Bible 2 India Mobile
[VER] : [ODIYA]     [PL]  [PB] 
 <<  Psalms 27 >> 

1ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ; ମୁଁ କାହାକୁ ଭୟ କରିବି ? ସଦାପ୍ରଭୁ ମୋ' ଜୀବନର ବଳ; ମୁଁ କାହାଠାରୁ ଭୀତ ହେବି ?

2ଦୁଷ୍କର୍ମକାରୀଗଣ ମୋହର ମାଂସ ଗ୍ରାସ କରିବା ପାଇଁ ମୋତେ ଆକ୍ରମଣ କରିବା ବେଳେ ମୋହର ସେହି ବିପକ୍ଷ ଓ ଶତ୍ରୁମାନେ ଝୁଣ୍ଟି ପତିତ ହେଲେ ।

3ସୈନ୍ୟଦଳ ମୋ' ବିରୁଦ୍ଧରେ ଛାଉଣି କଲେ ହେଁ ମୋହର ଅନ୍ତଃକରଣ ଭୟ କରିବ ନାହିଁ; ଯଦି ଯୁଦ୍ଧ ମୋ' ବିରୁଦ୍ଧରେ ଉଠେ, ତେବେ ମଧ୍ୟ ମୁଁ ସାହସିକ ହେବି ।

4ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି, ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, ତାହା ହିଁ ମୁଁ ଅନ୍ୱେଷଣ କରିବି ।

5କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ; ସେ ଆପଣା ତମ୍ବୁର ଅନ୍ତରାଳରେ ମୋତେ ଲୁଚାଇବେ; ସେ ମୋତେ ଶୈଳ ଉପରକୁ ଉଠାଇବେ ।

6ଏଣୁ ଏବେ ମୋ' ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ଉପରେ ମୋହର ମସ୍ତକ ଉନ୍ନତ ହେବ; ଆଉ, ମୁଁ ତାହାଙ୍କ ତମ୍ବୁରେ ଜୟଧ୍ୱନିର ବଳି ଉତ୍ସର୍ଗ କରିବି; ମୁଁ ଗାନ କରିବି, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି ।

7ହେ ସଦାପ୍ରଭୁ, ମୁଁ ଆପଣା ରବରେ ଡାକିବା ବେଳେ ଶୁଣ; ମୋ' ପ୍ରତି ଦୟା କର ଓ ମୋତେ ଉତ୍ତର ଦିଅ ।

8ଯେତେବେଳେ ତୁମ୍ଭେ କହିଲ, "ତୁମ୍ଭେମାନେ ମୋହର ମୁଖ ଅନ୍ୱେଷଣ କର"; ମୋ' ଅନ୍ତଃକରଣ ତୁମ୍ଭଙ୍କୁ କହିଲା, "ସଦାପ୍ରଭୁ, ମୁଁ ତୁମ୍ଭର ମୁଖ ଅନ୍ୱେଷଣ କରିବି ।"

9ମୋ'ଠାରୁ ଆପଣା ମୁଖ ଲୁଚାଅ ନାହିଁ; କ୍ରୋଧରେ ଆପଣା ଦାସକୁ ଦୂର କର ନାହିଁ; ତୁମ୍ଭେ ମୋହର ସହାୟ ହୋଇଅଛ; ହେ ମୋ' ପରିତ୍ରାଣର ପରମେଶ୍ୱର, ମୋତେ ଦୂର କର ନାହିଁ, କିଅବା ପରିତ୍ୟାଗ କର ନାହିଁ ।

10କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି, ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ ।

11ହେ ସଦାପ୍ରଭୁ, ମୋହର ଶତ୍ରୁଗଣ ସକାଶୁ ମୋତେ ତୁମ୍ଭର ମାର୍ଗ ଶିଖାଅ; ଓ ସରଳ ପଥରେ ମୋତେ କଢ଼ାଇ ନିଅ ।

12ମୋ' ବିପକ୍ଷଗଣର ବାଞ୍ଛାରେ ମୋତେ ସମର୍ପଣ କର ନାହିଁ; କାରଣ ମିଥ୍ୟାସାକ୍ଷୀମାନେ ଓ ନିଷ୍ଠୁରତାରୂପ ନିଶ୍ୱାସ ମାରିବା ଲୋକେ ମୋ' ବିରୁଦ୍ଧରେ ଉଠିଅଛନ୍ତି ।

13ମୁଁ ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କର ମଙ୍ଗଳ ଭାବ ଦେଖିବାକୁ ବିଶ୍ୱାସ କରି ନ ଥିଲେ, ମୂର୍ଚ୍ଛିତ ହୋଇଥା'ନ୍ତି ।

14ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର; ବଳବାନ୍ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର ।


  Share Facebook  |  Share Twitter

 <<  Psalms 27 >> 


Bible2india.com
© 2010-2024
Help
Dual Panel

Laporan Masalah/Saran