Bible 2 India Mobile
[VER] : [ODIYA]     [PL]  [PB] 
 <<  Ecclesiastes 5 >> 

1ତୁମ୍ଭେ ପରମେଶ୍ୱରଙ୍କ ଗୃହକୁ ଯିବା ବେଳେ ସାବଧାନରେ ଆପଣା ଚରଣ ରଖ; କାରଣ ମୂର୍ଖମାନଙ୍କର ବଳି ଉତ୍ସର୍ଗ କରିବା ଅପେକ୍ଷା ଶ୍ରବଣାର୍ଥେ ନିକଟବର୍ତ୍ତୀ ହେବାର ଉତ୍ତମ; ଯେଣୁ ସେମାନେ ମନ୍ଦ କର୍ମ କରନ୍ତି ବୋଲି ଜାଣନ୍ତି ନାହିଁ ।

2ତୁମ୍ଭେ ଆପଣା ମୁଖରେ ଅବିବେକୀ ହୁଅ ନାହିଁ ଓ ପରମେଶ୍ୱରଙ୍କ ସାକ୍ଷାତରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ; କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ; ଏହେତୁ ତୁମ୍ଭେ କଥା କଥା କହିବା ପୁର୍ବରୁ ଭଲ ଭାବରେ ଚିନ୍ତା କର ।

3କାରଣ କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ; ପୁଣି ବାକ୍ୟର ବାହୁଲ୍ୟରେ ମୂର୍ଖର ରବ ହୁଏ ।

4ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ମାନତ କଲେ, ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ; କାରଣ ମୂର୍ଖମାନଙ୍କଠାରେ ତାହାଙ୍କର ସନ୍ତୋଷ ନାହିଁ; ତୁମ୍ଭେ ଯାହା ମାନତ କର, ତାହା ପରିଶୋଧ କର ।

5ମାନତ କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭର ମାନତ ନ କରିବାର ଭଲ ।

6ତୁମ୍ଭ ଶରୀରକୁ ପାପ କରାଇବା ପାଇଁ ତୁମ୍ଭ ମୁଖକୁ ଦିଅ ନାହିଁ; କିଅବା ଏହା ଭୁଲବଶତଃ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ; କାହିଁକି ପରମେଶ୍ୱର ତୁମ୍ଭ ରବରେ କ୍ରୁଦ୍ଧ ହୋଇ ତୁମ୍ଭ ହସ୍ତର କାର୍ଯ୍ୟ ବିନାଶ କରିବେ ?

7କାରଣ ସ୍ୱପ୍ନ ଓ ଅସାରତାର ବାହୁଲ୍ୟ ଓ ବହୁ ବାକ୍ୟ ଦ୍ୱାରା ଏହିପରି ଘଟେ; ମାତ୍ର ତୁମ୍ଭେ ପରମେଶ୍ୱରଙ୍କୁ ଭୟ କର ।

8ଯେବେ ତୁମ୍ଭେ କୌଣସି ପ୍ରଦେଶରେ ଦରିଦ୍ର ପ୍ରତି ଉପଦ୍ରବ, ଅତ୍ୟାଚାରପୂର୍ବକ ବିଚାର ଓ ନ୍ୟାୟ ଅନ୍ୟଥା ହେବାର ଦେଖ, ତେବେ ସେ ବିଷୟରେ ଚମତ୍କୃତ ହୁଅ ନାହିଁ; କାରଣ ଉଚ୍ଚ ଅପେକ୍ଷା ଜଣେ ଉଚ୍ଚତର ଦେଖନ୍ତି; ପୁଣି, ସେମାନଙ୍କ ଅପେକ୍ଷା ଉଚ୍ଚତର ଅଛନ୍ତି ।

9ଆହୁରି, ପୃଥିବୀର ଫଳ ସମସ୍ତଙ୍କ ନିମନ୍ତେ; କ୍ଷେତ୍ର ଦ୍ୱାରା ରାଜା ଆପେ ସେବିତ ହୁଅନ୍ତି ।

10ଯେଉଁ ଲୋକ ରୂପା ଭଲ ପାଏ, ସେ ରୂପାରେ ତୃପ୍ତ ହେବ ନାହିଁ; କିଅବା ଯେଉଁ ଲୋକ ପ୍ରଚୁରତା ଭଲ ପାଏ, ସେ ଆୟବୃଦ୍ଧିରେ ତୃପ୍ତ ହେବ ନାହିଁ; ଏହା ହିଁ ଅସାର ।

11ସମ୍ପତ୍ତି ବୃଦ୍ଧି ପାଇଲେ, ତହିଁର ଭୋକ୍ତାମାନେ ବୃଦ୍ଧି ପାଆନ୍ତି; ଏଣୁ ଆପଣା ଚକ୍ଷୁରେ ଦେଖିବା ଛଡ଼ା ତହିଁର ଅଧିକାରୀର କି ଲାଭ ?

12ଶ୍ରମଜୀବୀ ଲୋକ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ; ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହିଁ ।

13ଧନ ଅଧିକାରୀ ଦ୍ୱାରା ଆପଣା ଅମଙ୍ଗଳ ନିମନ୍ତେ ଧନ ରକ୍ଷିତ ହୁଏ, ଏହି ଏକ ବ୍ୟାଧି ସ୍ୱରୂପ ଅନିଷ୍ଟ ମୁଁ ସୂର୍ଯ୍ୟ ତଳେ ଦେଖିଅଛି;

14ଆଉ, ଦୁର୍ଘଟଣା ଦ୍ୱାରା ସେହିସବୁ ଧନ କ୍ଷୟ ପାଏ; ପୁଣି, ସେ ପୁତ୍ର ଜାତ କଲେ, ତାହା ହସ୍ତରେ କିଛି ନ ଥାଏ ।

15ସେ ଆପଣା ମାତୃଗର୍ଭରୁ ଯେପରି ଆସିଲା, ସେପରି ଉଲଙ୍ଗ ହୋଇ ଆସିବା ପରି ଫେରିଯିବ, ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ୱହସ୍ତରେ ଯାହା ବହି ନେଇ ପାରିବ, ଏପରି କିଛି ସଙ୍ଗେ ନେବ ନାହିଁ ।

16ପୁଣି, ସେ ଯେପରି ଆସିଲା, ସର୍ବତୋଭାବେ ଯେ ସେପରି ଯିବ, ଏହା ହିଁ ବ୍ୟାଧି ସ୍ୱରୂପ ଅନିଷ୍ଟ; ଏଣୁ ବାୟୁ ନିମନ୍ତେ ସେ ପରିଶ୍ରମ କଲେ, ତାହାର କି ଲାଭ ?

17ଆହୁରି, ସେ ଯାବଜ୍ଜୀବନ ଅନ୍ଧକାରରେ ଆହାର କରେ, ପୁଣି ସେ ଅତିଶୟ ବିରକ୍ତ ହୁଏ, ଆଉ ତାହାକୁ ପୀଡ଼ା ଓ କୋପ ଘଟେ ।

18ଦେଖ, ଭୋଜନ ଓ ପାନ କରିବାର ଓ ପରମେଶ୍ୱରଙ୍କ ଦତ୍ତ ପରମାୟୁ ମଧ୍ୟରେ ମନୁଷ୍ୟ ସୂର୍ଯ୍ୟ ତଳେ ଯେଉଁ ଯେଉଁ ପରିଶ୍ରମ କରେ, ସେହି ସମସ୍ତ ପରିଶ୍ରମରେ ସୁଖଭୋଗ କରିବାର, ଏହା ହିଁ ତାହା ପକ୍ଷରେ ଉତ୍ତମ ଓ ମନୋହର ବୋଲି ମୁଁ ଦେଖିଅଛି; କାରଣ ଏହା ହିଁ ତାହାର ଅଂଶ ।

19ଆହୁରି, ପରମେଶ୍ୱର କୌଣସି ବ୍ୟକ୍ତିଙ୍କୁ ଧନ ସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ, ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମରେ ଆନନ୍ଦ କରିବାକୁ କ୍ଷମତା ଦେଲେ, ଏହା ହିଁ ପରମେଶ୍ୱରଙ୍କ ଦାନ ।

20ଯେହେତୁ ସେ ଆପଣା ପରମାୟୁର ଦିନସବୁ ଅଧିକ ସ୍ମରଣ କରିବ ନାହିଁ; କାରଣ ପରମେଶ୍ୱର ତାହାର ହୃଦୟରେ ଆନନ୍ଦ ଜନ୍ମାଇ ତାହାକୁ ଉତ୍ତର ଦିଅନ୍ତି ।


  Share Facebook  |  Share Twitter

 <<  Ecclesiastes 5 >> 


Bible2india.com
© 2010-2024
Help
Dual Panel

Laporan Masalah/Saran