁ; ଆପଣା କାଳ ପୂର୍ବରେ କାହିଁକି ମରିବ ?

18ଏହା ଧରି ରଖିବାର, ମଧ୍ୟ ତାହାଠାରୁ ହସ୍ତ କାଢ଼ି ନ ନେବାର ତୁମ୍ଭର ଉତ୍ତମ; କାରଣ ଯେ ପରମେଶ୍ୱରଙ୍କୁ ଭୟ କରେ, ସେ ଏହିସବୁରୁ ଉତ୍ତୀର୍ଣ୍ଣ ହେବ ।

19ଜ୍ଞାନବାନ ଲୋକ ପ୍ରତି ନଗରସ୍ଥ ଦଶ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ ଅଧିକ ବଳ ସ୍ୱରୂପ ଅଟେ ।

20ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ ।

21ମଧ୍ୟ ଯେତେ କଥା କୁହାଯାଏ, ସେହି ସବୁରେ ମନୋଯୋଗ କର ନାହିଁ; କଲେ କେଜାଣି ତୁମ୍ଭ ଦାସ ତୁମ୍ଭକୁ ଅଭିଶାପ ଦେବାର ତୁମ୍ଭେ ଶୁଣିବ;

22କାରଣ ତୁମ୍ଭ ମନ ଜାଣେ ଯେ, ତୁମ୍ଭେ ମଧ୍ୟ ଅନ୍ୟମାନଙ୍କୁ ସେହିପରି ବାରମ୍ବାର ଅଭିଶାପ ଦେଇଅଛ ।

23ମୁଁ ଜ୍ଞାନ ଦ୍ୱାରା ଏହିସବୁ ପରୀକ୍ଷା କରିଅଛି । ମୁଁ କହିଲି, “ମୁଁ ଜ୍ଞାନୀ ହେବି,” ମାତ୍ର ତାହା ମୋ'ଠାରୁ ଦୂର ଥିଲା ।

24ଯାହା ଅଛି, ତାହା ଦୂରରେ ଅଛି ଓ ଅତି ଗଭୀର; ତାହା କିଏ ପାଇ ପାରେ ?

25ଜ୍ଞାନ ଓ ବିଷୟମାନର ତତ୍ତ୍ୱ ଜାଣିବାକୁ, ପୁଣି ଦୁଷ୍ଟତା ଯେ ନିର୍ବୋଧତା ଓ ମୂର୍ଖତା ଯେ ପାଗଳାମି, ଏହା ଜାଣିବାକୁ ମୁଁ ଫେରିଲି ଓ ମୋହର ମନ ତାହା ଅନୁସନ୍ଧାନ ଓ ଅନ୍ଵେଷଣ କରିବାକୁ ନିବିଷ୍ଟ ହେଲା ।

26ଆଉ, ମୁଁ ଦେଖୁଅଛି ଯେ, ଯେଉଁ ସ୍ତ୍ରୀର ଅନ୍ତଃକରଣ ଫାନ୍ଦ ଓ ଜାଲ ସ୍ୱରୂପ ଓ ହସ୍ତ ବନ୍ଧନ ସ୍ୱରୂପ, ସେ ମୃତ୍ୟୁ ଅପେକ୍ଷା ଅଧିକ ତିକ୍ତ ଅଟେ; ଯେକେହି ପରମେଶ୍ୱରଙ୍କୁ ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ; ମାତ୍ର ପାପୀ ତାହା ଦ୍ୱାରା ଧରାଯିବ ।

27ଉପଦେଶକ କହନ୍ତି, ଦେଖ, ମୁଁ ତତ୍ତ୍ୱ ଜାଣିବା ପାଇଁ ଏକ ବିଷୟକୁ ଆରେକ ସଙ୍ଗେ ରଖି ଏହା ପାଇଅଛି;

28ମୋହର ପ୍ରାଣ ଆଜି ପର୍ଯ୍ୟନ୍ତ ଅଦ୍ୟାପି ଅନୁସନ୍ଧାନ କରୁଥାଏ, ମାତ୍ର ମୁଁ ତାହା ପାଇ ନାହିଁ; ସହସ୍ର ମଧ୍ୟରେ ମୁଁ ଏକ ପୁରୁଷ ପାଇଅଛି; ମାତ୍ର ସେହି ସମସ୍ତଙ୍କ ମଧ୍ୟରେ ମୁଁ ଏକ ସ୍ତ୍ରୀ ପାଇ ନାହିଁ ।

29ଦେଖ, ମୁଁ ଏତିକି ମାତ୍ର ପାଇଅଛି ଯେ, ପରମେଶ୍ୱର ମନୁଷ୍ୟକୁ ସରଳ କରି ନିର୍ମାଣ କଲେ; ମାତ୍ର ସେମାନେ ଅନେକ ଉଦ୍ଭାବନ ଅନ୍ଵେଷଣ କରିଅଛନ୍ତି ।


  Share Facebook  |  Share Twitter

 <<  Ecclesiastes 7 >> 


Bible2india.com
© 2010-2024
Help
Dual Panel

Laporan Masalah/Saran