Bible 2 India Mobile
[VER] : [ODIYA]     [PL]  [PB] 
 <<  Ecclesiastes 10 >> 

1ମଲା ମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରି ପକାଏ; ତଦ୍ରୂପ ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରୀ ।

2ଜ୍ଞାନୀର ହୃଦୟ ତାହାକୁ ସଠିକ୍ ପଥରେ ନିଏ; ମାତ୍ର ମୂର୍ଖର ହୃଦୟ ତାହାକୁ ଭୁଲ୍ ପଥରେ ନିଏ ।

3ଆହୁରି, ମୂର୍ଖ ପଥରେ ଗମନ କଲା ବେଳେ ତାହାର ବୁଦ୍ଧିର ଅଭାବ ଦେଖାଯାଏ, ପୁଣି ସେ ପ୍ରତ୍ୟେକକୁ କହେ ଯେ, ସେ ମୂର୍ଖ ।

4ତୁମ୍ଭ ଉପରେ ଶାସନକର୍ତ୍ତାର ମନରେ ବିରୁଦ୍ଧଭାବ ଉତ୍ପନ୍ନ ହେଲେ, ଆପଣା ସ୍ଥାନ ଛାଡ଼ ନାହିଁ; କାରଣ ଅଧୀନତା ସ୍ୱୀକାର ଦ୍ୱାରା ମହା ମହା ଅନିଷ୍ଟ କ୍ଷାନ୍ତ ହୁଏ ।

5ମୁଁ ସୂର୍ଯ୍ୟ ତଳେ ଏକ ମନ୍ଦ ବିଷୟ ଦେଖିଅଛି, ତାହା ଶାସନକର୍ତ୍ତାଠାରୁ ଉତ୍ପନ୍ନ ଭୁଲ୍ ତୁଲ୍ୟ ଅଟେ;

6ମୂର୍ଖତା ଅତି ଉଚ୍ଚ ପଦରେ ସ୍ଥାପିତ ହୁଏ, ପୁଣି ଧନୀ ନୀଚ ସ୍ଥାନରେ ବସେ ।

7ମୁଁ ଦାସମାନଙ୍କୁ ଅଶ୍ୱ ଉପରେ ଓ ଅଧିପତିମାନଙ୍କୁ ଦାସ ତୁଲ୍ୟ ପାଦଗତିରେ ଗମନ କରିବାର ଦେଖିଅଛି ।

8ଯେ ଗର୍ତ୍ତ ଖୋଳେ, ସେ ତହିଁରେ ପଡ଼ିବ ଓ ଯେଉଁ ଲୋକ ବେଢ଼ା ଭାଙ୍ଗେ, ତାହାକୁ ସର୍ପ କାମୁଡ଼ିବ ।

9ଯେଉଁ ଲୋକ ପଥର ଖୋଳେ, ସେ ତଦ୍ଦ୍ୱାରା ଆଘାତ ପାଇବ; ପୁଣି, ଯେ କାଠ ଚିରେ, ସେ ତଦ୍ଦ୍ୱାରା ଆପଦଗ୍ରସ୍ତ ହୁଏ ।

10ଲୁହା ଦନ୍ଥରା ହେଲେ ଯଦି କେହି ତାହାର ଦାଢ଼ ନ ପଜାଏ, ତେବେ ତାହା ଉତ୍ତାରେ ଅଧିକ ବଳ ପ୍ରୟୋଗ କରିବାକୁ ହୁଏ; ମାତ୍ର କର୍ତ୍ତବ୍ୟକୁ ଦେଖାଇବା ପାଇଁ ଜ୍ଞାନ ଫଳଦାୟକ ।

11ସର୍ପ ମନ୍ତ୍ରମୁଗ୍ଧ ହେବା ପୂର୍ବରୁ କାମୁଡ଼ିଲେ ଗୁଣିଆର କିଛି ଲାଭ ନାହିଁ ।

12ଜ୍ଞାନୀର ମୁଖର ବାକ୍ୟ ଅନୁଗ୍ରହଜନକ; ମାତ୍ର ମୂର୍ଖର ନିଜ ଓଷ୍ଠାଧର ତାହାକୁ ଗ୍ରାସ କରିବ ।

13ତାହାର ମୁଖର ବାକ୍ୟାରମ୍ଭ ଅଜ୍ଞାନତା ଅଟେ ଓ ତାହାର କଥାର ଶେଷ ଦୁଃଖଦାୟୀ ପାଗଳାମି ଅଟେ ।

14ମୂର୍ଖ ବହୁତ କଥା କହେ; ତଥାପି କଅଣ ହେବ, ମନୁଷ୍ୟ ଜାଣେ ନାହିଁ; ଆଉ, ତାହା ଉତ୍ତାରେ ଯାହା ଘଟିବ, କିଏ ତାହାକୁ ଜଣାଇ ପାରେ ?

15ପ୍ରତ୍ୟେକ ମୂର୍ଖର ପରିଶ୍ରମ ତାହାକୁ କ୍ଳାନ୍ତ କରେ, କାରଣ କିରୂପେ ନଗରକୁ ଯିବାର ହୁଏ, ତାହା ସେ ଜାଣେ ନାହିଁ ।

16ହେ ଦେଶ, ତୁମ୍ଭର ରାଜା ଯଦି ବାଳକ ହୁଏ ଓ ତୁମ୍ଭର ଅଧିପତିଗଣ ଯଦି ପ୍ରଭାତରେ ଭୋଜନ କରନ୍ତି, ତେବେ ତୁମ୍ଭେ ସନ୍ତାପର ପାତ୍ର ।

17ହେ ଦେଶ, କୂଳୀନର ପୁତ୍ର ଯେବେ ତୁମ୍ଭର ରାଜା ହୁଏ ଓ ତୁମ୍ଭର ଅଧିପତିଗଣ ଯେବେ ମତ୍ତତା ନିମନ୍ତେ ନୁହେଁ, ମାତ୍ର ବଳ ନିମନ୍ତେ ଉପଯୁକ୍ତ ସମୟରେ ଭୋଜନ କରନ୍ତି, ତେବେ ତୁମ୍ଭେ ଧନ୍ୟ !

18ଆଳସ୍ୟରେ ଛାତ ବସିଯାଏ, ପୁଣି ହସ୍ତର ଶିଥିଳତାରେ ଗୃହରେ ଜଳ ଝରେ ।

19ହାସ୍ୟ ନିମନ୍ତେ ଭୋଜ ପ୍ରସ୍ତୁତ ହୁଏ, ପୁଣି ଦ୍ରାକ୍ଷାରସ ଜୀବନ ଆନନ୍ଦିତ କରେ; ଧନ ସବୁ କାର୍ଯ୍ୟରେ ଆସେ ।

20ରାଜାଙ୍କୁ ଅଭିଶାପ ଦିଅ ନାହିଁ, ନା ମନେ ମନେ ହିଁ ଦିଅ ନାହିଁ; ଆଉ, ଧନୀକୁ ଆପଣା ଶୟନ ଗୃହରେ ଅଭିଶାପ ଦିଅ ନାହିଁ; କାରଣ ଶୂନ୍ୟର ପକ୍ଷୀ ସେହି ରବ ଘେନି ଯିବ ଓ ପକ୍ଷଧାରୀ ସେ କଥା ଜଣାଇ ଦେବ ।


  Share Facebook  |  Share Twitter

 <<  Ecclesiastes 10 >> 


Bible2india.com
© 2010-2024
Help
Dual Panel

Laporan Masalah/Saran