Bible 2 India Mobile
[VER] : [ODIYA]     [PL]  [PB] 
 <<  Genesis 8 >> 

1ଅନନ୍ତର ପରମେଶ୍ୱର ନୋହଙ୍କୁ ଓ ତାଙ୍କ ସହିତ ଜାହାଜସ୍ଥ ପଶ୍ୱାଦି ସମସ୍ତ ପ୍ରାଣୀଙ୍କି ସ୍ମରଣ କରି ପୃଥିବୀରେ ବାୟୁ ବୁହାଇଲେ, ତହୁଁ ଜଳ ଥମିଲା;

2ମହାସମୁଦ୍ରର ଜଳାକାର ଓ ଆକାଶସ୍ଥ ଦ୍ୱାର ସକଳ ରୁଦ୍ଧ ହେଲା, ପୁଣି, ଆକାଶରୁ ବୃଷ୍ଟି ନିବୃତ୍ତ ହେଲା ।

3ତହିଁରେ ପୃଥିବୀରୁ ଜଳ ବହିଯାଇ ଏକଶହ ପଚାଶ ଦିନର ଶେଷରେ ହ୍ରାସ ହେଲା ।

4ଏଥିଉତ୍ତାରୁ ସପ୍ତମ ମାସର ସପ୍ତଦଶ ଦିନରେ ଆରାରାଟ୍‍ ପର୍ବତ ଉପରେ ଜାହାଜ ଲାଗି ରହିଲା ।

5ଏହିରୂପେ ଦଶମ ମାସ ପର୍ଯ୍ୟନ୍ତ ଜଳ କ୍ରମଶଃ ଊଣା ପଡ଼ିଲା; ସେହି ଦଶମ ମାସର ପ୍ରଥମ ଦିନରେ ପର୍ବତଗଣର ଶୃଙ୍ଗ ଦେଖାଗଲା ।

6ଅନନ୍ତର ଆଉ ଚାଳିଶ ଦିନ ଉତ୍ତାରେ ନୋହ ସ୍ୱନିର୍ମିତ ଜାହାଜର ଝରକା ଫିଟାଇ ଗୋଟାଏ ଡାମରା କାଉକୁ ଉଡ଼ାଇ ଦେଲେ;

7ତହିଁରେ ପୃଥିବୀର ଜଳ ଶୁଷ୍କ ହେବା ପର୍ଯ୍ୟନ୍ତ ସେ ଏଣେତେଣେ ଗତାୟାତ କଲା ।

8ପୁନଶ୍ଚ, ନୋହ ଭୂମିରେ ଜଳର ହ୍ରାସ ବୁଝିବା ପାଇଁ ଗୋଟିଏ କାପ୍ତା ଉଡ଼ାଇ ଦେଲେ;

9ସେତେବେଳେ ପୃଥିବୀ ଜଳାଚ୍ଛାଦିତ ଥିବାରୁ କାପ୍ତା ଆପଣା ପାଦ ରଖିବାର ସ୍ଥାନ ନ ପାଇ ଜାହାଜରେ ତାଙ୍କ ନିକଟକୁ ନେଉଟି ଆସିଲା; ତହୁଁ ସେ ହାତ ବଢ଼ାଇ ତାକୁ ଧରି ଜାହାଜ ଭିତରେ ଆପଣା ନିକଟକୁ ଆଣିଲେ ।

10ଆଉ ସାତ ଦିନ ବିଳମ୍ବ କଲା ଉତ୍ତାରେ ସେ ସେହି କାପ୍ତାକୁ ପୁନର୍ବାର ଜାହାଜରୁ ଉଡ଼ାଇ ଦେଲେ;

11ତହିଁରେ କାପ୍ତା ସନ୍ଧ୍ୟା ବେଳେ ତାଙ୍କ ନିକଟକୁ ଫେରି ଆସିଲା; ଆଉ ଦେଖ, ତାହାର ଚଞ୍ଚୁରେ ଜୀତ ବୃକ୍ଷର ନବୀନ ପଲ୍ଲବ ଥିଲା; ଏଣୁ ପୃଥିବୀର ଜଳ ହ୍ରାସ ହୋଇଅଛି, ଏହା ନୋହ ବୁଝିଲେ ।

12ଆଉ ସାତ ଦିନ ବିଳମ୍ବ କରି ସେ ସେହି କାପ୍ତାକୁ ପୁନର୍ବାର ଉଡ଼ାଇ ଦେଲେ, ମାତ୍ର ସେ ଆଉ ଥରେ ତାଙ୍କ ନିକଟକୁ ନେଉଟି ଆସିଲା ନାହିଁ ।

13(ନୋହଙ୍କ ବୟସର) ଛଅଶହ ଏକ ବର୍ଷ ପ୍ରଥମ ମାସର ପ୍ରଥମ ଦିନରେ ପୃଥିବୀ ଉପରୁ ଜଳ ଶୁଷ୍କ ହେଲା; ସେତେବେଳେ ନୋହ ଜାହାଜର ଛାତ ଉଠାଇ ଅନାନ୍ତେ, ଭୂମିକି ଶୁଷ୍କ ଦେଖିଲେ ।

14ଏହିରୂପେ ଦ୍ୱିତୀୟ ମାସର ସତାଇଶ ଦିନରେ ପୃଥିବୀ ଶୁଷ୍କ ହେଲା ।

15ଅନନ୍ତର ପରମେଶ୍ୱର ନୋହଙ୍କୁ କହିଲେ,

16"ତୁମ୍ଭେ ଆପଣା ଭାର୍ଯ୍ୟା ଓ ପୁତ୍ରଗଣ ଓ ପୁତ୍ରବଧୂଗଣଙ୍କୁ ସଙ୍ଗେ ଘେନି ଜାହାଜରୁ ବାହାର ହୋଇ ଯାଅ ।

17ପୁଣି, ଆପଣା ସଙ୍ଗେ ଥିବା ପଶୁ, ପକ୍ଷୀ ଓ ଭୂଚର, ଉରୋଗାମୀ ଆଦି ସବୁ ଜୀବଜନ୍ତୁ ବାହାରକୁ ଘେନି ଯାଅ; ସେମାନେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ, ପୁଣି, ପୃଥିବୀରେ ପ୍ରଜାବନ୍ତ ଓ ବହୁବଂଶ ହେଉନ୍ତୁ ।"

18ତହୁଁ ନୋହ ଆପଣା ଭାର୍ଯ୍ୟା, ପୁତ୍ର ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ବାହାରକୁ ଆସିଲେ;

19ପୁଣି, ସ୍ୱ ସ୍ୱ ଜାତି ଅନୁସାରେ ପ୍ରତ୍ୟେକ ପଶୁ, ପ୍ରତ୍ୟେକ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ପକ୍ଷୀ ପ୍ରଭୃତି ସମସ୍ତ ଭୂଚର ପ୍ରାଣୀ ଜାହାଜରୁ ବାହାରି ଆସିଲେ ।

20ଅନନ୍ତର ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କଲେ, ପୁଣି, ସର୍ବପ୍ରକାର ଶୁଚି ପଶୁ ଓ ଶୁଚି ପକ୍ଷୀଗଣ ମଧ୍ୟରୁ କେତେକ ନେଇ ବେଦି ଉପରେ ହୋମବଳି ଉତ୍ସର୍ଗ କଲେ ।

21ତହିଁରେ ସଦାପ୍ରଭୁ ତହିଁର ସୁଗନ୍ଧ ଆଘ୍ରାଣ କରି ମନେ ମନେ କହିଲେ, "ଆମ୍ଭେ ମନୁଷ୍ୟ ହେତୁରୁ ଆଉ ପୃଥିବୀକି ଅଭିଶାପ ଦେବା ନାହିଁ; ଯଦ୍ୟପି ବାଲ୍ୟକାଳଠାରୁ ମନୁଷ୍ୟ ମନର କଳ୍ପନା ମନ୍ଦ, ତଥାପି ଆମ୍ଭେ ଯେପରି କରିଅଛୁ, ସେପରି ଆଉ ଥରେ କେବେହେଁ ସବୁ ପ୍ରାଣୀଙ୍କୁ ବିନଷ୍ଟ କରିବା ନାହିଁ ।

22ପୁଣି, ଯେପର୍ଯ୍ୟନ୍ତ ପୃଥିବୀ ଥିବ, ସେପର୍ଯ୍ୟନ୍ତ ବୁଣାକଟାର ସମୟ, ଶୀତ ଓ ଗ୍ରୀଷ୍ମ, ପୁଣି, ଗ୍ରୀଷ୍ମ ଓ ଶୀତ କାଳ, ଆଉ ଦିବସ ଓ ରାତ୍ରି, ଏହି ସବୁର ନିବୃତ୍ତି ହେବ ନାହିଁ ।"


  Share Facebook  |  Share Twitter

 <<  Genesis 8 >> 


Bible2india.com
© 2010-2024
Help
Dual Panel

Laporan Masalah/Saran