Bible 2 India Mobile
[VER] : [ODIYA]     [PL]  [PB] 
 <<  The Song of Songs 1 >> 

1ଶଲୋମନଙ୍କର ପରମ ଗୀତ ।

2ସେ ଆପଣା ମୁଖ-ଚୁମ୍ବନରେ ମୋତେ ଚୁମ୍ବନ କରନ୍ତୁ; କାରଣ ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ ।

3ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ; ତୁମ୍ଭ ନାମ ଢଳା ସୁଗନ୍ଧି ତୈଳ ସ୍ୱରୂପ; ତେଣୁ କୁମାରୀଗଣ ତୁମ୍ଭକୁ ପ୍ରେମ କରନ୍ତି ।

4ମୋତେ ତୁମ୍ଭେ ଟାଣି ନିଅ; ପୁଣି ଆମ୍ଭେ ତୁମ୍ଭ ପଛେ ପଛେ ଧାଇଁବା; ରାଜା ଆପଣା ଅନ୍ତଃପୁରକୁ ମୋତେ ଆଣିଅଛନ୍ତି; ଆମ୍ଭେମାନେ ତୁମ୍ଭଠାରେ ଆନନ୍ଦିତ ହେବା ଓ ଉଲ୍ଲାସ କରିବା । ଆମ୍ଭେମାନେ ଦ୍ରାକ୍ଷାରସ ଅପେକ୍ଷା ତୁମ୍ଭ ପ୍ରେମ ବିଷୟ ଅଧିକ କହିବା; ଯଥାର୍ଥରେ ଲୋକେ ତୁମ୍ଭକୁ ପ୍ରେମ କରନ୍ତି ।

5ହେ ଯିରୁଶାଲମର କନ୍ୟାଗଣ, ମୁଁ କେଦାରର ତମ୍ବୁ ତୁଲ୍ୟ, ଶଲୋମନଙ୍କର ଯବନିକା ତୁଲ୍ୟ କୃଷ୍ଣବର୍ଣ୍ଣା, ତଥାପି ସୁନ୍ଦରୀ ।

6ମୁଁ କୃଷ୍ଣବର୍ଣ୍ଣା, ସୂର୍ଯ୍ୟ ମୋତେ ବିବର୍ଣ୍ଣା କରିଅଛି ବୋଲି ମୋ' ପ୍ରତି କୁଦୃଷ୍ଟି କର ନାହିଁ । ମୋ' ମାତାର ସନ୍ତାନଗଣ ମୋ' ପ୍ରତି କୁପିତ ହେଲେ, ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ରସମୂହର ରକ୍ଷିକା କଲେ; ମାତ୍ର ମୁଁ ନିଜ ଦ୍ରାକ୍ଷାକ୍ଷେତ୍ର ରକ୍ଷା କରି ନାହିଁ ।

7ହେ ମୋ' ପ୍ରାଣର ପ୍ରିୟତମ, ତୁମ୍ଭେ କେଉଁଠାରେ ଆପଣା ପଲ ଚରାଉଅଛ, ମଧ୍ୟାହ୍ନ କାଳେ ଯେଉଁଠାରେ ଶୟନ କରାଉଅଛ, ତାହା ମୋତେ ଜଣାଅ; କାରଣ ତୁମ୍ଭ ସଖାଗଣର ପଲ ନିକଟରେ ମୁଁ କାହିଁକି ଆବରକ ବସ୍ତ୍ର ପରିଧାନକାରିଣୀ ତୁଲ୍ୟ ହେବି ?

8ହେ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ, ଯଦି ତୁମ୍ଭେ ନ ଜାଣ, ତେବେ ତୁମ୍ଭେ ପଲର ପଦଚିହ୍ନ ଧରି ଗମନ କର ଓ ମେଷପାଳକମାନଙ୍କ ତମ୍ବୁ ନିକଟରେ ଆପଣା ଛେଳିଛୁଆମାନଙ୍କୁ ଚରାଅ ।

9ହେ ମୋହର ପ୍ରିୟେ, ମୁଁ ଫାରୋର ରଥର ଅଶ୍ୱିନୀ ସଙ୍ଗେ ତୁମ୍ଭର ଉପମା ଦେଇଅଛି ।

10ତୁମ୍ଭର ଗାଲ ଅଳଙ୍କାରରେ ସଜ୍ଜିତ, ତୁମ୍ଭ ଗଳଦେଶ ରତ୍ନହାରରେ ସୁଶୋଭିତ ।

11ଆମ୍ଭେ ତୁମ୍ଭ ପାଇଁ ରୂପା ଭୁଣ୍ଡିଲଗା ସୁବର୍ଣ୍ଣ ବେଣୀ ପ୍ରସ୍ତୁତ କରିବା ।

12ରାଜା ଭୋଜନାସନରେ ଉପବିଷ୍ଟ ଥିବା ବେଳେ ମୋ' ସୁଗନ୍ଧିର ସୁବାସ ବ୍ୟାପ୍ତ ହେଲା ।

13ମୋହର ପ୍ରିୟତମ ମୋ' ବକ୍ଷସ୍ଥଳ ମଧ୍ୟରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ୟ ମୋ' ପ୍ରତି ଅଟନ୍ତି ।

14ମୋ' ପ୍ରିୟତମ ମୋ' ପ୍ରତି ଐନ୍‍ଗଦୀର ଦ୍ରାକ୍ଷାକ୍ଷେତ୍ରସ୍ଥ ମେହେନ୍ଦି ପୁଷ୍ପ ଗୁଚ୍ଛ ତୁଲ୍ୟ ଅଟନ୍ତି ।

15ହେ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ, ଦେଖ, ତୁମ୍ଭେ ସୁନ୍ଦରୀ ଅଟ; ତୁମ୍ଭର ଚକ୍ଷୁ କପୋତ ତୁଲ୍ୟ ।

16ଦେଖ, ହେ ମୋହର ପ୍ରିୟତମ, ତୁମ୍ଭେ ସୁନ୍ଦର, ହଁ, ତୁମ୍ଭେ ମନୋହର; ଆହୁରି, ଆମ୍ଭମାନଙ୍କ ଶଯ୍ୟା ହରିଦ୍‍ବର୍ଣ୍ଣ ଅଟେ ।

17ଏରସ କାଷ୍ଠ ଆମ୍ଭମାନଙ୍କ ଗୃହର କଡ଼ି ଓ ଦେବଦାରୁ କାଷ୍ଠ ଆମ୍ଭମାନଙ୍କର ବରଗା ।


  Share Facebook  |  Share Twitter

 <<  The Song of Songs 1 >> 


Bible2india.com
© 2010-2024
Help
Dual Panel

Laporan Masalah/Saran