Bible 2 India Mobile
[VER] : [ODIYA]     [PL]  [PB] 
 <<  Matthew 1 >> 

1ଅବ୍ରାହାମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁଖ୍ରୀଷ୍ଟଙ୍କ ବଂଶାବଳୀ ।

2ଅବ୍ରାହାମ ଇସ୍‌ହାକଙ୍କୁ ଜନ୍ମ ଦେଲେ, ଇସ୍‌ହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ଯିହୂଦା ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ,

3ଯିହୂଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ,

4ହିଷ୍ରୋଣ ଅରାମଙ୍କୁ ଜନ୍ମ ଦେଲେ, ଅରାମ ଅମ୍ମୀନାଦବଙ୍କୁ ଜନ୍ମ ଦେଲେ, ଅମ୍ମୀନାଦାବ ନହଶୋନଙ୍କୁ ଜନ୍ମ ଦେଲେ, ନହଶୋନ ସଲମୋନଙ୍କୁ ଜନ୍ମ ଦେଲେ,

5ସଲମୋନ ରାହାବଙ୍କ ଗର୍ଭରୁ ବୋୟାଜଙ୍କୁ ଜନ୍ମ ଦେଲେ, ବୋୟଜ ରୂତଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ, ଓବେଦ ଯିଶୀଙ୍କୁ ଜନ୍ମ ଦେଲେ,

6ଯିଶୀ ଦାଉଦ ରାଜାଙ୍କୁ ଜନ୍ମ ଦେଲେ । ଦାଉଦ ଉରୀୟଙ୍କ ଭାର୍ଯ୍ୟାଙ୍କ ଗର୍ଭରୁ ଶଲୋମନଙ୍କୁ ଜନ୍ମ ଦେଲେ,

7ଶଲୋମନ ରିହବୀୟାମଙ୍କୁ ଜନ୍ମ ଦେଲେ, ରିହବୀୟାମ ଅବୀୟଙ୍କୁ ଜନ୍ମ ଦେଲେ,

8ଅବୀୟ ଆସାଙ୍କୁ ଜନ୍ମ ଦେଲେ, ଆସା ଯିହୋଶାଫଟଙ୍କୁ ଜନ୍ମ ଦେଲେ, ଯିହୋଶାଫଟ ଯୋରାମଙ୍କୁ ଜନ୍ମ ଦେଲେ, ଯୋରାମ ଉଜୀୟଙ୍କୁ ଜନ୍ମ ଦେଲେ,

9ଉଜୀୟ ଯୋଥମଙ୍କୁ ଜନ୍ମ ଦେଲେ, ଯୋଥମ ଆହସଙ୍କୁ ଜନ୍ମ ଦେଲେ, ଆହସ ହିଜକୀୟଙ୍କୁ ଜନ୍ମ ଦେଲେ,

10ହିଜକୀୟ ମନଃଶିଙ୍କୁ ଜନ୍ମ ଦେଲେ, ମନଃଶି ଆମୋନଙ୍କୁ ଜନ୍ମ ଦେଲେ, ଆମୋନ ଯୋଶୀୟଙ୍କୁ ଜନ୍ମ ଦେଲେ,

11ବାବିଲୋନକୁ ନିର୍ବାସିତ ହେବା ସମୟରେ ଯୋଷୀୟ ଯିକନୀୟ ଓ ତାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ ।

12ବାବିଲୋନକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍‍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍‍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ,

13ଜିରୁବାବିଲ ଅବୀହୁଦଙ୍କୁ ଜନ୍ମ ଦେଲେ, ଅବୀହୁଦ ଏଲୀୟାକିମଙ୍କୁ ଜନ୍ମ ଦେଲେ, ଏଲୀୟାକିମ ଆସୋରଙ୍କୁ ଜନ୍ମ ଦେଲ,

14ଆସୋର ସାଦୋକଙ୍କୁ ଜନ୍ମ ଦେଲେ, ସାଦୋକ ଆଖିମଙ୍କୁ ଜନ୍ମ ଦେଲେ, ଆଖିମ ଏଲିହୁଦଙ୍କୁ ଜନ୍ମ ଦେଲେ,

15ଏଲିହୁଦ ଏଲୀୟାଜରଙ୍କୁ ଜନ୍ମ ଦେଲେ, ଏଲୀୟାଜର ମତ୍ତାନଙ୍କୁ ଜନ୍ମ ଦେଲେ,

16ମତ୍ତାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମରିୟମଙ୍କ ସ୍ୱାମୀ ଯୋଷେଫଙ୍କୁ ଜନ୍ମ ଦେଲେ, ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ ।

17ଏହି ପ୍ରକାରେ ସମସ୍ତେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲୋନ ନିର୍ବାସନ ପର୍ଯ୍ୟନ୍ତ ଚଉଦ ପୁରୁଷ, ପୁଣି, ବାବିଲୋନ ନିର୍ବାସନଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ ।

18ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା । ତାହାଙ୍କ ମାତା ମରିୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା ।

19ଏଥିରେ ତାହାଙ୍କ ସ୍ୱାମୀ ଯୋଷେଫ ଧାର୍ମିକ ଥିବାରୁ ଏବଂ ତାହାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାହାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ ।

20କିନ୍ତୁ ସେ ଏହା ମନସ୍ଥ କଲା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଇ କହିଲେ, "ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭର ଭାର୍ଯ୍ୟା ମରିୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଅଛି ।

21ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ ।"

22ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ଏସମସ୍ତ ଘଟିଲା,

23"ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁଏଲ ଦେବେ", ଏହି ନାମର ଅର୍ଥ "ଆମ୍ଭମାନଙ୍କ ସହିତ ଈଶ୍ୱର" ।

24ଏଥିରେ ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ;

25କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାହାଙ୍କ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ ।


  Share Facebook  |  Share Twitter

 <<  Matthew 1 >> 


Bible2india.com
© 2010-2024
Help
Dual Panel

Laporan Masalah/Saran