Bible 2 India Mobile
[VER] : [ODIYA]     [PL]  [PB] 
 <<  Matthew 16 >> 

1ଫାରୂଶୀ ଓ ସାଦ୍ଦୂକୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାଙ୍କୁ ଅନୁରୋଧ କଲେ ।

2କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିଥାଅ, ଭଲ ପାଗ ହେବ,କାରଣ ଆକାଶ ଲାଲ ହୋଇଅଛି ।

3ଆଉ ପ୍ରାତଃକାଳରେ କହିଥାଅ, ଆଜି ଝଡ଼ ହେବ, କାରଣ ଆକାଶ ଲାଲ ଓ ମେଘୁଆ ହୋଇଅଛି । ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣସବୁ ବୁଝି ପାରୁ ନାହଁ ?

4ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ । ପୁଣି, ସେ ସେମାନଙ୍କୁ ପରିତ୍ୟାଗ କରି ଚାଲିଗଲେ ।

5ଶିଷ୍ୟମାନେ ଅନ୍ୟ ପାରିରେ ପହଞ୍ଚି ଦେଖିଲେ ଯେ, ସେମାନେ ରୁଟି ନେବାକୁ ପାସୋରି ଯାଇଅଛନ୍ତି ।

6ଯୀଶୁ ସେମାନଙ୍କୁ କହିଲେ, ସତର୍କ ହୁଅ, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରଠାରୁ ସାବଧାନ ହୋଇଥାଅ ।

7ସେଥିରେ ସେମାନେ ପରସ୍ପର ମଧ୍ୟରେ ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭେମାନେ ରୁଟି ଆଣି ନାହୁଁ ବୋଲି ସେ ଏହା କହୁଅଛନ୍ତି ।

8କିନ୍ତୁ ଯୀଶୁ ତାହା ଜାଣି କହିଲେ, ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ ?

9ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ବୁଝୁ ନାହଁ ? ଅବା ସେହି ପାଞ୍ଚ ହଜାର ଲୋକଙ୍କ ପାଞ୍ଚୋଟି ରୁଟି, ଆଉ କେତେ ଟୋକାଇ ଉଠାଇଲ,

10କିମ୍ବା ସେହି ଚାରି ହଜାର ଲୋକଙ୍କ ସାତୋଟି ରୁଟି, ପୁଣି, କେତେ ଟୋକେଇ ଉଠାଇଲ, ସେହି ସବୁ କି ତୁମ୍ଭର ମନେ ନାହିଁ ?

11ମୁଁ ଯେ ତୁମ୍ଭମାନଙ୍କୁ ରୁଟି ବିଷୟରେ କହି ନ ଥିଲି, ଏହା କିପରି ବୁଝୁ ନାହଁ ? କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀର ବିଷୟରେ ସାବଧାନ ହୋଇଥାଅ ।

12ସେ ଯେ ରୁଟିର ଖମୀରଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିଲେ ।

13ପରେ ଯୀଶୁ କାଇସରିୟା ଫିଲିପ୍ପୀ ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମନୁଷ୍ୟପୁତ୍ର କିଏ ବୋଲି ଲୋକେ କ'ଣ କହନ୍ତି ?

14ଏଥିରେ ସେମାନେ କହିଲେ, କେହି କେହି କହନ୍ତି, ବାପ୍ତିଜକ ଯୋହନ, କେହି କେହି ଏଲିୟ, ଆଉ କେହି କେହି ଯିରିମୀୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ ।

15ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ ?

16ଶିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର ।

17ଏଥିରେ ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ହେ ଯୂନସର ପୁତ୍ର ଶିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି ।

18ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ ।

19ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର କଞ୍ଚି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ ।

20ସେତେବେଳେ ସେ ଯେ ଖ୍ରୀଷ୍ଟ ଅଟନ୍ତି, ଏହା କାହାକୁ ନ କହିବା ପାଇଁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ ।

21ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ ।

22ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ, ହେ ପ୍ରଭୁ, ଈଶ୍ୱର ଆପଣଙ୍କୁ ଦୟା କରନ୍ତୁ, ନା ପ୍ରଭୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ ।

23କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ ।

24ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ନେଇ ମୋହର ଅନୁଗମନ କରୁ ।

25କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପାଇବ ।

26ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କ'ଣ ଦେବ ?

27ପୁଣି, ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ ।

28ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟପୁତ୍ରଙ୍କର ଆପଣା ରାଜ୍ୟରେ ଆଗମନ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଅାସ୍ୱାଦ ପାଇବେ ନାହିଁ ।


  Share Facebook  |  Share Twitter

 <<  Matthew 16 >> 


Bible2india.com
© 2010-2024
Help
Dual Panel

Laporan Masalah/Saran